Unknown

 

 

 

 

 

 

ଆହତଆତ୍ମା

ଖଲିଲ୍ ଜିବ୍ରାନ୍‌ଙ୍କ ଉପନ୍ୟାସ

The Broken Wingsର ଓଡ଼ିଆ ରୂପାନ୍ତର

 

ଅନୁବାଦ :

ଡ.ହରିପଦ ଶତପଥୀ

 

ଅଗ୍ରଲେଖ

 

ଖଲିଲ ଜିବ୍ରାନ୍ ଲେବାନନ୍‌ରେ ଜନ୍ମିତ ଜଣେ ଉଚ୍ଚ କୋଟୀର ସାହିତ୍ୟିକ । ତାଙ୍କର ଲେଖାରେ ଆଧ୍ୟାତ୍ମବାଦ, ପ୍ରେମ ବିପ୍ଳବ ଓ ସାମାଜିକ ପରିବର୍ତ୍ତନ ମୁଖ୍ୟ ଉପଜୀବ୍ୟ । ଅନେକ କୃତି ମଧ୍ୟରୁ The Prophet ଏକ ଅନନ୍ୟ କାବ୍ୟ । The Spirit Rebellious ମଧ୍ୟ ପରିବର୍ତ୍ତନଧର୍ମୀ ଅନ୍ୟ ଏକ ମହାନ୍ କଳାତ୍ମକ ସୃଷ୍ଟି । The Broken Wings ଉପନ୍ୟାସଟି ପ୍ରେମ ବିରହର ଏକ କାଳଜୟୀ ଉପନ୍ୟାସ । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ରଚିତ ବିଶ୍ୱର ସର୍ବଶ୍ରେଷ୍ଠ ସାହିତ୍ୟ କୃତି ମଧ୍ୟରେ ଜିବ୍ରାନଙ୍କ ଅବଦାନ ଅତୁଳନୀୟ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

 

ଚର୍ଚ୍ଚିତ ଉପନ୍ୟାସ The Broken Wingsର ଅନୁବାଦକ ଡକ୍ଟର ହରିପଦ ଶତପଥୀ ଜଣେ ବିଶିଷ୍ଟ ଅନୁବାଦକ । ବିଶେଷ କରି ଖଲିଲ୍ ଜିବ୍ରାନଙ୍କ ଅନେକ ଅନୁବାଦ ସେ କରିଛନ୍ତି । The Prophet କାବ୍ୟର ଅନୁବାଦ "ଦେବଦୂତ' ତାଙ୍କର ଅନନ୍ୟ ସୃଷ୍ଟି । ଛନ୍ଦମୟ ଗୀତି ମୟତାରେ ଏହା ଭରପୂର । ଆମୂଳଚୂଳ ରାଗ "ବଙ୍ଗଳାଶ୍ରୀ'ରେ ଏହା କାବ୍ୟାୟିତ ।

 

ଅନୁବାଦକ ଡକ୍ଟର ଶତପଥୀ ବଙ୍ଗଳା ସାହିତ୍ୟରୁ ଅନେକ ଓଡ଼ିଆ ଅନୁବାଦ ମଧ୍ୟ କରିଛନ୍ତି । ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ‘ଚଲାପଥର ଗୀତିଗାଥା’ ବଙ୍ଗଳା ସାହିତ୍ୟର ପ୍ରଥିତଯଶା ଔପନ୍ୟାସିକ ବିଭୂତି ଭୂଷଣ ବନ୍ଦ୍ୟୋପାଧ୍ୟାୟଙ୍କ ‘ପଥେର ପାଞ୍ଚାଲୀ’ର ସଫଳ ଅନୁବାଦ ।

 

ଏବର ଅନୁବାଦ "ଆହତ ଆତ୍ମା'ର ନାମ କରଣ ହିଁ ଅନୁବାଦର ଅନ୍ତର୍ଦୃଷ୍ଟି । ଡକ୍ଟର ଶତପଥୀ ମଧ୍ୟ ଜଣେ ଗାଳ୍ପିକ, ଔପନ୍ୟାସିକ, କବି, ସମାଲୋଚକ ଓ ଆଧ୍ୟାତ୍ମିକ ଆଲୋଚକରୂପେ ସୁପ୍ରସିଦ୍ଧ ।

 

ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବହୁଳ ପ୍ରଚାର, ପ୍ରସାର ନିମନ୍ତେ ତଥା ଦେଶୀୟ ଓ ଅନ୍ତର୍ଜାତୀୟ ସାହିତ୍ୟ ଓ ସଂସ୍କୃତିର ଭାବ ବିନିମୟ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ବିଭିନ୍ନ ପ୍ରାନ୍ତୀୟ ଓଡ଼ିଆ ସାହିତ୍ୟର କାଳଜୟୀ ସୃଷ୍ଟିକୁ ବିଭିନ୍ନ ଭାଷାରେ ଅନୂଦିତ କରିବା ନିମନ୍ତେ ବଦ୍ଧ ପରିକର ।

 

"ଆହତ ଆତ୍ମା' ଅନୁବାଦ ଉପନ୍ୟାସଟି ଓଡ଼ିଆ ଭାଷାର ସମୃଦ୍ଧି ନିମନ୍ତେ ସହାୟକ ହେବ ନିଶ୍ଚୟ । ଓଡ଼ିଆ ପାଠକ, ପାଠିକାମାନଙ୍କର ହୃଦୟରେ ପ୍ରେମ ଓ ବିରହର ଏକ ମର୍ମଦାହୀ ଆଲେଖ୍ୟ ଆଙ୍କି ପାରିବ ବୋଲି ବିଶ୍ୱାସ ।

 

ଜୟନ୍ତୀ ରଥ                              ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ

 

‘ଆହତ ଆତ୍ମା’

 

ଜିବ୍ରାନ୍ ଖଲିଲ୍ ଜିବ୍ରାନ୍ (୧୮୮୩-୧୯୩୧) ବିଶ୍ୱର ଜଣେ ମହାନ୍ ଅତୀନ୍ଦ୍ରିୟ ଚେତନାର କବି, ଲେଖକ, ଦାର୍ଶନିକ ଓ ଚିତ୍ରକର । ଭୂମଧ୍ୟସାଗରର ମନୋମୁଗ୍ଧକର ଉପକୂଳସ୍ଥିତ ଉତ୍ତର ଲେବାନନ୍‌ର ‘ବାଶାରି’ରେ ତାଙ୍କର ଜନ୍ମ । ସୁଦୂର ଆଟ୍‌ଲାଣ୍ଟିକ୍ ମହାସାଗର ସେପାରି ଉତ୍ତର ଆମେରିକାର ବୋଷ୍ଟନ୍ ସହର ପ୍ରବାସୀ କର୍ମଭୂମି । ଜୀବନର ଅବଧି ମାତ୍ର ୪୮ ବର୍ଷ । ହସକାନ୍ଦ, ସୁଖଦୁଃଖ, ଅଭାବ-ଅନାଟନ ଭିତରେ ସେ ସୃଷ୍ଟି କରିଥିଲେ ସକରୁଣ ଜୀବନ ଆଲେଖ୍ୟର ଗୀତିଗାଥା । ମାର୍ମିକ ଅନ୍ତର୍ଦହନର ଜୀବନ୍ତ ଚିତ୍ରକଳ୍ପ ।

 

ତାଙ୍କର ରଚିତ କାବ୍ୟ ‘The Prophet’ ମାନବ ଜୀବନର ବାସ୍ତବବାଦୀ ଦର୍ଶନର ବାର୍ତ୍ତାବହ । ବହୁମୁଖୀ ସାହିତ୍ୟକୃତିର ସ୍ରଷ୍ଟା ଜିବ୍ରାନ୍ ‘Spirits Rebellious’, ‘Nymphs of the Valley’, ଓ ‘The Broken Wings’ ଆଦି ଯୁଗାନ୍ତକାରୀ ଉପନ୍ୟାସଗୁଡ଼ିକର କୃତିଶିଳ୍ପୀ ମଧ୍ୟ । ତାଙ୍କର ଅନ୍ୟାନ୍ୟ ସୃଷ୍ଟି ଭିତରେ ‘The Madman’ (ଉଦ୍‌ଭ୍ରାନ୍ତ), ‘The Wandere’ (ଭ୍ରାନ୍ତ ପଥିକ), ‘Sand & Foam’ (ଧୂଳି ଓ ଫେଣ), ‘Tears & Laughter’ (ଲୁହ ଓ ହସର ପ୍ଳାବନୀ) ଏବଂ ‘The Earth God’ (ମାଟିର ଈଶ୍ୱର) ଆଦି ନୀତିଗଳ୍ପ ଓ କବିତା ସଂକଳନ ଏବଂ କାବ୍ୟ ଅତି ଉଚ୍ଚକୋଟୀର ।

 

‘The Broken Wings’ର ଆକ୍ଷରିକ ଅର୍ଥ ‘ଭଙ୍ଗା ଡେଣା’ । ଯେଉଁ ପକ୍ଷୀଟିର ଡେଣାକୁ ଭାଙ୍ଗି ଦିଆଯାଏ, ସେ ଆଉ ତା’ର ସ୍ୱପ୍ନର ଅନନ୍ତ ଆକାଶରେ ଉଡ଼ିପାରେନା । ଅକର୍ମଣ୍ୟ ପଙ୍ଗୁଟିଏ ପରି ମାଟି ଉପରେ ପଡ଼ି ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁର ବରଫ ଶୀତଳ ସ୍ପର୍ଶକୁ ଅପେକ୍ଷା କରିଥାଏ ମାତ୍ର । ପ୍ରତିଟି ମଣିଷର ମନ ଭିତରେ ବି ପକ୍ଷୀଟିଏ ଥାଏ । ସେ ହିଁ ଆତ୍ମା । ସେ ହିଁ ମନ-ପ୍ରାଣ-ଚିନ୍ତନଶକ୍ତି । ସେହି ଆତ୍ମା ଶରାହତ ହେଲେ ଶରୀର ଓ ମନ ଉଭୟେ ବିପନ୍ନ ହୋଇଥାନ୍ତି । ଏକ ନାରକୀୟ ଯନ୍ତ୍ରଣାରେ ବିଦଗ୍ଧ ହୋଇ ତାର ଜୀବନ ଯାତ୍ରା ବ୍ୟସ୍ତ, ବିକଳ ହୋଇଯାଏ । ନର୍କ ଭିତରେ କଲବଲ ହୋଇ ଅସହ୍ୟ ଦୁଃଖ ଭୋଗିଥାଏ ।

 

ସେହି ବ୍ୟକ୍ତିଟି ‘ଆହତ ଆତ୍ମା’ର ବିଳାପ ଭିତରେ ଜୀବନକୁ ଯେପରି ଦେଖିଥାଏ; ଏହି କ୍ଷୁଦ୍ର ଉପନ୍ୟାସଟିରେ ଖଲିଲ୍ ଜିବ୍ରାନ୍ ତାର ଏକ ନିଚ୍ଛକ୍ ଛବି ଅତି ଭାବପ୍ରବଣ ଭାବରେ ଚିତ୍ରାୟିତ କରିଛନ୍ତି । ସତେ ଯେମିତି ତାଙ୍କ ନିଜ ଜୀବନର ଏକ ସକରୁଣ ଅନୁଭୂତି । ସେ ନିଜେ ହିଁ ନାୟକର ଭୂମିକାରେ ଅବତୀର୍ଣ୍ଣ । ତାଙ୍କର ଆତ୍ମୋକ୍ତି ମାଧ୍ୟମରେ କଥାବସ୍ତୁକୁ ସଜଳ, ସକରୁଣ କରିଛନ୍ତି ।

 

ଏହା ପ୍ରେମ ଓ ବିରହର ଏକ ମର୍ମଦାହୀ ଗାଥା । ତାରୁଣ୍ୟର ପ୍ରଥମ ପାଦରେ ପ୍ରଥମ ପ୍ରେମର ଅନୁଭୂତି ଓ ସଜଳସ୍ମୃତିକୁ ଏକ କାବ୍ୟିକ ବ୍ୟଂଜନାରେ ଅଭିବ୍ୟକ୍ତ କରିଛନ୍ତି ଜିବ୍ରାନ୍ । ସେ ତାଙ୍କ ଜୀବନର ସଫଳତାର ଶ୍ରେୟ ନାରୀମାନଙ୍କୁ ପ୍ରଦାନ କରିଛନ୍ତି । ସେହି ନାରୀ ଶୈଶବର ସ୍ନେହଶୀଳା ଜନନୀ, କୈଶୋରର ସହଭାଗିନୀ ଭଗିନୀ ଏବଂ ଜୀବନର ବାକିତକ ଅଂଶର ସ୍ୱୃତି ରୂପରେ ଆଦ୍ୟ ଯୌବନର ପ୍ରେମିକା । ଏହି ସ୍ମୃତିର ମନ୍ଥନ ମଧ୍ୟରେ ସେ ଅଧ୍ୟାତ୍ମର ପରିପ୍ରକାଶ, ଅନ୍ତରୀଣ ଅନୁଭୂତିର ରୋମାଞ୍ଚ- ସବୁକିଛିର ନିର୍ମମ ହତ୍ୟା ହେବାର ଅଙ୍ଗେ ଲିଭେଇଛନ୍ତି । ନିଷ୍ଠୁର ସମାଜର କପଟତା ଭିତରେ, ଧର୍ମାନ୍ଧତା ଭିତରେ, କ୍ଷମତା ଲିପ୍‌ସା ଭିତରେ, ଅର୍ଥ ଲାଳସା ଭିତରେ ମାନବିକତାର ଓ ଅନାବିଳ ପ୍ରେମର ମୁହୂର୍ତ୍ତ ମୁହୂର୍ତ୍ତର କରୁଣ ବିଳାପ ଶୁଣିଛନ୍ତି ସ୍ରଷ୍ଟା ।

 

ପାଠକର ଅନ୍ତଃଚେତନାକୁ ଆର୍ଦ୍ର କରିଦେଉଥିବା ଏହାର କଥାବସ୍ତୁ ‘ପ୍ରେମ’ ଓ ‘ବିରହ’ର ଏକ କାଳଜୟୀ ଦସ୍ତାବିଜ୍ । ଅନନ୍ୟ ଭାବୋଚ୍ଛ୍ୱାସର ମର୍ମସ୍ପର୍ଶୀ ଗାଥା ।

 

ଅନୁବାଦକ

 

ପୂର୍ବାଭାସ

 

ମୋତେ ଯେତେବେଳେ ଅଠରବର୍ଷ, ପ୍ରେମର କୁଆଁରୀ କିରଣ ମୋ ଆଖିରେ ସମ୍ମୋହନର ଇନ୍ଦ୍ରଜାଲ ବୁଣିଥିଲା । ତା’ର ଉଷ୍ମ ରୋମାଞ୍ଚକ ଅଙ୍ଗୁଳି ସ୍ପର୍ଶରେ ମୋ ଅନ୍ତର୍ମନ ଶିହରିତ ହୋଇଥିଲା । ସେଲ୍‌ମା କାରାମୀ ଥିଲା ପ୍ରଥମ ନାରୀ, ଯାହାର କମନୀୟ ରୂପକାନ୍ତି ମୋ ଅନ୍ତରାତ୍ମାକୁ ଜାଗ୍ରତ କରିଥିଲା ଓ ହାତରେ ହାତଛନ୍ଦି ସେ ମୋତେ ଟାଣି ନେଇଥିଲା ସାନ୍ଦ୍ର ସ୍ନେହର ଯାଦୁକରୀ ଇଲାକାକୁ । ସେଠାରେ ଦିନସବୁ ବିତୁ ଥିଲା ସ୍ୱପ୍ନିଳ ସ୍ମୃତିପରି ଏବଂ ରାତି ସବୁ ବର୍ଣ୍ଣାଢ଼୍ୟ ବିବାହ ଉତ୍ସବ ପରି ।

 

ସେଲ୍‌ମାର ରୂପଛଟାର ସ୍ୱର୍ଗୀୟ ମାଧୁରୀ ମୋତେ ସୌନ୍ଦର୍ଯ୍ୟର ଉପାସନାପାଇଁ ପ୍ରେରଣା ପ୍ରଦାନ କରିଥିଲା । ତା’ର ମଧୁର ସ୍ନେହ ପ୍ରେମର ନିଗୂଢ଼ ତତ୍ତ୍ୱକୁ ମୋ ନିକଟରେ ଅନାବରିତ କରିଥିଲା । ସେ ହିଁ ମୋତେ ବାସ୍ତବ ଜୀବନର ଛନ୍ଦୋବଦ୍ଧ ଗୀତିମୟତାକୁ ପ୍ରଥମେ ଗାଇ ଶୁଣାଇଥିଲା ।

 

ପ୍ରତ୍ୟେକ ତରୁଣ ତାର ପ୍ରଥମ ପ୍ରେମର ସ୍ମୃତି ରୋମନ୍ଥନ କରି ବିଭୋର ହୋଇଉଠେ । ପ୍ରେମରେ ବିତା ଦିନସବୁର ସ୍ମୃତିଚାରଣ ତା’ର ଅନ୍ତରର ଗଭୀରତମ ଉଦ୍‌ବେଳନକୁ ପରିବର୍ତ୍ତିତ କରିଦିଏ ଏବଂ ପ୍ରେମ ପ୍ରହେଳିକାର ସମସ୍ତ ତିକ୍ତତା ସତ୍ତ୍ୱେ ମନରେ ଭରିଦିଏ ଅପାର ଆନନ୍ଦ ।

 

ପ୍ରତିଟି କିଶୋରର ଜୀବନରେ କେବେ ନା କେବେ ଜଣେ ‘ସେଲ୍‌ମା’ ଆସିଥାଏ । ଜୀବନର ଆଦ୍ୟ ଫଗୁଣରେ ସେ ହଠାତ୍ ଆବିର୍ଭୂତା ହୁଏ । କିଶୋର ଜୀବନର ବିଜନତାକୁ ଆନନ୍ଦ ବିଭୋର ମୁହୂର୍ତ୍ତରେ ପରିଣତ କରିଦିଏ । ଏ ଅତନ୍ଦ୍ର ରାତ୍ରିର ନୀରବତାକୁ ସଂଗୀତମୟ କରି ତୋଳେ ।

 

କୈଶୋରର ପ୍ରାକ୍ କାଳରେ ଚିନ୍ତା ଓ ଚେତନା ଭିତରେ ମୁଁ ନିବିଡ଼ ଭାବରେ ନିମଗ୍ନ ଥିଲି । ପ୍ରକୃତିର ଅନ୍ତଃତତ୍ତ୍ୱର ଅର୍ଥ ଅନ୍ୱେଷଣ କରୁଥିଲି । ପୁରାଣ ଓ ନୀତିଶାସ୍ତ୍ରରୁ ଈଶ୍ୱରୀୟ ପରିପ୍ରକାଶକୁ ବୁଝିବାକୁ ଚେଷ୍ଟା କରୁଥିଲି । ଠିକ୍ ସେତିକିବେଳେ ମୋ ଜୀବନରେ ଆସିଥିଲା ସେଲ୍‌ମାର ଅଧରନିଃସୃତ ପ୍ରେମର ମୃଦୁ ଗୁଂଜନ । ନନ୍ଦନବନର ‘ଆଦିପୁରୁଷ’ର ନିଃସଙ୍ଗତା ପରି ମୋର ଜୀବନ ଏକ ନିଥର ତରଙ୍ଗରୂପେ ଅଟକି ଯାଇଥିବା ବେଳେ ସେଲ୍‌ମାରୂପେ ମୋ ଜୀବନର ପ୍ରଭାତୀ ତାରାକୁ ମୁଁ ଆବିଷ୍କାର କରିଥିଲି । ସେ ମୋର ହୃଦୟର ଆଦି ପ୍ରକୃତି । ସୃଷ୍ଟିର ପ୍ରଥମ ରମଣୀରୂପେ ‘ପ୍ରେମ’ର ଗୋପନ ରହସ୍ୟ ଓ ରୋମାଞ୍ଚର ଅଭିଭୂତି ସବୁକୁ ସେ ହିଁ ମୋ ହୃଦୟରେ ଭରି ଦେଇଥିଲା; ଜୀବନର ପ୍ରକୃତ ଅର୍ଥକୁ ମୋତେ ତା’ର ନୀରବ ଇଙ୍ଗିତରେ ସୂଚେଇ ଦେଇଥିଲା-

 

ସୃଷ୍ଟିର ଆଦି ପୁରୁଷ ‘ଆଦାମ୍‌’କୁ ନିଜର ଇଚ୍ଛାଶକ୍ତିରେ ବିମୋହିତ କରି ଆଦି ପ୍ରକୃତି ‘ଇଭ୍‍’ ଇଡ଼େନ୍‌ର ବଳୟ ବାହାରକୁ ଟାଣି ଆଣିଥିଲା । ସେଲ୍‌ମା କିନ୍ତୁ ତାର କମନୀୟତା ଓ ପ୍ରେମର ସ୍ନିଗ୍ଧ ସ୍ପର୍ଶରେ ମୋ ନିଜର ଇଚ୍ଛାଶକ୍ତିକୁ ପବିତ୍ର ପ୍ରେମ ଓ ପୁଣ୍ୟର ନନ୍ଦନବନକୁ ବାଟ କଢ଼ାଇ ନେଇଥିଲା । ‘ଆଦାମ୍‌’ର ଜୀବନରେ ଯାହାସବୁ ଘଟିଥିଲା, ମୋ ଜୀବନରେ ସେ ସବୁର ପୁନରାବୃତ୍ତି ହୋଇଥିଲା । ଯେଉଁ ଭୟାବହ ଖଡ଼୍‌ଗ ଇଡ଼େନ୍‌ରୁ ଆଦାମ୍‌କୁ ଅନୁଧାବନ କରିଥିଲା, ସେହି ତରବାରୀର ଶାଣିତ ଝଲକ ମୋତେ ଅନାବିଳ ପ୍ରେମର ନନ୍ଦନବନରୁ ବିତାଡ଼ିତ ହେବାକୁ ବାଧ୍ୟ କରିଥିଲା । ମୁଁ କିନ୍ତୁ ନନ୍ଦନବନର କୌଣସି ନୀତିକୁ ଅବଜ୍ଞା କରି ନଥିଲି କିମ୍ବା ସେହି ‘ନିଷିଦ୍ଧ ଫଳ’କୁ ଭକ୍ଷଣ କରି ନଥିଲି ।

 

ବହୁତ ବର୍ଷ ବିତିଗଲାଣି । ସେଦିନର ସେହି ରଙ୍ଗୀନ ସ୍ୱପ୍ନସବୁକୁ ମୁଁ ବହୁତ ପଛରେ ଛାଡ଼ି ଆସିଛି । କେବଳ ଯନ୍ତ୍ରଣାଦାୟୀ ସ୍ମୃତିସବୁ ସେମାନଙ୍କର ଅଦୃଶ୍ୟ ଡେଣା ପିଟି ମୋ ଚାରିପଟେ ଉଡ଼ି ବୁଲୁଛନ୍ତି । ହୃଦୟର ଗଭୀରତମ ପ୍ରଦେଶରେ ଦୁଃଖର ପ୍ରଲେପ ଲେସି ହୋଇରହିଛି ଏବଂ ମୋ ଆଖିର ଅଶ୍ରୁ- ପ୍ଳାବନରେ ଭଟ୍ଟା ପଡ଼ିନାହିଁ । ମୋର ପ୍ରାଣପ୍ରିୟା ସୁନ୍ଦରୀ ସେଲ୍‌ମା ଆଉ ଇହଜଗତରେ ନାହିଁ । ତା’ର ସ୍ମାରକୀ ହିସାବରେ ମୋର ଭଗ୍ନ ହୃଦୟ ଓ ସାଇପ୍ରେସ୍ ଗଛ ମୂଳରେ ଥିବା ତାର ସମାଧି ବ୍ୟତୀତ ଆଉକିଛି ବାକି ନାହିଁ । ସେ ସ୍ମୃତି ଆଉ କେହି ବହନ କରୁନି ।

 

ସମାଧିକୁ ଘେରି ରହିଥିବା ନୀରବତା ମାଟିତଳ କଫିନ୍‌ର ପ୍ରହେଳି ଭିତରେ ପ୍ରଚ୍ଛନ୍ନ ଈଶ୍ୱରୀୟ ଗୋପନ ପ୍ରକ୍ରିୟାକୁ ପରିପ୍ରକାଶ କରୁନାହିଁ କି ମୃତକର ଶରୀରାବଶେଷରେ ପରିପୁଷ୍ଟ ବୃକ୍ଷଶାଖାର ମର୍ମର ସମାଧି ତଳର ରହସ୍ୟ ଉନ୍ମୋଚିତ କରୁନାହିଁ । କେବଳ ମୋ ହୃଦୟର ବେଦନାର୍ତ୍ତ ଦୀର୍ଘଶ୍ୱାସ ପ୍ରେମ, ସୌନ୍ଦର୍ଯ୍ୟ ଓ ମୃତ୍ୟୁ ଅଭିନୀତ ଏକ ନାଟକର ମର୍ମାର୍ଥ ଜୀବନ୍ତ ପୃଥିବୀ ଆଗରେ ବୟାନ କରୁଛି ।

 

ବୀରୁଥ୍ ସହରରେ ବିକ୍ଷିପ୍ତ ହୋଇ ରହିଥିବା ହେ ମୋର ଯୌବନର ବନ୍ଧୁଗଣ, ତୁମେ ଯେବେ ପାଇନ୍‌ବୃକ୍ଷ ଘେରା ଏ ସମାଧି ପାଖ ଦେଇ ଯାଉଥିବ, ଖୁବ୍ ସତର୍କତା ସହିତ ଧୀର ପାଦପାତରେ ଏହା ନିକଟକୁ ଆସିବ । ଯେପରି ତୁମର କ୍ଷୀପ୍ର ପାଦଶବ୍ଦ ସମାଧିର ମୃତ ଶରୀରକୁ ତାର ଗାଢ଼ ନିଦ୍ରାରୁ ନ ଜଗାଏ । ନତମସ୍ତକ ହୋଇ ସେଲ୍‌ମାର ସମାଧି ନିକଟରେ କିଛି ସମୟ ଛିଡ଼ା ହେବାକୁ ମୋର ବିନମ୍ର ଅନୁରୋଧ । ତୁମେ ତୁମର ନିରବ ଶ୍ୱାସରେ ମୋର ନାମକୁ ସମାଧି ଉପରେ ଅଜାଡ଼ି ଦେବ ଏବଂ ତୁମର ମନ ଭିତରେ କହିବ, “ଦରିଆ ସେପାରି ପ୍ରେମର କାରାଗାରରେ ଆଜୀବନ ବନ୍ଦୀର ଜୀବନ ଜୀଉଁଥିବା ଜିବ୍ରାନ୍‌ର ସମସ୍ତ ଆଶା-ଅଭୀପ୍‌ସା ଏହି ସ୍ଥାନରେ ସମାଧି ନେଇଛି । ଏହି ସ୍ଥାନରେ ହିଁ ସେ ତାର ସବୁ ସୁଖ ହଜେଇ ଦେଇଛି, ସବୁ ଲୁହକୁ ଅଜାଡ଼ି ଦେଇଛି ଏବଂ ତାର ଜୀବନର ଶେଷ ହସଟି ଏଇଠି ଛାଡ଼ି ଯାଇଛି ।”

 

ସେହି ସମାଧି ଉପରେ ସାଇପ୍ରେସ୍ ଗଛ ସହିତ ଜିବ୍ରାନ୍‌ର ଯନ୍ତ୍ରଣା ସବୁ ବଢ଼ି ବଢ଼ି ଚାଲିଛି । ପ୍ରତି ରାତିରେ ତାର ବିଦଗ୍ଧ ଆତ୍ମାଟି ସେଲ୍‌ମାର ସ୍ମୃତିରେ ସେଇଠି ଡେଣାପିଟି ବ୍ୟାକୁଳ ଭାବରେ ଉଡ଼ିବୁଲେ । ସେଲ୍‌ମା ଗଲା ପରେ ପରେ ସାଇପ୍ରେସ୍ ବୃକ୍ଷର ଶାଖାର ମର୍ମରରେ ତାର ଯନ୍ତ୍ରଣାତୁର ଆତ୍ମା କ୍ରନ୍ଦନ, ଶୋକ ଓ ବିଳାପରେ ମାତି ଉଠେ । ଅତୀତରେ ସେ ଥିଲା ଅଧର ନିଃସୃତ ଏକ ମଧୁର ସ୍ୱର, ଆଉ ଆଜି ମାଟିର ବୁକୁତଳେ ସେ ହୋଇଯାଇଛି ଏକ ଗୋପନ ନୀରବତା ।

“ହେ ମୋର ଯୌବନର ବନ୍ଧୁଗଣ ! ତୁମେ ଯେଉଁ କୁମାରୀକନ୍ୟାକୁ କେବେ ଭଲ ପାଇଥିଲ, ସେମାନଙ୍କ ଦ୍ୱାହିଦେଇ ମୁଁ ତୁମମାନଙ୍କୁ ଅନୁନୟ କରୁଛି, ତୁମେମାନେ ଏହି ମୋ ପ୍ରିୟ ପ୍ରେମିକାର ପରିତ୍ୟକ୍ତ ସମାଧି ଉପରେ ଫୁଲର ତୋଡ଼ାଟିଏ ଥୋଇଦେବ । ତୁମରି ପୁଷ୍ପଗୁଚ୍ଛ ପାହାନ୍ତିର ଶିଶିର ମଉଳା ଗୋଲାପର ପାଖୁଡ଼ାରେ ଝରିପଡ଼ିଲା ପରି ସେଲ୍‌ମାର ସମାଧି ଉପରେ ଝରିଯାଇ ତାର ‘ଆହତ ଆତ୍ମା’କୁ ଶୀତଳ କରୁ । ତୁମକୁ ମୋ ରାଣ ।”

 

-୧-

ନୀରବ ବେଦନା

 

ହେ ମୋର ପ୍ରତିବେଶୀମାନେ ! ତୁମେ ଯୌବନର ପ୍ରାକ୍‌କାଳକୁ ହର୍ଷଆକୁଳିତ ଚିତ୍ତରେ ମନେରଖ ଏବଂ ଯୌବନର ବିଦାୟରେ ତୁମେ ଦାରୁଣ ଆଘାତ ପାଇଥାଅ । ମୋ କଥା କିନ୍ତୁ ନିଆରା । କାରାଗାରର ବନ୍ଦୀ ଯେପରି ଶଳାକା ଓ ଶୃଙ୍ଖଳକୁ ନିବିଡ଼ଭାବେ ମନେରଖେ ମୁଁ ମୋର ବିଗତ ଯୌବନର ସ୍ମୃତିକୁ ଠିକ୍ ସେହିପରି ଉଜ୍ଜୀବିତ କରି ରଖିଛି । ତୁମେମାନେ ଶୈଶବ ଓ କୈଶୋରର ସନ୍ଧିକ୍ଷଣକୁ ମୁକ୍ତ ଓ ବେପରୱା ବୋଧରେ ସୁବର୍ଣ୍ଣ ସମୟ ବୋଲି ଅଭିହିତ କରିଥାଅ, କିନ୍ତୁ ମୋ ମତରେ ସେହି ସମୟଟି ନୀରବ ବେଦନାରେ ଜର୍ଜରିତ ଏକ ଦୀର୍ଘ ଯୁଗ ଅଟେ । ବେଦନାସିକ୍ତ ବୀଜଟିଏ ମୋର ହୃଦୟ ଭିତରେ ଶୋଇ ରହିଥିଲା ଏବଂ ଧୀରେ ଧୀରେ ବଢ଼ୁଥିଲା । ମୁଁ ବାହାର ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥିଲି । ଜ୍ଞାନ ଓ ପ୍ରଜ୍ଞାର ଅନୁସନ୍ଧିତ୍ସା ମୋତେ ବାସ୍ତବରେ ଏକ ପୃଥକ୍ ସ୍ଥାନରେ ରଖିଥିଲା । ହୃଦୟର ଦ୍ୱାରକୁ ଉନ୍ମୁକ୍ତ କରି ପ୍ରେମ ଯେତେବେଳେ ହଠାତ୍ ମୋ ଭିତରେ ପ୍ରବେଶ କଲା, ପ୍ରତିଟି ଅଳିନ୍ଦ ନିଳୟରେ ଆଲୋକର ଦିବ୍ୟଜ୍ୟୋତି ପ୍ରଜ୍ଜ୍ୱଳିତ ହୋଇ ଉଠିଲା । ମୋ ଜିହ୍ୱାରେ ଭାଷାର ଶିହରଣ ସୃଷ୍ଟି କଲା । ମୋ ନୟନରୁ ଭାବର ଅଶ୍ରୁ ନିଗାଡ଼ି ଦେଲା । ତୁମ୍ଭେମାନେ ଲତାଗୁଳ୍କରେ ସୁଶୋଭିତ ଫଳପୁଷ୍ପର ଉଦ୍ୟାନକୁ ନିବିଡ଼ ଭାବରେ ମନେରଖିଥାଅ, ତୁମରି ମିଳନ ମଧୁର ସ୍ମୃତି ବହନ କରିଥିବା ସେହିସବୁ ଗଳିକନ୍ଦି, ରାସ୍ତାଘାଟ । କାରଣ, ସେହି ସ୍ଥାନରେ ତୁମେ ତୁମର ପ୍ରାଣପ୍ରିୟା ସହିତ ମିଳନ ପାଶରେ ଆବଦ୍ଧ ଥାଅ, ପ୍ରେମକ୍ରୀଡ଼ାରେ ସତତ ଆବିଷ୍ଟ ଥାଅ । ପ୍ରେମର ନିଷ୍ପାପ ମୃଦୁ ଗୁଂଜନ ତୁମ ଅନ୍ତରକୁ ମୋହାଚ୍ଛନ୍ନ କରିଥାଏ । ମୁଁ ମଧ୍ୟ ତୁମ ପରି ମୋର ଅତି ପ୍ରିୟ ଉତ୍ତର ଲେବାନନ୍‌ର ମନୋରମ ସ୍ଥାନଟିକୁ ମନେରଖିଛି ଏବଂ ଅତି ନିବିଡ଼ ଭାବରେ ମୁଁ ସେହି ସ୍ଥାନକୁ ଭଲପାଏ । ଯେତେବେଳେ ଆଖି ବୁଜିଦିଏ, ମୋ ମାନସଚକ୍ଷୁରେ ମୋ ଦେଶର ଶ୍ୟାମଳ ଉପତ୍ୟକାର ବର୍ଣ୍ଣାଢ଼୍ୟ ଶୋଭା ଓ ତାର ଉତ୍ତୁଙ୍ଗ ମହାନତା ପ୍ରତିଫଳିତ ହୋଇଯାଏ । ମୁଁ ଦେଖିପାରେ ଗୌରବାନ୍ୱିତ ପର୍ବତ ଗାତ୍ରରେ ମୋ ଦେଶର ବିଶାଳତାର ସୁଉଚ୍ଚ ଆବରଣ ଆକାଶର ପ୍ରଶାନ୍ତ ନୀଳିମାକୁ ନିରବଚ୍ଛିନ୍ନ ଭାବରେ ସ୍ପର୍ଶ କରିଛି । ପୁଣି ଯେବେ ସହରର କୋଳାହଳକୁ ମୁଁ ଶୁଣିବାକୁ ଚାହିଁଛି, ମୁଁ କେବଳ ଶୁଣିଛି ମୋ’ରି ଦେଶର ନଦୀ ଓ ନିର୍ଝରର କଳନାଦ ଏବଂ ସବୁଜ ବୃକ୍ଷରାଜିର ଶାଖା ପ୍ରଶାଖାର ଚଳଚଞ୍ଚଳ ମର୍ମର-। ଛୋଟ ଶିଶୁଟି ଯେପରି ତାର ମାତାର ସ୍ତନ୍ୟପାନ କରିବାକୁ ବ୍ୟାକୁଳ ଓ ଅଥୟ ହୋଇଉଠେ, ମୋ ଦେଶର ମନୋରମ ଛବିଳ ଦୃଶ୍ୟପଟ ମୋତେ ସେହିପରି ଭାବରେ ସତତ ବ୍ୟାକୁଳ କରେ । ଅନନ୍ତ, ମୁକ୍ତ ଆକାଶରେ ଉଡ଼ୁଥିବା ବିହଙ୍ଗ ଦଳକୁ ଅବଲୋକନ କରି ପଞ୍ଜୁରୀବଦ୍ଧ ଶ୍ୱେନ ପକ୍ଷୀର ଯନ୍ତ୍ରଣାହତ ଇଚ୍ଛା ପରି ମୁଁ ମଧ୍ୟ ତା ଯନ୍ତ୍ରଣାରେ ଛଟପଟ ହୁଏ । ମୋ’ରି ଦେଶର ଶ୍ୟାମଳ କାନ୍ତାର, ମନୋରମ ଉପତ୍ୟକା ଏବଂ ସୁଉଚ୍ଚ ଗିରିଶୃଙ୍ଗ ମୋ କଳ୍ପନାକୁ ରଙ୍ଗିନ୍ କରିଦିଅନ୍ତି । ତିକ୍ତ ମଧୁର ଚିନ୍ତାର ଖିଅସବୁ ମୋର ହୃଦୟ ଚାରିପଟେ ଏକ ନିରାପଦ ଜାଲ ବୁଣି ଦିଅନ୍ତି ।

 

ଯେତେଥର ମୁଁ କେଦାର ଭିତରେ ପ୍ରବେଶ କରିଥିଲି, ବାରମ୍ବାର ନିରାଶ ହୋଇ ଫେରି ଆସୁଥିଲି । ମୋର ନୈରାଶ୍ୟର କାରଣ ମଧ୍ୟ ଖୋଜି ପାଉନଥିଲି । ଯେତେଥର ଧୂସର ଆକାଶକୁ ମୁଁ ଦୃଷ୍ଟିନିକ୍ଷେପ କରିଥିଲି, ମୋର ହୃଦୟଟି ସଂକୁଚିତ ହେବାର ଅନୁଭବ କରିଥିଲି । ଯେତେଥର ମୁଁ ପକ୍ଷୀର କୂଜନ ଗୀତି ଓ ନିର୍ଝରର ଅସ୍ପଷ୍ଟ କଳନିନାଦ ଶୁଣୁଥିଲି, ମୋର ଅନ୍ତର ଭିତରେ ଏକ ବିଦଗ୍ଧ ଯନ୍ତ୍ରଣା ସୃଷ୍ଟି ହୋଇଥିବାର ଅନୁଭବ କରୁଥିଲି, ଯାହାର କାରଣ ମୁଁ ଖୋଜି ପାଉନଥିଲି । କୁହାଯାଏ ଯେ ସରଳତା ମଣିଷ ଭିତରେ ଶୂନ୍ୟତା ସୃଷ୍ଟିକରେ ଏବଂ ସେହି ଶୂନ୍ୟତା ହିଁ ତାକୁ ଭାବନାରହିତ କରାଇଥାଏ । ଯେଉଁମାନେ ଜନ୍ମରୁ ମୃତ କିମ୍ବା ହିମଶୀତଳ ଶବ ଭଳି ବଞ୍ଚି ଥାଆନ୍ତି ସେମାନଙ୍କପାଇଁ ଏହା ସତ ହୋଇପାରେ, କିନ୍ତୁ ଯେଉଁ ବାଳକଟି ଚେତନଶୀଳ ଓ ସ୍ପର୍ଶକାତର, ତାର ଜ୍ଞାନ ସୀମିତ ହେଲେ ମଧ୍ୟ ସେ ତାର ଅନୁଭବଦ୍ୱାରା ବହୁତ କିଛି ଜାଣିପାରେ । ସୂର୍ଯ୍ୟାତପର ଛାତ ତଳେ ସେ ବୋଧେ ସବୁଠୁ ହତଭାଗ୍ୟ ଅଟେ, କାରଣ ପରସ୍ପର ବିରୋଧୀ ଦୁଇ ଶକ୍ତିର ମନ୍ଥନରେ ସେ ନିଷ୍ପେଷିତ ହୋଇଯାଏ । ପ୍ରଥମ ଶକ୍ତିଟି ତାକୁ ସ୍ୱପ୍ନର ବାଦଲ ପିଠିରେ ବହୁ ଉର୍ଦ୍ଧ୍ୱକୁ ଉଠାଇ ନିଏ ଏବଂ ଜୀବନସତ୍ତାର ସୁନ୍ଦରତାକୁ ପ୍ରଦର୍ଶନ କରାଏ । ଆଉ ଦ୍ୱିତୀୟଟି ଜୀବନର ନିଚ୍ଛକ୍ ବାସ୍ତବତା ସହିତ ଛନ୍ଦି ଦେଉଥାଏ । ତା ଆଖିରେ ଧୂଳି ଭରିଦିଏ । ଭୀତି ସଞ୍ଚାର କରେ । ଅନ୍ଧକାରରେ ଆଚ୍ଛନ୍ନ କରି ତା’ ଉପରେ ରାଜୁତି କରେ ।

 

ନିର୍ଜନତାର ହାତ ରେଶମୀ କୋମଳ । କିନ୍ତୁ ତାର ବଜ୍ର କଠିନ ଅଙ୍ଗୁଳିରେ ସେ ହୃତ୍‌ପିଣ୍ଡକୁ କବଳିତ କରେ ଏବଂ ତାର ଶକ୍ତ ଚାପରେ ବେଦନା ଜର୍ଜରିତ କରିପାରେ । ନିର୍ଜନତା ବିଷଣ୍ଣତାର ବନ୍ଧୁ ଏବଂ ସେ ହିଁ ଆଧ୍ୟାତ୍ମିକ ଉଲ୍ଲାସର ସହଚର ।

 

ଶ୍ୱେତ କଇଁଟିଏ ତାର ପାଖୁଡ଼ା ମେଲି ଯେଉଁ ସଦ୍ୟ ଅନୁଭୂତି ଆହରଣ କରେ ତାହା ପୀଡ଼ାଦାୟୀ । ଦିବସ ପ୍ରାରମ୍ଭର ମୃଦୁମନ୍ଦ ସମୀରଣରେ ମଧ୍ୟ ତାର ହୃଦୟ ଥରି ଉଠେ ଏବଂ ଯେତେବେଳେ ଦିନାନ୍ତ ଆସେ, ସୂର୍ଯ୍ୟର ସୁନେଲି କିରଣ ଅସ୍ତମିତ ହୁଏ ଆଉ ରାତ୍ରିର ଅନ୍ଧାର ମାଡ଼ିଆସେ, ସେ ତାର ପାଖୁଡ଼ାକୁ ସଂକୁଚିତ କରିନିଏ । ସେହିପରି ବାଳକଟିର ଆତ୍ମା ଜୀବନର ପ୍ରାକ୍‌କାଳରେ ଦୁଃଖର ଚପଟାଘାତରେ ସନ୍ତ୍ରସ୍ତ ହୋଇଉଠେ । ଯଦି ତା ପାଖରେ ଅନ୍ୟ କୌଣସି ଖୁସିର ବିକଳ୍ପ ନ ଥାଏ, ବନ୍ଧୁ କିମ୍ବା କ୍ରୀଡ଼ା ନିମନ୍ତେ ବାଲ୍ୟ ସାଥୀ ନ ଥାଏ, ତାହେଲେ ତାର ଜୀବନ ଏକ ସଂକୀର୍ଣ୍ଣ ନିରନ୍ଧ୍ର କାରାଗାରରୂପେ ପ୍ରତିଭାତ ହୁଏ । ତା ଭିତରେ ସେ କେବଳ ବୁଢ଼ିଆଣୀର ଅଳନ୍ଧୁ ଜାଲକୁ ଦେଖିପାରେ ଏବଂ କୀଟପତଙ୍ଗର ବୁକୁଘୋଷରା ଶବ୍ଦ ବ୍ୟତୀତ ଆଉକିଛି ଶୁଣିପାରେନା ।

 

ମୋର କୈଶୋରରେ ଯେଉଁ ଅଜଣା ଦୁଃଖ ମୋତେ ମୋହାବିଷ୍ଟ କରି ରଖିଥିଲା ତାହା ମୋ ଜୀବନରେ ଆନନ୍ଦ ଉଲ୍ଲାସର ଅନାଟନ ଯୋଗୁଁ ନୁହେଁ । ବରଂ ମୋ ପାଖରେ ଜୀବନକୁ ଉପଭୋଗ କରିବାର ସମସ୍ତ ସୁବିଧା ସୁଯୋଗ ଥିଲା । ମୋର ମଧ୍ୟ ଅନେକ ବନ୍ଧୁ ଥିଲେ । ଚାହିଁଥିଲେ ସେମାନଙ୍କ ଗହଣରେ ମୁଁ ଜୀବନକୁ କଳମୁଖରିତ କରିପାରିଥାନ୍ତି । ମୋର ଦୁଃଖର କାରଣ, ମୋ ଭିତରେ ଏକ ମାନସିକ ବ୍ୟାଧି ଲୁଚି ରହିଥିଲା । ସଦାବେଳେ ସେ ମୋତେ ନିର୍ଜନତା ଆଡ଼କୁ ଟାଣୁଥିଲା । ନିକାଞ୍ଚନତା ମୋତେ ଖୁବ୍ ଭଲ ଲାଗୁଥିଲା । ସେହି ସଂଗୁପ୍ତ ବ୍ୟାଧିଟି ହିଁ ମୋତେ କ୍ରୀଡ଼ା ଓ ଅନ୍ୟାନ୍ୟ ଆମୋଦ ଉଲ୍ଲାସରୁ କାହିଁକି କେଜାଣି ବିମୁଖ କରି ରଖିଥିଲା । ତାହା ହିଁ ମୋର ସ୍କନ୍ଧରୁ ଯୌବନର ପକ୍ଷ ଦୁଇଟିକୁ ଅପସାରିତ କରିଥିଲା । ଆନନ୍ଦ ଉଲ୍ଲାସରେ ଉଡ଼ିବୁଲିବାର ସ୍ୱପ୍ନକୁ ପଙ୍ଗୁ କରିଥିଲା । ନା, ବରଂ ମୋତେ ସେହି ଅନ୍ତର୍ନିହିତ ଯନ୍ତ୍ରଣାଟି ପର୍ବତ ଶ୍ରେଣୀର ଆବେଷ୍ଟନୀରେ ଏକ ସ୍ଥିର ଜଳାଶୟ ପରି ନିଶ୍ଚଳ କରି ରଖିଥିଲା । ମୋ’ରି ହୃଦୟର ସ୍ୱଚ୍ଛ ଜଳରେ କେବଳ ପ୍ରେତାତ୍ମାମାନଙ୍କର ଛାଇ, ମେଘମାଳାର ବର୍ଣ୍ଣାଳୀ ଏବଂ ସବୁଜ ବନାନୀର ଚିତ୍ରପଟ ପ୍ରତିଫଳିତ ହେଉଥିଲା । କିନ୍ତୁ କଳନିନାଦୀ ସଙ୍ଗୀତର ମୂର୍ଚ୍ଛନା ତୋଳି ଉନ୍ମୁକ୍ତ, ଅଲ୍ଲଂଘ୍ୟ ନିର୍ଝରଟିଏ ହୋଇ ସାଗର ଆଡ଼କୁ ଧାଇଁ ଯିବାର ନିର୍ଗମନ ପଥଟିଏ ଖୋଜି ପାଉ ନଥିଲି ।

 

ଅଠର ବର୍ଷ ବୟସରେ ପାଦ ଦେବା ପୂର୍ବରୁ ମୋ ଜୀବନ ଏହିଭଳି ଏକ ଛନ୍ଦହୀନ, ନିରସ ଓ ଦୁଃଖାବିଷ୍ଟ ଅବସ୍ଥାରେ ଥିଲା । ସେହି ବର୍ଷଟି ମୋ ଜୀବନ ନକ୍ସାରେ ଉତ୍ଥାନର ଶିଖର ଦେଶ ପରି ଥିଲା । ତା ଥିଲା ମୋ’ପାଇଁ ଜ୍ଞାନୋଦୟର ସମୟ । ମାନବଚେତନାର ଉତ୍ତରଣ ଧାରାକୁ ଉପଲବ୍ଧି କରିବାର ସମୟ । ମୋଟାମୋଟି ଉପରେ ମୁଁ ଏକ ପୁନର୍ଜନ୍ମ ଲାଭ କରିଥିଲି । ପୁନର୍ଜନ୍ମ ବିନା ବଞ୍ଚିବାର ପୃଷ୍ଠାସବୁ ସାଦାକାଗଜ ହେଇ ରହିଯାଏ । ସେହି ସନ୍ଧିକ୍ଷଣରେ ମୁଁ ଦେବକନ୍ୟାର ନୈସର୍ଗିକ ପ୍ରେମପ୍ରତ୍ୟୟରେ ସିକ୍ତ ହୋଇଥିଲି ଓ ସଇତାନର ଅସୂୟାର ବିଷବର୍ଷାରେ ମ୍ରିୟମାଣ ମଧ୍ୟ ହୋଇଥିଲି । ଯିଏ ସେହି ସୁରବାଳାର ଲାବଣ୍ୟ ଓ ଶୟତାନର ଅସୂୟାକୁ ତା ଜୀବନରେ ଦେଖି ନଥାଏ, ସେ ଜୀବନର ବାସ୍ତବିକତାଠାରୁ ବହୁଦୂରରେ ରହିଯାଏ । ତାର ଅନ୍ତରାତ୍ମା ଏକ ରିକ୍ତ ମରୁଭୂମି ପାଲଟି ଯାଏ ।

•••

 

-୨-

ଅଦୃଷ୍ଟର ଇଙ୍ଗିତ

 

ଜୀବନର ସେହି ବିସ୍ମୟକର ବସନ୍ତରେ ମୁଁ ବୀରୁଥ୍ ସହରରେ ଅବସ୍ଥାନ କରୁଥିଲି । କମ୍ର ସବୁଜ ଘାସର ଗାଲିଚା ଧରଣୀ ଉପରେ ବିଛାଇ ହୋଇ ଯାଇଥିଲା । ବର୍ଣ୍ଣାଢ଼୍ୟ ଫଗୁଫୁଲରେ ଉଦ୍ୟାନ ସବୁ ଭରପୁର୍ ହୋଇ ରହିଥିଲା । ପୃଥିବୀ ତା’ର ସମସ୍ତ ଅନ୍ତର୍ନିହିତ ସୌନ୍ଦର୍ଯ୍ୟର ପସରା ଆକାଶ ଆଗରେ ଉନ୍ମୁକ୍ତ କରିଥିଲା । କମଳା ଓ ସେଓ ବୃକ୍ଷରେ ଫୁଲ ଫୁଟି ଶ୍ୱେତବସ୍ତ୍ର ପରିହିତା ପରୀ ଅବା ନବବଧୂଟିର ଭ୍ରମ ସୃଷ୍ଟି କରୁଥିଲା । ସେମାନଙ୍କର ଭୁରୁଭୁରୁ ମହକ କବି କଳ୍ପନାକୁ ଉଜ୍ଜୀବିତ କରୁଥିଲା । ପ୍ରକୃତିର ବର୍ଣ୍ଣାଢ଼୍ୟ ବୈଭବ ଏକ ମାଦକ ପରିବେଶ ସୃଷ୍ଟି କରିଥିଲା ।

 

ବସନ୍ତ ଋତୁ ସବୁଠି ତ ମନୋରମ, କିନ୍ତୁ ଲେବାନନ୍‌ରେ ଏହା ଅତ୍ୟନ୍ତ ମନଲୋଭା । ଅନ୍ୟ ସବୁଠି ବାସନ୍ତୀୟ ଚେତନା ପୃଥିବୀ ଚାରିପଟେ ଘୂରିବୁଲେ, କିନ୍ତୁ ଲେବାନନ୍‌ରେ ଏହା ପୂର୍ଣ୍ଣଭାବରେ ଛାଇଯାଏ । ସିଏ ରାଜା ହୁଅନ୍ତୁ ବା ସନ୍ଥ, ସବୁରି ସହିତ ସେ ମଧୁର ଆଳାପରେ ମାତିଯାଏ । ବିଦୂଷ ସୋଲୋମନ୍‌ଙ୍କ ମଧୁର ସଂଗୀତ, ନିର୍ଝରମାନଙ୍କ ସହିତ ସମସ୍ୱରରେ ମୂର୍ଚ୍ଛନା ତୋଳିଯାଏ । ଦେବଦାରୁ ପତ୍ରର ମର୍ମର ସହିତ ତାଳଦେଇ ଲେବାନନ୍ ଅତୀତର ଗୌରବ ଗାଥାର ସ୍ମୃତିଚାରଣ କରିଥାଏ । ଜାଡ଼ଋତୁର କର୍ଦ୍ଦମାକ୍ତ ପରିବେଶ ଏବଂ ରୌଦ୍ରର ଧୂଳିରୁ ମୁକ୍ତ ବୀରୁଥ୍ ସହର ବସନ୍ତରେ ଏକ ନବବଧୂର ରୂପ ଧାରଣ କରେ । ମନେହୁଏ ସତେ ଯେମିତି ଝରଣାକୂଳରେ ବସି ଜଳପରୀଟିଏ ତା’ର ମସୃଣ ତ୍ୱଚା ଘେନି ସୁନେଲୀ ସୂର୍ଯ୍ୟସ୍ନାନରେ ରତ ।

 

ଅପୂର୍ବ ଶୋଭାର ସହର ବୀରୁଥ୍‌ର ଅଦୂରରେ ରହୁଥିବା ଜଣେ ବନ୍ଧୁଙ୍କୁ ଭେଟିବାପାଇଁ ମୁଁ ଫଗୁଣର ଆଦ୍ୟ ଦିବସରେ ତାଙ୍କ ଘରକୁ ଯାଇଥିଲି । ସେଠାରେ ଆମେ କଥୋପକଥନରେ ମଗ୍ନ ଥିବାବେଳେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି ଘର ଭିତରକୁ ପଶି ଆସିଲେ । ତାଙ୍କର ବୟସ ପଞ୍ଚଷଠି ପାଖାପାଖି । ତାଙ୍କୁ ଅଭିନନ୍ଦନ ଜଣାଇବାପାଇଁ ମୁଁ ମଧ୍ୟ ବନ୍ଧୁଙ୍କ ସହିତ ଛିଡ଼ା ହେଲି । ମୋର ବନ୍ଧୁ ତାଙ୍କ ସହିତ ପରିଚିତ କରାଇ କହିଥିଲେ ଯେ ସେ ହେଉଛନ୍ତି ‘ଫାରିସ୍ ଏଫାଣ୍ଡି କାରାମୀ’ । ମୋ ଆଡ଼କୁ ସେ ଅନୁସନ୍ଧିତ୍ସୁ ଦୃଷ୍ଟିରେ ଅନେଇଲେ । ତାପରେ ନିଜ କପାଳରେ ଅଙ୍ଗୁଳି ଚାଳନା କରି କିଛି ସ୍ମୃତି ଚାରଣ କରିବାକୁ ଚେଷ୍ଟା କରିଥିଲେ । ହଠାତ୍ ତାଙ୍କ ମୁଖମଣ୍ଡଳରେ ଈଷତ୍ ହସର ଧାରଟିଏ ଖେଳିଗଲା । ସେ ମୋ ଆଡ଼କୁ ଆଗେଇ ଆସି କହିଲେ, “ତୁମେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କର ପୁତ୍ର ଅଟ । ତାଙ୍କର ଅବିକଳ ସୁଦୃଶ୍ୟ ଚେହେରା ତୁମ ଭିତରେ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ।”

 

କଥାରେ ତାଙ୍କର ଯାଦୁଥିଲା । ମୁଁ ମନ୍ତ୍ର ମୁଗ୍‌ଧ ପରି ତାଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିଲି । ସତେ ଯେମିତି ଏକ ଯାଯାବର ପକ୍ଷୀ ଆସନ୍ନ ଝଡ଼ ପୂର୍ବର ଅନ୍ତର୍ବୋଧରେ ତାର ନିଜର ନୀଡ଼କୁ ଫେରିଆସିଛି । ଏକାଠି ବସି ଆତ୍ମୀୟଭାବେ ଆମେ ଅନେକ ସମୟ ଗପସପ ହେଲୁ । ମୋ ପିତାଙ୍କ ସହିତ ତାଙ୍କର ଏକାନ୍ତ ଅନ୍ତରଙ୍ଗ ମୁହୂର୍ତ୍ତର ସ୍ମୃତିଚାରଣ କରିଥିଲେ ସେ । ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କର ଅତୀତର ସ୍ମୃତିଚାରଣ ମାଧ୍ୟମରେ ଯୌବନର ସ୍ୱପ୍ନିଳ ରଙ୍ଗୀନ୍ ଦିନ ଗୁଡ଼ିକର ନିକଟତର ହେବାକୁ ଚେଷ୍ଟା କରନ୍ତି । ଯେମିତି ଜଣେ ପ୍ରବାସୀ ବ୍ୟକ୍ତି ତାର ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ଦୁରନ୍ତ ଅଭିଳାଷ ପୋଷଣ କରିଥାଏ, ଜଣେ କବି ଯେପରି ନିଜର ଶ୍ରେଷ୍ଠ ଗୀତିଗୁଚ୍ଛକୁ ଆବୃତ୍ତିକରି ଆନନ୍ଦ ପାଏ, ସେ ଠିକ୍ ସେମିତି ନିଜର ବିଗତ ଦିନର ଘଟଣାବଳୀକୁ ମନେ ପକାଇ ଉଲ୍ଲସିତ ହୋଇଥିଲେ । ଅତୀତର ବୁକୁ ଭିତରେ ମଣିଷ ବେଶ୍ ପ୍ରାଣବନ୍ତ ରହିପାରେ, କାରଣ ବର୍ତ୍ତମାନଟି ଦ୍ରୁତଗତିରେ ଆଗକୁ ଆଗେଇଯାଏ ଏବଂ ଅନାଗତ ଭବିଷ୍ୟତ ଏକ ଅଦେଖା ଅନ୍ଧକାରର ମୃତ୍ୟୁଗୁମ୍ଫା ଭଳି ପ୍ରତୀୟମାନ ହୁଏ । ଦୀର୍ଘ ଏକ ଘଣ୍ଟାକାଳ ତାଙ୍କର ବିଗତ ଦିନର ସ୍ମୃତିଚାରଣ ଘାସର ଗାଲିଚା ଉପରୁ ବୃକ୍ଷର ଛାଇ ପରି ଧୀରେ ଅପସରି ଗଲା । ଫାରିସ୍ ଏଫାଣ୍ଡି ବିଦାୟ ନେବାକୁ ପ୍ରସ୍ତୁତ ହେଲେ । ତାଙ୍କର ବାମ ହସ୍ତଟି ମୋର କାନ୍ଧ ଉପରେ ରଖି, ଦକ୍ଷିଣ ହସ୍ତରେ କରମର୍ଦ୍ଦନ କରି କହିଲେ, “ମୁଁ ତୁମର ପିତାଙ୍କୁ ପ୍ରାୟ କୋଡ଼ିଏ ବର୍ଷ ପୂର୍ବେ ଦେଖିଥିଲି । ତାପରେ ଆମର ଆଉ ଦେଖାହୋଇନି । ମୋର ଆଶା ତୁମେ ବାରମ୍ବାର ମୋ ଘରକୁ ଆସି ତାଙ୍କର ଶୂନ୍ୟତା ପୂରଣ କରିବ ।” ମୋର ପିତାଙ୍କର ଏକାନ୍ତ ଅନ୍ତରଙ୍ଗ ବନ୍ଧୁଙ୍କ ପ୍ରତି କର୍ତ୍ତବ୍ୟ ସମ୍ପାଦନ କରିବା ନିମନ୍ତେ ମୁଁ ସହମତିରେ ନଇଁ ପଡ଼ିଥିଲି ଓ ନିମନ୍ତ୍ରଣ ରକ୍ଷା କରିବାକୁ ତାଙ୍କୁ କଥା ଦେଇଥିଲି ।

 

ବୃଦ୍ଧ ବ୍ୟକ୍ତିଜଣକ ବିଦାୟ ନେବାପରେ ମୁଁ ମୋର ବନ୍ଧୁଙ୍କଠାରୁ ତାଙ୍କ ବିଷୟରେ ଅଧିକ କଥା ଜାଣିବାକୁ ଚାହିଁଲି । ବନ୍ଧୁ କହିଲେ, “ବୀରୁଥ୍ ସହରରେ ମୁଁ ଏପରି ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଜାଣେନି ଯିଏ ଅର୍ଥର ପ୍ରାଚୁର୍ଯ୍ୟ ଭିତରେ ବି ଏତେ ଦୟାଶୀଳ ଏବଂ ତାଙ୍କର ଦୟାଶୀଳତା ହିଁ ତାଙ୍କୁ ଅଧିକ ବିଭବଶାଳୀ କରିପାରିଛି । ଏ ପୃଥିବୀରେ ତାଙ୍କ ଭଳି କମ୍ ବ୍ୟକ୍ତି ଜନ୍ମିଥିବେ ଯିଏ କି ମୃତ୍ୟୁ ପର୍ଯ୍ୟନ୍ତ କାହାରି କିଛି ଅନିଷ୍ଟ ନ କରି ଫେରିଯିବେ । କିନ୍ତୁ ପରିତାପର ବିଷୟ, ଏଭଳି ସରଳ ବ୍ୟକ୍ତିମାନେ ଈର୍ଷାପର ଓ ଖଳଲୋକମାନଙ୍କ କବଳରୁ ନିଜକୁ ସୁରକ୍ଷିତ ରଖିପାରନ୍ତିନି । ଏମାନେ ପ୍ରାୟତଃ ଦୁର୍ଗତି ଓ ଅତ୍ୟାଚାର ଭୋଗିଥାଆନ୍ତି । ଫାରିସ୍ ଏଫାଣ୍ଡିଙ୍କ ଜଣେ କନ୍ୟା ଅଛନ୍ତି । ଅବିକଳ ତାଙ୍କର ଚରିତ୍ରର ପ୍ରତିରୂପ । ତାଙ୍କର ରୂପଲାବଣ୍ୟ ଓ ଲାଳିତ୍ୟ ଅବର୍ଣ୍ଣନୀୟ । ପିତାଙ୍କର ବିପୁଳ ଐଶ୍ୱର୍ଯ୍ୟ ତାଙ୍କପାଇଁ ଦୁର୍ଭାଗ୍ୟଜନକ ପରିସ୍ଥିତି ସୃଷ୍ଟି କରିଛି । ସେ ଦୁର୍ଦ୍ଦଶାର ବିପଦସଙ୍କୁଳ ଶୀର୍ଷ ସୋପାନରେ ପହଞ୍ଚି ସାରିଲେଣି ।”

ବନ୍ଧୁଜଣକ କଥାତକ କହିସାରିଲା ପରେ ତାଙ୍କ ମୁଖମଣ୍ଡଳରେ ଏକ ଦୁଃଖର ବାଦଲ ଘୋଟିଯିବାର ମୁଁ ଲକ୍ଷ୍ୟ କଲି । ତାପରେ, ସେ ପୁଣିଥରେ ଆରମ୍ଭ କଲେ “ଫାରିସ୍ ଏଫାଣ୍ଡି ଜଣେ ଉଦାରଚେତା ବିଶାଳ ବ୍ୟକ୍ତିତ୍ୱ । କିନ୍ତୁ, ତାଙ୍କଠି ଇଚ୍ଛାଶକ୍ତିର ଘୋର ଅଭାବ । ଲୋକେ ଅନ୍ଧକୁ ଏଣେ ତେଣେ ବାଟ କଢ଼ାଇଲା ପରି ତାଙ୍କୁ ଭୁଆଁ ବୁଲେଇ ଦିଅନ୍ତି । କିନ୍ତୁ ନିଜର ବୁଦ୍ଧିମତ୍ତା ଓ ଆତ୍ମସଚେତନତା ସତ୍ତ୍ୱେ କନ୍ୟାଟି ନିଜର ପିତାଙ୍କୁ ବାଧ୍ୟ ଶିଶୁଟିଏ ଭଳି ମାନିନିଏ । ଏହାହିଁ ପିତା ଓ ପୁତ୍ରୀ ଜୀବନରେ ନିହିତ ଗୋପନ କଥା । ଆଉ ଏହି ଗୋପନ ତତ୍ତ୍ୱଟିକୁ ଜଣେ ଖଳପ୍ରକୃତିର ଧର୍ମଯାଜକ ଜାଣିପାରିଛି । ଧର୍ମ ଉପଦେଶର ଖୋଳ ଭିତରେ ଲୋକଟି ତାର ନୀଚ ପ୍ରବୃତ୍ତିକୁ ବେଶ୍ ନିରାପଦରେ ଢାଙ୍କି ରଖିଛି । ଲୋକଙ୍କ ପାଖରେ ନିଜକୁ ଜଣେ ମହାନ୍ ଓ ଉଦାର ଆତ୍ମାରୂପେ ପ୍ରକାଶ କରିଥାଏ । ଧାର୍ମିକମାନଙ୍କ ଦେଶରେ ସେ ଧର୍ମର ବଡ଼ପଣ୍ଡା । ଲୋକେ ମଧ୍ୟ ତାକୁ ପ୍ରଭୁ ଭଳି ଭକ୍ତି କରନ୍ତି ଓ ମାନି ଚଳନ୍ତି । ନିରୀହ ମେଷଶାବକମାନଙ୍କୁ ବଧ୍ୟଭୂମିକୁ ଘୋଷାରି ନେଲାପରି ସେ ଲୋକମାନଙ୍କୁ ପ୍ରତାରିତ କରିଥାଏ । ଧର୍ମଯାଜକର ଜଣେ ପୁତୁରା ଅଛି । ସେ ଦୁର୍ନୀତି ଓ ଅସୂୟାରେ ପରିପୂର୍ଣ୍ଣ । ଆଉ ଖୁବ୍ ଶୀଘ୍ର ଏମିତି ଏକ ଦିନ ଆସିବ, ଯେତେବେଳେ ଧର୍ମଯାଜକ ନିଜର ପୁତୁରାକୁ ତାର ଦକ୍ଷିଣ ପାଶ୍ୱର୍ରେ ଏବଂ ଫାରିସ୍ ଏଫାଣ୍ଡିଙ୍କ କନ୍ୟାକୁ ବାମ ପାଶ୍ୱର୍ରେ ରଖି ପବିତ୍ର ବିବାହ କାର୍ଯ୍ୟ ସମ୍ପାଦନ କରିଦେବ । ତାର କଳୁଷିତ ହାତରେ ଗୋଟିଏ ସରଳ ନିଷ୍ପାପ କୁମାରୀ କନ୍ୟାକୁ ଏକ ଲଂପଟ, ଦୁରାଚାରୀ, ପତିତ, ପାଷାଣ୍ଡ ହାତରେ ଛନ୍ଦି ଦେବ । ଦିବସ ପରି ଉଜ୍ଜ୍ୱଳ ହୃଦୟକୁ ରାତ୍ରିର ଘନଘୋର ଅନ୍ଧାର ଭିତରକୁ ନିର୍ଦ୍ଦୟଭାବେ ଠେଲିଦେବ ।”

 

“ଏହା ହିଁ ଫାରିସ୍ ଏଫାଣ୍ଡି ଓ ତାଙ୍କ କନ୍ୟାଙ୍କର କାହାଣୀ । ମୋତେ ଆଉ ଅଧିକ କିଛି ନ ପଚାରିଲେ ଭଲ । ମୁଁ ଆଉ ତୁମକୁ କିଛି କହିପାରିବିନି ।”

 

କଥାତକ ଉଦାସଭାବରେ କହିସାରି ସେ ତାଙ୍କର ଦୃଷ୍ଟିକୁ ଝରକା ଆରପାରିର ଦୁନିଆ ଭିତରେ ନିମଜ୍ଜିତ କଲେ । ସତେ ଯେମିତି ମଣିଷର ସ୍ଥିତାବସ୍ଥାର ସମସ୍ୟା ଓ ସମାଧାନ ବିଶ୍ୱର ମନୋରମ ପରିବେଶ ଭିତରୁ ଖୋଜିବାରେ ତନ୍ମୟ ହୋଇଯାଇଥିଲେ ।

 

ମୁଁ ବି ବନ୍ଧୁଙ୍କଠାରୁ ବିଦାୟ ନେଲି । କଥାଛଳରେ ମୁଁ ତାଙ୍କୁ କହିଥିଲି ଯେ ଅଳ୍ପଦିନ ମଧ୍ୟରେ ମୁଁ ଫାରିସ୍ ଏଫାଣ୍ଡିଙ୍କ ଘରକୁ ବୁଲିଯିବି । ମୋର ଦେଇଥିବା କଥା ପାଳନ ସହିତ ମୋର ପିତାଙ୍କ ପରମବନ୍ଧୁ ସହିତ କିଛି ଅନ୍ତରଙ୍ଗ ମୁହୂର୍ତ୍ତ କଟାଇ ଆସିବି । ବନ୍ଧୁଜଣକ କ୍ଷଣକପାଇଁ ମୋ ଆଡ଼କୁ ଗଭୀର କଟାକ୍ଷପାତ କଲେ । ତାଙ୍କ ଦୃଷ୍ଟିରେ ଏକ ଭାବାନ୍ତର ଲକ୍ଷ୍ୟ କଲି । ମନେ ହେଲା,ସତେ ଯେମିତି ମୋର କେତୋଟି ସରଳ ଅଥଚ ଅର୍ଥହୀନ ଶବ୍ଦ ତାଙ୍କ ଭିତରେ ଏକ ନୂତନ ଗୁରୁତ୍ୱପୂର୍ଣ୍ଣ କଳ୍ପନାର ଉଦ୍ରେକ କଲା । ତାପରେ ସିଧାସଳଖ ସେ ମୋ ଆଖିରେ ଆଖି ମିଶାଇ ବିସ୍ମୟ ବିସ୍ଫାରିତ ଏକ ଅଦ୍ଭୁତ ଦୃଷ୍ଟିରେ ଅନେଇ ରହିଲେ । ସେ ଦୃଷ୍ଟିରେ ପୂରି ରହିଥିଲା ପ୍ରେମ, କରୁଣା ଓ ଭୟର ଏକ ମିଶ୍ରିତ ଛାପ । ସେ ଦୃଷ୍ଟି ଜଣେ ଦିଗ୍‌ଦ୍ରଷ୍ଟାର, ଯିଏ କେବଳ ମୋ ଅନ୍ତରରେ ଲୁକ୍‌କାୟିତ ଦିବ୍ୟଦର୍ଶନ ଓ ମହନୀୟତାର ପରିଚୟକୁ ଖୋଜି ପାଉଛି । ତାପରେ, ବନ୍ଧୁଙ୍କର ଓଠ ଥରି ଉଠିଲା ଅଥଚ ସେ କିଛି କହିପାରିଲେନି । ମୁଁ ବିଦାୟ ନେଇ ଦୁଆର ବନ୍ଧ ଟପିସାରିଥିଲି । କିନ୍ତୁ ତାଙ୍କର ବିଚିତ୍ର ଦୃଷ୍ଟି ମୋତେ ଅନୁଧାବନ କରିଥିଲା । ତାହାର ନୀରବ ଭାବାବେଗକୁ ମୁଁ ସେତେବେଳେ ବୁଝି ପାରିନଥିଲି । କିନ୍ତୁ ମୁଁ ଯେତେବେଳେ ଅନୁଭୂତିର ଦୁନିଆରେ ପାଦ ରଖିଲି ଏବଂ ମୋର ହୃଦୟ ଚେତନାର ଜାଗରଣରେ ଉଦ୍‌ବୁଦ୍ଧ ହେଲା ତାଙ୍କର ଅନ୍ତର୍ଦାହକୁ ହୃଦୟଙ୍ଗମ କରିଥିଲି ଏବଂ ତାଙ୍କର ସେହି ବିଚିତ୍ର ଦୃଷ୍ଟିର ଅର୍ଥବୋଧକୁ ଅନାବୃତ କରିପାରିଥିଲି ।

•••

 

- ୩ -

ଦେବାଳୟରେ ପ୍ରବେଶ

 

କିଛିଦିନ ଚୁପ୍‌ଚାପ୍ ଅତିବାହିତ ହୋଇଗଲା । ମୋର ନିଛାଟିଆପଣ ମୋତେ ଭାରି ପଡ଼ିଲା । ପୁସ୍ତକର ପୃଷ୍ଠା ସବୁ ଭୟଙ୍କର ଜଣାଗଲେ । ମୋର ବିଜନତା, ଜିଜ୍ଞାସାକୁ ଦୁର୍ବଳ କରିଦେଲା । ଭଡ଼ା ଗାଡ଼ିଟିଏ କରି ମୁଁ ଫାରିସ୍ ଏ ଫାଣ୍ଡିଙ୍କ ଘରଆଡ଼େ ମୁହାଁଇଲି । କିଛି ବାଟ ଗଲାପରେ ଘନ ପାଇନ୍ ଜଙ୍ଗଲର ସୀମାରେ ପହଞ୍ଚିଲୁ । ସହରର କୋଳାହଳ ଓ କର୍ମବ୍ୟସ୍ତ ଜୀବନରୁ ଦୂରେଇ ଆସି ଲୋକେ ଏହିଠାରେ ବଣଭୋଜିରେ ମାତି ଯାଆନ୍ତି । ସେହି ସ୍ଥାନରୁ ଗାଡ଼ିର ଚାଳକ ଏକ ନିଭୃତ ଘରୋଇ ରାସ୍ତାରେ ଗାଡ଼ିକୁ ମୁହେଁଇଲା । ରାସ୍ତାର ଦୁଇକଡ଼ରେ ଦେବଦାରୁର ଶୀତଳ ଛାୟା ବିରାଜୁଥିଲା । ସେ ରାସ୍ତାରେ ଯାଉଁ ଯାଉଁ ଆମେ ସବୁଜ ଘାସର ଗାଲିଚା, ଦ୍ରାକ୍ଷାଲତାର ଲୁଚକାଳି ଏବଂ ଫଗୁ ଫୁଲର ବର୍ଣ୍ଣାଢ଼୍ୟ ଶୋଭାରେ ବିମୋହିତ ହେଉଥିଲୁ ।

 

କିଛି ସମୟ ପରେ ସୁଶୋଭିତ ଉଦ୍ୟାନ ପରିବେଷ୍ଟିତ ନିର୍ଜନ ପରିବେଶରେ ଏକ ଗୃହ ସମ୍ମୁଖରେ ଗାଡ଼ିଟି ଅଟକିଲା । ଗୋଲାପ, ସୁଗନ୍ଧରାଜ ଓ ମଲ୍ଲୀର ଭୁରୁଭୁରୁ ବାସ୍ନା ପବନକୁ ମହକାଇ ଦେଉଥିଲା । ଗାଡ଼ିରୁ ଓହ୍ଲାଇ ପ୍ରଶସ୍ତ ଉଦ୍ୟାନ ଭିତରେ ଯେତେବେଳେ ପ୍ରବେଶ କଲି, ଫାରିସ୍ ଏଫାଣ୍ଡି ମୋ ଆଡ଼କୁ ଆସୁଥିବାର ଲକ୍ଷ୍ୟ କଲି । ସେ ମୋତେ ଆନ୍ତରିକତା ସହିତ ଗୃହକୁ ପାଛୋଟି ନେଲେ । ଜଣେ ସ୍ନେହଶୀଳ ପିତା ଦୀର୍ଘଦିନ ପରେ ନିଜର ପୁତ୍ରକୁ ପାଇଲେ ଯେମିତି ଉଲ୍ଲସିତ ହୋଇ ଉଠନ୍ତି, ସେ ମଧ୍ୟ ସେମିତି ପ୍ରଗଳ୍‌ଭ ହୋଇ ଉଠିଲେ । ମୋର କୁଶଳ ମଙ୍ଗଳ ପଚାରିଲେ, ମୋର ଶିକ୍ଷାଦୀକ୍ଷା ଓ ଭବିଷ୍ୟତ ଯୋଜନା ମଧ୍ୟ ଜାଣିବାକୁ ଚାହିଁଲେ । ପ୍ରତ୍ୟୁତ୍ତରରେ ମୁଁ ତାଙ୍କୁ ମୋ ଜୀବନର ଉଚ୍ଚ ଅଭିଳାଷ, ଅଦମ୍ୟ ଉତ୍ସାହ ଓ ଉଦ୍ଦୀପନା ବିଷୟରେ ସମ୍ୟକ୍ ସୂଚନା ଦେଲି । ମୁଁ ସେତେବେଳେ ମୋ କର୍ଣ୍ଣ କୁହରରେ ଏକ ଭାବଗମ୍ଭୀର ମନ୍ତ୍ରର ଉଚ୍ଚାରଣ ଶୁଣିପାରୁଥିଲି ଏବଂ ଆତ୍ମପ୍ରତ୍ୟୟର ଶାନ୍ତ ସାଗରରେ ମୋ ଜୀବନ ତରୀକୁ ପଟୁତା ସହ ଭସାଇ ନେଉଥିଲି । ବାର୍ତ୍ତାଳାପ ଭିତରେ ଜଣେ ରୂପସୀ ଆଡ଼ମ୍ବରପୂର୍ଣ୍ଣ ଶୁଭ୍ର ରେଶମୀ ଘାଗରା ପରିଧାନ କରି ମଖମଲି ପରଦା ଆଢ଼ୁଆଳରୁ ଆମ ଆଡ଼କୁ ଆସିଥିଲେ । ଫାରିସ୍ ଏଫାଣ୍ଡି ଏବଂ ମୁଁ ଆସନରୁ ଉଠି ତାଙ୍କୁ ସ୍ୱାଗତ ଜଣାଇଲୁ ।

 

ବୃଦ୍ଧ ବ୍ୟକ୍ତି ଜଣକ ମୋ ସହିତ ତରୁଣୀଟିର ପରିଚୟ କରାଇ ଦେଲେ । “ସେଲ୍‌ମା, ମୋର କନ୍ୟା”, ତାପରେ ସେଲ୍‌ମା ଆଡ଼କୁ ଚାହିଁ କହିଲେ, “ଭାଗ୍ୟ ମୋ ଆଗରେ ଆଜି ମୋର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ତାର ପୁତ୍ର ରୂପରେ ଆଣି ଛିଡ଼ା କରେଇଛି” । ସେଲ୍‌ମା ମୁହୂର୍ତ୍ତକପାଇଁ ମୋ’ଆଡ଼କୁ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁଲା । ତାର ବିଶ୍ୱାସ ଥିଲା ଯେ, କୌଣସି ଅପରିଚିତ ବ୍ୟକ୍ତି ତାଙ୍କ ଗୃହ ଭିତରକୁ ପ୍ରବେଶ କରିନପାରେ । ମୁଁ ଯେତେବେଳେ ଅଭିବାଦନରେ ତାର ଶ୍ୱେତକଇଁ ସୁଲଭ ସୁନ୍ଦର ମୁଲାୟମ ହାତଟି ସ୍ପର୍ଶକଲି, ମୋର ହୃଦୟ ଭିତରେ ଏକ ବିଚିତ୍ର ଶିହରଣ ଅନୁଭବ କଲି ।

 

ଆମେ ସମସ୍ତେ ଚୁପ୍‌ଚାପ୍ କିଛି ସମୟ ବସି ରହିଲୁ । ସତେ ଯେମିତି ସେଲ୍‌ମା ତା ସହିତ ଏକ ସ୍ୱର୍ଗୀୟ ଚେତନା ଗୃହ ଭିତରକୁ ଟାଣି ଆଣିଥିଲା । ଆଉ ସେହି ଚେତନାକୁ ଆମେ ନୀରବ ସମ୍ମାନ ପ୍ରଦର୍ଶନ କରୁଥିଲୁ । ହଠାତ୍ ସେଲ୍‌ମା ସେ ନୀରବତାର ଅର୍ଥ ବୁଝିପାରିଲା ଏବଂ ମୃଦୁମୁଦୁ ହସି ମୋ ଆଡ଼କୁ ଚାହିଁ କହିଲା, “ମୋର ପିତା ବହୁବାର ତାଙ୍କର ଯୌବନର ଅଭୁଲା କାହାଣୀ ସବୁ ବଖାଣିଛନ୍ତି । ଯଦି ତୁମର ପିତା ମଧ୍ୟ ଅନୁରୂପଭାବରେ ତାଙ୍କର ଅନୁଭୂତି ସବୁକୁ ବର୍ଣ୍ଣନା କରି ତୁମକୁ ଶୁଣେଇ ଥାଆନ୍ତି, ତା’ହେଲେ ତୁମ ଓ ମୋ ଭିତରେ ଆଜିର ଏହି ସାକ୍ଷାତ୍ ପ୍ରଥମ ନୁହେଁ ।”

 

ଫାରିସ୍ ଏଫାଣ୍ଡି ନିଜ କନ୍ୟାର କଥାର ଶୈଳୀରେ ଅତ୍ୟନ୍ତ ପ୍ରୀତ ହେଲେ । ସେ କହିଲେ, “ସେଲ୍‌ମା ଅତ୍ୟନ୍ତ ଭାବପ୍ରବଣ । ସେ ସବୁକଥାକୁ ବିଚାର ବିମର୍ଷ କରି ଚେତନାର ଦୃଷ୍ଟିକୋଣରୁ ଦେଖିଥାଏ” । ତାପରେ, ସେ କଥାବାର୍ତ୍ତାକୁ ଯଥେଷ୍ଟ ଯତ୍ନଶୀଳ ହୋଇ ବିଚକ୍ଷଣଭାବେ ଜାରି ରଖିଥିଲେ । ମନେହେଲା, ସତେ ଯେମିତି ସେ ମୋ ଭିତରେ ଏକ ସମ୍ମୋହନକୁ ନିରୀକ୍ଷଣ କରିପାରୁଥିଲେ । ସେଥିପାଇଁ ସେ ବିଗତ ସମସ୍ତ ସ୍ମୃତିରେ ଡେଣା ଯୋଡ଼ି ପୁନଶ୍ଚ ଅତୀତକୁ ଦେଖିପାରୁଥିଲେ ।

 

ତାଙ୍କ କଥାବାର୍ତ୍ତାରୁ ମନେ ହେଲା, ସେ ମୋର ସ୍ୱପ୍ନିଳ ଭବିଷ୍ୟତକୁ ସାକାର କରିବାପାଇଁ ଯତ୍ନଶୀଳ । ଯେମିତି ଏକ ଝଙ୍କାଳିଆ ବୁଢ଼ା ବରଗଛଟି ତୋଫାନ ଓ ରୌଦ୍ରତାପକୁ ନିଜେ ସହି ନେଇ ତା ମୂଳରେ ବଢ଼ିଥିବା ଚାରାଗଛଗୁଡ଼ିକୁ ସୁରକ୍ଷା ପ୍ରଦାନ କରୁଛି । ତାଙ୍କର ନିଜସ୍ୱ ଅନୁଭୂତିର ଶୀତଳ ଛାଇରେ ମୋର ସ୍ୱପ୍ନର ଶିଶୁଚାରାଗୁଡ଼ିକୁ ସକାଳର ସମୀରଣରେ ନଷ୍ଟ ହେବାରୁ ରକ୍ଷା କରିବାପାଇଁ ସେ ପ୍ରତିଶ୍ରୁତିବଦ୍ଧ ।

 

ସେଲ୍‌ମା କିନ୍ତୁ ବେଶ୍ ନୀରବତା ରକ୍ଷା କରିଥିଲା । କେତେବେଳେ ପ୍ରଥମେ ସେ ମୋ ଆଡ଼କୁ ଚାହିଁ ପରମୁହୂର୍ତ୍ତରେ ତାର ପିତାଙ୍କ ଆଡ଼କୁ ଅନାଉଥିଲା । ମନେହେଉଥିଲା, ସେ ଯେମିତି ତାର ଜୀବନ ନାଟକର ପ୍ରଥମ ଓ ଅନ୍ତିମ ଦୃଶ୍ୟକୁ ମନଧ୍ୟାନ ଦେଇ ଅନୁଶୀଳନ କରୁଛି । ପ୍ରମୋଦ ଉଦ୍ୟାନ ଭିତରେ ସେ ଦିବସଟି ଚଞ୍ଚଳଗତିରେ ଅତିକ୍ରାନ୍ତ ହେବାର ଅନୁଭବ କଲି । ଝରକା ଫାଙ୍କରେ ମୁଁ ଏକ ଭୟାନକ ଦୃଶ୍ୟ ଅବଲୋକନ କଲି । ଲେବାନନ୍‌ର ପର୍ବତମାଳାର ସୀମନ୍ତରେ ଅସ୍ତଗାମୀ ସୂର୍ଯ୍ୟ ରକ୍ତାଭ ପୀତ ଚୁମ୍ବନଟେ ଆଙ୍କି ବିଦାୟ ନେବାକୁ ବସିଛି । ଫାରିସ୍ ଏଫାଣ୍ଡି ତାଙ୍କର ପୂର୍ବ ଅନୁଭୂତିଗୁଡ଼ିକୁ ପୁଣିଥରେ ରୋମନ୍ଥନ କରୁଥିଲେ ଏବଂ ମୁଁ ସେ ସବୁକୁ ସମ୍ମୋହିତ ଭାବରେ ଉତ୍ସାହର ସହିତ ଶୁଣୁଥିଲି । ମୋର ଧୈର୍ଯ୍ୟ ଓ ଉତ୍ସାହରେ ତାଙ୍କର ଦୁଃଖ ସବୁ ଅଭିନବ ଉଲ୍ଲାସରେ ରୂପାନ୍ତରିତ ହେଉଥିଲା । ତାଙ୍କର ସେ ପ୍ରାଣସ୍ଫୂର୍ତ୍ତ ଅନୁଭୂତି, ଅସ୍ତଗାମୀ ସୂର୍ଯ୍ୟର ରଙ୍ଗରେ ରଂଜିତ ହେଉଥିଲା ।

 

ସେଲ୍‌ମା ଝରକା ପାଖରେ ନିର୍ବାକ୍ ହୋଇ ବସିଥିଲା । କରୁଣ ନୟନରେ ସେ କେବଳ ଜଳଜଳ ହୋଇ ଅନେଇ ରହିଥିଲା । ଅପୂର୍ବ ଲାବଣ୍ୟର ଏକ ନିଜସ୍ୱ ସ୍ୱର୍ଗୀୟ ଭାଷା ଥାଏ, ତାହା ଅଧର ଓ ଜିହ୍ୱା ମାଧ୍ୟମରେ ପରିପ୍ରକାଶଠାରୁ ଅଧିକ ସମ୍ବେଦନଶୀଳ । ସୌନ୍ଦର୍ଯ୍ୟର ଭାଷା କାଳାତୀତ । ସବୁଯୁଗରେ ସବୁ ମଣିଷ ପାଇଁ ଏହା ଦୁର୍ମୂଲ୍ୟ । ଠିକ୍ ଯେପରି ଏକ ଶାନ୍ତ, ବିଶାଳ ହ୍ରଦ ଶତଶତ କଳନିନାଦି ନିର୍ଝରର ସଂଗୀତକୁ ଆକର୍ଷିତ କରି ସବୁ ଭାଷା ଓ ସବୁ ଶବ୍ଦମାଳାକୁ ତାହାରି ଭିତରେ ଲୀନ କରିଦିଏ ।

 

ଆମର ଅନ୍ତର୍ନିହିତ ଚେତନା ହିଁ ସୌନ୍ଦର୍ଯ୍ୟକୁ ହୃଦୟଙ୍ଗମ କରିପାରେ, ତାହାରି କମନୀୟତା ଭିତରେ ବଞ୍ଚିପାରେ ଓ ଅନ୍ତରଙ୍ଗଭାବେ ବଢ଼ିପାରେ । ସୌନ୍ଦର୍ଯ୍ୟ, ଆମର ମନକୁ ହତଚକିତ କରିଦିଏ, ପୁଣି କେବେ ହତବାକ୍ ମଧ୍ୟ କରିଥାଏ । ସୌନ୍ଦର୍ଯ୍ୟକୁ ଧାରଣ କରିଥିବା ଓ ଅବଲୋକନ କରୁଥିବା ଉଭୟ ବ୍ୟକ୍ତିର ଦୃଷ୍ଟିଭଙ୍ଗୀର ସମ୍ବେଦନଶୀଳତା ଆମର ଦୃଷ୍ଟିଗୋଚର ହୁଏନାହିଁ । ପ୍ରକୃତ ସୌନ୍ଦର୍ଯ୍ୟ ପବିତ୍ରତମ ଦିବ୍ୟ ଚେତନାର ବିକୀରଣ ମାତ୍ର । ଏହା ଶରୀରକୁ ଉଦ୍‌ଭାସିତ କରିଦିଏ । ଯେମିତି, ମାଟିର ଗଭୀରତା ଭିତରୁ ଜୀବନର ସୁରଭି ଓ ବର୍ଣ୍ଣ ଉକୁଟି ଆସି ଫୁଲକୁ ମହକାଏ ଦିଏ ।

 

ପ୍ରକୃତ ସୌନ୍ଦର୍ଯ୍ୟ ଚେତନାର ଐକ୍ୟତାନରେ ପର୍ଯ୍ୟବସିତ ଏବଂ ତାକୁ ହିଁ ‘ପ୍ରେମ’ରୂପେ ଅଭିହିତ କରାଯାଏ । ଏହି ‘ପ୍ରେମ’ ଜଣେ ନାରୀ ଓ ଜଣେ ପୁରୁଷର ସଂପର୍କ ଭିତରେ ରହିପାରେ ।

 

ଜାଣେନି, ସେଦିନର ସାକ୍ଷାତ୍‌କାରରୁ ମୋର ଓ ସେଲ୍‌ମାର ଅନ୍ତନିର୍ହିତ ଚେତନା ପରସ୍ପର ମିଳନର ଆଶାରେ ଗୁଂଜରିତ ହୋଇଥଲା କି ନାହିଁ? ସୂର୍ଯ୍ୟାଲୋକ ତଳେ ବିଶ୍ୱର ସବୁଠୁ ସୁନ୍ଦର ନାରୀ ଦର୍ଶନର ଉତ୍ସୁକତା ମୋତେ ବ୍ୟାକୁଳ କରିଥିଲା କି ନାହିଁ? ଅଥବା ଜାଣେନି, ଯୌବନ ମଦିରାର ମାଦକତାରେ ଏକ ଅବାସ୍ତବ, ଅଳୀକ କଳ୍ପନାରେ ମୋହାଚ୍ଛନ୍ନ ହୋଇଥିଲି କି ନାହିଁ?

 

ଜାଣେନି, ଯୌବନର ମୋହ ମୋର ସାଧାରଣ ଦୃଷ୍ଟି ଉପରେ ଏକ ଆବରଣ ଢାଙ୍କି ଦେଇଥିଲା କିମ୍ବା ମୋର ଅନ୍ତର୍ଦୃଷ୍ଟିରେ ମୁଁ ତାର ଆଖିର ଉଜ୍ଜ୍ୱଳତା, ମୁଖ ମଣ୍ଡଳର ମଧୁରତା ଏବଂ ଶରୀର ଅବୟବର ସୌଷ୍ଠବକୁ କଳ୍ପନା କରିଥିଲି କି ନାହିଁ । ଜାଣେନି ତାର କମନୀୟତା, ସ୍ନିଗ୍ଧତା ଏବଂ ସୌଷ୍ଠବ ମୋର ଦୃଷ୍ଟିକୁ ଉନ୍ମେଷିତ କରି ପ୍ରେମର ସୁଖ ଓ ଦୁଃଖ ଉଭୟ ବିଭାବକୁ ତହିଁରେ ଉଦ୍‌ଭାସିତ କରିଥିଲା କି ନାହିଁ?

 

ଏସବୁ ପ୍ରଶ୍ନର ସଠିକ୍ ଉତ୍ତର ଖୋଜି ପାଇବା ମୋ ପକ୍ଷରେ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା । ସତ କଥା କହିବାକୁ ଗଲେ ମୁଁ ସେହି ସମୟରେ ମୋ’ଭିତରେ ଏକ ଭାବାବେଗକୁ ଅନୁଭବ କରିପାରୁଥିଲି, ଯାହା ପୂର୍ବରୁ ମୁଁ କେବେବି ଉପଲବ୍‌ଧି କରି ନ ଥିଲି । ସୃଷ୍ଟିର ପ୍ରାରମ୍ଭରେ ବ୍ୟାପୃତ ଜଳରାଶି ଚାରିପଟେ ଏକ ଘନକୁହୁଡ଼ିର ଆସ୍ତରଣ ଆବୋରି ରହିଥିବା ପରି ଅଭିନବ ସ୍ନେହର ଏକ ପ୍ରଲେପରେ ମୋ ହୃଦୟ ଶାନ୍ତ ଭାବରେ ବିଶ୍ରାମ ନେଉଥିଲା ଏବଂ ସେହି ଅଭିନବ ପ୍ରୀତିରୁ ଜାତ ହେଲା ମୋର ଆନନ୍ଦର ନିର୍ଯ୍ୟାସ ଓ ଦୁଃଖର ସ୍ରୋତ । ସେଦିନ ସେତିକିରେ ହିଁ ସେଲ୍‌ମା ସହିତ ମୋର ପ୍ରଥମ ମିଳନର ଅଧ୍ୟାୟର ଯବନିକା ପଡ଼ିଥିଲା ଏବଂ ଏକ ଦୁର୍ବାର ଇଚ୍ଛାଶକ୍ତି ମୋତେ ଯୌବନର ଦାସତ୍ୱ ଓ ନିର୍ଜନତାରୁ ମୁକ୍ତି ଦେଇଥିଲା । ପ୍ରେମର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମୋତେ ଆଗେଇ ନେଇଥିଲା ।

 

ବିଶ୍ୱରେ ପ୍ରେମ ହିଁ ଏକମାତ୍ର ମୁକ୍ତିର ମାର୍ଗ, କାରଣ ତାହା ଚେତନାକୁ ଉର୍ଦ୍ଧ୍ୱଗାମୀ କରାଇଥାଏ । ଆଉ ସେହି ଚେତନାହିଁ ମାନବିକତାର ନୀତି ନିୟମ ଓ ପ୍ରାକୃତିକ ଲକ୍ଷଣ ସମୂହରେ କୌଣସି ବ୍ୟତିକ୍ରମ ସୃଷ୍ଟି କରେ ନାହିଁ ।

 

ବିଦାୟ ନେବାପାଇଁ ମୁଁ ଛିଡ଼ା ହେଲି । ଫାରିସ୍ ଏଫାଣ୍ଡି ମୋର ନିକଟବର୍ତ୍ତୀ ହେଲେ ଏବଂ ଧୀର ଓ ଶାନ୍ତ କଣ୍ଠରେ କହିଲେ, “ଶୁଣ ବାବା, ଏବେ ତୁମେ ତ ଆମ ଘରର ରାସ୍ତା ଜାଣିଗଲ, ତୁମେ ନିଶ୍ଚୟ ମଝିରେ ମଝିରେ ଏଠାକୁ ସଂକୋଚ ନ କରି ଆସିବ ଏବଂ ଭାବିବ ତୁମେ ତୁମର ପିତାଙ୍କ ଘରକୁ ହିଁ ଆସୁଛ । ମୋତେ ତୁମର ପିତାରୂପେ ଗଣନା କରିବ ଓ ସେଲ୍‌ମାକୁ ଭଉଣୀରୂପେ ଦେଖିବ ।” କଥାତକ କହିସାରି ସମର୍ଥନ ନିମନ୍ତେ ସେଲ୍‌ମା ଆଡ଼କୁ ଅନେଇଲେ । ସେଲ୍‌ମା ମୁଣ୍ଡ ହଲାଇ ସମ୍ମତି ଜଣାଇ ଥିଲା ଏବଂ ମୋ ଆଡ଼କୁ ବହୁପରିଚିତ ବ୍ୟକ୍ତିଟିର ସନ୍ଧାନ ଖୋଜି ପାଇବାର ଦୃଷ୍ଟି ଢାଳି ଅନେଇଥିଲା ।

 

ଫାରିସ୍ ଏଫାଣ୍ଡି କାରାମୀଙ୍କ ଏଭଳି ଅନ୍ତରଙ୍ଗ ଅଭିବ୍ୟକ୍ତି ମୋତେ ଓ ସେଲ୍‌ମାକୁ ପ୍ରେମର ପବିତ୍ର ବନ୍ଧନର ଖୁବ୍ ନିକଟତର କରି ଦେଇଥିଲା । ତାଙ୍କର ଶବ୍ଦଗୁଡ଼ିକ ସ୍ୱର୍ଗୀୟ ସଂଗୀତର ଉଲ୍ଲାସରେ ଝଙ୍କୃତ ହୋଇ ଉଠିଥିଲା ଏବଂ ବିଷାଦରେ ତାର ପରିସମାପ୍ତି ଘଟିଥିଲା । ସେହି ଶବ୍ଦର ପ୍ରତିଧ୍ୱନିରେ ଆମର ଅନୁଚ୍ଚାରିତ ଚେତନା ଜାଗରିତ ହୋଇଥିଲା ଏବଂ ଏକ ଦୀପ୍ତିମାନ୍ ଆଲୋକର ଶିଖା ଉଦ୍‌ଭାସିତ ହୋଇଥିଲା । ସେହି ଶବ୍ଦର ପିଆଲାରୁ ଆମେ ତୃପ୍ତି ଓ ତିକ୍ତତାର ମଦିରା ପାନ କରିଥିଲୁ ।

 

ମୁଁ ସେହି ବିଚିତ୍ର ଗୃହରୁ ଆଗକୁ ପାଦ ବଢ଼ାଇ ବାହାରି ଆସିଲି । ବୃଦ୍ଧବ୍ୟକ୍ତି ଜଣକ ଉଦ୍ୟାନର ଶେଷ ଭାଗ ପର୍ଯ୍ୟନ୍ତ ମୋତେ ଅନୁସରଣ କରିଥିଲେ । ସେତିକିବେଳେ ଏକ ତୃଷାର୍ତ୍ତର କଂପିତ ଅଧର ପରି ମୋର ହୃଦୟଟି ସ୍ପନ୍ଦିତ ହେଉଥିଲା ।

•••

 

 

-୪-

ଶୁଭ୍ର ମଶାଲ

 

ଫଗୁଣ ମାସ ଶେଷ ହେବା ଉପରେ । ଏହା ଭିତରେ ମୁଁ ଅନେକ ଥର ଫାରିସ୍ ଏଫାଣ୍ଡିଙ୍କ ଘରକୁ ଯାଇଛି । ସେହି ପ୍ରମୋଦ ଉଦ୍ୟାନରେ ସେଲ୍‌ମା ସହିତ ମୋର ସାକ୍ଷାତ୍ ହୁଏ । ତାର ଅପୂର୍ବ ରୂପଲାବଣ୍ୟକୁ ମୁଁ ବିସ୍ମୟ ବିସ୍ଫାରିତ ଦୃଷ୍ଟିରେ ଦେଖୁଥିଲି । ତାର ବିଚକ୍ଷଣତା ଓ ସ୍ଥିତପ୍ରଜ୍ଞତାରେ ମୁଁ ଚକିତ ହେଉଥିଲି । ତା ଭିତରେ ସନ୍ନିହିତ ଏକ ନିସ୍ତରଙ୍ଗ ବେଦନାକୁ ମଧ୍ୟ ପଢ଼ିପାରୁଥିଲି । ଧୀରେ ଧୀରେ ଏକ ଅଦୃଶ୍ୟ ହାତ ମୋତେ ତା ଆଡ଼କୁ ସମ୍ମୋହିତ କରି ଟାଣି ନେବାର ମୁଁ ଅନୁଭବ କରି ପାରୁଥିଲି ।

 

ପ୍ରତିଥର ସାକ୍ଷାତ୍‌ରେ ତାର ରୂପକାନ୍ତି ମୋତେ ନୂତନ ଦିଗ୍‌ଦର୍ଶନ ଦେଉଥିଲା । ତାର ମଧୁର ଚେତନା ଭିତରେ ଏକ ନୂତନ ଅନ୍ତର୍ଦୃଷ୍ଟିର ସନ୍ଧାନ ପାଇଥିଲି । କେବେକେବେ ମନେ ହେଉଥିଲା ସେ ଏକ ବିଚିତ୍ର ପୁସ୍ତକ, ଯାହାର ପୃଷ୍ଠା ସବୁକୁ ପଢ଼ି ମୁଁ ହୃଦୟଙ୍ଗମ କରୁଥିଲି ଏବଂ ତାର ପ୍ରଶଂସାରେ ଶତମୁଖ ହୋଇଉଠୁଥିଲି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ପୁସ୍ତକଟି କେବେହେଲେ ପଢ଼ି ଶେଷକରି ପାରୁନଥିଲି । ସତେଯେମିତି, କୁଳକିନାରା ନଥିବା ସେ ଏକ ବେଗବତୀ ନଦୀ, ଅଥଚ ସେ ନଦୀ ସହିତ ମୁଁ ଆବେଗରେ ଆବଦ୍ଧ । ସର୍ବମୟ ଈଶ୍ୱର ଯେଉଁ ନାରୀଠାରେ ସୁନ୍ଦର ଆତ୍ମା ଓ ଛନ୍ଦାୟିତ ଶରୀର ପ୍ରଦାନ କରିଥାନ୍ତି, ସେ ହିଁ ବାସ୍ତବସତ୍ୟର ପ୍ରତିରୂପ, ସେ ହିଁ ମୁକ୍ତ ଓ ସେ ହିଁ ଗୋପନୀୟ । ସେହି ଚିରନ୍ତନ ସତ୍ୟକୁ ଆମେ କେବଳ ପ୍ରେମଦ୍ୱାରା ଅନୁଭବ କରିପାରୁ ଆଉ ପୁଣ୍ୟ ଦ୍ୱାରା ସ୍ପର୍ଶକରିପାରୁ । କିନ୍ତୁ ଆମେ ଯେତେବେଳେ ଏଭଳି ଏକ ନାରୀକୁ ଶବ୍ଦଦ୍ୱାରା ଚିତ୍ରଣ କରିବାକୁ ଚେଷ୍ଟାକରୁ ସେ ଛାଇଭଳି ଅନ୍ତର୍ହିତ ହୋଇଯାଏ ।

 

ସେଲ୍‌ମା କାରାମୀର ଶରୀରର ପ୍ରତି କୋଣ ଅନୁକୋଣରେ ସୌନ୍ଦର୍ଯ୍ୟର ଛାପ ଲାଖି ରହିଥିଲା, ଆଉ ତାର ପ୍ରତିଫଳନ ଆତ୍ମାର ପ୍ରତିଟି ଛନ୍ଦରେ ମଧ୍ୟ ରୂପାୟିତ ହୋଇଥିଲା । କିନ୍ତୁ ସେଭଳି ଜଣେ ଅପରୂପା ନାରୀର ରୂପକାନ୍ତିକୁ ମୁଁ ଅଜଣା ବ୍ୟକ୍ତିଟି କିଭଳି ବା ବର୍ଣ୍ଣନା କରିପାରିବି? ଜଣେ ମୃତ ବ୍ୟକ୍ତି କେମିତି ବା ଗୀତିପକ୍ଷୀ ବୁଲ୍‌ବୁଲ୍‌ର ମଧୁର ସ୍ୱରକୁ ମନେରଖିପାରିବ? ଗୋଲାପର ବାସ୍‌ନାକୁ ଆଘ୍ରାଣ କରିପାରିବ ଏବଂ ନିର୍ଝରର ନୀରବ ଶ୍ୱାସକୁ ବାରିପାରିବ? କାରାଗାରର ନିଭୃତ କକ୍ଷରେ ଶୃଙ୍ଖଳ ଓ ଶିକୁଳି ଭାରରେ ଭାରାକ୍ରାନ୍ତ ବନ୍ଦୀ ଜଣକ ପ୍ରଭାତର ମୃଦୁମନ୍ଦ ସମୀରଣକୁ କ’ଣ ଅନୁଧାବନ କରିପାରିବ? ବିଜନତା ମୃତ୍ୟୁଠାରୁ ଅଧିକ ଯନ୍ତ୍ରଣାଦାୟକ ନୁହେଁକି? ଉଜ୍ଜ୍ୱଳ ବର୍ଣ୍ଣରେ ଯେହେତୁ ତାକୁ ମୁଁ ସତ୍ୟନିଷ୍ଠ ଭାବରେ ଚିତ୍ରଣ କରିବାକୁ ଅସମର୍ଥ, ତେଣୁ ମୋର ଅହଙ୍କାର ତାର ରୂପକାନ୍ତିକୁ ସାବଲୀଳ ଭାଷାରେ ବର୍ଣ୍ଣନା କରିବାକୁ ମୋତେ ପ୍ରତିହତ କରେ କି? ମରୁଭୂମି ଭିତରେ ଯଦି ଈଶ୍ୱରଙ୍କ କରୁଣାରୁ ଅମୃତ ଓ ମଧୁଧାରା ବର୍ଷଣ ହେଉ ନଥାଏ, ତା ହେଲେ ଜଣେ କ୍ଷୁଧାର୍ତ୍ତ ଶୁଖିଲା ରୁଟି ଖାଇବାକୁ ମନା କରିବନି ।

 

ଧଳା ରେଶମୀ ପୋଷାକରେ ସେଲ୍‌ମା ଝରକା ଫାଙ୍କରେ ଉଇଁ ଆସୁଥିବା ଜହ୍ନ ପରି କୃଶାଙ୍ଗୀ ମନେହୁଏ । ତାର ଚାଲିରେ ଛନ୍ଦ ଓ ଲାଳିତ୍ୟ ପୂରି ରହିଥିଲା । ତାର ସ୍ୱର ଅନୁଚ୍ଚ ଓ ମଧୁର । ତା’ ଅଧରର କଥାସବୁ ଫୁଲ ପାଖୁଡ଼ାରୁ ଶିଶିର ବିନ୍ଦୁ ପବନ ଆଘାତରେ ଝରିପଡ଼ିଲା ପରି ଲାଗେ ।

 

ସେଲ୍‌ମାର ମୁଖମଣ୍ଡଳ ନିଆରା । ତାର ଭାବକୁ କୌଣସି ଶବ୍ଦଦ୍ୱାରା ପ୍ରକାଶ କରିବା ସମ୍ଭବପର ନୁହେଁ । ମହାର୍ଘ ଅନ୍ତର୍ଦାହକୁ ପ୍ରତିଫଳିତ କରିବାପରେ ସ୍ୱର୍ଗୀୟ ଉଲ୍ଲାସକୁ ବର୍ଣ୍ଣନା କରାଯାଇପାରେ ନାହିଁ । କିନ୍ତୁ ସେଲ୍‌ମାର ମୁଖମଣ୍ଡଳରେ ଉଭୟ ପ୍ରତିଫଳିତ ।

 

ସେଲ୍‌ମାର ମୁଖମଣ୍ଡଳର କାନ୍ତି କାଳଜୟୀ କଳାକୃତୀ ପରି ନଥିଲା । ବରଂ ଏକ ସ୍ୱପ୍ନର ଶିହରଣରୂପେ ଉପଲବ୍ଧ ଥିଲା । କୌଣସି ଚିତ୍ରକର ତୂଳୀର ଚାତୁରୀରେ ତାକୁ କଳ୍ପନା କରି ବା ଅନୁକରଣ କରି ଚିତ୍ରଣ କରିବା ସମ୍ଭବପର ନଥିଲା କିମ୍ବା କୌଣସି ମୂର୍ତ୍ତିକାରର ନିହାଣ ମୁନରେ ଶିଳାଗାତ୍ରରେ ଖୋଦିତ କରିବା ମଧ୍ୟ ଥିଲା ଅସମ୍ଭବ । ସେଲ୍‌ମାର କମନୀୟତା ତାର ସ୍ୱର୍ଣ୍ଣାଭ କବରୀରେ ନିହିତ ନ ଥିଲା ବରଂ ତା ଚାରିପଟେ ବିରାଜ କରୁଥିବା ପୁଣ୍ୟ ଓ ପବିତ୍ରତାର ଆଭାମଣ୍ଡଳ ମଧ୍ୟରେ ରହିଥିଲା । ତାର ସୌନ୍ଦର୍ଯ୍ୟ ବିସ୍ଫାରିତ ଟଣା ନୟନ ଯୁଗଳର ଠାଣି ଅପେକ୍ଷା ନୟନରୁ ଝରୁଥିବା ଅପୂର୍ବ ଦିବ୍ୟ ଜ୍ୟୋତି ଭିତରେ ଲୁଚି ରହିଥିଲା । ସୌନ୍ଦର୍ଯ୍ୟ ତାର ବିମ୍ବଅଧର ଅପେକ୍ଷା ମଧୁର ସ୍ୱରର ଲହରୀ ଭିତରୁ ଝରୁଥିଲା ଏବଂ ତା ଗଜଦନ୍ତ ଶୁଭ୍ର ଗ୍ରୀବାରେ ନିହିତ ନ ହେଇ ତାର ବଙ୍କିମ ଠାଣିର ଅପୂର୍ବ ଲାବଣ୍ୟରେ ଫୁଟି ଉଠୁଥିଲା । କମନୀୟତା କେବଳ ତାର ସୁଠାମ ନିଟୋଳ ଶରୀର ଭିତରେ ଆବଦ୍ଧ ନ ଥିଲା, ବରଂ ତାର ଆତ୍ମାର ମହନୀୟତାରେ ଏକ ଶୁଭ୍ର ମଶାଲ ଭଳି ଆକାଶ ଓ ପୃଥିବୀ ଭିତରେ ଉଦ୍‌ଭାସିତ ହେଉଥିଲା । କବିତାର ସ୍ନିଗ୍ଧ ଛନ୍ଦପରି ତାର କମନୀୟତା ଲାଳିତ୍ୟରେ ପରିପୂର୍ଣ୍ଣ ଥିଲା । କିନ୍ତୁ, କବିମାନେ ହିଁ ବିଷାଦଗ୍ରସ୍ତ । ଯେତେ ଉର୍ଦ୍ଧ୍ୱକୁ ସେମାନଙ୍କର କଳ୍ପନାର ଆତ୍ମା ଛୁଇଁଲେ ବି ଅଶ୍ରୁର ଆବରଣ ତଳେ ନିଜକୁ ସେମାନେ ଅସହାୟଭାବେ ହଜେଇ ଦିଅନ୍ତି ।

 

ସେଲ୍‌ମା କଦାପି ଚଳଚଞ୍ଚଳ, ପ୍ରଗ୍‌ଳଭା ନ ଥିଲା, ବରଂ ସେ ସଦାବେଳେ ଭାବଗମ୍ଭୀର ଓ ଚିନ୍ତାଶୀଳ ପରି ଜଣାପଡ଼ୁଥିଲା । ତା’ର ନୀରବତା ମଧ୍ୟ ଏକ ସଂଗୀତର ସ୍ୱର ପରି । ସେହି ନୀରବ ସଂଗୀତର ସ୍ୱରରେ ଜଣେ ନିଜକୁ ସ୍ୱପ୍ନର ଦୁନିଆ ଭିତରେ ହଜେଇ ଦେଇପାରିବ ଏବଂ ଗୋପନ ସ୍ପନ୍ଦନର ଅନୁରଣନକୁ ଶୁଣିପାରିବ । ନିଜ ଚିନ୍ତା ଓ ଅନୁଭବର ପ୍ରେତାତ୍ମାମାନଙ୍କ ଆଖିରେ ଆଖିରଖି ନିଜରି ସମ୍ମୁଖରେ ଛିଡ଼ା ହେବାର ବାରିପାରିବ ।

 

ନିଜ ଜୀବନକୁ ସେ ଗଭୀର ଦୁଃଖର ଏକ ଅଦୃଶ୍ୟ ଆବରଣରେ ଢାଙ୍କି ରଖିଥିଲା । ତାହାହିଁ ତାର ଅପୂର୍ବ ସୌନ୍ଦର୍ଯ୍ୟ ଓ ଆଭିଜାତ୍ୟକୁ ଦ୍ୱିଗୁଣିତ କରୁଥିଲା । ପ୍ରଭାତର କୁହୁଡ଼ି ଭିତରେ ଯେପରି ଘନ ପଲ୍ଳବିତ ବୃକ୍ଷର ଶୋଭା ଅଧିକ କମନୀୟ ହୋଇ ଉଠେ, ସେଲ୍‌ମାର ସୌନ୍ଦର୍ଯ୍ୟ ଉପରେ ଏକ ଅଦୃଶ୍ୟ ଛାୟାର ଆବରଣ ତାକୁ ଅତୁଳନୀୟ କରିଥିଲା ।

 

ଅଜଣା ବିଷାଦର ଛାଇ ସେଲ୍‌ମା ଓ ମୋର ଆତ୍ମାକୁ ଗୋଟିଏ ସୂତ୍ରରେ ଗୁନ୍ଥି ଦେଇଥିଲା । ସତେ ଯେମିତି, ଉଭୟେ ଉଭୟର ମୁଖମଣ୍ଡଳରୁ ହୃଦୟର ଭାବାବେଗକୁ ଦେଖିପାରୁଥିଲେ ଏବଂ ଅନ୍ତର୍ନିହିତ ଏକ ଲୁକ୍କାୟିତ ପ୍ରତିଧ୍ୱନିକୁ ଶୁଣିପାରୁଥିଲେ । ଈଶ୍ୱର ଦୁଇଟି ଶରୀରକୁ ଏକାଠି ସନ୍ନିବେଶିତ କରିଥିଲେ । ଏକରୁ ଆରେକଙ୍କୁ ପୃଥକ୍ କଲେ କେବଳ ବିଷାଦର ଧ୍ୱନି ବ୍ୟତୀତ ଆଉକିଛି ଶୁଣାଯିବନି ।

 

ଦୁଃଖ ଜର୍ଜରିତ ଆତ୍ମାଟିଏ ସମଭାବାପନ୍ନ ଆତ୍ମା ସହିତ ମିଳିତ ହେଲେ ତାହାରି ଭିତରେ ନିଶ୍ଚିନ୍ତରେ ବିଶ୍ରାମ ନେଇପାରେ । ସେମାନେ ଅନ୍ତରଙ୍ଗ ହୋଇ ମିଶିପାରନ୍ତି । ଆନନ୍ଦରେ ବିଭୋର ହୋଇପାରନ୍ତି । ଯେମିତି ଜଣେ ପ୍ରବାସୀ ନିଜ ଦେଶର ଅନ୍ୟ ଜଣେ ପ୍ରବାସୀଙ୍କ ସହିତ ବିଦେଶରେ ଭାବଗଦ୍‌ଗଦ୍ ହୋଇ ମିଶିଥାଆନ୍ତି । ଯେଉଁ ହୃଦୟଗୁଡ଼ିକ ଦୁଃଖକୁ ମାଧ୍ୟମ କରି ମିଳିତ ହୋଇଥାଆନ୍ତି, ସେମାନେ ଆନନ୍ଦ ଆତିଶଯ୍ୟରେ କେବେ ବିଚ୍ଛିନ୍ନ ହୁଅନ୍ତିନି । ଅଶ୍ରୁର ପ୍ଲାବନରେ ଯେଉଁ ପ୍ରେମ ଅବଗାହିତ, ସେ ସଦାବେଳେ ସ୍ୱର୍ଗୀୟ ପବିତ୍ରତା ଓ କମନୀୟତାକୁ ହିଁ ବହନ କରେ ।

•••

 

 

Unknown

-୫-

ଆସନ୍ନ ଝଡ଼

 

ଦିନେ ଫାରିସ୍ ଏଫାଣ୍ଡି ମୋତେ ରାତ୍ରିଭୋଜନ ନିମନ୍ତେ ତାଙ୍କ ଘରକୁ ନିମନ୍ତ୍ରଣ କଲେ । ମୁଁ ଅତି ଆନନ୍ଦରେ ସମ୍ମତି ପ୍ରଦାନ କରିଥିଲି । ସେଲ୍‌ମାର ହାତରୁ ପ୍ରଭୁଙ୍କ ପ୍ରେରିତ ଅମୃତଭୋଜନ ନିମନ୍ତେ ମୋର କ୍ଷୁଧାର୍ତ୍ତ ଆତ୍ମା ସତତ ବ୍ୟାକୁଳ ହୋଇ ରହିଥିଲା । ସେହି ଦିବ୍ୟଭୋଜନ ଆମେ ଯେତେ ଅଧିକ ଗ୍ରହଣ କରୁ, ଆମର ହୃଦୟ ସେତିକି କ୍ଷୁଧାତୁର ହୋଇଉଠେ । ଏହି ଖାଦ୍ୟକୁ ଆରବୀୟ କବି କୈସ୍ ଆସ୍ୱାଦନ କରିଥିଲେ । ଦାନ୍ତେ ଓ ସାଫୋ ମଧ୍ୟ ଏହି ଦିବ୍ୟ ଭୋଜନରେ ତୃପ୍ତ ହୋଇଥିଲେ । ଯେଉଁ ସୁଖାଦ୍ୟକୁ ସ୍ୱର୍ଗର ଦେବୀ ନିଜ ଚୁମ୍ବନର ମଧୁରତାରେ ଓ ଲୁହର ତିକ୍ତତାରେ ପ୍ରସ୍ତୁତ କରିଥାଆନ୍ତି, ତାହା କବିମାନଙ୍କର ହୃଦୟରେ ପ୍ରେମର ବହ୍ନି ସତତ ଜାଳି ଦେଇପାରେ ।

 

ମୁଁ ଯେତେବେଳେ ଫାରିସ୍ ଏଫାଣ୍ଡିଙ୍କ ଘରେ ପହଞ୍ଚିଲି, ସେଲ୍‌ମା ଉଦ୍ୟାନର ଏକ ଆସ୍ଥାନ ଉପରେ ନିଜର ମସ୍ତକଟିକୁ ସନ୍ନିକଟସ୍ଥ ଏକ ବୃକ୍ଷ ଶାଖାରେ ରଖି ବିଶ୍ରାମ ନେବା ଭଙ୍ଗିରେ ବସିଥିଲା । ଶୁଭ୍ର ରେଶମୀ ପରିଧାନରେ ସେ ନବବଧୂଟିଏ କିମ୍ବା ସେହି ପବିତ୍ର ସ୍ଥଳୀର ଜୀବନ୍ୟାସପ୍ରାପ୍ତ ଦେବୀମୂର୍ତ୍ତି ପରି ପ୍ରତୀତ ହେଉଥିଲା ।

 

ସଶ୍ରଦ୍ଧ ସନ୍ତର୍ପଣରେ ମୁଁ ତା ଆଡ଼କୁ ଅଗ୍ରସର ହେଲି । ସେଲ୍‌ମା ନିକଟରେ ସେହି ଆସ୍ଥାନ ଉପରେ ଶବ୍ଦଟିଏ ବି ଉଚ୍ଚାରଣ ନ କରି ବସିଲି । ମୁଁ ନୀରବତା ରକ୍ଷା କରିବାକୁ ଉଚିତ ମନେ କରିଥିଲି, କାରଣ ନୀରବତା ହିଁ ହୃଦୟର ଏକମାତ୍ର ଭାଷା । ଏବଂ ମୁଁ ଅନୁଭବ କରୁଥିଲି, ସେଲ୍‌ମା ମୋର ଶବ୍ଦହୀନ ଆହ୍ୱାନକୁ ମନଧ୍ୟାନ ଦେଇ ଶୁଣିପାରୁଛି ଏବଂ ମୋର ଅନ୍ତରାତ୍ମାର ସ୍ୱରୂପକୁ ସେ ମୋ’ରି ଆଖିରେ ହିଁ ଦେଖି ପାରୁଛି ।

 

କିଛି ସମୟ ଏମିତି ନୀରବରେ ବିତି ଯାଇଥିଲା । ଏହି ସମୟରେ ଫାରିସ୍ ଏଫାଣ୍ଡି ଘରୁ ବାହାରକୁ ଆସିଲେ ଓ ମୋତେ ସ୍ୱଭାବ ସୁଲଭ ଭାବରେ ଅଭିବାଦନ ଜଣାଇଲେ । ସେ ଯେତେବେଳେ ମୋ ଆଡ଼କୁ ତାଙ୍କର କର ପ୍ରସାରିତ କଲେ, ମୁଁ ଠିକ୍ ଅନୁଭବ କରି ପାରୁଥିଲି, ସେହି ହାତ ଭିତରେ ମୋର ଓ ସେଲ୍‌ମାର ମିଳନପାଇଁ ଉଦ୍ଦିଷ୍ଟ ପ୍ରଚ୍ଛନ୍ନ ଆଶୀର୍ବାଦ ନିହିତ ଥିଲା । ତାପରେ ସେ ସ୍ନେହବୋଳା ସ୍ୱରରେ କହିଥିଲେ, “ରାତ୍ରି ଭୋଜନ ପ୍ରସ୍ତୁତ ହୋଇସାରିଛି । ଆସ ପିଲାମାନେ, ଆମେ ଏକା ସାଥିରେ ଭୋଜନ କରିବା ।” ଆମେ ଛିଡ଼ା ହେଲୁ ଓ ତାଙ୍କୁ ଅନୁସରଣ କଲୁ । ଆମକୁ “ପିଲାମାନେ” ବୋଲି ସମ୍ବୋଧନ କରିଥିବାରୁ ସେଲ୍‌ମାର ଆଖିରେ ଏକ ଉଜ୍ଜ୍ୱଳତା ବାରି ହେଉଥିଲା ଏବଂ ଏକ ନୂତନ ଅନୁରାଗ ତାର ଚିନ୍ତନ ସହିତ ଫେଣ୍ଟାଫେଣ୍ଟି ହେବାର ଜଣାପଡ଼ୁଥିଲା ।

 

ଆମେ ଏକତ୍ର ବସି ଭୋଜନ ଉପଭୋଗ କରିଥିଲୁ ଏବଂ ସୁସ୍ୱାଦୁ ପୁରୁଣା ମଦିରା ମଧ୍ୟ ପାନ କରିଥିଲୁ । କିନ୍ତୁ ଆମର ଆତ୍ମାମାନେ ଦୂରାନ୍ତର କେଉଁ ଅଜଣା ଦିଗ୍‌ବଳୟରେ ହଜିଯାଉଥିଲେ-। ଅନାଗତ ଭବିଷ୍ୟତ ଓ ତା’ର ଅନିଶ୍ଚିତତାର ଚିନ୍ତାରେ ଆମେ ତିନିଜଣ ନିମଗ୍ନ ଥିଲୁ ।

 

ତିନି ପ୍ରାଣୀଙ୍କ ଚିନ୍ତାଧାରା ପୃଥକ୍ ଥିଲା । ପ୍ରତ୍ୟେକେ ଭିନ୍ନ ଭିନ୍ନ ଦିଗରୁ ଚିନ୍ତାକରୁ ଥିଲେ, କିନ୍ତୁ ପ୍ରେମର ପବିତ୍ର ବନ୍ଧନରେ ଏକତ୍ର ଗୁନ୍ଥି ହୋଇଯାଇଥିଲେ । ତିନୋଟି ନିରୀହ, ସରଳ ବ୍ୟକ୍ତି ନିଜ ନିଜ ଭାବନାରେ ସମୃଦ୍ଧ, କିନ୍ତୁ ଭବିଷ୍ୟତର ସୀମିତ ଜ୍ଞାନରେ ଆବଦ୍ଧ । ଜଣେ ବୃଦ୍ଧ ବ୍ୟକ୍ତି - ସେ ତାଙ୍କ ଜୀବନ ନାଟକରେ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ । ତାଙ୍କର ଏକମାତ୍ର କନ୍ୟାକୁ ନିବିଡ଼ ଭାବରେ ଭଲପାଆନ୍ତି, ତାର ସୁଖ, ସ୍ୱାଚ୍ଛନ୍ଦ୍ୟପାଇଁ ସତତ ଯତ୍ନଶୀଳ । ଆର ଜଣକ, ବିଂଶତି ବର୍ଷୀୟ ପୂର୍ଣ୍ଣ ଯୌବନା କିଶୋରୀ - ସେ ତାର ସ୍ୱପ୍ନିଳ ଭବିଷ୍ୟତକୁ ଉଦ୍‌ବିଗ୍ନ ଚିତ୍ତରେ ଅପେକ୍ଷା କରିବସିଛି ଏବଂ ତୃତୀୟ ଜଣକ ଜଣେ ତରୁଣ - ସ୍ୱପ୍ନ ଓ ଉତ୍କଣ୍ଠା ଭିତରେ ମଗ୍ନ । ଯେ ଜୀବନର ସୁସ୍ୱାଦୁ ମଦିରା କିମ୍ବା କଟୁ ଶିର୍କାକୁ ଆସ୍ୱାଦନ କରିନି । ଯେ ପ୍ରେମ ଓ ଜ୍ଞାନର ଶୀର୍ଷକୁ ଆରୋହଣ କରିବାକୁ ଚେଷ୍ଟା କରୁଛି, କିନ୍ତୁ ନିଜକୁ ନିଜେ ସେହି ସୋପାନକୁ ତୋଳି ନେବାକୁ ଅସମର୍ଥ । ଆମେ ତିନିପ୍ରାଣୀ ଗୋଧୂଳିରେ ସେହି ନିର୍ଜନ ଗୃହରେ ଏକତ୍ର ଭବ୍ୟଭୋଜନରେ ବ୍ୟସ୍ତ ଓ ଆମୋଦିତ । ଉପରେ ଈଶ୍ୱରଙ୍କ ଦୃଷ୍ଟିର ସୁରକ୍ଷା ବଳୟ । କିନ୍ତୁ ତଳେ ପାନପାତ୍ରର ଅନ୍ତରାଳରୁ ଅଦୃଷ୍ଟର କ୍ରୁର ଇଙ୍ଗିତ ଅଜ୍ଞାତସାରରେ ଆମକୁ ଅପେକ୍ଷା କରୁଥିଲା ।

 

ଆମର ଭୋଜନ ଶେଷ ହୋଇ ଆସିଥିଲା । ସେତିକିବେଳେ ପରିଚାରିକାଟି ପଶି ଆସି ଜଣାଇଲା ଯେ ଜଣେ ଆଗନ୍ତୁକ ଫାରିସ୍ ଏଫାଣ୍ଡିଙ୍କୁ ସାକ୍ଷାତ୍ କରିବାପାଇଁ ଦ୍ୱାରଦେଶରେ ଅପେକ୍ଷା କରିଛି । ବୃଦ୍ଧ ଜଣକ ତାକୁ “କିଏ ଆସିଛନ୍ତି?”ବୋଲି ପଚାରିଲେ । ପରିଚାରିକାଟି କହିଲା, “ଧର୍ମଯାଜକଙ୍କ ବାର୍ତ୍ତାବହ ।” ହଠାତ୍ ମୁହୂର୍ତ୍ତକପାଇଁ ନୀରବତା ଛାଇଗଲା । ଫାରିସ ଏଫାଣ୍ଡି ଜଣେ ଦୂରଦ୍ରଷ୍ଟା ପରି ନିଜର କନ୍ୟାଆଡ଼କୁ ସ୍ଥିରଦୃଷ୍ଟିରେ କିଛି ସମୟପାଇଁ ଚାହିଁ ରହିଲେ । ସତେ ଯେମିତି ଆକାଶର ଗ୍ରହ ନକ୍ଷତ୍ରରୁ ପ୍ରଚ୍ଛନ୍ନ ଭବିଷ୍ୟତକୁ ସେ ପଢ଼ିବାକୁ ଚେଷ୍ଟା କରୁଥିଲେ । ତାପରେ, ସେ ପରିଚାରିକାକୁ କହିଲେ, “ତାଙ୍କୁ ଭିତରକୁ ଡାକିଆଣ” ।

ପରିଚାରିକା ଯିବାର କିଛି ସମୟ ପରେ ପ୍ରାଚ୍ୟର ପୋଷାକ ପରିହିତ ଲୋକଟିଏ ଗୃହ ମଧ୍ୟକୁ ପ୍ରବେଶ କଲା । ତାର ମୁଖମଣ୍ଡଳର ଲମ୍ବା ନିଶ ହଳକ ଶେଷ ଭାଗକୁ ମୋଡ଼ି ହୋଇ ରହିଥିଲା । ବୃଦ୍ଧଙ୍କୁ ଅଭିବାଦନ ଜଣାଇ କହିଲା, “ମହାମାନ୍ୟ ଧର୍ମଗୁରୁ ମୋତେ ତାଙ୍କ ନିଜର ଗାଡ଼ି ଦେଇ ଆପଣଙ୍କ ପାଖକୁ ପଠେଇଛନ୍ତି । ସେ ଆପଣଙ୍କ ସହିତ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବାକୁ ଚାହୁଁଛନ୍ତି ।” ବୃଦ୍ଧ ଏଫାଣ୍ଡିଙ୍କ ମୁଖମଣ୍ଡଳରେ ଏକ କଳାବାଦଲ ଛାଇଗଲା ପରି ମନେହେଲା ଏବଂ ତାଙ୍କର ସ୍ୱଭାବସୁଲଭ ହସଟି ମଧ୍ୟ ଉଭେଇଗଲା । ମୁହୂର୍ତ୍ତ କେତୋଟି ଗଭୀର ଚିନ୍ତାରେ ଆଚ୍ଛନ୍ନ ରହି ମୋ ନିକଟକୁ ଆସି ଅତ୍ୟନ୍ତ ବନ୍ଧୁବତ୍ସଳ ସ୍ୱରରେ କହିଲେ, “ମୋର ଆଶା, ମୁଁ ଫେରି ଆସିବା ପର୍ଯ୍ୟନ୍ତ ତୁମେ ଏହିଠାରେ ଥିବ । ସେଲ୍‌ମା ଏହି ନିର୍ଜନ ସ୍ଥାନରେ ତୁମର ସାନ୍ନିଧ୍ୟ ଲାଭ କରି ପାରିବ ।”

 

ମୋତେ କଥାତକ କହିସାରି ସ୍ମିତହାସ୍ୟର ରେଖା ଫୁଟାଇ ସେଲ୍‌ମାର ସମ୍ମତି ଜାଣିବାକୁ ଚାହିଁଲେ । ମୁଣ୍ଡ ହଲାଇ ସେ ସମ୍ମତି ଜଣାଇଲା । କିନ୍ତୁ ତାର ମୁଖମଣ୍ଡଳ ଲାଜରେ ରକ୍ତିମ ହୋଇ ଉଠିଥିଲା । ବୀଣାଜିଣା ମଧୁର ସଂଗୀତ ସୁଲଭ ସ୍ୱରରେ ସେ କହିଲା, “ଆମର ଅତିଥିଙ୍କୁ ଆନନ୍ଦ ପ୍ରଦାନ କରିବାପାଇଁ ମୁଁ ଯଥାସାଧ୍ୟ ଚେଷ୍ଟା କରିବି ।”

 

ତାର ପିତା ଓ ସେହି ଲୋକଟିକୁ ନେଇ ଗାଡ଼ିଟି ଦୃଷ୍ଟିର ବଳୟ ବାହାରକୁ ଯିବାପର୍ଯ୍ୟନ୍ତ ସେଲ୍‌ମା ସେହି ଦିଗକୁ ଚାହିଁ ରହିଥିଲା । ତା ପରେ, ସେ ମୋ ସାମ୍‌ନାରେ ସବୁଜ ରେଶମୀ ଆବରଣରେ ଘୋଡ଼ା ହୋଇଥିବା ଏକ ଡିଭାନ୍ ଉପରେ ଆସି ବସିଲା । ସକାଳର ମୃଦୁ ସମୀରଣରେ କଅଁଳ ସବୁଜ ଘାସର ଗାଲିଚା ଲାଜ ସରସର ହୋଇ ଢଳି ପଡ଼ିଥିବା ଏକ କଇଁଫୁଲ ପରି ସେ ଦେଖାଯାଉଥିଲା । ମୁଁ ସେଲ୍‌ମା ସହିତ ସେହି ସୁରମ୍ୟ ଗୃହରେ ଏକୁଟିଆ ସେହି ରାତିରେ କିଛି ସମୟ ଅତିବାହିତ କରେ, ଏହା ବୋଧେ ବିଧିର ନିର୍ଦ୍ଦେଶ ଥିଲା । ପରିବେଶଟି ଏକ କୁଂଜବନପରି ଶୋଭିତ ହୋଇଥିଲା । ତାହାରି ଭିତରେ ବିଜନତା, ପ୍ରେମ, ସୌନ୍ଦର୍ଯ୍ୟ ଓ ପୁଣ୍ୟର ଏକ ଅନୁପମ ଅନୁଭବ ସନ୍ନିବିଷ୍ଟ ଥିଲା ।

 

ଆମେ ଦୁଇଜଣ ଚୁପ୍‌ଚାପ୍ ବସିଥିଲୁ । ହୁଏତ ଜଣେ ଅନ୍ୟ ଜଣଙ୍କଠାରୁ କିଛି ଶୁଣିବାପାଇଁ ପ୍ରତୀକ୍ଷା କରୁଥିଲା । କିନ୍ତୁ ଦୁଇଟି ଆତ୍ମା ପରସ୍ପରକୁ ହୃଦୟଙ୍ଗମ କରିବା ନିମନ୍ତେ ଭାଷା ଏକମାତ୍ର ମାଧ୍ୟମ ନୁହେଁ । ଅଧର ଓ ଜିହ୍ୱାରୁ ନିର୍ଗତ ହେଉଥିବା ଶବ୍ଦ ହୃଦୟ ଦ୍ୱୟକୁ ଏକ କରିପାରେନା ।

 

ମୁଖରୁ ନିଃସୃତ ହେଉଥିବା ଶବ୍ଦଠାରୁ ବି ଅଧିକ ଶକ୍ତିଶାଳୀ ଓ ପବିତ୍ର ମାଧ୍ୟମ ଅଛି । ନୀରବତାର ଭାଷା ଆମର ଆତ୍ମାକୁ ଉଦ୍‌ଭାସିତ କରେ । ତାର ମୃଦୁ ଗୁଂଜନରେ ହୃଦୟର ଦ୍ୱାରକୁ ଉନ୍ମୁକ୍ତ କରିଦିଏ ଏବଂ ଉଭୟକୁ ଏକାକାର କରିଦିଏ । ସେହି ନୀରବତା ହିଁ ଆମକୁ ନିଜଠୁ ଦୂରେଇ ନେଇପାରେ, ଆତ୍ମବୋଧର ଆକାଶରେ ବିଚରଣ କରାଇପାରେ ଏବଂ ଈଶ୍ୱରଙ୍କ ନିକଟତର କରାଇପାରେ । ନୀରବତାର ଧ୍ୱନି ହିଁ ସୂଚାଇ ଦିଏ ଯେ ଆମେ ଶରୀରର ବନ୍ଧନ ଭିତରେ ବନ୍ଦୀ ଏବଂ ଏହି ପୃଥିବୀକୁ ଆମେ କେବଳ ନିର୍ବାସନ ଦଣ୍ଡ ହିଁ ଭୋଗ କରିବାକୁ ଓହ୍ଲେଇ ଆସିଛୁ ।

 

ସେଲ୍‌ମା ମୋ ଆଡ଼କୁ ଅନେଇଲା । ଆଖିର ଚାହାଁଣିରେ ତା ଅନ୍ତରର ଗୋପନ କଥା ପ୍ରକାଶିତ ହେଉଥିଲା । ତାପରେ ସେ ଶାନ୍ତ ଭାବରେ କହିଲା, “ଚାଲ, ଆମେ ଉଦ୍ୟାନର ବୃକ୍ଷଲତା ଗହଣରେ କିଛି ସମୟ ବସିବା ଏବଂ ପର୍ବତମାଳାର ଆଢ଼ୁଆଳରୁ ଉଇଁ ଆସୁଥିବା ଜହ୍ନର ଦୃଶ୍ୟକୁ ଉପଭୋଗ କରିବା ।” ବାଧ୍ୟ ଶିଶୁଟିଏ ଭଳି ମୁଁ ଛିଡ଼ା ହୋଇଥିଲି, କିନ୍ତୁ କାହିଁକି ଏକ ଅଜଣା ସଙ୍କୋଚ ମନକୁ ଆଚ୍ଛନ୍ନ କରିଥିଲା ।

 

ମୁଁ କହିଲି, “ଜହ୍ନ ଉଇଁ ଉଦ୍ୟାନକୁ ଆଲୋକିତ କରିବା ପର୍ଯ୍ୟନ୍ତ ଆମେ ବରଂ ଏହିଠାରେ ଅପେକ୍ଷା କରିବା, କାରଣ ଅନ୍ଧକାରରେ ବୃକ୍ଷଲତା, ଫୁଲ ସବୁକିଛି ଲୁଚି ଯାଇଥିବ । ଆମେ କିଛି ଦେଖିପାରିବାନି ।’’

 

ତାପରେ ସେଲ୍‌ମା କହିଥିଲା, “ଅନ୍ଧାର ଆମର ଦୃଷ୍ଟିରୁ ଫୁଲ ଓ ଗଛମାନଙ୍କୁ ସିନା ଲୁଚାଇ ରଖିପାରିବ, କିନ୍ତୁ ଆମର ହୃଦୟର ପ୍ରେମକୁ ଲୁଚାଇ ପାରିବନି ।”

 

ଅଦ୍ଭୁତ ସ୍ୱରରେ କଥାତକ କହି ସେ ଝରକା ବାହାରର ଜଗତ ଆଡ଼କୁ ତା’ର ଦୃଷ୍ଟି ଫେରାଇ ନେଲା । ମୁଁ ହଠାତ୍ ନୀରବ ହୋଇଗଲି । ଆଉ ସେହି ନୀରବତାର ପ୍ରତିଟି ମୁହୂର୍ତ୍ତରେ ତାର ପ୍ରତିଟି ଶବ୍ଦର ଅର୍ଥ ଓ ଗୁରୁତ୍ୱକୁ ଆକଳନ କରିବାକୁ ଚେଷ୍ଟା କରୁଥିଲି । ତାପରେ ସେ ମୋ ଆଡ଼କୁ ଅଦ୍ଭୁତ ଦୃଷ୍ଟିରେ ଫେରି ଚାହିଁଲା । ସତେ ଯେମିତି ସେ ତା’ର କହିଥିବା କଥା ଗୁଡ଼ିକପାଇଁ ପଶ୍ଚାତ୍ତାପ କରୁଥିଲା ଏବଂ ତାର ଚାହାଁଣିର ଯାଦୁରେ ମୋ କାନରୁ ତାର ଶବ୍ଦର ପ୍ରତିଧ୍ୱନିକୁ ଫେରେଇ ନେବାକୁ ଚାହୁଁଥିଲା । କିନ୍ତୁ ନେଇ ପାରିଲାନି । ବରଂ ସେ ମିଠା ଶବ୍ଦଗୁଡ଼ିକ ଚେତନାର ଗଭୀରତମ ପ୍ରଦେଶରେ ବାରମ୍ବାର ପ୍ରତିଧ୍ୱନିତ ହୋଇ ମୋ ହୃଦୟରେ ଚିରନ୍ତନ ରେଖାପାତ କରିସାରିଥିଲା ।

 

ଏହି ପୃଥିବୀରେ ପ୍ରତିଟି ସୌନ୍ଦର୍ଯ୍ୟର ଉତ୍ସ କିମ୍ବା ଯେ କୌଣସି ମହାନ୍ କୀର୍ତ୍ତି ଜଣେ ଜଣେ ବ୍ୟକ୍ତିର ଅନ୍ତରର ଏକକ କଳ୍ପନା କିମ୍ବା ଭାବପ୍ରବଣତାରୁ ହିଁ ଜାତ ହୋଇଥାଏ । ଆମର ପୂର୍ବସୂରୀଙ୍କ ଦ୍ୱାରା ସୃଷ୍ଟ ପ୍ରତିଟି କୀର୍ତ୍ତିକୁ ଆମେ ଯେତେବେଳେ ଆଜିର ପୃଷ୍ଠଭୂମିରେ ଦେଖୁ ବା ବିଶ୍ଲେଷଣ କରୁ, ଏହା କୌଣସି ଏକ ପୁରୁଷ ମନର କଳ୍ପନାରୁ କିମ୍ବା ନାରୀ ହୃଦୟର ଆବେଗରୁ ଜାତ ବୋଲି ଜଣାଯାଏ । ଆଜିଯାଏ ଯେଉଁ ସବୁ ରକ୍ତାକ୍ତ ବିପ୍ଳବ ସଂଘଟିତ ହୋଇଛି, ତାହା ମଣିଷମାନଙ୍କର ମନକୁ ମୁକ୍ତିର ମାର୍ଗ ଆଡ଼କୁ ଆକର୍ଷିତ କରିପାରିଛି । ଆଉ ସେହି ଚିନ୍ତାଧାରା ହିଁ ହଜାର ହଜାର ମଣିଷ ଭିତରେ ରହୁଥିବା ଜଣେ ବ୍ୟକ୍ତିର କଳ୍ପନାପ୍ରସୂତ । ଯେଉଁସବୁ ବିଧ୍ୱଂସକାରୀ ଯୁଦ୍ଧର କରାଳଛାୟାରେ ଶତଶତ ସାମ୍ରାଜ୍ୟ ଲୋପ ପାଇଯାଇଛି, ସେ ସବୁର ମୂଳରେ କେବଳ ଗୋଟିଏ ଗୋଟିଏ ବ୍ୟକ୍ତିର ମନ ଭିତରର ବିଭ୍ରାନ୍ତି ନିହିତ । ଯେଉଁ ସବୁ ସର୍ବକାଳୀନ ଶ୍ରେଷ୍ଠ ବାଣୀଦ୍ୱାରା ମାନବିକତାର ଗତିପଥ ବଦଳି ପାରିଛି, ସେ ସବୁ ଜଣେ ଜଣେ ମହାନ୍ ବ୍ୟକ୍ତିଙ୍କ ଚିନ୍ତାପ୍ରସୂତ । ସେମାନଙ୍କର ସ୍ୱକୀୟ ପ୍ରତିଭା ତାଙ୍କୁ ଅନ୍ୟମାନଙ୍କଠାରୁ ଓ ପରିବେଶଠାରୁ ପୃଥକ୍ କରିପାରିଛି । କେବଳ ଜଣେ ବ୍ୟକ୍ତିର ଏକକ ଚିନ୍ତାଦ୍ୱାରା ହିଁ ପୀରାମିଡ଼୍‌ର ନିର୍ମାଣ ସମ୍ଭବପର ହୋଇପାରିଛି । ସେହିପରି, ଗୋଟିଏ ବ୍ୟକ୍ତିର ଅବଚିନ୍ତନଦ୍ୱାରା ହିଁ ଆଲେକ୍‌ଜାଣ୍ଡ୍ରିଆର ବିଶାଳ ପୁସ୍ତକ ଭଣ୍ଡାର ପୋଡ଼ି ଛାରଖାର ହୋଇଯାଇଛି ।

 

ରାତିକ ଭିତରେ ଆସିଥିବା ଏକ ଅନୁଚିନ୍ତନ ହିଁ ହୁଏତ ତୁମକୁ ଗୌରବର ଶୀର୍ଷତମ ସୋପାନରେ ନତୁବା ପାଗଳଖାନାର ଦ୍ୱାରଦେଶରେ ପହଞ୍ଚାଇ ଦେଇପାରିବ । ଜଣେ ନାରୀର ନରମ ଚାହାଁଣି ହୁଏତ ତୁମକୁ ପୃଥିବୀର ସବୁଠୁ ସୁଖୀ ଲୋକ କରି ଦେଇପାରେ । ଜଣେ ପୁରୁଷର ଅଧରରୁ ନିଃସୃତ ଗୋଟିଏ ମାତ୍ର ଶବ୍ଦ ତୁମକୁ ପୃଥିବୀର ଧନାଢ଼୍ୟ କିମ୍ବା ଦରିଦ୍ରତମ ବ୍ୟକ୍ତି କରିଦେଇପାରିବ ।

ସେଦିନ ରାତିରେ ସେଲ୍‌ମା ମୁହଁରୁ ନିଃସୃତ ସେହି ଶବ୍ଦଟି ମୋତେ ଅତୀତ ଓ ଭବିଷ୍ୟତ ଭିତରେ ମୋହାଚ୍ଛନ୍ନ କରି ଦେଇଥିଲା । ଅଥଳ ଅକୂଳ ସମୁଦ୍ର ଭିତରେ ଚଳମାନ ପୋତଟି ଲଙ୍ଗର ମାରି ହଠାତ୍ ସ୍ଥିର ହୋଇଗଲା ଯେପରି । ସେହି କଥା ପଦକ ମୋତେ ମୋର ଯୌବନ ଓ ବିଜନତାର ଗାଢ଼ ନିଦ୍ରାରୁ ଜଗାଇ ଏମିତି ମଞ୍ଚରେ ଥୋଇଦେଲା, ଯେଉଁଠି ଜୀବନ ଓ ମୃତ୍ୟୁର ଖେଳ ଅବିରତ ଚାଲିଥାଏ ।

 

ଆମେ ଉଦ୍ୟାନରେ ପହଞ୍ଚିଲାବେଳକୁ ନାନା ଜାତି କୁସୁମର ସୁରଭି ମୃଦୁମନ୍ଦ ସମୀରଣ ଭିତରେ ବିଞ୍ଚି ହୋଇଯାଉଥିଲା । ମଲ୍ଲିଲତାର ସନ୍ନିକଟ ଏକ ଆସ୍ଥାନ ଉପରେ ଆମେ ଦୁହେଁ ନୀରବରେ ବସିଥିଲୁ । ତନ୍ଦ୍ରିଳ ପ୍ରକୃତିର ନୀରବ ଶବ୍ଦକୁ ଆମେ ଶୁଣି ପାରୁଥିଲୁ । ନୀଳ ଆକାଶରୁ ଅମରାବତୀର ଆଖିଗୁଡ଼ିକ ଆମର ଏ ନୀରବ ନାଟକକୁ ମିଟ୍ ମିଟ୍ କରି ଦେଖୁଥିଲେ ।

 

ସନ୍ନିନ୍ ପର୍ବତମାଳାର ଅନ୍ତରାଳରୁ ଜହ୍ନଟି ଧୀରେ ଧୀରେ ଉଇଁ ଆସୁଥିଲା । କଅଁଳ ଜହ୍ନର ଜ୍ୟୋତ୍ସ୍ନାରେ ବେଳାଭୂମି, ପାହାଡ଼, ପର୍ବତମାଳା ସବୁ ଆଲୋକିତ ହୋଇ ଉଠିଲେ । ଦୂର ଉପତ୍ୟକାରେ ଶୁଭ୍ର ଛାୟାମୂର୍ତ୍ତି ସଦୃଶ ପଲ୍ଲୀଗୁଡ଼ିକ ସତେ ଯେମିତି ଆଲୋକର ମନ୍ତ୍ରପାଠରେ ଶୂନ୍ୟ ଭିତରୁ ସୁଦୃଶ୍ୟ ହୋଇଉଠିଲା । ଜହ୍ନର ରୂପାଲି ଜ୍ୟୋତ୍ସ୍ନାରେ ସାରା ଲେବାନନ୍‌ଟି ପ୍ରାଣବନ୍ତ ଦେଖାଗଲା ।

 

‘ଆଦାମ୍‌’ ଓ ‘ଇଭ୍‌’ର ପତନ ପରେ ନନ୍ଦନବନ ଯେମିତି ଶ୍ରୀହୀନ ହୋଇପଡ଼ିଥିଲା, ପାଶ୍ଚାତ୍ୟ କବିକୁଳଙ୍କ ମତରେ, ଡେଭିଡ଼୍‌, ସୋଲୋମନ୍ ଓ ପ୍ରଫେଟ୍‌ଙ୍କ ଅବର୍ତ୍ତମାନରେ କିମ୍ବଦନ୍ତୀର ଲେବାନନ୍ ସମଦଶା ଭୋଗ କରିଥିଲା । ସେହି କବିମାନଙ୍କ ମତରେ ‘ଲେବାନନ୍‌’ ଶବ୍ଦଟି ଏକ କାବ୍ୟିକ ଅଭିବ୍ୟକ୍ତି ଯାହାର ଅର୍ଥ ପବିତ୍ର ଦେବଦାରୁର ସୁବାସରେ ସ୍ନାତ ପର୍ବତର ଧାର । ତାମ୍ର ଓ ମାର୍ବଲ୍ ପ୍ରସ୍ତର ନିର୍ମିତ ମନ୍ଦିରମାଳିନୀ ଲେବାନନ୍‌ର ଦାମ୍ଭିକ ଓ ଆଶାବାଦୀ ଆଲେଖ୍ୟ ସେମାନଙ୍କ ଚିନ୍ତାକୁ ସ୍ୱତଃ ଚାଲି ଆସିଥାଏ କିମ୍ବା କେବେକେବେ ଉପତ୍ୟକାରେ ନିର୍ଭୟରେ ଗ୍ରାସାସ୍ୱାଦନ କରୁଥିବା ହରିଣ ଯୂଥର ଅପୂର୍ବ ଶୋଭା ସେମାନଙ୍କୁ ବିମୋହିତ କରିଥାଏ । ସେଦିନ ରାତିରେ କବି ଦୃଷ୍ଟିରେ ସେହି ସ୍ୱପ୍ନ-ସୁଦୃଶ୍ୟ ଲେବାନନ୍‌କୁ ମୁଁ ନିବିଡ଼ ଭାବରେ ଦେଖିଥିଲି ।

 

ମଣିଷ ମନର ଭାବନା ଓ ଚିନ୍ତାଧାରା ଅନୁଯାୟୀ ବସ୍ତୁର ସ୍ୱରୂପ ବଦଳି ଯାଏ । ତେଣୁ ଆମେ ଆମରି ଚିନ୍ତା ଅନୁସାରେ ସମ୍ମୋହନ ଓ ସୁନ୍ଦରତାକୁ ଠିକ୍ରୂପେ ଦେଖିପାରୁ ।

 

ଜହ୍ନର ଶୀତଳ କିରଣ ସେଲ୍‌ମାର ମୁଖ ମଣ୍ଡଳରେ, ଗ୍ରୀବାରେ ଏବଂ ବାହାଯୋଡ଼ିକରେ ପ୍ରତିଫଳିତ ହୋଇ ଏକ ଅପୂର୍ବ ଶୋଭାରେ ଉଦ୍‌ଭାସିତ କରୁଥିଲା । ମନେ ହେଉଥିଲା, ସତେ ଯେମିତି ପ୍ରେମ ଓ ସୌନ୍ଦର୍ଯ୍ୟର ଦେବୀ ‘ଇଷ୍ଟାର’ଙ୍କ ଜଣେ ଉପାସକର ନିଖୁଣ ଶିଳ୍ପୀହାତରେ ନିର୍ମିତ ଏକ ଗଜଦନ୍ତର ପ୍ରତିମୂର୍ତ୍ତି ଧଉଳା ଜ୍ୟୋତ୍ସ୍ନାରେ ଝଟକୁଛି । ସେ ମୂର୍ତ୍ତିଟି ମୋ ଆଡ଼କୁ ଚାହିଁ ପ୍ରଶ୍ନକଲା, “ତୁମେ ନୀରବ କାହିଁକି? ତୁମର ଅତୀତ ବିଷୟରେ ମୋତେ କିଛି କୁହନା?” ତା ଆଡ଼େ ନିଗୂଢ଼ ଦୃଷ୍ଟି ନିକ୍ଷେପ କଲି । ମୋ ଅନ୍ତରର ନୀରବତା କ୍ଷଣିକରେ ଅପସରି ଗଲା । ମୁଁ ଧୀରେ ଧୀରେ ଅଧର ସଞ୍ଚାଳନ କରି କହିଲି, “ଏହି ଉଦ୍ୟାନ ଭିତରକୁ ଆମେ ପ୍ରବେଶ କଲାପରେ ମୁଁ ଯାହା କହିଛି, ତୁମେ କ’ଣ ସତରେ କିଛି ଶୁଣିପାରିନ? ଯେଉଁ ନିଭୃତ ଚେତନାରେ ତୁମେ କୁସୁମର ମୃଦୁ ଗୁଂଜନ ଶୁଣିପାରିଛ, ନୀରବତାର ସଂଗୀତକୁ ଅବଚେତନରେ ବାରିପାରିଛ, ତୁମେ କ’ଣ ସତରେ ମୋ ଆତ୍ମାର ଶୀତ୍କାର ଏବଂ ହୃଦୟର ଅନୁରଣନକୁ ଶୁଣିପାରିନ?”

 

ପାପୁଲିରେ ନିଜ ମୁଖମଣ୍ଡଳକୁ ଚାପି ରଖି ଥର ଥର କଣ୍ଠରେ ସେ କହିଲା, “ହଁ, ମୁଁ ତୁମକୁ ଠିକ୍ ଶୁଣିପାରିଛି - ରାତ୍ରିର ଗଭୀର ବୁକୁତଳୁ ଏକ ଶବ୍ଦର ତରଙ୍ଗ ଏବଂ ଦିବସର ଛାତିଥରା ଗୋଟିଏ ହୃଦୟର ଅନ୍ତଧ୍ୱର୍ନିକୁ ମୁଁ ଠିକ୍ ଶୁଣିପାରିଛି ।”

 

କ୍ଷଣିକରେ ସବୁକିଛି ଓଲଟପାଲଟ ହୋଇଗଲା । ମୁଁ ମୋର ଅତୀତ, ଅସ୍ତିତ୍ୱ ସବୁ କିଛି ଭୁଲିଗଲି । ମୋ ଚାରିପଟେ କେବଳ ସେଲ୍‌ମା ହି ସେଲ୍‌ମା । ମୁଁ ପ୍ରତ୍ୟୁତ୍ତରରେ କହିଲି, “ମୁଁ ବି ତୁମକୁ ଶୁଣିପାରିଛି ସେଲ୍‌ମା, ପବନରେ, ସଂଗୀତର ଉଲ୍ଲାସରେ ସମଗ୍ର ବିଶ୍ୱକୁ ନିନାଦିତ କରିବାର ମୁଁ ଶୁଣିଛି ।”

 

ମୋ କଥା ଶୁଣି ତାର ନୟନ ମୁଦ୍ରିତ ହେଲା । ଓଠରେ ଦୁଃଖଭିଜା ମୃଦୁହସର ଏକ ଲହର ଦେଖିପାରିଲି । ସେ କୋମଳ ଅଥଚ ସ୍ପଷ୍ଟ ଶବ୍ଦରେ କହି ଉଠିଲା “ଏବେ ମୁଁ ବୁଝିପାରୁଛି ସ୍ୱର୍ଗଠୁ ମହୀୟାନ୍ ଓ ସାଗରଠୁ ଗଭୀର ସ୍ଥାନ ଏବଂ ଜୀବନ, ମୃତ୍ୟୁ ଓ ସମୟଠାରୁ ବିସ୍ମୟକର ବସ୍ତୁ ଏ ଜଗତରେ ବିଦ୍ୟମାନ । ଆଗରୁ ଯାହା ଜାଣି ନଥିଲି, ଏବେ ସବୁକିଛି ମୁଁ ସ୍ପଷ୍ଟ ଭାବରେ ଜାଣିପାରୁଛି ।”

 

ସେହି ମୁହୂର୍ତ୍ତରେ ସେଲ୍‌ମା ଜଣେ ଅତି ପ୍ରିୟବନ୍ଧୁଠାରୁ ପ୍ରିୟତର, ଜଣେ ଭଗିନୀଠାରୁ ନିକଟତର ଏବଂ ପ୍ରେମିକାଠାରୁ ନିବିଡ଼ତର ଭଳି ଜଣାପଡ଼ୁଥିଲା । ମୋର ଚେତନା ଭିତରେ ସେ ସର୍ବଶ୍ରେଷ୍ଠ ଚିନ୍ତାଟିଏ, ସୁନ୍ଦରତମ ସ୍ୱପ୍ନଟିଏ ଓ ବଳିଷ୍ଠ, ଜୀବନ୍ତ ଭାବପ୍ରବଣତାରେ ପରିଣତ ହୋଇସାରିଥିଲା ।

 

ଦୀର୍ଘଦିନର ବନ୍ଧୁତା ମାଧ୍ୟମରେ କିମ୍ବା ପ୍ରଣୟପାଶର ନିବିଡ଼ତାରେ ଯେ ପ୍ରେମ ଜାତ ହୁଏ, ଏହା ଭୁଲ୍ ସିଦ୍ଧାନ୍ତ । ପ୍ରେମ ଏକ ଐଶ୍ୱରିକଶକ୍ତିର ଆକର୍ଷଣ ଏବଂ ଯଦି ସେହି ଆକର୍ଷଣଟି କ୍ଷଣିକର ପୁଲକରେ ସୃଷ୍ଟି ହୋଇ ନ ପାରେ, ତା’ହେଲେ ତାହା ବର୍ଷ ବର୍ଷ ଧରି କିମ୍ବା ଯୁଗ ଯୁଗ ଧରି ମଧ୍ୟ ସମ୍ଭବପର ହୋଇପାରିବନି ।

 

ଏହି ସମୟରେ ସେଲ୍‌ମା ତାର ଆନତ ମସ୍ତକ ତୋଳି ସାନ୍ନିନ୍ ପର୍ବତମାଳା ଓ ଦୂର ଆକାଶରେ ମିଶିଯାଇଥିବା ଦିଗ୍‌ବଳୟଆଡ଼କୁ ଅନେଇଲା ଏବଂ ନିଜର ଦୃଷ୍ଟିକୁ ସ୍ଥିର ରଖି ଧୀର ଧୀରେ କହିଲା, “ଗତକାଲି ପର୍ଯ୍ୟନ୍ତ ତୁମଠାରୁ ମୁଁ ଭାଇର ସ୍ନେହ ପାଉଥିଲି । ପିତାଙ୍କ ଆଦର ଯତ୍ନରେ ମୁଁ ଶାନ୍ତ ଓ ନିଶ୍ଚିନ୍ତ ଭାବରେ ଦିନ ଅତିବାହିତ କରୁଥିଲି । ଆଜି କିନ୍ତୁ ମୁଁ ଜଣେ ଭାଇର ସ୍ନେହଠୁ ନିବିଡ଼ତର ଓ ବିସ୍ମୟକର ପ୍ରେମ ଅନୁଭବ କରି ପାରୁଛି ଏବଂ ଏକ ଅଜଣା ଭୟ ଓ ପ୍ରେମର ମିଶ୍ରଣ ମୋ ହୃଦୟ ଭିତରେ ଦୁଃଖ ଓ ଆନନ୍ଦର ଜୁଆର ତୋଳିଛି ।”

 

ପ୍ରଭାବିତ ହୋଇ ମୁଁ ମଧ୍ୟ କହିଲି, “ଆମର ଯେଉଁ ଆବେଗକୁ ଆମେ ଭୟ କରୁଛୁଁ ଏବଂ ଯାହା ଆମ ହୃଦୟକୁ ମନ୍ଥନ କରି ଆନ୍ଦୋଳିତ କରୁଛି, ଏହା ହିଁ ପ୍ରକୃତିର ନିୟମ । ସେହି ନିୟମ ଚନ୍ଦ୍ରକୁ ପୃଥିବୀ ଚାରିପଟେ ଓ ସୂର୍ଯ୍ୟଙ୍କୁ ଈଶ୍ୱରଙ୍କ ଚାରିପଟେ ପ୍ରଦକ୍ଷିଣ କରିବାପାଇଁ ମଧ୍ୟ ପଥ ପ୍ରଦର୍ଶନ କରୁଛି ।”

 

ତାପରେ ସେଲ୍‌ମା ମୋ ମସ୍ତକର କେଶଗୁଚ୍ଛରେ ଧୀରେ ଧୀରେ ଅଙ୍ଗୁଳି ସଞ୍ଚାଳନ କରିବାରେ ଲାଗିଲା । ତାର ମୁଖମଣ୍ଡଳରେ ଏକ ଅପୂର୍ବ ଜ୍ୟୋତି ଉଦ୍‌ଭାସିତ ହେଲା । ଅମାନିଆ ଲୋତକ ଧାର ସେଲ୍‌ମାର ନୟନରୁ ସଦ୍ୟ ପ୍ରସ୍ଫୁଟିତ ନୀଳକଇଁ ପାଖୁଡ଼ାରୁ ବୁନ୍ଦା ବୁନ୍ଦା ଶିଶିର ବିନ୍ଦୁ ପରି ଝରି ପଡ଼ିଲା ଏବଂ ସେ ପୁଣିଥରେ ଆରମ୍ଭ କଲା, “ଆମର ଏ ପ୍ରେମ କାହାଣୀକୁ କିଏ ବିଶ୍ୱାସ କରିବ? କିଏବା ବିଶ୍ୱାସ କରିପାରିବ ଯେ ଆମେ ଏହି ମୁହୂର୍ତ୍ତରେ ସମସ୍ତ ସନ୍ଦେହର ବାଧାବିଘ୍ନକୁ ଅତିକ୍ରମ କରିପାରିଛୁ? କିଏ ବା ବୁଝିପାରିବ ଯେଉଁ ଫଗୁଣ ମାସରେ ଆମେ ଦୁହେଁ ପ୍ରଥମଥର ପାଇଁ ମିଳିତ ହୋଇଥିଲେ, ସେହି ଋତୁରାଜ ହିଁ ଆମର ପବିତ୍ର ହୃଦୟର ବନ୍ଧନକୁ ଏକ ପବିତ୍ର ଜୀବନର ସର୍ବୋଚ୍ଚ ସୀମାରେ ଉପନୀତ କରିଦେଇଛି?”

 

କଥାର ଭାବପ୍ରବଣତାରେ ତାର ହାତ ମୋ ମସ୍ତକରେ ସ୍ଥିର ହୋଇ ଅଟକି ଯାଇଥିଲା । ତାର ନରମ ଅଙ୍ଗୁଳି ମୋ କେଶଗୁଚ୍ଛରେ ସଞ୍ଚାଳନ କରୁଥିବାବେଳେ ମୋର ମନେ ହେଉଥିଲା କୌଣସି ରାଜକୀୟ ମୁକୁଟ, ଗୌରବ ଓ ପ୍ରଶଂସାର ହାର ଅପେକ୍ଷା ତା’ର ମୁଲାୟମ ହାତର ଅଙ୍ଗୁଳିର ସ୍ପର୍ଶ ଶ୍ରେୟସ୍କର ।

 

ତାପରେ, ମୁଁ ସେଲ୍‌ମାକୁ କହିଲି, “ଲୋକେ ଆମର ଏ ପ୍ରେମ କାହାଣୀକୁ କେବେବି ସହଜରେ ମାନି ନେଇପାରିବେନି । କାରଣ, ସେମାନେ ଜାଣନ୍ତି ପ୍ରେମ ହିଁ ଏକମାତ୍ର ପୁଷ୍ପ ଯାହା ଋତୁଚକ୍ରର ବିନା ସହାୟତାରେ ବଢ଼ିପାରେ ଓ ପ୍ରସ୍ଫୁଟିତ ହୋଇପାରେ । ସତରେ କ’ଣ ଆମକୁ ଫଗୁଣର ମଳୟଚକ୍ର ପ୍ରଥମଥରପାଇଁ ଏକତ୍ରିତ କରିଛି, କି ଆଜିର ଏଇ ଶୁଭ ମୁହୂର୍ତ୍ତଟି ଆମ ଜୀବନକୁ ପବିତ୍ରତମ ବନ୍ଧନରେ ବାନ୍ଧି ନେଇଛି? ଜନ୍ମର ବହୁ ପୂର୍ବରୁ ଆମର ଆତ୍ମାକୁ ଏକତ୍ରିତ କରିବାପାଇଁ ଈଶ୍ୱରଙ୍କ ଆଶିଷ କ’ଣ ଯଥେଷ୍ଟ ନୁହେଁ? ଆମକୁ ଦିବସ ରାତ୍ରିରେ ବାନ୍ଧି ରଖିବାର ପ୍ରେରଣା କ’ଣ ସେହି ସର୍ବମୟକର୍ତ୍ତାଙ୍କଠାରୁ ଆସିନି? ମଣିଷର ଜୀବନ ଜରାୟୁ ଭିତରୁ ଆରମ୍ଭ ହୁଏନି କିମ୍ବା କବରର କୋକେଇ ଭିତରେ ଶେଷ ହୁଏନି । ଏହା ପୂର୍ବରୁ ରହିଛି ଏବଂ ଆଗକୁ ମଧ୍ୟ ରହିଥିବ । ଆଜିର ଏହି ଚନ୍ଦ୍ରାଲୋକିତ, ନକ୍ଷତ୍ର ଖଚିତ ଆକାଶ ପ୍ରେମମୟ ଆତ୍ମାର ଓ ଅନ୍ତର୍ଦର୍ଶୀ ଚେତନାର ପରିତ୍ୟକ୍ତ ସ୍ଥାନ ନୁହେଁ ।”

 

ସେଲ୍‌ମା ଯେତେବେଳେ ତାର ହାତଟି ମୋର ମସ୍ତକରୁ ଅପସାରିତ କଲା, ମୁଁ ଏକ ଅପୂର୍ବ ସ୍ପନ୍ଦନ ଓ ଶିହରଣ ଅନୁଭବ କଲି । ଏକ ବୈଦ୍ୟୁତିକ ତରଙ୍ଗ ରାତ୍ରିର ମୃଦୁ ସମୀରଣ ସହିତ ମିଶିଯାଇ ମୋର ଲୋମମୂଳକୁ ପୁଲକିତ କରିବାକୁ ଲାଗିଲା । ଜଣେ ମୁଗ୍ଧ ଉପାସକ ଯେପରି ମନ୍ଦିରର ପୂଜା ମଣ୍ଡପରେ ସାଷ୍ଟାଙ୍ଗ ପ୍ରଣିପାତ କରି ତାର ପବିତ୍ର ଭୂମିକୁ ଭକ୍ତି ଗଦ୍‌ଗଦ ଚିତ୍ତରେ ଚୁମ୍ବନ ଦିଏ ଏବଂ ବିନିମୟରେ ଆଶିଷ ପ୍ରାପ୍ତ ହୁଏ, ମୁଁ ସେହିପରି ମୋର ତୃଷିତ ଅଧର ସେଲ୍‌ମାର କୋମଳ ହାତରେ ଚାପିଧରି ଏକ ଦୀର୍ଘ ଚୁମ୍ବନଟିଏ ଆଙ୍କିଦେଲି । ତାହାରି ଅନାହତ ସ୍ମୃତିଟି ଆଜି ବି ମୋର ହୃଦୟକୁ ବିଗଳିତ କରି ଦେଉଛି ଏବଂ ତାରି ମଧୁରତା ମୋର ଚେତନାର ପବିତ୍ରତାକୁ ଉଜ୍ଜୀବିତ କରି ରଖିଛି ।

 

ଏମିତି ଭାବବିହ୍ୱଳତାରେ କେତେବେଳେ ଘଣ୍ଟାଏ ଅତିବାହିତ ହୋଇଯାଇଥିଲା, ଆମେ ଜାଣିପାରିନୁ । ସେହି ସମ୍ମୋହନର ପ୍ରତିଟି ମୁହୂର୍ତ୍ତ ପ୍ରେମର ଗୋଟିଏ ଗୋଟିଏ ବର୍ଷ ପରି ଜଣାପଡ଼ୁଥିଲା । ରାତ୍ରିର, ଜ୍ୟୋତ୍ସ୍ନାର, ଫୁଲର ଓ ପାଦପର ନୀରବତା, ଆମକୁ ନିଚ୍ଛକ୍ ବାସ୍ତବତାଠାରୁ ଅନେକ ଦୂରକୁ ଟାଣି ନେଇଥିଲା । ସେଠାରେ କେବଳ ପ୍ରେମ ଓ ପ୍ରେମ । ଅନ୍ୟ କିଛି ପାର୍ଥିବ ବାସ୍ତବତାଠାରୁ ଆମେ ବହୁଦୂରରେ ଥିଲୁ । ପ୍ରେମର ଏହି ତଲ୍ଲୀନ ମୁହୂର୍ତ୍ତ ହଠାତ୍ ଅଶ୍ୱଟାପୁ ଓ ଗାଡ଼ିଚକର ଝଣ ଝଣ ଶବ୍ଦରେ ଭାଙ୍ଗିଗଲା । ମଧୁର ପ୍ରେମର ସ୍ୱପ୍ନରୁ ଆମେ ଫେରି ଆସିଲୁ ଉଦ୍‌ବିଗ୍ନତା ଓ ହତାଶାର ଦୁନିଆ ଭିତରକୁ । ଦେଖିଲୁ ସେଲ୍‌ମାର ପିତା ତାଙ୍କର ଗନ୍ତବ୍ୟସ୍ଥଳୀରୁ ଫେରି ଆସିଛନ୍ତି । ଆମେ ଦୁହେଁ ଛିଡ଼ା ହେଲୁ ଏବଂ ତାଙ୍କୁ ପାଛୋଟି ଆଣିବାପାଇଁ ଉଦ୍ୟାନ ମଧ୍ୟ ଦେଇ ଆଗେଇ ଚାଲିଲୁ ।

 

ଗାଡ଼ିଟି ଯେତେବେଳେ ଉଦ୍ୟାନର ଦ୍ୱାରଦେଶରେ ଅଟକିଲା, ଫାରିସ୍ ଏଫାଣ୍ଡି ମନ୍ଥର ପାଦରେ ଗାଡ଼ିରୁ ଓହ୍ଲାଇଲେ । ଆମ ଆଡ଼କୁ ଅବସନ୍ନ, କ୍ଳାନ୍ତ ପାଦରେ ଆଗକୁ ସାମାନ୍ୟ ଝୁଙ୍କି ଆସୁଥିଲେ, ସତେ ଯେମିତି ଏକ ବିରାଟ ବୋଝ ବୋହି ଭାରାକ୍ରାନ୍ତ ହୋଇ ଚାଲିଛନ୍ତି । ସେ ନିଜର କନ୍ୟା ନିକଟରେ ପହଞ୍ଚି ତାଙ୍କର ଦୁଇହାତ ତାର କାନ୍ଧ ଉପରେ ରଖିଲେ ଏବଂ ଏକ ଗାଢ଼ ଅଥଚ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ତା ଆଡ଼କୁ ଅନେଇ ରହିଲେ । ତାଙ୍କର ଗଣ୍ଡଦେଶର ଶ୍ଳଥ ଚର୍ମ ଉପର ଦେଇ ଲୁହସବୁ ଧାର ଧାର ହୋଇ ବୋହି ଆସିଲା ଏବଂ ତାଙ୍କର ଓଠ ଏକ ବିଷାଦାଚ୍ଛନ୍ନ ହସରେ ଥରି ଉଠିଲା । ଶ୍ୱାସରୁଦ୍ଧ କଣ୍ଠରେ ସେ କହିଲେ, “ମୋର ଅତି ଆଦରର ଦୁଲାଳୀ, ଖୁବ୍ ଶୀଘ୍ର ତୁ ଅନ୍ୟ ଜଣେ ବ୍ୟକ୍ତିର ସାଥୀ ହୋଇ ତୋର ପିତାର ବାହୁରୁ ଦୂରକୁ ଚାଲିଯିବୁ । ଅତି ଶୀଘ୍ର ନିୟତି ତୋତେ ମୋର ଏହି ନିକାଞ୍ଚନ ଗୃହରୁ ଏକ ବିରାଟ ଦରବାରକୁ ନେଇଯିବ । ଏହି ଉଦ୍ୟାନଟି ତୋର ପଦଚାରଣର ନିକ୍ୱଣକୁ ଭୁଲିଯିବ, ଆଉ ତୋର ବାପା ଅପରିଚିତ ବ୍ୟକ୍ତି ହୋଇଯିବ । ପିତ୍ରାଳୟର ଦିନସବୁ ଶେଷ ହୋଇଗଲା । ଭଗବାନ ତୋର ମଙ୍ଗଳ କରନ୍ତୁ ।”

 

କଥାତକ ଶୁଣି ସେଲ୍‌ମାର ମୁଖମଣ୍ଡଳରେ ଅଦିନ ବାଦଲ ଘୋଟି ଆସିଲା । ତାର ଆଖି ଯୋଡ଼ିକ ସ୍ଥିର ନିଶ୍ଚଳ ହୋଇଗଲା, ସତେ ଯେପରି ମୃତ୍ୟୁର ପୂର୍ବ ସୂଚନାକୁ ସେ ଅନୁଭବ କରୁଛି । ତା’ର ଅନ୍ତରାତ୍ମା ଶରାହତ ପକ୍ଷୀ ପରି ଚିତ୍କାର କରି ଉଠିଲା । ସେ ଯନ୍ତ୍ରଣାରେ ଥରିଥରି ଶ୍ୱାସରୁଦ୍ଧ କଣ୍ଠରେ ପଚାରିଲା, “ଆପଣ ଏ କ’ଣ କହୁଛନ୍ତି? ଆପଣଙ୍କ କଥାର ଅର୍ଥ କ’ଣ? ଆପଣ ମୋତେ କେଉଁଠାକୁ ପଠେଇ ଦେବାକୁ ଚାହୁଁଛନ୍ତି?”

 

ସେ ଉଦ୍‌ବିଗ୍ନ ନୟନରେ ପିତାଙ୍କୁ ଚାହିଁ ରହିଲା । ତାଙ୍କ ଭିତରେ ପ୍ରଚ୍ଛନ୍ନ ସମସ୍ତ ଗୋପନ ତଥ୍ୟକୁ ସେ ଆବିଷ୍କାର କରିବାକୁ ଲାଗିଲା । ମୁହୂର୍ତ୍ତକ ମଧ୍ୟରେ ସେ ପୁଣି କହିଲା, “ଏଥର ମୁଁ ବୁଝିପାରିଲି, ମୁଁ ସବୁ କଥା ବୁଝିପାରିଲି । ଧର୍ମଯାଜକ ମୋତେ ଆପଣଙ୍କ ପାଖରୁ ଛଡ଼େଇ ନେବାକୁ ଦାବୀ କରିଛନ୍ତି । ମୋ ଭଳି ଭଗ୍ନପକ୍ଷ ବିହଙ୍ଗ ନିମନ୍ତେ ପଂଜୁରୀଟିଏ ସେ ନିଶ୍ଚୟ ତିଆରି କରିସାରିଛନ୍ତି । କିନ୍ତୁ, ଏହା କ’ଣ ଆପଣଙ୍କ ଇଚ୍ଛାଦ୍ୱାରା ଅନୁମୋଦିତ?”

 

ପ୍ରତ୍ୟୁତ୍ତରରେ ଫାରିସ୍ ଏଫାଣ୍ଡିଙ୍କ ଭିତରୁ କେବଳ ଦୀର୍ଘଶ୍ୱାସଟିଏ ନିର୍ଗତ ହେଲା । ସେଲ୍‌ମାର ହାତ ଧରି ଧୀରେ ଧୀରେ ଘର ଭିତରକୁ ନେଇଗଲେ । ଉଦ୍ୟାନ ଭିତରେ ମୁଁ ପଛରେ ରହିଗଲି । ଉଦ୍‌ବିଗ୍ନତାର ଉତ୍ତାଳ ତରଙ୍ଗରେ ମୁଁ ମ୍ରିୟମାଣ ଥିଲି । ମୋର ଅସହାୟ ମନଟି କାଳବୈଶାଖୀ ଭିତରେ ଜୀର୍ଣ୍ଣ ପତ୍ରରାଜି ପରି ଏଣେ ତେଣେ ବିକ୍ଷିପ୍ତ ହୋଇ ପଡ଼ିଥିଲା । ତାପରେ ମୁଁ ସେମାନଙ୍କୁ ଗୃହ ମଧ୍ୟକୁ ଅନୁସରଣ କଲି ଏବଂ ଏକ ଅପ୍ରୀତିକର ପରିସ୍ଥିତିକୁ ଏଡ଼େଇବାକୁ ଯାଇ ବୃଦ୍ଧବ୍ୟକ୍ତିଙ୍କ ସହ କରମର୍ଦ୍ଦନ କରି ବିଦାୟର ସୂଚନା ଦେଲି । ପର ମୁହୂର୍ତ୍ତରେ ମୋର ପ୍ରାଣପ୍ରିୟା ସେଲ୍‌ମା ଆଡ଼କୁ ଶୂନ୍ୟ ଦୃଷ୍ଟିରେ ଚାହିଁ ଗୃହ ଭିତରୁ ନିଷ୍କ୍ରାନ୍ତ ହେଲି ।
 

 

ଉଦ୍ୟାନର ଶେଷ ପ୍ରାନ୍ତରେ ପହଞ୍ଚିବାବେଳକୁ ବୃଦ୍ଧବ୍ୟକ୍ତି ଜଣକ ମୋତେ ପଛରୁ ଡାକିବାର ମୁଁ ଶୁଣିଲି । ତାଙ୍କୁ ସାକ୍ଷାତ୍ କରିବା ନିମନ୍ତେ ମୁଁ ପୁଣିଥରେ ଫେରି ଆସିଲି । ଦୁଃଖ ପ୍ରକାଶ କରି ମୋ ହାତକୁ ଧରି ସେ କହିଲେ, “ପୁତ୍ର, ମୋତେ କ୍ଷମାକରିବ । ଆଜିର ଏ ସନ୍ଧ୍ୟାକୁ ମୁଁ ଅଶ୍ରୁର ପ୍ଲାବନୀରେ ନଷ୍ଟଭ୍ରଷ୍ଟ କରିଦେଲି, କିନ୍ତୁ ମୋର ଗୃହଟି ଯେତେବେଳେ ମରୁ ତୁଲ୍ୟ ନିକାଞ୍ଚନ ହୋଇଯିବ, ମୁଁ ଯେତେବେଳେ ହତାଶା ଓ ଆଶାଶୂନ୍ୟତାରେ ଏକୁଟିଆ ହୋଇଯିବି, ତୁମେ ସେତେବେଳେ ବି ମୋ ସହିତ ଦେଖା କରିବାକୁ ଆସିବ । ଏହା ମୋର ତୁମକୁ ଅନୁରୋଧ । ହେ ମୋର ପ୍ରିୟ ପୁତ୍ର! ଯୌବନ କେବେ ବି ଜରା ଓ ବାର୍ଦ୍ଧକ୍ୟ ସହିତ ମିଶି ପାରେନା, ତଥାପି ତୁମେ ମୋ ନିକଟକୁ ଆସିବ । ମୋର ଯୌବନୋଦ୍ଦୀପ୍ତ ଅତୀତର ସ୍ମୃତିଚାରଣପାଇଁ ତୁମେ ମୋତେ ଖୋରାକ୍ ଦେବ । ମୁଁ ତୁମର ପିତାଙ୍କ ସହିତ ଅତିବାହିତ କରିଥିବା ଅତୀତର ମଧୁମୟ ସ୍ମୃତିକୁ ବାରମ୍ବାର ରୋମନ୍ଥନ କରିବି । ଯେତେବେଳେ ଜୀବନ ମୂଲ୍ୟହୀନ ଧୂସର ଗୋଧୂଳି ପାଲଟି ଯିବ, ଆଉ ମୋତେ ତା’ର ଏକ ସକ୍ରିୟ ଅଂଶରୂପେ ସ୍ୱୀକୃତି ଦେବାକୁ କୁଣ୍ଠାବୋଧ କରୁଥିବ, ତୁମେ ମୋତେ ଜୀବନର ନୂତନ ସଂବାଦ ପରିବେଷଣ କରିବ । ସେଲ୍‌ମାର ବିଦାୟ ପରେ ଏ ଗୃହ ମୋ’ପାଇଁ ଏକ ନିକାଞ୍ଚନ ସ୍ଥାନରେ ପରିଣତ ହେବ- ତୁମେ କ’ଣ ମୋତେ ସେତେବେଳେ ଭେଟିବାକୁ ଆସିବନି?”

 

ଶୋକାକୁଳ କଣ୍ଠରେ ସେ-ଏହି କଥା କହୁଥିଲାବେଳେ ମୁଁ ନୀରବରେ ତାଙ୍କ ହାତଧରି ଆଶ୍ୱାସନାର ମୁଦ୍ରାରେ ଥିଲି । ତାଙ୍କ ନୟନରୁ ଉଷ୍ମ ଲୁହର ବୁନ୍ଦା ମୋ ହାତ ଉପରେ ଝରିପଡ଼ିବାର ମୁଁ ଅନୁଭବ କରୁଥିଲି । ଅସହ୍ୟ ଦୁଃଖରେ ମୋର ଅନ୍ତରାତ୍ମା ଥରି ଉଠୁଥିଲା, ଅପତ୍ୟ ସ୍ନେହର କାରୁଣ୍ୟରେ ମୋର ହୃଦୟ ଦ୍ରବୀଭୂତ ହେଉଥିଲା । ମୁଁ ଯେତେବେଳେ ମୋର ଆନତ ମସ୍ତକ ତୋଳିଲି, ସେ ମୋ ଲୁହଭିଜା ଆଖି ଦେଖିଲେ । ମୋ ଆଡ଼କୁ ସାମାନ୍ୟ ଝୁଙ୍କିପଡ଼ି ସେ ମୋ କପାଳରେ ସସ୍ନେହ ଚୁମାଟିଏ ଦେଲେ ଏବଂ ଥର ଥର ଓଠରେ କହିଲେ, “ବିଦାୟ, ପୁତ୍ର, ବିଦାୟ”-

 

ଜଣେ ବୃଦ୍ଧବ୍ୟକ୍ତିଙ୍କ ଅଶ୍ରୁଧାରା ଜଣେ ଯୁବକର ଲୁହଠୁ ଅଧିକ ମୂଲ୍ୟବାନ୍ ଓ କ୍ଷମତାସମ୍ପନ୍ନ । କାରଣ ତାଙ୍କର ଦୁର୍ବଳ ଶରୀରରେ ଅଶ୍ରୁ ସବୁ ଜୀବନୀ ଶକ୍ତିର ଅବଶିଷ୍ଟାଂଶରୂପେ ଗଚ୍ଛିତ ଥାଏ । ଯୁବକଟିର ଅଶ୍ରୁ ଗୋଲାପ ପାଖୁଡ଼ା ଉପରେ ଶିଶିର ବିନ୍ଦୁ ହେଲେ ବୃଦ୍ଧ ଲୋକର ଅଶ୍ରୁ କାରୁଣ୍ୟର ପତ୍ରଝରା ।

ମୁଁ ଫାରିସ୍ ଏଫାଣ୍ଡି କାରାମୀଙ୍କ ଘରୁ ଚାଲିଆସିଲି । ସେଲ୍‌ମାର ସ୍ୱର ତଥାପି ବି ମୋ କାନରେ ଝଙ୍କୃତ ହେଉଥିଲା । ତାର ବିଷାଦିତ ସୌନ୍ଦର୍ଯ୍ୟ ଛାଇ ପରି ମୋର ଅନୁଧାବନ କରୁଥିଲା-। ମୋ ହାତରୁ ତାର ପିତାଙ୍କ ଅଶ୍ରୁବିନ୍ଦୁମାନେ ଶୁଖି ଶୁଖି ଆସୁଥିଲେ ।

 

ନନ୍ଦନବନରୁ ଆଦାମର ବିତାଡ଼ନ ପରି ମୁଁ ତାଙ୍କ ଗୃହରୁ ପଳାୟନ କଲି । ତଫାତ୍ ଥିଲା, ଯେ ମୋ ହୃଦୟର “ଆଦିପ୍ରକୃତି” ମୋ ସାଥିରେ ଆସି ନଥିଲା ଏବଂ ବାହାରର ସମଗ୍ର ପୃଥିବୀକୁ ନନ୍ଦନକାନନରେ ପରିଣତ କରି ନଥିଲା । ସେହି ରାତିରେ ମୁଁ ପୁନର୍ଜନ୍ମ ଲାଭ କରିଥିଲି ଏବଂ ସେହି ରାତିରେ ମୁଁ ମଧ୍ୟ ପ୍ରଥମଥରପାଇଁ ମୃତ୍ୟୁକୁ ଅତି ନିକଟରୁ ଦେଖିଥିଲି ।

 

ଯେମିତି ସୂର୍ଯ୍ୟ ତାର ଉତ୍ତାପ ଜାଳରେ ପୃଥିବୀକୁ ଶସ୍ୟ ଶ୍ୟାମଳା କରିଦିଏ ଏବଂ ସେହି ଉତ୍ତାପରେ ଜୀବ ଜଗତକୁ ପୋଡ଼ି ଛାରଖାର ମଧ୍ୟ କରିଦିଏ ।

•••

 

 

-୬-

ଭାବପ୍ରବଣତାର ଉତ୍ସ

 

ମଣିଷ ରାତିର ଅନ୍ଧକାରରେ ଯାହା ଗୋପନ ଭାବରେ କରିଥାଏ, ଦିବସର ଉଜ୍ଜ୍ୱଳ ଆଲୋକରେ ତାହା ଆପଣାଛାଏଁ ପ୍ରକାଶ ପାଇଯାଏ । ଏକାନ୍ତରେ କହିଥିବା କଥାଟି ମଧ୍ୟ ଅଜାଣତରେ ସର୍ବସାଧାରଣରେ ଆଲୋଚିତ ହୋଇଥାଏ । ଗୃହକୋଣରେ କରିଥିବା କାର୍ଯ୍ୟଟି ଆଗାମୀ କାଲି ରାସ୍ତାଘାଟ, ଗଳିକନ୍ଦିରେ ଚର୍ଚ୍ଚିତ ହୋଇଯାଏ ।

 

ଅନ୍ଧକାରର ପ୍ରେତମାନେ ଠିକ୍ ସେହିପରି ଧର୍ମଯାଜକ ବୁଲୋସ୍ ଘାଲିବ୍ ଏବଂ ଫାରିସ୍ ଏଫାଣ୍ଡି କାରାମୀଙ୍କ ମଧ୍ୟରେ ହୋଇଥିବା ରାତିର କଥୋପକଥନକୁ ପଦାରେ ପ୍ରକାଶ କରିଦେଇଥିଲେ । ଆଉ ସେମାନଙ୍କ ଆଲୋଚ୍ୟ କଥାବସ୍ତୁ ସବୁ ମୋ କାନରେ ପଡ଼ିବା ବହୁପୂର୍ବରୁ ପଡ଼ୋଶୀମାନଙ୍କ ଭିତରେ ବାରମ୍ବାର ଚର୍ଚ୍ଚିତ ହୋଇସାରିଥିଲା ।

 

ସେହି ରାତିରେ ସେମାନଙ୍କ ମଧ୍ୟରେ ହୋଇଥିବା ଆଲୋଚନା କୌଣସି ଦରିଦ୍ର ବିଧବା କିମ୍ବା ଅନାଥ ଶିଶୁର ସମସ୍ୟା ଉପରେ ଆଧାରିତ ନ ଥିଲା । ନିଜର ବ୍ୟକ୍ତିଗତ ଗାଡ଼ିରେ ଫାରିସ୍ ଏଫାଣ୍ଡିଙ୍କୁ ଡକାଇବାର କାରଣ ଥିଲା, ଧର୍ମଯାଜକର ପୁତୁରା ମନ୍‌ସୁର ବେ ଘାଲିବ୍‌ଙ୍କ ସହିତ ସେଲ୍‌ମାର ବିବାହ ପ୍ରସ୍ତାବ ଉପରେ ଆଲୋଚନା ।

 

ଧନାଢ଼୍ୟ ଫାରିସ୍ ଏଫାଣ୍ଡିଙ୍କ ଏକମାତ୍ର କନ୍ୟା ସେଲ୍‌ମାପାଇଁ ଧର୍ମଯାଜକଙ୍କ ଅଭିରୁଚି ତା’ର ରୂପଲାବଣ୍ୟ କିମ୍ବା ତା’ର ହୃଦୟର ମହାନତା ଉପରେ ଆଧାରିତ ନ ଥିଲା; ବରଂ ତା’ର ପିତାଙ୍କର ବିପୁଳ ଐଶ୍ୱର୍ଯ୍ୟ ନିଜ ପୁତୁରାର ପ୍ରତିଷ୍ଠା ଓ ସୁଦୃଢ଼ ଭବିଷ୍ୟତ ଗଢ଼ିବାରେ ସାହାଯ୍ୟ କରିପାରିବ ବୋଲି ସେ ଚିନ୍ତା କରିଥିଲେ । ଏ ବିବାହରେ ସମାଜରେ ମନ୍‌ସୁର ବେ ଘାଲିବ୍ ଜଣେ ବିତ୍ତଶାଳୀ ପ୍ରତିଷ୍ଠିତ ବ୍ୟକ୍ତି ବୋଲାଇପାରିବେ ।

 

ପ୍ରାଚ୍ୟ ଦେଶମାନଙ୍କରେ ଧର୍ମର ବଡ଼ପଣ୍ଡାମାନେ ନିଜର ବଦାନ୍ୟତା ଓ ଉଚ୍ଚ ସ୍ଥିତିରେ ସନ୍ତୁଷ୍ଟ ହୋଇପାରନ୍ତିନି । ତେଣୁ, ସେମାନେ ନିଜର ସମସ୍ତ ଆତ୍ମୀୟ କୁଟୁମ୍ବମାନଙ୍କୁ ମଧ୍ୟ ଉଚ୍ଚସ୍ଥାନରେ ଅଧିଷ୍ଠିତ କରାଇ ସ୍ୱୈରାଚାର ଓ ଜୁଲୁମ୍‌ର ଲଗାମ୍‌କୁ ହାତରେ ଧରି ରଖନ୍ତି । ରାଜବଂଶର ଜ୍ୟେଷ୍ଠ ପୁତ୍ରଟି ହିଁ କେବଳ ଯୁବରାଜରୂପେ ଅଭିଷିକ୍ତ ହୋଇଥାଏ । କିନ୍ତୁ ଜଣେ ବ୍ୟକ୍ତି ସମାଜରେ ଧର୍ମଗୁରୁରୂପେ ପ୍ରତିଷ୍ଠିତ ହେଲେ ତାର ଭାଇବନ୍ଧୁମାନେ କ୍ଷମତାକୁ ସଂକ୍ରମଣ କରି ତାର ଅପବ୍ୟବହାର କରିଥାଆନ୍ତି । ଏହିପରି ଭାବରେ କେତେକ ଖ୍ରୀଷ୍ଟିଆନ୍ ଧର୍ମଯାଜକ, ମୁସଲମାନ ଇମାମ୍ ଓ ବ୍ରାହ୍ମଣ ପୁରୋହିତମାନେ ଭୟାନକ ସାମୁଦ୍ରିକ ସରୀସୃପ ଭଳି ସେମାନଙ୍କ ଶୀକାରକୁ କବଳିତ କରନ୍ତି । ତାଙ୍କର ବିଷାକ୍ତ ଖୋଜ ବେଷ୍ଟନୀରେ ଆବଦ୍ଧ କରି ତିଳ ତିଳ ଭାବରେ ସେମାନଙ୍କର ରକ୍ତକଣାକୁ ବହୁମୁଖରେ ଶୋଷଣ କରିଥାଆନ୍ତି ।

 

ଧର୍ମଯାଜକ ଯେତେବେଳେ ତାଙ୍କ ପୁତୁରାପାଇଁ ସେଲ୍‌ମାର ହାତ ମାଗିବସିଲେ, ତାର ପିତାଙ୍କଠାରୁ କେବଳ ଦୀର୍ଘଶ୍ୱାସ ଓ ନୀରବ ଅଶ୍ରୁ ହିଁ ପାଇଥିଲେ । କାରଣ ସେ ଚାହୁଁ ନ ଥିଲେ ଯେ ତାଙ୍କର ଏକମାତ୍ର କନ୍ୟା ତାଙ୍କଠୁ ଦୂରେଇ ଯାଉ । ଯେଉଁ ପିତା ନିଜର ଏକମାତ୍ର ଅଳିଅଳୀ କନ୍ୟାକୁ ଶୈଶବରୁ ଲାଳନ ପାଳନ କରି କିଶୋରୀରେ ପରିଣତ କରିଛି, କନ୍ୟାର ବିଦାୟରେ ତା’ର ଆତ୍ମା ନିଶ୍ଚୟ ଥରି ଉଠିବ ।

 

କନ୍ୟାର ବିବାହରେ ପିତାମାତା ଯେତିକି ଦୁଃଖ ଅନୁଭବ କରନ୍ତି, ପୁତ୍ରର ବିବାହରେ ସେତିକି ସୁଖ ପାଇଥାନ୍ତି । କାରଣ, ପୁତ୍ର ସାଥିରେ ପରିବାରକୁ ଏକ ନୂତନ ସଦସ୍ୟ ଆଣିଥାଏ, କିନ୍ତୁ କନ୍ୟାର ବିଦାୟରେ ପରିବାର ଭିତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୁଏ ।

 

ଫାରିସ ଏଫାଣ୍ଡି ବାଧ୍ୟବାଧକତାରେ ଧର୍ମଯାଜକର ଅନୁରୋଧକୁ ସ୍ୱୀକାର କରିଥିଲେ । ନିଜର ସମସ୍ତ ଅନିଚ୍ଛା ସତ୍ତ୍ୱେ ଧର୍ମଯାଜକର ଇଚ୍ଛା ଆଗରେ ହାରମାନିଥିଲେ । ଏଫାଣ୍ଡି ଧର୍ମଯାଜକର ପୁତୁରାର ସ୍ୱଭାବ ଚରିତ୍ର ବିଷୟରେ ବେଶ୍ ଭଲ ଭାବରେ ଅବଗତ ଥିଲେ । ସେ ଅତ୍ୟନ୍ତ ଖଳ ପ୍ରକୃତିର ବ୍ୟକ୍ତି । ଅସୂୟା, ଦୁରାଚାର ଓ ଦୁର୍ନୀତି ଆଦି ଦୁର୍ଗୁଣ ଯୁକ୍ତ ।

 

ଲେବାନନ୍‌ରେ କୌଣସି ବ୍ୟକ୍ତି ଖ୍ରୀଷ୍ଟିୟାନ୍ ଧର୍ମଯାଜକକୁ ପ୍ରତିରୋଧ କରି ସହଜ ଭାବରେ ତିଷ୍ଠି ପାରିବନି । କୌଣସି ବ୍ୟକ୍ତି ତାର ଧର୍ମଗୁରୁକୁ ଅବଜ୍ଞା କରି ନିଜର ଆତ୍ମସମ୍ମାନ ଟିକକ ବଞ୍ଚାଇ ପାରିବନି । ଉଦ୍ୟତ ବର୍ଚ୍ଛାକୁ ନିରସ୍ତ୍ରଭାବେ ପ୍ରତିରୋଧ କଲେ କ୍ଷତବିକ୍ଷତ ହେବା ନିଶ୍ଚିତ; ଯେପରି ଉଦ୍ୟତ ଅସିଟିକୁ ହାତରେ ଧରି ନେବାର ଅର୍ଥ ହାତଟିକୁ ଶାଣିତ ଧାରରେ ଖଣ୍ଡବିଖଣ୍ଡିତ କରିବା ।

 

ଯଦି ବି ଫାରିସ୍ ଏଫାଣ୍ଡି ଧର୍ମଯାଜକଙ୍କ ପ୍ରସ୍ତାବକୁ ବିରୋଧ କରିଥାଅନ୍ତେ ଏବଂ ତାଙ୍କର ଇଚ୍ଛା ପୂରଣ କରିବାକୁ ରୋକ୍‌ଠୋକ୍ ମନା କରିଥାଆନ୍ତେ, ତାହେଲେ ସେଲ୍‌ମାର ଆତ୍ମମର୍ଯ୍ୟାଦାରେ ଆଞ୍ଚ ଆସିଥାଆନ୍ତା । ତା’ର ନାମକୁ ନେଇ ବହୁ କୁତ୍ସାରଟନା କରାଯାଇଥାନ୍ତା ଏବଂ ବହୁମୁଖରେ ତାକୁ କଳଙ୍କିତାର ଆଖ୍ୟା ଦିଆଯାଇଥାନ୍ତା । ଅଙ୍ଗୁରପେନ୍ଥା ଧରି ନ ପାରି ଧୂର୍ତ୍ତ ଶୃଗାଳ ଯେମିତି ଅଙ୍ଗୁରଫଳ ଖଟା ବୋଲି କହିଥାଏ, ସେଭଳି ଏକ କୁତ୍ସିତ ପଦକ୍ଷେପ ନେବାକୁ ଧର୍ମଯାଜକ ତିଳେମାତ୍ର କୁଣ୍ଠାବୋଧ କରନ୍ତେନି ।

 

ପ୍ରାଚ୍ୟର ନିର୍ଯ୍ୟାତିତା ନାରୀ ଯେପରି ଘୃଣିତ ଦାସତ୍ୱର ଜୀବନଯାତ୍ରାରେ ସାମିଲ୍ ହୋଇଯାଏ, ସେଲ୍‌ମାର ଅଦୃଷ୍ଟ ମଧ୍ୟ ତାକୁ ସେମିତି ବିଡ଼ମ୍ବନାର ସ୍ରୋତ ମଧ୍ୟକୁ ଟାଣିନେଲା । ଦିନେ ଯେଉଁ ପବିତ୍ର ଆତ୍ମା ପ୍ରେମର ଶୁଭ୍ର ପକ୍ଷ ଯୋଖି ଜ୍ୟୋତ୍ସ୍ନାର ପୁଲକ ଓ ଫୁଲର ସୌରଭଯୁକ୍ତ ଆକାଶରେ ମୁକ୍ତଭାବରେ ବିଚରଣ କରୁଥିଲା, ତାହା ଆଜି ଏକ ସଂକୀର୍ଣ୍ଣ ପଞ୍ଜୁରୀ ଭିତରେ ବନ୍ଦୀ ହୋଇଗଲା ।

 

କିଛି ଦେଶରେ ପିତାମାତାଙ୍କଦ୍ୱାରା ଅର୍ଜିତ ଧନ ସେମାନଙ୍କ ସନ୍ତାନ ସନ୍ତତି ନିମନ୍ତେ ଦୁଃଖର କାରଣ ହୋଇଥାଏ । ସେମାନେ ଅନେକ କଷ୍ଟ ସ୍ୱୀକାର କରି ଯେଉଁ ବିପୁଳ ଅର୍ଥ ସେମାନଙ୍କର ପିଲାମାନଙ୍କ ଭବିଷ୍ୟତପାଇଁ ଗନ୍ତାଘରେ ଗଚ୍ଛିତ ରଖିଥାନ୍ତି, ବେଳେବେଳେ ସେହି ଗନ୍ତାଘର ସନ୍ତାନମାନଙ୍କ ଆତ୍ମାପାଇଁ ଅନ୍ଧକାରାଚ୍ଛନ୍ନ କାରାଗାର ପାଲଟି ଯାଏ । ଯେଉଁ ବିତ୍ତଶାଳୀ ‘କୁବେର’ ଦେବତାଙ୍କୁ ଲୋକେ ଉପାସନା କରିଥାଆନ୍ତି, ସେ ହିଁ ଉତ୍ପୀଡ଼କ ଦୈତ୍ୟରୂପେ ଚେତନାକୁ ଦଣ୍ଡ ଦେଇଥାନ୍ତି ଏବଂ ହୃଦୟକୁ ନିଥର ନିସ୍ପନ୍ଦ କରିଦିଅନ୍ତି । ସେଲ୍‌ମା କାରାମୀ ସେହିଭଳି ଜଣେ ହତଭାଗିନୀ, ଯିଏ ପିତାର ଅର୍ଜିତ ଅର୍ଥ ଓ ବରପକ୍ଷର ଅର୍ଥଲାଳସାର ଶୀକାର ହୋଇଥିଲା । ଯଦି ସେଲ୍‌ମାର ପିତାଙ୍କର ଅଚଳାଚଳ ସମ୍ପତ୍ତି ନ ଥାଆନ୍ତା, ତାହେଲେ ସେ ଖୁସିରେ ସ୍ୱାଭାବିକ ଜୀବନଯାପନ କରିପାରିଥାଆନ୍ତା ।

 

ଇତି ମଧ୍ୟରେ ସପ୍ତାହେ ବିତିଯାଇଛି । ସେଲ୍‌ମାର ସ୍ୱର୍ଗୀୟ ପ୍ରେମ ହିଁ ମୋ ଜୀବନର ଏକମାତ୍ର ଆମୋଦର କେନ୍ଦ୍ରବିନ୍ଦୁ ହୋଇଉଠିଥିଲା । ପ୍ରତି ରାତିରେ ତାର ସୁମଧୁର ସଂଗୀତର ମୂର୍ଚ୍ଛନା ମୋ’ ଆଖିର ନିଦକୁ ଉଜାଡ଼ି ଦେଉଥିଲା । ପ୍ରତି ପ୍ରଭାତରେ ଜୀବନର ପ୍ରକୃତ ଅର୍ଥ ଏବଂ ପ୍ରକୃତିର ଗୋପନୀୟତାକୁ ଉନ୍ମୋଚିତ କରି ମୋତେ ସୁଖ ନିଦ୍ରାରୁ ଜାଗ୍ରତ କରୁଥିଲା । ଈର୍ଷା ଓ ପ୍ରାଚୁର୍ଯ୍ୟରୁ ମୁକ୍ତ ସ୍ୱର୍ଗୀୟ ପ୍ରେମ କେବେ ଆତ୍ମାର କ୍ଷତି କରେନି, ବରଂ ଏହା ଆତ୍ମାକୁ ସନ୍ତୋଷରେ ପ୍ଳାବିତ କରାଉଥିବା ଏକ ଗଭୀର ଆକର୍ଷଣର ଉତ୍ସ ହୋଇଯାଏ । ଏହା ଅନୁରାଗପାଇଁ ଏକ ଗଭୀର କ୍ଷୁଧା ଅଟେ ଯାହାର ପୂର୍ତ୍ତି ପରେ ଆତ୍ମା ପ୍ରସନ୍ନତାରେ ଉଚ୍ଛୁଳି ଉଠେ । ଏହା ଏକ କୋମଳ ସ୍ପର୍ଶ, ଯାହା ଆତ୍ମା ଭିତରେ ଆଲୋଡ଼ନହୀନ ଆଶା ସୃଷ୍ଟିକରେ ଆଉ ପୃଥିବୀକୁ ଅମରାବତୀରେ ଓ ଜୀବନକୁ ମଧୁର ଛନ୍ଦମୟ ସ୍ୱପ୍ନରେ ପରିଣତ କରିପାରେ । ଶସ୍ୟଶ୍ୟାମଳ କେଦାର ଭିତରେ ମୁଁ ଯେତେବେଳେ ପ୍ରାତଃଭ୍ରମଣ କରୁଥିଲି, ପ୍ରକୃତିର ଜାଗରଣ ଭିତରେ ମୁଁ ଏକ ଅଭିନବ ସ୍ୱର୍ଗୀୟ ଦ୍ୟୁତିକୁ ଦେଖିପାରୁଥିଲି । ଯେତେବେଳେ ବେଳାଭୂମିରେ ଏକା ଏକା ବସୁଥିଲି, ସମୁଦ୍ରର ଲହରୀ ଭିତରେ ଏକ ସ୍ୱର୍ଗୀୟ ସଙ୍ଗୀତର ଅନୁରଣନ ଶୁଣିପାରୁଥିଲି । ପୁଣି ଯେବେ ମୁଁ ପଥଚାରଣ କରୁଥିଲି, ଜୀବନର କମନୀୟତା ଓ ମାନବିକତାର ପ୍ରାଚୁର୍ଯ୍ୟକୁ ମୁଁ ପଥିକ ଓ ଶ୍ରମିକମାନଙ୍କ ଅବୟବ ଭିତରେ ଅନୁଭବ କରିପାରୁଥିଲି ।

 

ସେସବୁ ସମ୍ମୋହନର ଦିନଗୁଡ଼ିକ ମୋ ସମ୍ମୁଖରୁ ଅଦିନର ବାଦଲ ପରି କେଜାଣି କେଉଁଆଡ଼େ ଉଭେଇ ଗଲେ । ମୋ ଜୀବନଟା କେବଳ ବିରାଟ ଶୂନ୍ୟତା ଓ ଦୁଃଖଦ ସ୍ମୃତିରେ ପରିଣତ ହେଲା । ଯେଉଁ ଦୃଷ୍ଟିରେ ବସନ୍ତର କମନୀୟତାକୁ ଅବଲୋକନ କରୁଥିଲି, ପ୍ରକୃତିର ନବଜାଗୃତିକୁ ଉପଭୋଗ କରୁଥିଲି, ସେହି ଆଖିରେ କେବଳ ଝଡ଼ର ତାଣ୍ଡବଲୀଳା ଓ ଜାଡ଼ର ବିଷଣ୍ଣତାକୁ ଦେଖିବାକୁ ପାଇଲି । ଯେଉଁ ଶ୍ରବଣେନ୍ଦ୍ରିୟରେ ସମୁଦ୍ର ତରଙ୍ଗର ମୃଦୁସଂଗୀତ ଶୁଣୁଥିଲି, ସେଥିରେ ଏବେ କେବଳ ଝଞ୍ଜା ପବନର କାନଫଟା ଚିତ୍କାର ଏବଂ ଉତ୍ତୁଙ୍ଗ ଶିଳାଗାତ୍ରରେ ସମୁଦ୍ର ଲହଡ଼ିର ଗୁରୁ ଗର୍ଜନ ଛଡ଼ା ଆଉକିଛି ଶୁଭୁ ନାହିଁ । ଯେଉଁ ଆତ୍ମା ମାନବିକତାର କ୍ଳାନ୍ତିହୀନ ସ୍ଫୁର୍ତ୍ତିରେ ଓ ମହାବିଶ୍ୱର କୃତିରେ ଆନନ୍ଦର ସ୍ୱାଦ ଚାଖୁଥିଲା, ସିଏ ଆଜି ବ୍ୟର୍ଥତା ଓ ହତାଶାର ସ୍ୱରୂପରେ ଉତ୍ପୀଡ଼ିତ । ସେହି ବିଗତ ଦିନମାନଙ୍କ ସ୍ୱର୍ଗୀୟ ପ୍ରେମଠୁ କିଛି ସୁନ୍ଦରତର ଏ ପୃଥିବୀରେ ନ ଥିଲା । ଆଉ ଆଜି ଏହି ଭୟାନକ କାଳରାତ୍ରିମାନଙ୍କର ଯନ୍ତ୍ରଣାଠାରୁ ବଳି ତିକ୍ତତର ଅନୁଭୂତି କିଛି ନାହିଁ ।

 

ମୋର ଆବେଗକୁ ଆଉ ଅଧିକ କାଳ ଚାପିରଖି ପାରିଲିନି । ସପ୍ତାହର ଶେଷ ଦିନରେ ମୁଁ ପୁଣିଥରେ ସେଲ୍‌ମାର ଘରକୁ ଟାଣି ହୋଇଯାଇଥିଲି । ମୋ’ପାଇଁ ସେ ତ ସାଧାରଣ ଗୃହ ନୁହେଁ, ସେ ଥିଲା ଏକ ପୁଣ୍ୟ ପୀଠସ୍ଥଳୀ । ଯେଉଁ ସ୍ଥାନକୁ ‘ସୌନ୍ଦର୍ଯ୍ୟ’ ନିଜେ ହିଁ ନିର୍ମାଣ କରିଥିଲା ଆଉ ‘ପ୍ରେମ’ ନିଜେ ସେଇଠି ମୂର୍ତ୍ତିମନ୍ତ ହୋଇ ସଶରୀରେ ବିରାଜମାନ ହୋଇଥିଲା ସେହି ସ୍ଥାନ ଆତ୍ମା ଉପାସନାର ପ୍ରକୃତ କ୍ଷେତ୍ର । ହୃଦୟ ସେଇଠାରେ ହିଁ ନତଜାନୁ ହୋଇ ପ୍ରାର୍ଥନା କରିପାରେ । ସେହି ଅପୂର୍ବ ରମଣୀୟ, ଶାନ୍ତ, ସ୍ନିଗ୍ଧ ଉଦ୍ୟାନ ଭିତରେ ଯେତେବେଳେ ପ୍ରବେଶ କଲି, ବାହାର ଜଗତରୁ ବିଚ୍ଛିନ୍ନ କରାଉଥିବା ଏକ ପ୍ରଚଣ୍ଡ ଶକ୍ତିକୁ ଅନୁଭବ କଲି । ଜଣେ ଅତୀନ୍ଦ୍ରିୟବାଦୀ ଯେମିତି ଈଶ୍ୱରୀୟ ସତ୍ତାକୁ ଅନୁଭବ କରିପାରେ, ମୁଁ ଠିକ୍ ସେମିତି ବୃକ୍ଷଲତା ଓ କୁସୁମ ସମ୍ଭାରର ନୈସର୍ଗିକତା ଭିତରେ ବିଲୀନ ହୋଇ ନିଜକୁ ହଜେଇ ଦେଲି । ମୁଁ ଉଦ୍ୟାନ ପରିସରକୁ ପ୍ରବେଶ କଲାବେଳେ ସେଲ୍‌ମାକୁ ମଲ୍ଲୀ କୁଂଜର ଛାଇତଳେ ଏକ ପ୍ରସ୍ତର ନିର୍ମିତ ଆସ୍ଥାନ ଉପରେ ବସିଥିବାର ଦେଖିଲି । ଗତ ସପ୍ତାହରେ କରୁଣାମୟ ପ୍ରଭୁ ଯେଉଁ ସ୍ଥାନରେ ଆମ ଦୁହିଁଙ୍କୁ ଏକତ୍ରିତ କରିଥିଲେ ଏବଂ ଯେଉଁଠି ମୋର ଅଫୁରନ୍ତ ସୁଖର ମୁହୂର୍ତ୍ତ ଓ ଦୁଃଖର ଦିନଗୁଡ଼ିକର ସୂତ୍ରପାତ ହୋଇଥିଲା, ସେହି ଆସ୍ଥାନ ଉପରେ ସେଲ୍‌ମା ନିର୍ବେଦ, ଜଡ଼ବସ୍ତୁଟିଏ ପରି ବସିଥିଲା ।

 

ସେ ମୋତେ ଆସୁଥିବାର ଦେଖି ପୂର୍ବଭଳି ମୋ ଆଡ଼କୁ ଉଠି ଆସିଲାନି କିମ୍ବା ମୋତେ ସ୍ୱାଗତ ବାର୍ତ୍ତା ମଧ୍ୟ ଜଣାଇଲା ନାହିଁ । ମୋର ଆସିବାର ପୂର୍ବାଭାସ ମନେ ମନେ ସମ୍ଭବତଃ ପାଇସାରିଥିଲା । ମୁଁ ଯେତେବେଳେ ତା ନିକଟରେ ବସିଲି - ମୁହୂର୍ତ୍ତକପାଇଁ ମୋ ଆଖିରେ ଆଖି ରଖି ସ୍ଥିର ନିବଦ୍ଧ ଦୃଷ୍ଟିରେ ଚାହିଁଲା ଏବଂ ଲମ୍ବା ଦୀର୍ଘଶ୍ୱାସଟିଏ ଛାଡ଼ି ଶୂନ୍ୟ ଆକାଶ ଆଡ଼କୁ ମୁହଁ ବୁଲାଇ ଉଦାସଭାବେ ଅନେଇ ରହିଲା । କିଛି ମୁହୂର୍ତ୍ତର ଯାଦୁକରୀ ନୀରବତା ପରେ ସେ ମୋ ଆଡ଼କୁ ଫେରି ଚାହିଁଲା । ତାର କଂପିତ ହସ୍ତରେ ମୋର ହସ୍ତକୁ ସ୍ପର୍ଶ କରି କ୍ଷୀଣ ସ୍ୱରରେ ଆରମ୍ଭ କଲା, “ହେ ମୋର ପ୍ରିୟ ଶୁଭାକାଂକ୍ଷୀ ବନ୍ଧୁ! ମୋ ମୁହଁକୁ ଥରେ ଚାହିଁ ଦେଖ । ତୁମେ ଯାହା ପଢ଼ିବାକୁ ଚାହୁଁଛ, ସେଇଠି ସ୍ପଷ୍ଟ ଭାଷାରେ ଲେଖା ଅଛି । ମୁଁ ସେ କଥାକୁ ପୁନରାବୃତ୍ତି କରିପାରିବି ନାହିଁ । ମୋ ମୁହଁକୁ ଚାହିଁ ଦେଖ ମୋର ପ୍ରିୟତମ ସାଥୀ... ଥରେ ମାତ୍ର ଚାହିଁ ଦେଖ ମୋର ଭାଇ!”

 

ସ୍ଥିର ଦୃଷ୍ଟିରେ ଅଭିନିବିଷ୍ଟ ହୋଇ ମୁଁ ତାର ଡୋଳା ଦୁଇଟିକୁ ଚାହିଁଲି । କିଛିଦିନ ତଳେ ସେହି ଆଖିଯୋଡ଼ିକ କଥାକୁହା ଅଧର ପରି ହସି ଚାଲିଥିଲା ଏବଂ ଚଳଚଞ୍ଚଳ ଗୀତିପକ୍ଷୀର ଡେଣା ଦୁଇଟି ପରି ଉଡ଼ି ବୁଲୁଥିଲା, ଆଜି କିନ୍ତୁ ସେଗୁଡ଼ିକ ଦୁଃଖ ଓ ଯନ୍ତ୍ରଣାରେ ବିମୁଖ ଓ ବିମର୍ଷ । ସୂର୍ଯ୍ୟ କିରଣର ମୃଦୁ ଚୁମ୍ବନରେ ବିକଶିତ ନୀଳକଇଁର ପାଖୁଡ଼ା ପରି ଅପୂର୍ବ ଲାବଣ୍ୟରେ ଝଟକୁ ଥିବା ତାର ମୁଖମଣ୍ଡଳର କାନ୍ତି ମଳିନ ଓ ରଙ୍ଗହୀନ ଦେଖାଯାଉଥିଲା । ତାର କମନୀୟ ଅଧର ଦୁଇଟି ଶରତର ଶୁଷ୍କ ଗୋଲାପ କଢ଼ ପରି ବୃନ୍ତରେ ଲାଖି ଯାଇଥିଲା । ଗଜଦନ୍ତ ଶୁଭ୍ର ତାର ଗ୍ରୀବାଟି ଆଗକୁ ନଇଁ ଆସିଥିଲା, ସତେ ଯେମିତି ମସ୍ତକରେ ଲଦି ହୋଇଥିବା ଦୁଃଖର ବୋଝକୁ ବୋହିବାକୁ ଏକାନ୍ତ ଅସମର୍ଥ ।

 

ଏତେ ସବୁ ପରିବର୍ତ୍ତନର ଭାବ ସେଦିନ ସେଲ୍‌ମାର ମୁଖମଣ୍ଡଳରେ ମୁଁ ଦେଖିଥିଲି । ମୋତେ ଜଣାଗଲା ଚନ୍ଦ୍ର ଉପରେ ଭାସମାନ ମେଘଖଣ୍ଡ ସାମୟିକଭାବେ ଜହ୍ନକୁ ଢାଙ୍କିବାର ପ୍ରଚେଷ୍ଟା କଲାପରି ସେଗୁଡ଼ିକ ତାର ମୁଖ କାନ୍ତିକୁ ଅଧିକ ସୁନ୍ଦର କରି ତୋଳୁଥିଲା । ଯେଉଁ ଚାହାଁଣି ଅନ୍ତର୍ନିହିତ ଦୁଃଖର ଭାବକୁ ପ୍ରକାଶ କରିପାରେ, ତାହାହିଁ ମୁଖମଣ୍ଡଳରେ ଅଧିକ ଲାବଣ୍ୟ ବିକଶିତ କରିଥାଏ । ଯଥାସମ୍ଭବ କାରୁଣ୍ୟ ଓ ଯନ୍ତ୍ରଣାର ଭାଷାକୁ ପ୍ରକାଶ କରୁଥିଲେ ବି ତାହାହିଁ ଅନ୍ତର୍ନିହିତ ସୌନ୍ଦର୍ଯ୍ୟର ପ୍ରକୃତ ପ୍ରତିଫଳନ । ସେହିପରି ଯେଉଁ ମୁଖମଣ୍ଡଳ ନୀରବତା ଭିତରେ ଲୁକ୍କାୟିତ ପ୍ରହେଳିକାକୁ ପ୍ରକାଶିତ କରେନି, ତାର ଅଙ୍ଗ ସୌଷ୍ଠବ ଯେତେ ଛନ୍ଦମୟ ହୋଇଥିଲେ ହେଁ ସୁନ୍ଦର ହୋଇପାରେନି । ସେମିତି, ପିଆଲାର ସ୍ୱଚ୍ଛତା ଭିତରୁ ମଦିରାର ରଙ୍ଗ ନ ଦିଶିଲେ ତାହା ଆମର ଓଠକୁ ଆକର୍ଷିତ କରିପାରେନି ।

 

ସେଦିନ ସଂଧ୍ୟାରେ ସେଲ୍‌ମା ତିକ୍ତତା ଓ ମଧୁରତାରେ ଫେଣ୍ଟା ଫେଣ୍ଟି ସ୍ୱର୍ଗୀୟ ସୁଧାପୂର୍ଣ୍ଣ ପାନପାତ୍ରଟିଏ ଭଳି ଜଣାପଡ଼ୁଥିଲା । ନିଜ ଅଜାଣତରେ ସେ ପ୍ରାଚ୍ୟର ନାରୀଜୀବନର ପ୍ରତୀକରୂପେ ପ୍ରତିଭାତ ହେଉଥିଲା, ଯିଏ ନିଜ ବିବାହ ପୂର୍ବରୁ ପିତ୍ରାଳୟ ଛାଡ଼ି କେଉଁଠି ପଦାର୍ପଣ କରି ନଥାଏ, ଏବଂ ମାତାର ସ୍ନେହ ଆଶ୍ଲେଷରୁ ଗୋଟିଏ ମୁହୂର୍ତ୍ତରେ ଖସିଯାଇ ସ୍ୱାମୀର ଯୁଆଳି ବେକରେ ବାନ୍ଧି ନିଏ ଓ ଶାଶୁର କ୍ରୀତଦାସୀପଣକୁ ବରିନିଏ ନିଜର ଭବିତବ୍ୟ ଜ୍ଞାନରେ ।

 

ମୁଁ ସେଲ୍‌ମାକୁ ଅପଲକ ଦୃଷ୍ଟିରେ ଚାହିଁରହିଲି ଏବଂ ତାର ନିର୍ଯ୍ୟାତିତ ଆତ୍ମାର ଅନ୍ତର୍ଧ୍ୱନିକୁ ଶୁଣିବାକୁ ଚେଷ୍ଟାକଲି । ତା ଯନ୍ତ୍ରଣା ସହିତ ନିଜକୁ ସାମିଲ୍ କରିବାକୁ ମଧ୍ୟ ଚେଷ୍ଟାକଲି । ତାପରେ ମୁଁ ବୁଝିପାରିଲି, ସମୟ ଶେଷ ହୋଇଆସୁଛି ଏବଂ ଆମ ସ୍ୱପ୍ନର ପୃଥିବୀ ମଲାଜହ୍ନ ପରି ଧୀରେ ଧୀରେ ସତ୍ତା ହରାଇ ବସିଲାଣି । ମୁଁ କେବଳ ତାର ଟଣା ଟଣା ଆଖି ଯୋଡ଼ିକୁ ଦେଖିପାରୁଛି ଆଉ ତା’ର ନିର୍ନିମେଷ ଦୃଷ୍ଟି ମୋ ଭିତରେ ନିବଦ୍ଧ ହୋଇଛି । ତାର ଶୀତଳ ଓ କଂପିତ ହସ୍ତଟି ମୋ ହାତକୁ ସ୍ପର୍ଶ କରିଥିବାର ମୁଁ ଅନୁଭବ କରୁଥିଲି ।

 

ସେଲ୍‌ମାର ଶାନ୍ତ, କୋମଳ ଭାଷାରେ ମୋର ମୋହଭଙ୍ଗ ହେଲା । ସେ ଅନୁଦାତ୍ତ କଣ୍ଠରେ କହିଲା, “ହେ ମୋର ପ୍ରିୟତମ! ଆମ ଜୀବନର ଅନାଗତ ଆଶୁ ବିପର୍ଯ୍ୟୟ ପୂର୍ବରୁ ଆସ ସେ ବିଷୟରେ ଆଲୋଚନା କରିବା । ଅଳ୍ପ ସମୟ ପୂର୍ବରୁ ମୋର ବାପା ମୋ ପାଇଁ ମୋର ମୃତ୍ୟୁ ପର୍ଯ୍ୟନ୍ତ ଜୀବନସାଥୀ ଖୋଜିବାକୁ ଘରୁ ବାହାରି ଯାଇଛନ୍ତି । ଈଶ୍ୱର ମୋ ବାପାଙ୍କୁ ମୋର ଜନ୍ମର କାରଣରୂପେ ମନୋନୀତ କରିଥିଲେ, ଆଉ ଆଜି ସେ ମୋର ବାକିତକ ଜୀବନପାଇଁ ପୃଥିବୀ ପୃଷ୍ଠରେ ମୋର ପ୍ରଭୁ ଖୋଜିବାକୁ ଯାଇଛନ୍ତି । ଏହି ସହରର ଅଳିନ୍ଦନିଳୟ ଭିତରେ ଯେଉଁ ବୃଦ୍ଧ ଜଣକ ମୋର ଯୌବନ ପର୍ଯ୍ୟନ୍ତ ମୋତେ ପଥ କଢ଼ାଇ ଆଣିଥଲେ, ସେ ଆଜି ମୋର ଆଗାମୀ ଦିନର ସାଥୀ ତରୁଣକୁ ସାକ୍ଷାତ୍ କରିବାକୁ ଯାଇଛନ୍ତି । ଆଜି ରାତିରେ ଦୁଇ ପରିବାରର ଲୋକେ ବିବାହର ତିଥି ସ୍ଥିର କରିବେ । ସତରେ, କେତେ ଚମତ୍କାର ଅଥଚ ମର୍ମସ୍ପର୍ଶୀ ମୁହୂର୍ତ୍ତ ଇଏ ! ଗତ ସପ୍ତାହରେ, ଠିକ୍ ଏଇ ସମୟରେ ଏଇଠି ଏଇ ମାଳତୀ ଲତାର ଛାଇ ତଳେ ପ୍ରଥମଥରପାଇଁ ମୋର ଆତ୍ମାକୁ ପ୍ରେମ ନିବିଡ଼ଭାବେ ସ୍ପର୍ଶ କରିଥିଲା, ଅଥଚ ଆଜି ମୋର ଅଦୃଷ୍ଟ ଜୀବନର ପ୍ରଥମ କାହାଣୀର ପ୍ରଥମ ସଂଳାପଟିକୁ ଧର୍ମଯାଜକର ପ୍ରାସାଦରେ ଲେଖୁଅଛି । ଆଜି ଯେତେବେଳେ ମୋର ବାପା ଓ ମୋର ପ୍ରଣୟ ପ୍ରାର୍ଥୀ ମୋର ପରିଣୟର ଲଗ୍ନ ଯୋଜନା କରୁଛନ୍ତି, ଠିକ୍ ସେତିକିବେଳେ ମୁଁ ଦେଖିପାରୁଛି ତୁମର ଆତ୍ମାଟି ଯନ୍ତ୍ରଣାରେ ଛଟପଟ ହୋଇ ମୋ ଚାରିପଟେ ଏକ ତୃଷାର୍ତ୍ତ ପକ୍ଷୀ ପରି ଘୁରିବୁଲୁଛି । କିନ୍ତୁ ଝରଣାର ପାଣିକୁ ଜଗି ରଖିଛି ଏକ କ୍ଷୁଧାର୍ତ୍ତ ବିଷଧର ସର୍ପ । ଆଉ ସିଏ ପକ୍ଷୀଟିକୁ ପାଣି ପିଇବାର ଦୁରନ୍ତ ଆଗ୍ରହରୁ ନିବୃତ୍ତ କରି ରଖିଛି । ଓଃ, ସତରେ ଏ ରାତି କେତେ ପ୍ରଲମ୍ବିତ ଆଉ ଏହାର ଗୋପନୀୟତା କେତେ ଯେ ଗଭୀର !”

ତାର ଭାବପ୍ରବଣ ଭାଷାରେ ମୁଁ ଅନୁଭବ କରିପାରିଲି ଯେ ପରାଧୀନତାର ଦୁର୍ବାର ରାକ୍ଷସଟିଏ ଆମର ନବଜାତ ପ୍ରେମର କଣ୍ଠରୋଧ କରିସାରିଲାଣି । ମୁଁ ସେଲ୍‌ମାକୁ କହିଲି, “ସେହି ତୃଷାର୍ତ୍ତ ପ୍ରେମ ପକ୍ଷୀଟି ଝରଣା ଉପରେ ସେତେ ପର୍ଯ୍ୟନ୍ତ ପକ୍ଷ ସଞ୍ଚାଳନ କରୁଥିବ, ଯେତେବେଳଯାଏ ତୃଷ୍ଣା ତାକୁ ସମ୍ପୂର୍ଣ୍ଣରୂପେ ନଷ୍ଟ ନ କରିଛି, କିମ୍ବା ସେ ସେହି ବିଷଧର ସର୍ପର କବଳିତ ନ ହୋଇଛି ।”

 

ପ୍ରତ୍ୟୁତ୍ତରରେ ସେଲ୍‌ମା କହିଲା, “ନା ପ୍ରିୟତମ, ଏହି ସୁନ୍ଦର ବୁଲ୍‌ବୁଲ୍ ପକ୍ଷୀଟି ବଞ୍ଚି ରହିବା ନିହାତି ଆବଶ୍ୟକ । ସେ ତା’ର ମଧୁର ସ୍ୱରରେ ଅନ୍ଧକାର ଆସିବା ପର୍ଯ୍ୟନ୍ତ ଗାଇବା ଦରକାର । ସେଥିପାଇଁ ଯଦି ବସନ୍ତ ଚାଲିଯାଏ ଯାଉ, ପୃଥିବୀ ଶେଷ ହୋଇଯାଏ ଯାଉ, କିନ୍ତୁ ମର୍ମେ ମର୍ମେ ସେ ଦିବ୍ୟଗୀତିର ଝଙ୍କାର ତୋଳି ଚାଲୁ । ତାର ସ୍ୱର କେବେ ବି ସ୍ତିମିତ ନ ହେଉ, କାରଣ ସେ ବଞ୍ଚିଥିବା ଯାଏ ମୋ’ ହୃଦୟ ଭିତରେ ପ୍ରାଣଧାରା ଉଦ୍‌ଜୀବିତ ରହିଥିବ । ତାର ପକ୍ଷଯୋଡ଼ିକ କେବେ ବି ଭାଙ୍ଗି ନ ଯାଉ; କାରଣ ତା’ର ସଞ୍ଚାଳନରେ ମୋ ହୃଦୟରୁ ଦୁଃଖର ବାଦଲ ଅପସରି ଯିବ ।”

 

କୋହ ଜର୍ଜରିତ ଅସ୍ପଷ୍ଟ ସ୍ୱରରେ ମୁଁ କହିଲି, “ହେ ମୋର ପ୍ରାଣପ୍ରିୟା ସେଲ୍‌ମା । ମୁଁ ଜାଣିପାରୁଛି ସେହି ଗୀତିପକ୍ଷୀକୁ ଆତୁର ତୃଷ୍ଣା ଶେଷ କରିଦେବ ଏବଂ ଭୟ ହେଉଛି ତାକୁ ସେହି ବିଷଧର ସର୍ପ ହତ୍ୟା କରିବ ।”

 

କଂପିତ ଓଠରେ ସେଲ୍‌ମା ତତ୍‌କ୍ଷଣାତ୍ କହି ଉଠିଲା, “ଆତ୍ମାର ପିପାସା ପାର୍ଥିବ ଜଗତର ମଦିରାଠାରୁ ଅଧିକ ସ୍ୱାଦିଷ୍ଟ । ଆତ୍ମାର ଆତୁରତା ଶରୀରର ସୁରକ୍ଷା ଅପେକ୍ଷା ଅଧିକ ଦୁର୍ଲ୍ଲଭ । ହେ ମୋର ପ୍ରିୟତମ, ତମେ ନିବିଷ୍ଟ ଭାବରେ ମୋର କଥାକୁ ଅନୁଧ୍ୟାନ କର । ମୁଁ ଆଜି ଅଜଣା ଭବିଷ୍ୟତର ଦ୍ୱାରଦେଶରେ ଛିଡ଼ା ହୋଇଛି; ଅନ୍ଧ ଭଳି ଆଖିବୁଜି ରାସ୍ତାଘାଟକୁ କେବଳ ଅନୁମାନ କରି ଅଣ୍ଡାଳି ବାଟ ଚାଲୁଛି, ଯେପରି ଭାରସାମ୍ୟ ହରାଇ ପଡ଼ି ନଯାଏଁ । ମୋର ପିତାଙ୍କ ଅକଳନ ସମ୍ପତ୍ତି ହିଁ ମୋତେ ଆଜି କ୍ରୀତଦାସର ବଜାରରେ ବସେଇ ଦେଇଛି ଏବଂ ଜଣେ ଅଜ୍ଞାତ କ୍ରେତା ମୋତେ କିଣିନେଇଛି । ମୁଁ ସେ ଅପାଙ୍‌କ୍ତେୟ ଇତର ବ୍ୟକ୍ତିକୁ ପୂର୍ବରୁ ଜାଣିନି କିମ୍ବା ଭଲ ବି ପାଇନି । କିନ୍ତୁ ମୁଁ ପ୍ରାଣପଣେ ଚେଷ୍ଟା କରିବି ତାକୁ ସାଧ୍ୟ ମୁତାବକ ଖୁସି ରଖିବାକୁ । ଜଣେ ଅବଳା ନାରୀ ସବଳ ପୁରୁଷଟିକୁ ଯେମିତି ସବୁ ଦେବାକୁ ବାଧ୍ୟ, ମୁଁ ମଧ୍ୟ ସେମିତି ନିଜକୁ ତା ନିକଟରେ ସମର୍ପଣ କରିବି ।”

 

“ହେ ପ୍ରିୟତମ, ତୁମେ ଜୀବନର ସର୍ବୋତ୍କୃଷ୍ଟ ସମୟଦେଇ ଗତି କରୁଛ । ଜୀବନର ପ୍ରଶସ୍ତ ପଥରେ ତୁମପାଇଁ କୁସୁମର ଗାଲିଚା ବିଛା ହୋଇଛି, ତୁମେ ସେଠାରେ ନିର୍ବିରୋଧରେ ଚଳପ୍ରଚଳ କରିପାରିବ । ତୁମର ହୃଦୟକୁ ମଶାଲରୂପେ ପ୍ରଜ୍ଜ୍ୱଳିତ କରି ପୃଥିବୀ ପୃଷ୍ଠରେ ତୁମେ ତୁମର ପଥକୁ ଅତିକ୍ରମ କରିପାରିବ, ତୁମର ଇଚ୍ଛାନୁସାରେ ନିଷ୍ପତ୍ତି ନେଇପାରିବ । ଅନ୍ତରର ଭାଷାକୁ ପ୍ରକାଶ କରିପାରିବ । ଜୀବନର ପୁରୋଭାଗରେ ତୁମରି ନାମକୁ ନିର୍ଦ୍ଦିଷ୍ଟଭାବେ ଲେଖି ଦେଇପାରିବ । କାରଣ ତୁମେ ପୁରୁଷ । ତୁମେ ଜଣେ ପ୍ରଭୁରୂପେ ବି ବଞ୍ଚିପାରିବ, କାରଣ ତୁମର ପୈତୃକ ସମ୍ପତ୍ତି ତୁମକୁ କ୍ରୀତଦାସର ବିପଣୀରେ ପଣ୍ୟଦ୍ରବ୍ୟରୂପେ ଛିଡ଼ା କରାଇବ ନାହିଁ । ତୁମେ ନିଜ ପସନ୍ଦର ଜଣେ ତରୁଣୀକୁ ମଧ୍ୟ ବିବାହ କରିପାରିବ । ବିନା ପ୍ରତିରୋଧରେ ତୁମେ ତା ଉପରେ ପ୍ରତ୍ୟୟ ମଧ୍ୟ ଆରୋପ କରିପାରିବ, କାରଣ ତୁମେ ଜଣେ ପୁରୁଷ ।”

 

କ୍ଷଣିକପାଇଁ ନୀରବତା ବିରାଜମାନ କଲା । ତା’ପରେ ସେଲ୍‌ମା ପୁଣିଥରେ ଆରମ୍ଭ କଲା, “ବର୍ତ୍ତମାନ ଆମେ ବୋଧେ ସମୟର ସେହି ଚଉଛକିରେ ପହଞ୍ଚିଛେ, ଯେଉଁଠି ଜୀବନ ଆମକୁ ଛିନ୍ନଭିନ୍ନ କରି ଅଲଗା କରିଦେବ । ନା ତୁମେ ଜଣେ ପୂର୍ଣ୍ଣପୁରୁଷର ଗୌରବ ଅର୍ଜନ କରିପାରିବ କିମ୍ବା ମୁଁ ଜଣେ ନାରୀର କର୍ତ୍ତବ୍ୟ ସମ୍ପାଦନ କରିପାରିବି । ବୋଧହୁଏ ଏଇଥିପାଇଁ ଏ ନିର୍ବେଦ ଉପତ୍ୟକା ବୁଲ୍‌ବୁଲ୍ ପକ୍ଷୀର ଗୀତିଝରା ସ୍ୱରକୁ ତାର ଗଭୀରତା ଭିତରେ ନୀରବରେ ପିଇଯାଏ ଏବଂ ପବନ ଗୋଲାପର ପାଖୁଡ଼ାକୁ ଇତସ୍ତତଃ କରିପକାଏ: ମଦିରାର ପାତ୍ରକୁ ମତୁଆଲାର ପାଦ ଅନାୟସରେ ଦଳି ମଥିଯାଏ । ଚନ୍ଦ୍ରାଲୋକବିଧୌତ ରାତ୍ରିରେ ମଲ୍ଲୀଲତା ଗହଣରେ ଆମର ଆତ୍ମା ଯେଉଁଠି ଏକତ୍ରିତ ହୋଇଥିଲା, ତାହା କ’ଣ ଅଳୀକ ମାତ୍ର? ତାହା କ’ଣ ବ୍ୟର୍ଥତା ଆଉ ହତାଶାର ପ୍ରତୀକ? ‘ପ୍ରେମ’ ଆମ୍ଭମାନଙ୍କୁ ସ୍ପର୍ଶ କରିବା ପୂର୍ବରୁ କ’ଣ ବିବଶ ନିଦ୍ରାରେ ସୁପ୍ତ ଥିଲା ଆଉ ନିଦ୍ରାଭଙ୍ଗର ରୋଷରେ ଆମକୁ ଶାସ୍ତି ଦେବାକୁ ଚାହୁଁଚି? ମଦାଳସା ରାତ୍ରିର ଧୀର ସମୀରଣର ସ୍ଥାନ ନେଇଛି ପ୍ରଭଞ୍ଜନ ଯାହା ଆମକୁ ଅସହାୟ ଧୂଳିକଣା ପରି ଛିନ୍ନଭିନ୍ନ କରି ଉପତ୍ୟକାର ଅନ୍ଧ ଗହ୍ୱର ଭିତରେ ବିଛାଡ଼ି ଦେବ । ଆମେ ତ କୌଣସି ନୀତି ଉଲ୍ଲଂଘନ କରି ନଥିଲେ କିମ୍ବା ସେହି ନିଷିଦ୍ଧ ଫଳ ଭକ୍ଷଣ କରି ନଥିଲେ! ତେବେ, କେଉଁଥିପାଇଁ ଆମକୁ ପ୍ରେମର ଅମରାବତୀ ତ୍ୟାଗ କରିବାକୁ ପଡ଼ିବ? ଆମେ କେବେ ବି କୌଣସି ଦୁରଭିସନ୍ଧିରେ ଜଡ଼ିତ ହୋଇନେ କିମ୍ବା ବିଦ୍ରୋହର ସୂତ୍ରପାତ କରିନେ । ତାହେଲେ କ’ଣ ପାଇଁ ଆମେ ନର୍କକୁ ଅବତରଣ କରିବା? ନା, ବରଂ ଯେଉଁ କେତୋଟି ମୁହୂର୍ତ୍ତ ଆମକୁ ଏକାନ୍ତଭାବେ ଏକାଠି କରିଥିଲା, ତାହା ଶହ ଶହ ବର୍ଷଠାରୁ ଅଧିକ ଅବଧିର ଏବଂ ଯେଉଁ ଆଲୋକ ଆମର ଆତ୍ମାକୁ ଉଦ୍‌ଭାସିତ କରିଥିଲା, ତାହା ଯୋଜନ ଯୋଜନ ଅନ୍ଧକାରଠାରୁ ଶକ୍ତିଶାଳୀ । ଯଦି ଏହି ତୋଫାନୀ ସମୁଦ୍ରର ମହାବାତ୍ୟା ଆମକୁ ବିଚ୍ଛିନ୍ନ କରିଦିଏ, ଏ ସମୁଦ୍ରର ଲହରୀ ଆମକୁ ପୁଣି ଥରେ ଶାନ୍ତ ବେଳାଭୂମିରେ ଏକତ୍ରିତ କରିଦେବ । ଆମର ଜୀବନର ଯଦି ଅନ୍ତ ହୋଇଯାଏ, ତା ହେଲେ ମୃତ୍ୟୁ ହିଁ ଆମକୁ ପୁନର୍ବାର ଏକତ୍ରିତ କରିବ । ଗୋଟିଏ ନାରୀର ହୃଦୟ କଦାପି ସମୟ ଓ ଋତୁଚକ୍ରର ପରିବର୍ତ୍ତନରେ ବଦଳି ଯାଇପାରେନା । ନିର୍ଝର ଶୁଖିଗଲେ ବି ଏହାର ନିର୍ଯ୍ୟାସ କେବେ ବି ନିଃଶେଷ ହେବନି । ଜଣେ ନାରୀର ହୃଦୟ ଭୂମି ସଦୃଶ । କଦବା କେବେ ସେ ଯୁଦ୍ଧଭୂମିକୁ ରୂପାନ୍ତରିତ ହୋଇଯାଏ, ତଥାପି ତା’ର ପରିବର୍ତ୍ତନ ହୁଏନି । ଏମିତିକି ତା’ ଉପରେ ସଦର୍ପରେ ଛିଡ଼ା ହୋଇଥିବା ଗଛବୃଚ୍ଛ ଭୂତଳଶାୟୀ ହେଲେ କିମ୍ବା କେବେ ସବୁଜ ଘାସର ଗାଲିଚା ପୋଡ଼ିଜଳି ବିବର୍ଣ୍ଣ ହେଲେବି ତା’ର ବିଶେଷ କିଛି ପରିବର୍ତ୍ତନ ଜଣାପଡ଼େନି । କେବେ କେବେ ମାଟି ଉପରେ ବିକ୍ଷିପ୍ତ ଶିଳାରାଶି ଯୁଦ୍ଧର ଭୟାବହତାରେ ରକ୍ତ ରଂଜିତ ହୋଇଯାଏ, ମାଟି ଭିତରେ ମାଳମାଳ କଙ୍କାଳ ଓ ଖପୁରୀ ପୋତି ହୋଇଯାଏ । ସେ ଭୂମି କିନ୍ତୁ ନୀରବ, ଶାନ୍ତ ଓ ସର୍ବଂସହାରୂପେ ନିର୍ବିକାର ରହିଥାଏ, ସତେ ଯେମିତି କିଛି ଅଘଟନ ଘଟିନି । ଶରତ ଓ ବସନ୍ତଋତୁ ସବୁ ପୂର୍ବପରି ନିର୍ଦ୍ଦିଷ୍ଟ ବ୍ୟବଧାନରେ ପୃଥିବୀ ପୃଷ୍ଠରେ ଅବତରଣ କରନ୍ତି ଓ ନିଜ ନିଜର କର୍ତ୍ତବ୍ୟ ଶେଷ କରି ଫେରିଯାଆନ୍ତି ।

 

“ହେ ପ୍ରିୟତମ, ଆମେ ଏବେ କ’ଣ କରିବା? କେମିତି ପରସ୍ପରଠାରୁ ବିଦାୟ ନେବା? ଏବଂ କେବେ ପୁଣି ଆମେ ମିଶିବା? ଆମେ କ’ଣ ଧରିନେବା ପ୍ରେମ ଏକ ଅଜବ ପଥିକ, ଯିଏ ସନ୍ଧ୍ୟାରେ ଆମ ପାଖକୁ ଆସି ଭୋର ସକାଳୁ ଛାଡ଼ି ଚାଲିଯାଏ? କିମ୍ବା ଆମେ କ’ଣ ଆମର ଏହି ସ୍ନେହମମତାକୁ ତନ୍ଦ୍ରାନୀତ ଏକ ସ୍ୱପ୍ନ ବୋଲି ଧରିନେବା, ଯାହା ଆମର ଜାଗୃତି ମାତ୍ରେ ବିଦାୟ ନେଲା?

 

“ଆମେ କ’ଣ ସପ୍ତାହବ୍ୟାପୀ ଏଇ ଏକ ଦଣ୍ଡର ମଦମତ୍ତତାକୁ ଏକ ଦୁର୍ବଳ ମୁହୂର୍ତ୍ତ ବୋଲି ମନେକରିବା? ହେ ମୋର ପ୍ରିୟତମ, ତୁମର ନତମସ୍ତକକୁ ସଳଖ କର, ମୋତେ ତୁମର ଆଖି ଯୋଡ଼ିକୁ ଦେଖିବାକୁ ଦିଅ । ତୁମେ ତୁମର ନୀରବ ଓଠକୁ ପୁଣି ଥରେ ଚଳଚଞ୍ଚଳ କରି ମୋତେ କିଛି କୁହ । ମୁଁ ତୁମଠୁ ଶୁଣିବାକୁ ଚାହେଁ, ଆମର ଏହି ପ୍ରେମ ପୋତଟି ଝଡ଼ରେ ଜଳମଗ୍ନ ହେଲାପରେ ବି ତୁମେ ତଥାପି କ’ଣ ମୋତେ ମନେ ରଖିବ? ତୁମେ କ’ଣ ମୋର ଆହତ ପକ୍ଷର ମୃଦୁଧ୍ୱନିକୁ ରାତିର ନୀରବତା ଭିତରେ ଶୁଣିପାରିବ? ତୁମେ କ’ଣ ମୋ ଆତ୍ମାର କମ୍ପନ ତୁମ ଉପରେ ସଞ୍ଚରିତ ହେବାର ଅନୁଭବ କରିବ? ମୋର ଦୀର୍ଘଶ୍ୱାସର ମର୍ମରକୁ ମାପିପାରିବ? ତୁମେ କ’ଣ ଗୋଧୂଳିର ଆଢ଼ୁଆଳରେ ମୋର ଛାୟାମୂର୍ତ୍ତିର ଅଭିସାର ବାରିପାରିବ? ଦେଖିପାରିବ ପ୍ରତ୍ୟୁଷର ମାଛି ଅନ୍ଧାରରେ ସେ ଛାଇ ମିଳେଇଯିବାର? ହେ ମୋର ପ୍ରିୟତମ, ତୁମେ ମୋତେ କୁହ, ତୁମେ ମୋର ଆଖିର କୁହୁକ ରଶ୍ମି ପାଲଟିଲା ପରେ, ମୋ କାନର ମଧୁର ସଂଗୀତ ସାଜିଲା ପରେ ଏବଂ ମୋ ଆତ୍ମାର ପକ୍ଷ ହେଲାପରେ ଏବେ ପୁଣି କ’ଣ ହେବ? ୟା’ପରେ ତୁମେ ଆଉ କ’ଣ କ’ଣ ହେବ?”

 

ସେଲ୍‌ମାର କାବ୍ୟମୟ ଭାବାବେଗର କଥାସବୁ ଶୁଣି ମୋର ହୃଦୟ ତରଳିଗଲା । ମୁଁ ମସ୍ତକ ସଳଖ କରି ତାକୁ ଧୀରେ କହିଲି, ‘ହେ ମୋର ପ୍ରାଣର ସଖୀ, ତୁମେ ଯାହା ଚାହିଁବ, ମୁଁ ତାହାହିଁ ହେବି ।’

 

ତା’ପରେ ସେ କହିଲା, “ଜଣେ କବି ଯେମିତି ତା’ର ବିଷାଦପୂର୍ଣ୍ଣ ଚିନ୍ତାଗୁଡ଼ିକୁ ଭଲପାଏ, ତୁମେ ଠିକ୍ ସେମିତି ମୋତେ ଭଲ ପାଉଥାଅ ବୋଲି ମୁଁ ଚାହେଁ । ଜଣେ ତୃଷିତ ପାନ୍ଥ ଯେମିତି ସ୍ଥିର ଜଳାଶୟରୁ ଜଳପାନ କରିବା ପୂର୍ବରୁ ତାର ପ୍ରତିବିମ୍ବକୁ ଜଳରାଶି ଭିତରେ ମନେ ରଖିଥାଏ, ତୁମେ ମୋତେ ସେମିତି ମନେରଖ । ମୁଁ ଚାହେଁ, ତୁମେ ମୋତେ ଜଣେ ଜନନୀ ଯେମିତି ଜନ୍ମପୂର୍ବରୁ ମରିଥିବା ତାର ଶିଶୁକୁ ମନେରଖେ, ସେମିତି ମନେରଖ । ଜଣେ ଦୟାଳୁ ରାଜା ରାଜକ୍ଷମା ଦେବା ପୂର୍ବରୁ ଓ ଏକଥା ବନ୍ଦୀଟି ନ ଜାଣି ମରିଗଲା ପରେ ଯେଉଁ ଭାବ ରାଜାଙ୍କ ମନରେ ଲାଗିରହେ, ମୁଁ ଚାହେଁ ତୁମେ ସେମିତି ଦରଦୀ ହୃଦୟରେ ମୋତେ ମନେରଖ । ମୁଁ ଚାହେଁ, ତୁମେ ସବୁଦିନପାଇଁ ମୋର ବନ୍ଧୁ ହୋଇ ରୁହ । ବିଜନତା ଭିତରେ ସଢ଼ୁଥିବା ମୋର ଅସହାୟ ପିତାଙ୍କୁ ତୁମେ ସାକ୍ଷାତ୍ କର ଓ ତାଙ୍କୁ ସାନ୍ତ୍ୱନା ପ୍ରଦାନ କର । କାରଣ, ଆଉ ଅଳ୍ପଦିନ ଭିତରେ ମୁଁ ତାଙ୍କୁ ଛାଡ଼ି ଚାଲିଯିବି ଏବଂ ଅଚିହ୍ନା ବ୍ୟକ୍ତି ହୋଇଯିବି ।”

 

ମୁଁ ତାକୁ କହିଥିଲି, “ମୋତେ ଯାହା ସବୁ କରିବାକୁ କହିଲ, ମୁଁ ଠିକ୍ ସେମିତି ସବୁ କରିଯିବି । ତୁମର ଆତ୍ମାର ଚାଦରରୂପେ ମୋ ଆତ୍ମା ସବୁବେଳେ ରହିଥିବ । ତୁମ ସୌନ୍ଦର୍ଯ୍ୟ ସବୁବେଳେ ମୋ ହୃଦୟ ଭିତରେ ଅବସ୍ଥାନ କରୁଥିବ, ଆଉ ତୁମର ଦୁଃଖ ସକଳ ମୋ ଛାତିର କବର ଭିତରେ ଚାପି ରଖିବି । ‘ପ୍ରେରୀ’ ଚାରଣ ଭୂମି ଯେମିତି ଫଗୁଣକୁ ଭଲପାଏ, ମୁଁ ତୁମକୁ ସେମିତି ଭଲ ପାଉଥିବି । ସୂର୍ଯ୍ୟ କିରଣ ତଳେ ଗୋଲାପ ଯେମିତି ବଞ୍ଚିରହେ, ମୁଁ ସେମିତି ତୁମ ଭିତରେ ବଞ୍ଚିରହିବି । ପଲ୍ଲୀ ଗୀର୍ଜାର ଘଣ୍ଟା ଧ୍ୱନିକୁ ଯେମିତି ଦୂର ଉପତ୍ୟକା ପ୍ରତିଧ୍ୱନିତ କରେ, ମୁଁ ତୁମର ନାମର ସଂଗୀତକୁ ଚିରଦିନ ଗାଉଥିବି । ବେଳାଭୂମି ଯେମିତି ସାଗରର ତରଙ୍ଗମାଳାର କାହାଣୀକୁ ନୀରବରେ ଶୁଣିଥାଏ, ମୁଁ ସବୁଦିନ ତୁମରି ଆତ୍ମାର ଭାଷାକୁ ଶୁଣିଯିବି । ଜଣେ ଦୂରଦେଶୀ ପଥିକ ଯେମିତି ତାର ପ୍ରିୟ ଦେଶକୁ ମନେରଖେ, ମୁଁ ତୁମରି ସ୍ମୃତିକୁ ସେମିତି ମନେରଖିବି ଏବଂ ଯେମିତି କ୍ଷୁଧାର୍ତ୍ତଟି ମହାଭୋଜିର ସୁଖାଦ୍ୟକୁ ମନେରଖେ, ଗାଦିଚ୍ୟୁତ ରଜାଟିଏ ଯେମିତି ତା’ର ଅତୀତର ଗୌରବ ଗାଥାକୁ ମନେ ରଖିଥାଏ, କାରାଗାର ଭିତରେ ବନ୍ଦୀଟି ଯେମିତି ତାର ସ୍ୱାଧୀନ ସୁଖମୟ ଅତୀତକୁ ମନେରଖେ, ମୁଁ ତୁମକୁ ସେମିତି ମୋ ସ୍ମୃତିରେ ସବୁଦିନପାଇଁ ବାନ୍ଧି ରଖିବି । ଜମିରେ ବୀଜବପନ କରୁଥିବା କୃଷକ ତାର ଖଳାରେ ବିଛାଡ଼ି ପଡ଼ିଥିବା ଗହମ କେଣ୍ଡାକୁ ଯେମିତି ମନେରଖିଥାଏ, ଯେମିତି ମେଷପାଳକଟିଏ ସବୁଜ ପ୍ରେରୀର କଅଁଳ ଘାସ ଓ ମଧୁର ଝରଣା ଜଳକୁ ମନେରଖିଥାଏ, ମୁଁ ବି ସେହିପରି ତୁମକୁ ମନେରଖିଥିବି ।”

ହୃଦୟର ସ୍ପନ୍ଦିତ ଆବେଗରେ ସେଲ୍‌ମା ମୋ କଥା ସବୁ ଶୁଣୁଥିଲା । ସଜଳ ନୟନରେ ସେ କହିଲା, “ଆଗାମୀକାଲି ଆଶଙ୍କାର ପ୍ରେତାତ୍ମା ଭୟାନକ ନଗ୍ନ ସତ୍ୟରୂପେ ପ୍ରତିଭାତ ହେବ, ଆଉ ଅନ୍ତରର ଜାଗରଣ ଏକ ସ୍ୱପ୍ନରୂପେ ରହିଯିବ । ଜଣେ ପ୍ରେମପ୍ରାର୍ଥୀ କ’ଣ ଗୋଟିଏ ପ୍ରେତକୁ କୋଳାଗ୍ରତ କରି ସନ୍ତୋଷ ଲାଭ କରିପାରିବ? ନା ଜଣେ ତୃଷାର୍ତ୍ତ ସ୍ୱପ୍ନର ଝରଣାରୁ ଜଳପାନ କରି ତାର ତୃଷା ମେଣ୍ଟେଇ ପାରିବ?”

 

ପ୍ରତ୍ୟୁତ୍ତରରେ ମୁଁ ତାକୁ କହିଲି, “ଆଗାମୀକାଲି ଭାଗ୍ୟ ତୁମକୁ ଶାନ୍ତି ଓ ସନ୍ତୋଷର ଏକ ପରିବାରର ଗହଳଚହଳ ଭିତରେ ଅବସ୍ଥାପିତ କରିବ, କିନ୍ତୁ ମୋତେ ଏକ ସଂଘର୍ଷମୟ ଓ ସଂଗ୍ରାମର ଦୁନିଆ ଭିତରକୁ ଠେଲିଦେବ । କାଲି ତୁମେ ଏକ ବିଶିଷ୍ଟ ବ୍ୟକ୍ତିର ପ୍ରାସାଦରେ ଥିବ, ତୁମର କମନୀୟତା ଓ ଆଚରଣ ତାଙ୍କପାଇଁ ଚରମ ଭାଗ୍ୟର ଉଦ୍ରେକ କରାଇବ । ଠିକ୍ ସେହି ସମୟରେ ମୁଁ ଯନ୍ତ୍ରଣା ଓ ଭୟର ଏକ ସନ୍ଦିଗ୍ଧ ଜୀବନଯାପନ କରିବି । ତୁମେ ଯେଉଁ ସମୟରେ ଜୀବନର ନୂତନ ବଳୟ ଭିତରକୁ ପ୍ରବେଶ କରୁଥିବ, ମୁଁ ପ୍ରବେଶ କରିବି ମୃତ୍ୟୁର ଦ୍ୱାର ଭିତରକୁ । ତୁମେ ବିପୁଳ ସ୍ୱାଗତ ପାଇ ନୂତନ ଜୀବନରେ ପାଦ ଦେବ, ମୁଁ ବିଜନତା ଭିତରେ ସଢ଼ୁଥିବି, କିନ୍ତୁ ମୃତ୍ୟୁର ସେହି ଉପତ୍ୟକା ଭିତରେ ମୁଁ ପ୍ରେମ ଆଉ ଉପାସନାର ପ୍ରତିମୂର୍ତ୍ତି ଗଠନ କରୁଥିବି । ପ୍ରେମର ଅନୁଚିନ୍ତା ହିଁ ମୋର ଏକମାତ୍ର ସାନ୍ତ୍ୱନା ହୋଇରହିବ । ମୁଁ ପ୍ରେମକୁ ହିଁ ମଦିରାରୂପେ ପାନ କରିବି ଓ ପରିଧାନ ବସ୍ତ୍ରରୂପେ ଗ୍ରହଣ କରିବି । ପ୍ରଭାତରେ ‘ପ୍ରେମ’ ହିଁ ମୋତେ ଗାଢ଼ ନିଦ୍ରାରୁ ଜାଗରିତ କରି ସୁଦୂର କ୍ଷେତକୁ ନେଇଯିବ, ମଧ୍ୟାହ୍ନରେ ବୃକ୍ଷରାଜିର ଶୀତଳ ଛାୟା ଯାଏ କଢ଼େଇ ନେବ ଏବଂ ସେଠାରେ ପକ୍ଷୀମାନଙ୍କ ସହିତ ମୁଁ ସୂର୍ଯ୍ୟର ଉତ୍ତାପରୁ ବର୍ତ୍ତି ନିରାପଦରେ ଆଶ୍ରୟ ନେବି । ସଂଜ ଆସିବା ପୂର୍ବରୁ ମୁଁ ଦିନାନ୍ତର ବିଦାୟୀ ଆଲୋକର ସଂଗୀତ ଶୁଣୁଥିବି ଏବଂ ଛାୟାମୂର୍ତ୍ତି ଭଳି ଶ୍ୱେତ ମେଘମାଳା ସନ୍ଧ୍ୟାର ଆକାଶରେ ଭାସି ବୁଲୁଥିବାର ଦେଖୁଥିବି । ବିଜନ ରାତିରେ ‘ପ୍ରେମ’ ହିଁ ମୋତେ ଆକର୍ଷିତ କରି ତା କୋଳରେ ସ୍ଥାନ ଦେବ । ତା’ପରେ ମୁଁ ନିଦ୍ରାଚ୍ଛନ୍ନ ହେବି । ସ୍ୱର୍ଗଲୋକର ସ୍ୱପ୍ନ ଭିତରେ ପ୍ରେମିକ ଓ କବିମାନଙ୍କ ଆତ୍ମାର ଇଲାକାରେ ପ୍ରେମ ସହ ଏକାକାର ହୋଇଯିବି । ଫଗୁଣ ଋତୁରେ ମୁଁ ‘ପ୍ରେମ’ ସହିତ ଏକାଠି ରାସ୍ତାରେ ଚାଲୁଥିବି । ରାସ୍ତାର ଦୁଇକଡ଼ରେ ବାଦାମୀ ଫୁଲ ଓ ମଲ୍ଲୀର ମତୁଆଲା ମହକ ଥିବ, ଆଉ କଇଁଫୁଲର ପିଆଲାରେ ଜାଡ଼ ଋତୁର ବାକିତକ ତରଳତାକୁ ପିଇଯିବି । ନିଦାଘ ଋତୁରେ ଛୋଟ ଛୋଟ ଜାଳେଣି କାଠବିଡ଼ାକୁ ମୁଣ୍ଡ ତଳେ ରଖି ସବୁଜ ଘାସର ମଧୁଶେଯ ଉପରେ ଶୋଇ ରାତିସାରା ନୀଳ ଆକାଶର ଜହ୍ନ ଓ ତାରାମାନଙ୍କୁ ଚାହିଁ ବେଶ୍ ଆରାମରେ ରାତି ବିତେଇ ଦେବି ।

 

“ଶରତ ଋତୁ ଆସିଲେ ପ୍ରେମ ଓ ମୁଁ ଦ୍ରାକ୍ଷାବନରେ ମଦିରା ପ୍ରସ୍ତୁତିର ମହାନ୍ ଦୃଶ୍ୟ ଦେଖୁଥିବୁ । ଦ୍ରାକ୍ଷାଲତାର ଅଙ୍ଗୁରଗୁଡ଼ିକ ସେମାନଙ୍କର ସୁନେଲି ନିର୍ଯ୍ୟାସକୁ ଅକାତରରେ ଦାନ କରୁଥିବାର ଦେଖୁଥିବୁ । ଆଉ, ଆମ ଉପରେ ଯାଯାବର ପକ୍ଷୀର ଚଳମାନ ସଂଗୀତ ଶୁଣୁଥିବୁ । ଶୀତ ରାତିରେ ଉହ୍ମେଇ ପାଖରେ ବସି ଦୂରଦୂରାନ୍ତରର ପ୍ରାଚୀନ କାହାଣୀ ଓ ଇତିହାସର ବର୍ଣ୍ଣନା ଶୁଣୁଥିବୁ । ଯୌବନର ପ୍ରାରମ୍ଭରେ ‘ପ୍ରେମ’ ହିଁ ମୋର ଗୁରୁ, ମଧ୍ୟାହ୍ନରେ ମୋର ଭରସା ଏବଂ ବାର୍ଦ୍ଧକ୍ୟରେ ମୋର ଆନନ୍ଦର ଉତ୍ସରୂପେ ମୋ ସାଥିରେ ରହିଥିବ । ହେ ମୋର ପ୍ରିୟତମା ସେଲ୍‌ମା, ‘ପ୍ରେମ’ ହିଁ ମୋ ସହିତ ଜୀବନର ଶେଷ ପର୍ଯ୍ୟନ୍ତ ରହିଥିବ ଏବଂ ମୃତ୍ୟୁ ପରେ ଈଶ୍ୱରଙ୍କ ହାତ ଆମକୁ ପୁଣିଥରେ ଏକତ୍ରିତ କରିବ ।”

 

ଏହି ସବୁ ଶବ୍ଦ ମୋ ହୃଦୟର ଗଭୀରତମ ଇଲାକାରୁ ଉହ୍ମେଇ ନିର୍ଗତ ଏକ ନୀଳ ଅଗ୍ନିଶିଖା ପରି ସ୍ୱତଃସ୍ଫୂର୍ତ୍ତ ଆସିଥିଲା ଏକ ଉଷ୍ଣ ଉଚ୍ଛ୍ୱାସରେ । ତାପରେ ପାଉଁଶରେ ପରିଣତ ହୋଇ ଉଭେଇଗଲା । ସେଲ୍‌ମା ଅବିଶ୍ରାନ୍ତଭାବେ ଲୁହ ଝରେଇ ଚାଲିଥିଲା । ସତେ ଯେମିତି ଆଖିଯୋଡ଼ିକ ଅଧରରେ ରୂପାନ୍ତରିତ ହୋଇ ହୃଦୟର ଭାଷାକୁ ଲୁହରେ ନିରବଚ୍ଛିନ୍ନ ଭାବରେ କହି ଚାଲିଥିଲା ।

 

ଭାସମାନ ମେଘଖଣ୍ଡର ଦୂରତାକୁ ଲଂଘି ଏକ ଯାଦୁକାରୀ ପ୍ରେମର ଦୁନିଆକୁ ଦେଖିବାକୁ ହେଲେ ପ୍ରେମର ପକ୍ଷ ଯୋଡ଼ିବାକୁ ହୁଏ । ସେହିଭଳି ବିଷାଦମୟ ସୁଖର ମୁହୂର୍ତ୍ତରେ ସେଲ୍‌ମା ଓ ମୋର ଆତ୍ମା ଦୃଷ୍ଟିଗୋଚର ହେଉନଥିବା ସେହି ଅନନ୍ୟ ଜଗତରେ ଏକତ୍ର ବିଚରଣ କରୁଥିଲେ । ପ୍ରେମ ଯାହାଙ୍କୁ ଅନୁଚରରୂପେ ଗ୍ରହଣ କରିନି, ସେମାନେ ପ୍ରେମର ଅନ୍ତଧ୍ୱର୍ନି ଶୁଣିପାରନ୍ତିନି । ଏ ବିଦଗ୍ଧ କାହାଣୀ ସେମାନଙ୍କପାଇଁ ନୁହେଁ । ସେମାନେ ଏ ପ୍ରେମର ପୃଷ୍ଠାଗୁଡ଼ିକୁ ବାରମ୍ବାର ପାଠକଲେ ମଧ୍ୟ ଏହାର ଛାୟାବୃତ ଗହନ ତଥ୍ୟକୁ ହୃଦୟଙ୍ଗମ କରିପାରିବେନି । ସେ ନିଗୂଢ଼ ଅର୍ଥ ଭାଷାର ଆବରଣରେ ନଥାଏ କିମ୍ବା କାଗଜର ଛାତିରେ ଲେଖା ହୋଇନଥାଏ । ଯେଉଁ ମଣିଷ ପ୍ରେମ ପିଆଲାରୁ ମଦିରା କେବେ ବି ପାନ କରିନି ସେ କେମିତି ବା ଏ କଥାକୁ ବୁଝିପାରିବ? ଯାହାର ଆତ୍ମା କେବେ ବି ଭକ୍ତିପୂତଭାବେ ମନ୍ଦିରର ପବିତ୍ର ବେଦୀ ସମ୍ମୁଖରେ ଛିଡ଼ା ହୋଇ ନାରୀ ଓ ପୁରୁଷମାନଙ୍କର ହୃଦୟର ବିସ୍ତୃତ ମିଳନ ପଥ ଦେଖିନି କିମ୍ବା ସ୍ୱପ୍ନର ଗୋପନ ଚନ୍ଦ୍ରାତପର ସୀମାରେଖାକୁ କେବେ ବି ଖୋଜିନି, ସେ’ ବା କେମିତି ଜାଣିବ ପ୍ରେମର ଅନ୍ତର୍ନିହିତ ଅର୍ଥକୁ? ଯେଉଁ ଫୁଲର ପାଖୁଡ଼ା ପାହାନ୍ତିର ଶିଶିର ବିନ୍ଦୁର ସ୍ପର୍ଶକୁ ଅନୁଭବ କରିନି କିମ୍ବା ଯେଉଁ ନିର୍ଝର ସମୁଦ୍ରରେ ମିଶିବା ପୂର୍ବରୁ ଦିଗହରା ହୋଇଯାଏ, ସେମାନେ ବା କେମିତି ଜାଣିବେ ପ୍ରେମର ମର୍ମସ୍ପର୍ଶୀ ନିଗୂଢ଼ତା?

 

ଏଥର ସେଲ୍‌ମା ତା’ର ମୁଖମଣ୍ଡଳର ଦୃଷ୍ଟିକୁ ଆକାଶମନସ୍କ କଲା । ଅର୍ଦ୍ଧାକାଶର ସ୍ୱର୍ଗୀୟ ତାରକାମାନଙ୍କର ଦ୍ୟୁତିକୁ ନିରୀକ୍ଷଣ କଲା । ସେ ତା’ର ବାହୁ ଦୁଇଟିକୁ ପ୍ରସାରିତ କଲା, ଆଖିଯୋଡ଼ିକ ବିସ୍ଫାରିତ କଲା । ତା’ର ଓଠରେ କମ୍ପନ ସୃଷ୍ଟିହେଲା । ତା’ର ମଉଳା ମୁହଁରେ ମୁଁ ଦେଖି ପାରିଲି ଦୁଃଖ, ନିର୍ଯ୍ୟାତନା, ଅସହାୟତା ଓ ଯନ୍ତ୍ରଣାର ଗଭୀର ଚିହ୍ନ । ତା ପରେ ସେ କଇଁ କଇଁ ହୋଇ କାନ୍ଦି ଉଠିଲା । ଈଶ୍ୱରଙ୍କ ଉଦ୍ଦେଶ୍ୟରେ ନିବେଦନ କରି କହିଲା, “ହେ ପ୍ରଭୁ, ଜଣେ ନାରୀ ରୂପରେ ମୁଁ କେଉଁ କାର୍ଯ୍ୟଦ୍ୱାରା ତୁମକୁ ଅପମାନିତ କରିଛି? କେଉଁ ଅପରାଧପାଇଁ ମୁଁ ଏଭଳି ଦଣ୍ଡର ପାତ୍ରୀ? କେଉଁ ଦୋଷପାଇଁ ଏଭଳି ଚିର ବିଚ୍ଛେଦର ମୁଁ ଅଧିକାରିଣୀ? ହେ ପ୍ରଭୁ, ତୁମେ ସର୍ବଶକ୍ତିମାନ୍ ଆଉ ମୁଁ ଦୁର୍ବଳା । କାହିଁକି ବା ତୁମେ ମୋତେ ଏ ଯନ୍ତ୍ରଣା ସହିବାକୁ ଗଢ଼ିଛ? ତୁମେ ମହାନ୍ ଆଉ ମୁଁ ତୁମର ସିଂହାସନ ତଳେ ସାଲୁବାଲୁ ନଗଣ୍ୟ କୀଟଟିଏ ମାତ୍ର । ତୁମେ କାହିଁକି ମୋତେ ତୁମର ପାଦରେ ଦଳିମଥି ଦେଉଛ? ତୁମେ ପ୍ରଳୟ ଝଞ୍ଜା ଆଉ ମୁଁ ଏକ ସାମାନ୍ୟ ଧୂଳିକଣା । କ’ଣ ପାଇଁ ତୁମେ ନିର୍ଦ୍ଦୟ ଭାବରେ ମୋତେ ବରଫଶୀତଳ ଇଲାକାରେ ନିକ୍ଷେପ କରୁଛ? ତୁମେ ଶକ୍ତିର ଆଧାର, ମୁଁ ଅସହାୟା । ତୁମେ ମୋ ସହିତ କାହିଁକି ଶକ୍ତି ପରୀକ୍ଷା କରୁଛ? ତୁମେ ଦୟାବାନ୍‌, ମୁଁ ମୂଢ଼ମତି । ତୁମେ କ’ଣପାଇଁ ମୋତେ ଧ୍ୱସ୍ତବିଧ୍ୱସ୍ତ କରୁଛ? ତୁମେ ନାରୀକୁ ପ୍ରେମ ସହିତ ସୃଷ୍ଟି କରିଛ । ତାହେଲେ କାହିଁକି ପ୍ରେମପାଇଁ ତାକୁ ଛାରଖାର କରୁଛ? ସେ ଜାଣିପାରୁନି ତୁମେ ତାକୁ ତୁମର ବାମହସ୍ତରେ ଟେକି ଧରିଛ, ଅଥଚ ଡାହାଣ ହାତରେ ତାକୁ ଅତଳକୁ ନିକ୍ଷେପ କରୁଛ କେଉଁ ନ୍ୟାୟରେ? ଶରୀରରେ ପ୍ରଶ୍ୱାସ ଭରି ତାକୁ ଜୀବନ ଦେଇଛ, ଅଥଚ ତା’ର ହୃଦୟରେ ମୃତ୍ୟୁର ବୀଜ କାହିଁକି ବୁଣିଦେଇଛ? ତାକୁ ତୁମେ ସୁଖର ପଥ ଦେଖାଇଛ, ଅଥଚ ତାକୁ କାହିଁକି ଦୁଃଖଦୁର୍ଦ୍ଦଶାର ମାର୍ଗକୁ ଟାଣି ନେଉଛ? ତାର ଓଠରେ ଆନନ୍ଦର ମଧୁର ଗୀତି ଭରି ଦେଇଛ, କିନ୍ତୁ କ’ଣପାଇଁ ଓଠକୁ ଦୁଃଖର ମୁଖରୋଧକରେ ଚାପି ଧରି ତା’ର ଆତ୍ମାକୁ ଛଟପଟ କରୁଛ । ତୁମେ ତୁମର ଅଦୃଶ୍ୟ ଅଙ୍ଗୁଳିରେ ତା’ର କ୍ଷତକୁ ଉପଚାର କରୁଛ ଅଥଚ ତୁମରି ହାତରେ ତା’ର ଆନନ୍ଦ ଭିତରେ ଯନ୍ତ୍ରଣାର କାରୁଣ୍ୟ ସୃଷ୍ଟି କରୁଛ । ତା’ର ଶେଯ ଉପରେ ସୁଖ ଓ ଶାନ୍ତିକୁ ବିଛାଇ ରଖି ଚାରିପଟେ ବାଧା ଓ ଭୟର ପ୍ରାଚୀର ସୃଷ୍ଟି କରିଛ । ତୁମରି ଇଚ୍ଛାରେ ତା ଭିତରେ ସ୍ନେହର ଝରଣାକୁ ଉଚ୍ଛଳ କରିଛ, ଅଥଚ ସେହି ଉତ୍ସରୁ ଗ୍ଳାନି ଉତ୍ପନ୍ନ କରାଉଛ । ତୁମରି କରୁଣାରୁ ସେ ସୃଷ୍ଟିର ସୌନ୍ଦର୍ଯ୍ୟକୁ ଅବଲୋକନ କରୁଛି, ଅଥଚ ତା’ର ସୌନ୍ଦର୍ଯ୍ୟକୁ ଏକ ଭୟାବହ ଗହ୍ୱର ଭିତରକୁ ଠେଲି ଦେଉଛ । ମୃତ୍ୟୁର ପାନପାତ୍ରରୁ ତାକୁ ଜୀବନକୁ ପାନ କରିବାକୁ ଶିଖାଉଛ ଅଥଚ ମୃତ୍ୟୁକୁ ଜୀବନର ପାନପାତ୍ରରେ ଭରି ରଖିଛ ! ତାର ଅଶ୍ରୁରେ ଧୋଇ ତାକୁ ପବିତ୍ର କରିଛ, ଅଥଚ ସେହି ଅଶ୍ରୁରେ ତାର ଜୀବନକୁ ଭସାଇ ନେଉଛ । ହେ ପ୍ରଭୁ, ତୁମେ ପ୍ରେମଦ୍ୱାରା ମୋର ଚକ୍ଷୁରେ ଉନ୍ମେଷ ଆଣିଛ ଅଥଚ ସେହି ପ୍ରେମଦ୍ୱାରା ମୋତେ ଦିଗହରା କରୁଛ । ତୁମେ ତୁମର ଅଧରରେ ମୋତେ ଚୁମ୍ବନ ଦେଉଛ ଅଥଚ ଶକ୍ତ ହସ୍ତରେ ମୋତେ ଆଘାତ ଦେଉଛ । ତୁମେ ମୋ ହୃଦୟ ଭିତରେ ଏକ ଶ୍ୱେତ ଗୋଲାପ ଥାପି ଦେଇଛ, ଅଥଚ ସେହି ଗୋଲାପ ଚାରିପଟେ କଣ୍ଟାର ପ୍ରାଚୀର ସୃଷ୍ଟି କରି ରଖିଛ-। ତୁମେ ମୋର ବର୍ତ୍ତମାନକୁ ମୁଁ ଭଲପାଉଥିବା ଜଣେ ଯୁବକର ଆତ୍ମା ସହିତ ବାନ୍ଧି ରଖିଛ, ଅଥଚ ମୋର ଶରୀରକୁ ଜଣେ ଅଜଣା ଲୋକ ସହିତ ଛନ୍ଦି ଦେଉଛ । ତେଣୁ, ହେ ପ୍ରଭୁ, ମୁଁ ତୁମକୁ ପ୍ରାର୍ଥନା କରୁଛି ମୋତେ ଶକ୍ତି ଦିଅ, ଯଥେଷ୍ଟ ଶକ୍ତି ଦିଅ ମୁଁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଯେମିତି ସତ୍ୟନିଷ୍ଠା ଓ ପୁଣ୍ୟମାର୍ଗରେ ଏଭଳି ମାରାତ୍ମକ ସଂଘର୍ଷ ଭିତରେ ନିଜକୁ ପରିଚାଳିତ କରିପାରିବି । ହେ ପ୍ରଭୁ, ହେ ଈଶ୍ୱର, ତୁମର ଇଚ୍ଛାର ପୂର୍ତ୍ତି କରିଯିବି । ବିପଦ ଯଦି ଗୋ ଦେଇଛ ଠାକୁରେ, ଶକ୍ତି ଦିଅ ସହିବାରେ; ଜୀବନ ମୋର ପୂର୍ଣ୍ଣ କରିବି ତୁମରି ଆଦେଶ ପାଳିବାରେ-।”

 

ତାପରେ ନୀରବତା ଛାଇଗଲା । ସେଲ୍‌ମା ତଳକୁ ମୁହଁ ପୋତିଦେଲା । ବିଷଣ୍ଣତା ତା ମୁଖମଣ୍ଡଳରେ ରାଜୁତି କରୁଥିଲା । ବାହୁଦୁଇଟି ଅବଶ ହୋଇ ତଳକୁ ଓହଳି ପଡ଼ିଥିଲା । ମୁହଁଟି ନଇଁ ଯାଇଥିଲା । ସତେ ଯେମିତି ବାତାହତ ବୃକ୍ଷଟିର ଶାଖାଟିଏ ବିଚ୍ଛିନ୍ନ ହୋଇ ମୃତ୍ୟୁକୁ ଅପେକ୍ଷା କରିଛି ।

 

ଶୀତଳ ହୋଇ ଆସୁଥିବା ତାର ହାତକୁ ମୋ ହାତରେ ରଖି ଚୁମାଟିଏ ଦେଲି । ଯେତେବେଳେ ତାକୁ ସାନ୍ତ୍ୱନା ଦେବାକୁ ଚେଷ୍ଟାକଲି, ମୁଁ ମୋ ଭିତରେ ଅନୁଭବ କଲି ତାଠୁ ମୋତେ ହିଁ ଅଧିକ ସାନ୍ତ୍ୱନାର ଆବଶ୍ୟକତା ରହିଛି । ମୁଁ ନୀରବତା ରକ୍ଷାକଲି । ଆମର ଅସହାୟ ଅବସ୍ଥାକୁ ଚିନ୍ତାକରି ମୁଁ ମୋର ହୃଦୟର କମ୍ପନକୁ ଗଭୀରଭାବେ ଶୁଣିପାରୁଥିଲି । ଆମେ ଦୁହେଁ କାହାକୁ କିଛି କହିପାରିଲୁନି । ନୀରବତାରେ ହିଁ ମନର ଭାଷା ମନ ଭିତରେ ରୁନ୍ଧିଗଲା ।

 

ମାତ୍ରାଧିକ ମାନସିକ ଯନ୍ତ୍ରଣା ମଣିଷକୁ ମୂକ କରିଦିଏ । ଆମେ ଦୁହେଁ ଅଜଣା ଭୟରେ ନୀରବରେ ସେଠାରେ ବସିରହିଲୁ ଭୂମିକମ୍ପରେ ମାଟିତଳେ ପୋତି ହୋଇଥିବା ମାର୍ବଲ୍ ସ୍ତମ୍ଭ ପରି । କେହି କାହାକୁ ଶୁଣିବାର ଅବସ୍ଥାରେ ନଥିଲୁ । ଆମ ହୃଦୟର ଗ୍ରନ୍ଥି ସବୁ ଦୁର୍ବଳ ହୋଇସାରିଥିଲା । ଏମିତିକି ଆମର ନିଃଶ୍ୱାସ ସେଗୁଡ଼ିକୁ ଦୋହଲାଇ ଦେବାରେ ଲାଗିଥିଲା ।

 

ରାତି ଗଭୀର ହୋଇ ସାରିଥିଲା । ଦା-ଜହ୍ନ ଉଠି ଆସୁଥିଲା ସାନ୍ନିନ୍ ପର୍ବତମାଳାର ପଛପଟୁ । ମ୍ଳାନ ଜହ୍ନଟି ତାରାମାନଙ୍କ ଗହଣରେ ଏକ ମୃତକର ମୁହଁ ଭଳି ସଫେଦ୍‍ ଦେଖାଯାଉଥିଲା । ସତେ ଯେମିତି ଶବାଧାର ଚାରିପଟେ ସ୍ତିମିତ ମହମବତୀର ମ୍ଳାନ ଆଲୋକ । ଲେବାନନ୍ ସେତିକିବେଳେ ବୟସ ଭାରରେ ନଇଁଯାଇଥିବା ଏକ ବୃଦ୍ଧ ଭଳି ଦେଖାଯାଉଥିଲା । ସତେ ଯେମିତି ତାର ଆଖି ଯୋଡ଼ିକ ନିଦ୍ରାହୀନତାରେ ଆକ୍ରାନ୍ତ ପଳାତକ, ପଥପ୍ରାନ୍ତରେ ଆଶ୍ରୟ ଖୋଜୁଛି । ଏକଲୟରେ ଅନ୍ଧାରକୁ ଚାହିଁ ବସିଛି । ଯେମିତି ଗାଦିଚ୍ୟୁତ ରଜାଟିଏ ପ୍ରାସାଦର ଧ୍ୱଂସସ୍ତୁପ ଉପରେ ବସି ପ୍ରଭାତର ପ୍ରତୀକ୍ଷା କରୁଛନ୍ତି ।

 

ମଣିଷଟିଏ ତାର ଅନୁଭୂତି ଓ ଭାବାବେଗର ପରିବର୍ତ୍ତନରେ ବଦଳିଯାଏ । ଯେମିତି ପର୍ବତମାଳା, ଗଚ୍ଛବୃଚ୍ଛର ସବୁଜିମା, ନଦୀ ସମୟର ବିଭିନ୍ନ ଛକରେ ଓ ଋତୁଚକ୍ରର ପରିବର୍ତ୍ତନରେ ବଦଳି ଥାନ୍ତି । ଦିନରେ ଚିରହରିତ ଅଶ୍ୱତ୍‌ଥ ବୃକ୍ଷଟି ନବବଧୂଟିଏ ପରି ଦେଖାଯାଏ, କିନ୍ତୁ ରାତିର ଅନ୍ଧାରରେ ଏକ ଧୂମ୍ରାଭ ସ୍ତମ୍ଭ ପରି ପ୍ରତୀତ ହୁଏ । ବିଶାଳ ଶିଳା ଖଣ୍ଡଟି ଦିବାଲୋକରେ ନିଜର ଗୁରୁତ୍ୱକୁ ଜାହିର କରିଥାଏ କିନ୍ତୁ ରାତିର ଅନ୍ଧକାରରେ ସେ ତାର ଅସ୍ତିତ୍ୱ ହଜାଇ ଗୌଣ ଓ ଦୟନୀୟ ହୋଇଯାଏ । କେବଳ ପୃଥିବୀକୁ ଶେଯ ମନେକରେ ଓ ଆକାଶକୁ ଚାଦରରୂପେ ଘୋଡ଼େଇ ହୋଇଥାଏ । ସକାଳର ଉଜ୍ଜ୍ୱଳ ଆଲୋକରେ ଝରଣାର ଜଳ ଚିକ୍ ଚିକ୍ କରେ ଓ କୁଳୁକୁଳୁ ନାଦରେ ସ୍ୱର୍ଗୀୟ ଗୀତି ଉଚ୍ଚାରଣ କରିଯାଏ, କିନ୍ତୁ ରାତିରେ ତାର ଜଳ ପୁତ୍ର ବିରହ ବିଧୂରା ଜଣେ ଜନନୀର ଲୁହର ଉତ୍ସ ଭଳି ଜଣାଯାଏ । ଏକ ସପ୍ତାହ ପୂର୍ବରୁ ଯେତେବେଳେ ପୂର୍ଣ୍ଣିମାର ଜହ୍ନ ଉଜ୍ଜ୍ୱଳ ଆଲୋକରେ ପୁଲକିତ ଥିଲା, ସେଲ୍‌ମା ଓ ମୋର ଆତ୍ମା ଆନନ୍ଦବିଭୋର ହୋଇଥିଲା । ଲେବାନନ୍ ଏକ ଆଭିଜାତ୍ୟରେ ସଗର୍ବେ ମୁଣ୍ଡ ତୋଳିଥିଲା । ଆଜିର ପ୍ରକୃତି କିନ୍ତୁ ନିଛାଟିଆ, ଅସହାୟ ଓ ନିଷ୍ପ୍ରଭ ଲାଗୁଥିଲା ।

 

ଆମେ ଦୁହେଁ ବିଦାୟ ନେବାପାଇଁ ଛିଡ଼ାହେଲୁ । କିନ୍ତୁ ଆମ ମଝିରେ ପ୍ରେମ ଓ ହତାଶା ଦୁଇଟି ପ୍ରେତାତ୍ମାଭଳି ଛିଡ଼ା ହୋଇଥିଲେ । ଜଣେ ତା’ର ଡେଣାଯୋଡ଼ିକୁ ପ୍ରସାରିତ କରିଥିଲା । ଅନ୍ୟ ଜଣେ ତା’ର ବୀଭତ୍ସ ଅଙ୍ଗୁଳିରେ ଆମର ବେକକୁ ଚାପି ଧରି କଣ୍ଠରୋଧ କରିବାକୁ ଚେଷ୍ଟା କରୁଥିଲା । ଜଣେ ନୀରବରେ କାନ୍ଦୁଥିଲା, ଆଉଜଣେ କ୍ରୁର ଆସ୍ଫାଳନରେ ହସୁଥିଲା ।

 

ମୁଁ ସେଲ୍‌ମାର ହାତ ମୋର ଓଠରେ ଚାପି ଧରିଲି । ସେ ମୋ ପାଖକୁ ଲାଗି ଆସି ମୋର କପାଳରେ ଚୁମ୍ବନଟିଏ ଦେଇ ପାଖରେ ଥିବା କାଠର ବେଞ୍ଚ୍ ଉପରେ ଲୋଟିପଡ଼ିଲା । ସେ ତା’ର ଆଖି ଯୋଡ଼ିକ ମୁଦି ଧୀର ସ୍ୱରରେ ପ୍ରାର୍ଥନା କଲା, “ହେ ପ୍ରଭୁ, ମୋତେ ଦୟାକର । ମୋର ଆହତ ପକ୍ଷଯୋଡ଼ିକୁ ପୁଣିଥରେ ସକ୍ଷମ କରିଦିଅ!”

 

ଉଦ୍ୟାନ ଭିତରେ ସେଲ୍‌ମାଠୁ ଦୂରକୁ ଚାଲିଆସିଲି । ମୋତେ ଜଣାଗଲା, ମୋର ଚିନ୍ତା ଓ ଚେତନା ଉପରେ ଏକ ଆବରଣ ଢାଙ୍କି ଯାଇଛି କୁହୁଡ଼ିରେ ଲୁଚିଯାଇଥିବା ଏକ ହ୍ରଦର ଉପରିଭାଗ ପରି ।

 

ମୋ ଚାରିପଟେ ଥିବା ଗଛବୃଚ୍ଛର ସୌନ୍ଦର୍ଯ୍ୟ, ଜ୍ୟୋତ୍ସ୍ନା ପୁଲକିତ ରାତି, ଗଭୀର ନିସ୍ତବ୍ଧତା, ସବୁକିଛି ମୋତେ କଦାକାର ଓ ଭୟାନକ ପ୍ରତୀତ ହେଉଥିଲେ । ଯେଉଁ ଧ୍ରୁବ ଆଲୋକ ମୋତେ ବିଶ୍ୱବ୍ରହ୍ମାଣ୍ଡର କମନୀୟତା ଓ ବିସ୍ମୟ ସହ ପରିଚିତ କରାଇଥିଲା, ତାହା ଏକ ଲେଲିହାନ ଅନଳ ଶିଖାରେ ପରିଣତ ହେଲା । ଆଉ ତାରି ତାତି ମୋର ହୃଦୟକୁ ବିଦୀର୍ଣ୍ଣ କରିଦେଲା । ଯେଉଁ ସ୍ୱର୍ଗୀୟ ସଂଗୀତ ମୋ ଭିତରେ ତନ୍ମୟତା ସୃଷ୍ଟି କରୁଥିଲା, ହଠାତ୍ ମୋତେ ଜଣାଗଲା ଏକ ସିଂହର ଗର୍ଜନରେ ମୋ ଛାତିକୁ ଥରାଇ ଦେଉଛି ।

ମୁଁ ମୋର କୋଠରୀକୁ ଫେରି ଆସିଥିଲି, ଶୀକାରୀର ତୀରରେ ଆହତ ଏକ ପକ୍ଷୀପରି-। ଶେଯ ଉପରେ ଶୋଇ ମୁଁ ସେଲ୍‌ମାର୍ କଥାଗୁଡ଼ିକୁ ମନରେ ପୁନରାବୃତ୍ତି କଲି । ‘ହେ ପ୍ରଭୁ, ମୋତେ ଦୟାକର, ମୋର ଆହତ ପକ୍ଷ ଯୋଡ଼ିକୁ ପୁଣି ଥରେ ସକ୍ଷମ କରିଦିଅ ।’

•••

 

-୭-

ମୃତ୍ୟୁର ସିଂହାସନ ନିକଟରେ

 

ସେହି ସମୟର ବିବାହ ପ୍ରଥା ଏକ ଶୋଚନୀୟ ସ୍ଥିତିରେ ଥିଲା । ବୈବାହିକ ଅନୁଷ୍ଠାନ ଯୁବକ ଓ ପିତାମାତାଙ୍କ ଅଭିନୀତ ଏକ ସୁଆଙ୍ଗରେ ପରିଣତ ହୋଇସାରିଥିଲା । ବିବାହ ପ୍ରଥାରେ ଅଧିକାଂଶ ଦେଶରେ ଯୁବକମାନଙ୍କର ପ୍ରାଧାନ୍ୟ ପ୍ରତିଷ୍ଠିତ ଥିଲା । ପିତାମାତାମାନଙ୍କର କିଛି ଗୁରୁତ୍ୱ ନଥିଲା । ଯୁବତୀ ଓ ନାରୀମାନେ ପଣ୍ୟଦ୍ରବ୍ୟରୂପେ ବିବେଚିତ ହେଉଥିଲେ ଗୋଟାଏ ଗୃହରୁ କିଣା ହୋଇ ଅନ୍ୟ ଗୋଟିଏ ଗୃହରେ ଥୁଆ ହେବାପରି । ଆଉ ଯେତେବେଳେ ତା ସୌନ୍ଦର୍ଯ୍ୟରେ ମହଳଣ ଆସୁଥିଲା, ତାକୁ ଗୋଟିଏ ପୁରୁଣା ଆସବାବ ଭଳି ଗୃହର ଗୋଟିଏ ଅନ୍ଧାରୁଆ କୋଣରେ ରଖି ଦିଆଯାଉଥିଲା ।

 

ଆଧୁନିକ ସଭ୍ୟତା ନାରୀକୁ ସୀମିତ ଜ୍ଞାନସଂପନ୍ନ ବ୍ୟକ୍ତିସତ୍ତାରୂପେ ବିବେଚନା କରୁଛି । ପୁରୁଷର ଲୋଲୁପ ଦୃଷ୍ଟିପାଇଁ ବଢ଼ିଯାଇଛି ନାରୀର ଦୁର୍ଦ୍ଦଶା । ବିଗତ ଦିନରେ ନାରୀଟିଏ ସୁଖର ଜୀବନ ଜୀଉଥିଲା । ଏବେ କିନ୍ତୁ ତାର ସ୍ଥିତି ବଦଳି ଯାଇଛି । ସେ ଦୁଃସ୍ଥ ରକ୍ଷିତାମାତ୍ର । ପୂର୍ବରୁ ଜଣେ ନାରୀ ଦିବାଲୋକରେ ଆଖିବୁଜି ନିରାପଦରେ ରାସ୍ତା ଚାଲିପାରୁଥିଲା । ଏବେ ଆଖି ଖୋଲି ଚାଲିବାରେ ବି ବିପଦ । ନାରୀଟିଏ ତା’ର ଅଜ୍ଞତା ଭିତରେ ବି କମନୀୟ ଥିଲା, ସରଳତା ଭିତରେ ସଦାଚାରୀ ଥିଲା ଓ ତା’ର ଦୁର୍ବଳତା ଭିତରେ ବି ଶକ୍ତିଶାଳୀ ଥିଲା । ଏବେ ତା’ର କୁଶଳତା ଭିତରେ କଦାକାର, ତାର ଜ୍ଞାନବତ୍ତା ସତ୍ତ୍ୱେ ବାହ୍ୟ ପରିପାଟୀସମ୍ପନ୍ନ ଅଥଚ ହୃଦୟହୀନା । ଆଉ କ’ଣ ସେଦିନ ଆସିବ, ଯେବେ ଜଣେ ନାରୀ ସୁନ୍ଦରୀ ଓ ଜ୍ଞାନୀ, କୁଶଳୀ ଓ ସଦାଚାରୀ ହେବା ସହିତ ଦୁର୍ବଳ ଶରୀରରେ ବି ଆତ୍ମଶକ୍ତିର ଅଧିକାରୀ ହୋଇପାରିବ?

 

ମଣିଷ ଜୀବନରେ ଆଧ୍ୟାତ୍ମିକ ପ୍ରଗତିରେ ମୁଁ ବିଶ୍ୱାସ କରେ । କିନ୍ତୁ ଏହାର ପୂର୍ତ୍ତି ପଥ ଅତି ଧୀର ଓ ଯନ୍ତ୍ରଣାଦାୟୀ । ଯଦି ଜଣେ ନାରୀ ତାର ପ୍ରଗତି ଲକ୍ଷ୍ୟରେ ଗୋଟିଏ ପଥରେ ଉନ୍ନତି କରେ ଓ ଅନ୍ୟଟିରେ ପଛେଇ ଯାଏ, ତାର କାରଣ ପର୍ବତ ଶିଖର ଆରୋହଣ ପରି ସେ ପଥରେ ବହୁ ବାଧାବିଘ୍ନ ଥାଏ । କେଉଁଠି ଚୋର ଡକାୟତମାନଙ୍କ ପ୍ରାବଲ୍ୟ ତ କେଉଁଠି ହେଟାବାଘର ଆତଙ୍କ ।

 

ଏଭଳି ଏକ ପିଢ଼ି ନିଦ୍ରା ଓ ଜାଗୃତିର ଅଜବ ସନ୍ଧିକ୍ଷଣରେ ଗତି କରୁଛି ହାତରେ ଅତୀତର ମାଟି ଓ ଭବିଷ୍ୟତର ବୀଜ ବହନ କରି । ତଥାପି ବି ପ୍ରାୟ ପ୍ରତି ସହରରେ ଆମେ ଆପାତତଃ ଜଣେ ନାରୀ ଭବିଷ୍ୟତର ପ୍ରତୀକରୂପେ ଦେଖିଥାଉଁ ।

 

ଲେବାନନ୍‌ର ବୀରୁଥ୍ ସହରର ପ୍ରାଚ୍ୟ ଲଳନା ସେଲ୍‌ମା କାରାମୀ ସେମିତି ଭବିଷ୍ୟତର ଜଣେ ପ୍ରତୀକ । ଅନ୍ୟାନ୍ୟ ଅନେକଙ୍କ ପରି ସମୟର ଆଗେ ଆଗେ ଚାଲିବାର ସାମର୍ଥ୍ୟ ରଖିଥିଲା ସେ । କିନ୍ତୁ, ସେଇ ସେଲ୍‌ମା ବର୍ତ୍ତମାନର ଯୂପରେ ବଳି ବନିଗଲା । ପ୍ରଖର ନଦୀ ସ୍ରୋତରେ ବୃନ୍ତଚ୍ୟୁତ କଳିକାଟିଏ ପରି ସେ ଦାରୁଣ ପରାଜୟର ଶୋଭାଯାତ୍ରାରେ ସାମିଲ ହୋଇଗଲା ।

 

ମନ୍‌ସୁର୍ ବେ ଘାଲିବ ଓ ସେଲ୍‌ମାଙ୍କ ବିବାହ ହେଲା । ସେମାନେ ରାସବୀରୁଥ୍‌ର ଏକ ସୁଦୃଶ୍ୟ ଉଆସରେ ଏକାଠି ରହୁଥିଲେ । ସେ ଅଞ୍ଚଳ ଧନାଢ଼୍ୟ ଆଭିଜାତ୍ୟସମ୍ପନ୍ନଙ୍କ ଉପନିବେଶ ଥିଲା । ଫାରିସ୍ ଏଫାଣ୍ଡି କାରାମୀ ତାଙ୍କର ଲୋଭନୀୟ ଉଦ୍ୟାନ ଘେରା ନିକାଞ୍ଚନ ସୁରମ୍ୟ ପ୍ରାସାଦରେ ଏକାକୀ ହୋଇଗଲେ, ଉପତ୍ୟକାର ମେଷପଲ ଭିତରେ ନିଛାଟିଆ ମେଷପାଳକଟିଏ ପରି ।

 

ବିବାହ ସୁଖର ଦିନ ଓ ରାତି ବିତିଗଲା । ଛାଡ଼ିଗଲା ମଧୁଚନ୍ଦ୍ରିକା ସମୟର ତିକ୍ତ, ଦୁଃଖଦ ସ୍ମୃତି ସବୁ । ଯୁଦ୍ଧଭୂମିର ଖପୁରୀ ଓ କଙ୍କାଳମାଳ ପରି ଖାଲି ବିଷାଦିତ ସ୍ମୃତି ରହିଗଲା । ପ୍ରାଚ୍ୟର ଆଭିଜାତ୍ୟ ସମ୍ପନ୍ନ ବିବାହ ଯୁବକ-ଯୁବତୀମାନଙ୍କ ହୃଦୟରେ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥାଏ କିନ୍ତୁ, ଉତ୍ସବର ସମାପ୍ତି ପରେ ସେ ସ୍ମୃତି ଅବହେଳାର ମାଇଲ୍ ଖୁଣ୍ଟିପରି ହଜିଯାଏ । ସେମାନଙ୍କର ଉଚ୍ଛ୍ୱାସ ବେଳାଭୂମିର ପାଦଚିହ୍ନ ପରି କ୍ଷଣସ୍ଥାୟୀ । ଜୁଆର ଆସି ଧୋଇନେବା ପର୍ଯ୍ୟନ୍ତ ସେ ସ୍ମୃତି ଟିକକ ରହିଥାଏ ।

 

ବସନ୍ତ ଋତୁ ବିଦାୟ ନେଲା ପରେ ଗ୍ରୀଷ୍ମ ଓ ଶରତ ବିତି ଯାଇଥିଲା । ସେଲ୍‌ମା ପ୍ରତି ମୋର ଅନୁରକ୍ତି ଦିନକୁ ଦିନ ପ୍ରଗାଢ଼ ହୋଇଚାଲିଥିଲା । ମନ ଭିତରେ ସେ ପ୍ରେମ ଏକ ନୀରବ ଉପାସନାରୂପେ ବସିଯାଇଥିଲା । ସ୍ୱର୍ଗରେ ଥିବା ମା’ଟିର ଆତ୍ମା ପ୍ରତି ଯେମିତି ଛେଉଣ୍ଡ ଶିଶୁର ଅନୁରକ୍ତି ଗୁମୁରି ଉଠେ, ମୋର ଉତ୍କଣ୍ଠା ଘୋର ଦୁଃଖ ରୂପରେ ପ୍ରତିଭାତ ହେଲା । କେବଳ ନିଜର ଦୁଃଖଦ ରୂପ ବ୍ୟତୀତ ଅନ୍ୟ କିଛି ଦୃଶ୍ୟ ହେଉ ନଥିଲା । ଅନ୍ତରର ଆବେଗ ନୟନର ଲୁହରେ ନିଗିଡ଼ିବାରେ ଲାଗିଥିଲା । କ୍ରମେ ସେହି ଆବେଗ ଏକ ବିହ୍ୱଳତାରେ ରୂପାନ୍ତରିତ ହୋଇ ମୋ ହୃଦୟର ଲହୁ ଶୋଷିବାରେ ଲାଗିଲା । ମୋର ପ୍ରତିଟି ସ୍ନେହର ଉଚ୍ଛ୍ୱାସରେ ସେଲ୍‌ମା ଓ ତାର ସ୍ୱାମୀର ସୁଖ ନିମନ୍ତେ ଅନବରତ ପ୍ରାର୍ଥନା ହିଁ ଝରୁଥିଲା ଏବଂ ବିଜନତା ଭିତରେ ପଡ଼ିରହିଥିବା ତା’ ପିତାଙ୍କ ମାନସିକ ଶାନ୍ତିପାଇଁ ବି ମୁଁ ନୀରବ ପ୍ରାର୍ଥନା କରୁଥିଲି ।

 

ମୋର ଆଶା ଓ ପ୍ରାର୍ଥନା ସବୁ ବିଫଳ ହେଲା । କାରଣ, ସେଲ୍‌ମାର ଦୁଃଖ ଓ ଯନ୍ତ୍ରଣା ଏକ ଆଭ୍ୟନ୍ତରୀଣ ବ୍ୟାଧିରେ ପରିଣତ ହୋଇସାରିଥିଲା । କେବଳ ମୃତ୍ୟୁ ହିଁ ତାର ଉପଶମ ।

 

ଜୀବନର ସମସ୍ତ ସୁଖ ଓ ବିଳାସ ମନ୍‌ସୁର ବେ’ ଙ୍କୁ ଅତି ସହଜରେ ଉପଲବ୍ଧ ହେଉଥିଲା । ତା ସତ୍ତ୍ୱେ ବି ସେ ସଦାବେଳେ ଅସନ୍ତୁଷ୍ଟ ଓ ହିଂସ୍ର ହୋଇ ରହୁଥିଲେ । ସେଲ୍‌ମା ସହିତ ବିବାହ ପରେ ସେ ତାଙ୍କ ବାପାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କଲେ ଓ ତାଙ୍କୁ ଦୁଃଖ ଓ ନିଃସଙ୍ଗତା ଦେବାର ସବୁ ପ୍ରୟାସ ଜାରି ରଖିଥିଲେ । ଏମିତିକି ବୃଦ୍ଧ ବ୍ୟକ୍ତିଟିର ମୃତ୍ୟୁ ନିମନ୍ତେ ସେ ପ୍ରାର୍ଥନା ମଧ୍ୟ କରୁଥିଲେ । ତାଙ୍କର ମୃତ୍ୟୁ ପରେ ସେ ଅମାପ ସମ୍ପତ୍ତିର ଉତ୍ତରାଧିକାରୀ ହୋଇଯିବେ ବୋଲି ।

 

ମନ୍‌ସୁର ବେ’ଙ୍କର ଚରିତ୍ର ଠିକ୍ ତାଙ୍କ କକା ପରି ଥିଲା । କେବଳ ମାତ୍ର ତଫାତ୍ ଥିଲା, ସକାଳେ ଧର୍ମଯାଜକ ମହୋଦୟ ପ୍ରାର୍ଥନା ସ୍ଥଳୀକୁ ଯାଉଥିଲେ ଏବଂ ବାକି ତମାମ ଦିନ ସେ ବିଧବା, ଛେଉଣ୍ଡ ଓ ସରଳ ଜନତାଙ୍କୁ ଲୁଟିବାରେ ଲାଗି ପଡ଼ୁଥିଲେ । କିନ୍ତୁ ମନ୍‌ସୁର ବେ ତାଙ୍କର ସମସ୍ତ ଦିନ ଯୌନ ଲାଳସା ଚରିତାର୍ଥ କରିବାରେ ଅତିବାହିତ କରୁଥିଲେ । ଧର୍ମଯାଜକ ବୁଲୋସ୍ ଘାଲିବ୍ ରବିବାରରେ ଗୁରୁତ୍ୱପୂର୍ଣ୍ଣ ନୀତି ଉପଦେଶ ପ୍ରବଚନ ଦେଇଥାନ୍ତି, କିନ୍ତୁ ସପ୍ତାହର ବାକି ଦିନଯାକ ସେ ନିଜର ନୀତିବାଣୀର ଉଲ୍ଲଙ୍ଘନ କରିଥାନ୍ତି । ଆଞ୍ଚଳିକ ରାଜନୈତିକ ଦୁରଭିସନ୍ଧି ଭିତରେ ନିଜକୁ ଓତଃପ୍ରୋତଭାବେ ଜଡ଼ିତ ରଖିଥାନ୍ତି । ଅପରପକ୍ଷେ, ମନ୍‌ସୁର୍ ବେ ନିଜ କକେଇଙ୍କ ପଦମର୍ଯ୍ୟାଦା ଓ ପ୍ରତିପତ୍ତିକୁ ପାଥେୟ କରି ଅପର୍ଯ୍ୟାପ୍ତ ଉତ୍କୋଚ ଗ୍ରହଣ କରି ଅନ୍ୟମାନଙ୍କୁ ରାଜନୈତିକ ଫାଇଦା ଯୋଗାଇଥାନ୍ତି ।

 

ଧର୍ମଯାଜକ ଚୋରଟିଏ ପରି ରାତିର ଅନ୍ଧକାରରେ ଆତ୍ମ ଗୋପନ କରି କାମ କରିଥାନ୍ତି, କିନ୍ତୁ ତାଙ୍କ ପୁତୁରା ସ୍ପଷ୍ଟ ଦିବାଲୋକରେ ସଗର୍ବେ ପ୍ରତାରଣା ଓ ପ୍ରବଞ୍ଚନା ଆଚରଣରେ ମାତିଥାନ୍ତି । ଦୁଃଖର ବିଷୟ, ଏହା ସତ୍ତ୍ୱେ ବି ପ୍ରାଚ୍ୟର ନିରୀହ ଲୋକମାନେ ସେଭଳି ଘାତକମାନଙ୍କଠାରେ ବାରମ୍ବାର ପ୍ରତ୍ୟୟ ଆରୋପ କରନ୍ତି । ସେଭଳି ନିର୍ଦ୍ଦୟ ଓ ଲୋଭାସକ୍ତମାନେ କଠିନ ହସ୍ତରେ ତାଙ୍କର ପଡ଼ୋଶୀମାନଙ୍କୁ ଦଳିମଥି ଦେଶକୁ ସର୍ବସ୍ୱାନ୍ତ କରିବା ସ୍ୱାଭାବିକ ।

 

ମୁଁ ବା କାହିଁକି ନିରୀହ ଜନତାର ଏତେସବୁ ନିର୍ଯ୍ୟାତନାର କାହାଣୀ ବର୍ଣ୍ଣନା କରୁଛି ଜାଣେନି । ଭଲ ହୁଅନ୍ତା, ଯଦି ମୁଁ ସେହି ଭଗ୍ନ ହୃଦୟର ଅସହାୟା ନାରୀଟିର କରୁଣ ଗାଥା ବିସ୍ତାରିତ ଭାବରେ ଲେଖିପାରନ୍ତି । ସେହି ନିର୍ଯ୍ୟାତିତ ଜନତାଙ୍କପାଇଁ ଅଶ୍ରୁମୋଚନ ନକରି ଯଦି ମୃତ୍ୟୁର କରାଳ ଗହ୍ୱର ଭିତରେ କଲବଲ ହେଉଥିବା ସେହି ଅବଳା ନାରୀଟିର ସ୍ମୃତିରେ ମୋର ଅଶ୍ରୁ ସବୁକୁ ଗଚ୍ଛିତ ରଖିଯାଏ, ତାହାହିଁ ଭଲ ହେବ ।

 

ହେ ମୋର ପାଠକ ବନ୍ଧୁଗଣ! ଆପଣମାନଙ୍କ ମତରେ ସେଭଳି ଜଣେ ନାରୀ ଧର୍ମର ବଡ଼ପଣ୍ଡା ଓ ଶାସକମାନଙ୍କ ଦ୍ୱାରା ନିର୍ଯ୍ୟାତିତ ଏକ ଦେଶର କରୁଣ କାହାଣୀ ସହିତ ତୁଳନୀୟ ନୁହେଁ କି? ଯେଉଁ ବ୍ୟର୍ଥ ପ୍ରେମ ଜଣେ ନାରୀକୁ ମୃତ୍ୟୁର ଶୀତଳ କବର ନିକଟକୁ ପାଛୋଟି ନେଇଥାଏ, ତାହା କ’ଣ ଏ ପୃଥିବୀର ନିଷ୍ପେସିତ ଜନତାର ହତାଶା ସହିତ ତୁଳନୀୟ ନୁହେଁ? ପ୍ରଦୀପ ସହିତ ଜ୍ୟୋତିର ଯେମିତି ସଂପର୍କ, ଦେଶ ସହିତ ନାରୀର ସେମିତି ସଂପର୍କ । ପ୍ରଦୀପରେ ତୈଳ ହ୍ରାସ ହେଲେ ଜ୍ୟୋତିଟି ଯେମିତି ନିଷ୍ପ୍ରଭ ହୋଇଯାଏ, ନାରୀଶକ୍ତିର ପରାଭବରେ ଦେଶର ଗୌରବ ସେହିପରି ମ୍ଳାନ ହୋଇଯାଏ ।

ଚାହୁଁ ଚାହୁଁ ଶରତ ଋତୁ ଚାଲିଗଲା । ବୃକ୍ଷରୁ ହଳଦିଆ ପତ୍ରସବୁ ପବନରେ ଝରି ପଡ଼ିଲେ । ଶୀତ ଋତୁ ବୁକୁଥରା ଚିତ୍କାର କରି ପୃଥିବୀ ପୃଷ୍ଠରେ ପଦାର୍ପଣ କଲା । ମୁଁ ସେ ପର୍ଯ୍ୟନ୍ତ ବୀରୁଥ୍‌ରେ କେବଳ ମୋର ସ୍ୱପ୍ନକୁ ନେଇ ନିଃସଙ୍ଗ ଜୀବନଯାପନ କରୁଥିଲି । ସେହି ସ୍ୱପ୍ନର ଝଲକ କେବେ କେବେ ମୋର ଆତ୍ମାକୁ ଅନନ୍ତ ଆକାଶର ଶୂନ୍ୟତାକୁ ଟାଣି ନେଉଥିଲା । ପୁଣି କେବେ ପୃଥିବୀର ଗଭୀର ବୁକୁର କବର ଭିତରେ ତାକୁ ନିଦ୍ରାଭିଭୂତ କରୁଥିଲା ।

 

ଯନ୍ତ୍ରଣା ଜର୍ଜରିତ ଆତ୍ମାଟି ନିର୍ଜନତା ଭିତରେ ତାର ଚିତ୍ତବିନୋଦନର ଆଧାର ଖୋଜିଥାଏ । ଜନଗହଳି ତାକୁ ଜମା ଭଲ ଲାଗେନି । ଆହତ ହରିଣଟି ଯେପରି ସୁସ୍ଥ ହେଲା ପର୍ଯ୍ୟନ୍ତ କିମ୍ବା ମୃତ୍ୟୁ ପର୍ଯ୍ୟନ୍ତ ଯୂଥ ପରିତ୍ୟାଗ କରି ଏକାକୀ ଅନ୍ଧକାର ଗୁମ୍ଫାରେ ଆତ୍ମଗୋପନ କରି ରୁହେ, ମୋର ଅବସ୍ଥା ମଧ୍ୟ ଠିକ୍ ସେହିପରି ଥିଲା ।

 

ଏମିତି ଏକ ସମୟରେ ଦିନେ ଶୁଣିବାକୁ ପାଇଲି, ଫାରିସ୍ ଏଫାଣ୍ଡି ଭୀଷଣ ଅସୁସ୍ଥ ହୋଇପଡ଼ିଛନ୍ତି । ମୁଁ ମୋର ନିର୍ଜନ ବାସ ତ୍ୟାଗ କରି ତାଙ୍କ ଘର ଅଭିମୁଖେ ଚାଲିଲି । ମୁଖ୍ୟରାସ୍ତାର ଗହଳଚହଳ, ଘୋଡ଼ା ଗାଡ଼ିର ଘର୍ଘର ଶବ୍ଦକୁ ଏଡ଼ାଇ ମୁଁ ଏକ ସଂପୂର୍ଣ୍ଣ ନୂତନ ନିକାଞ୍ଚନ ଏବଂ ଅଲିଭ୍‌ବୃକ୍ଷର ଘଞ୍ଚ ଛାଇ ଘେରା ରାସ୍ତାଦେଇ ତାଙ୍କ ଘରେ ପହଞ୍ଚିଲି ।

 

ଘର ଭିତରେ ବୃଦ୍ଧ ଏଫାଣ୍ଡିଙ୍କୁ ରୁଗ୍‌ଣ ଓ ଅତିଶୟ ଦୁର୍ବଳ ଅବସ୍ଥାରେ ଶେଯ ଉପରେ ଶୋଇଥିବାର ଦେଖିଲି । ଆଖି ଦୁଇଟି କୋଟର ଗତ । ସତେ ଯେମିତି ଦୂରନ୍ତର ଦୁଇଟି ଅନ୍ଧାରୁଆ ଗଭୀର ଉପତ୍ୟକା । ତା ଭିତରେ ପୈଶାଚିକ ଯନ୍ତ୍ରଣାର ଅଖଣ୍ଡ ରାଜତ୍ୱ । ସଦାହାସ୍ୟରତ ମୁଖମଣ୍ଡଳରେ ଦୁଃଖ ଓ ଯାତନାର ଛାପ ସ୍ପଷ୍ଟ ବାରି ହେଉଥିଲା । ଏକଦା ମୁଲାୟମ୍ ହାତ ତଳର ଅସ୍ଥିସବୁ ତୋଫାନଗ୍ରସ୍ତ ବୃକ୍ଷର ନଗ୍ନଶାଖା ପରି ମନେ ହେଉଥିଲେ । ମୁଁ ନିକଟକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଲି । କଡ଼ ଲେଉଟାଇ ଶୀର୍ଣ୍ଣ ବଦନରେ ମୋ ଆଡ଼କୁ ଅନେଇଲେ । ହଠାତ୍ ତାଙ୍କ କଂପିତ ଅଧରରେ ଧାରେ ହସର ରେଖା ଖେଳିଗଲା । କ୍ଲାନ୍ତ କଣ୍ଠରେ କହିଲେ, “ହେ ମୋର ସ୍ନେହାସ୍ପଦ ପୁତ୍ର! ତୁମକୁ ଦେଖି ମୋ ମନରେ ଆଶାର ସଂଚାର ହୋଇଛି । ତୁମେ ପାଖଘରେ ଥିବା ସେଲ୍‌ମା ନିକଟକୁ ଯାଅ । ତାକୁ ସାନ୍ତ୍ୱନା ଦିଅ । ମୋ ଶେଯ ନିକଟକୁ ତାକୁ ଡାକି ଆଣ ।”

 

ସନ୍ନିହିତ କୋଠରୀକୁ ଉଠିଗଲି । ସେଠାରେ ସେଲ୍‌ମା ଏକ ଡିଭାନ୍ ଉପରେ ପଡ଼ିରହିଥିଲା । ତକିଆରେ ମୁହଁ ଜାକି କଇଁ କଇଁ ହୋଇ କାନ୍ଦୁଥିଲା ଏବଂ ତାର କ୍ରନ୍ଦନର ସ୍ୱରକୁ ଯେପରି ତାର ବାପା ଶୁଣି ନପାରନ୍ତି, ସେଥିପାଇଁ ମୁହଁରେ ହାତ ଦୁଇଟି ଚାପି ଧରିଥିଲା । ଧୀରେ ଧୀରେ ତା ପାଖକୁ ଆଗେଇଲି ଏବଂ ତାର ନାଁ ଧରି ଡାକିଲି । ତା’ର ଏଭଳି ଅବସ୍ଥା ଦେଖି ମୁଁ ମୋର କୋହକୁ ଚାପି ରଖି ପାରିଲିନି । ମୋର ସ୍ୱରଟି କୋହ, ଉର୍ଦ୍ଧ୍ୱଶ୍ୱାସ ଭିତରେ ଏକ କରୁଣ ଭାବାବେଶ ସୃଷ୍ଟିକଲା । ସେଲ୍‌ମା ମୋର ଅଦ୍ଭୁତ ସ୍ୱରଟିରେ ଭୟରେ ଶିହରି ଉଠିଲା । ଏକ ଭୟାନକ ସ୍ୱପ୍ନଟି ଅଧାରୁ ବାଧାପ୍ରାପ୍ତ ହେଲାପରି ସେ ମୋ ଆଡ଼କୁ ବିସ୍ମୟ ବିସ୍ଫାରିତ ଦୃଷ୍ଟିରେ ଚାହିଁ ରହିଲା । ସେ ଚାହାଁଣି ଭିତରେ ସନ୍ଦେହ । ସେ ମୋର ଜୀବନ୍ତ ଶରୀରକୁ ବା ବିଦେହୀ ଆତ୍ମାକୁ ଦେଖୁଛି, ବିଶ୍ୱାସ କରିପାରିଲାନି । କିଛି ସମୟ ଗଭୀର ନୀରବତା ବିରାଜମାନ କଲା । ସେହି ଅଳ୍ପ ସମୟର ନୀରବତା ଭିତରେ ଅତୀତର ଆତ୍ମହରା ମୁହୂର୍ତ୍ତମାନଙ୍କ ପାଖକୁ ଆମେ ଡେଣା ଲଗାଇ ଉଡ଼ିଗଲୁ । ଆଉ ପ୍ରେମ ମଦିରାର ଅପହୃତ ସ୍ମୃତିକୁ ରୋମନ୍ଥନ କରିବାରେ ଲାଗିଲୁ । ସେଲ୍‌ମା ତା’ର ଆଖିରୁ ଲୁହପୋଛି ପ୍ରକୃତିସ୍ଥ ହେଲା । ମୋ ଆଡ଼କୁ ଅନେଇ କହିଲା “ଦେଖ, ସମୟ କେମିତି ବଦଳି ଯାଇଛି । ଆମର ସ୍ଥିତିକୁ କିପରି ଦୋହଲାଇ ଦେଇଛି । ଆମ ଜୀବନର ଗତିପଥକୁ ବଦଳାଇ ଧ୍ୱଂସ ମୁଖରେ ଛାଡ଼ି ଦେଇଛି । ଏହିଠାରେ ଦିନେ ବସନ୍ତ ଆମକୁ ଏକାଠି କରିଥିଲା । ଆତ୍ମୀୟତାର ମହକ ସୃଷ୍ଟି କରିଥିଲା । ଆଉ, ପ୍ରେମର ଅତୁଟ ବନ୍ଧନରେ ବାନ୍ଧିଥିଲା । ଆଜି କିନ୍ତୁ ଏଇଠି ହିଁ ସେହି ସମୟ ଆମକୁ ମୃତ୍ୟୁ ଦେବତାର ସିଂହାସନ ନିକଟରେ ପହଞ୍ଚାଇ ଦେଇଛି । କେଡ଼େ ସୁନ୍ଦର ଓ ନିବିଡ଼ ଥିଲା ସେଦିନ ସେ ବସନ୍ତର ମନୋରମ ମଧୁରତା । ଆଉ ଆଜିର ଏ ଜାଡ଼ଋତୁ କେଡ଼େ ଭୟାବହ ସତେ!”

 

କଥାତକ କହିସାରି ପୁଣି ଥରେ ତା’ର ମୁଖମଣ୍ଡଳକୁ ହାତ ପାପୁଲିରେ ଚାପି ଧରିଲା । ସତେ ଯେମିତି, ଅତୀତର ପ୍ରାଣସ୍ଫୁର୍ତ୍ତ ଝଲକ ତା ସମ୍ମୁଖରେ ଛିଡ଼ା ହୋଇଥିଲା ଓ ସେ ତା’ର ପ୍ରଖର ରଶ୍ମିଠାରୁ ନିଜର ଆଖିକୁ ବଂଚେଇ ରଖିବାକୁ ଚେଷ୍ଟା କରୁଥିଲା । ମୁଁ ସେଲ୍‌ମାର ମସ୍ତକରେ ହାତ ରଖି କହିଲି, “ଆସ ସେଲ୍‌ମା, ଆସ । ଆଜି ଆମେ ସୁଦୃଢ଼ ଦୁର୍ଗ ଭଳି ପ୍ରଳୟଙ୍କରୀ ଝଡ଼ର ସାମ୍‌ନା କରିବା । ପରାକ୍ରମୀ ସୈନିକ ଭଳି ଶତ୍ରୁର ଶାଣିତ ତରବାରୀର ମୁକାବିଲା କରିବା । ଆମେ ଯଦି ହାରିଯାଉ ଏବଂ ମୃତ୍ୟୁବରଣ କରୁ, ସମୟ ଆମକୁ ‘ଶହୀଦ୍‌’ର ଆଖ୍ୟା ଦେବ । ଆମେ ଯଦି ଜିତିଯାଉଁ, ଆମେ ସବୁକିଛି ପାଇପାରିବା ଏବଂ ବୀରଦର୍ପରେ ମୁଣ୍ଡଟେକି ବଞ୍ଚିରହିବା । ଶାନ୍ତିରେ ଜୀଇଁବାପାଇଁ ପଛଘୁଞ୍ଚା ଦେବା ଅପେକ୍ଷା ବୀରଦର୍ପରେ ବାଧାବିଘ୍ନକୁ ପ୍ରତିରୋଧ କରିବା ଶ୍ରେୟସ୍କର-। ଯେଉଁ ପତଙ୍ଗ ପ୍ରଦୀପର ଜ୍ୱଳନ୍ତ ଶିଖା ଚାରିପଟେ ଘୂରି ଅଗ୍ନିଶିଖାରେ ପ୍ରବେଶ କରି ପ୍ରାଣ ବିସର୍ଜନ କରିପାରେ, ସେ ଅନ୍ଧକାର ଗହ୍ୱର ଭିତରେ ଲୁଚିରହି ଜୀବନ ଧାରଣ କରୁଥିବା ନର୍କକୀଟଠାରୁ ଅଧିକ ପ୍ରଶଂସନୀୟ । ଆସ ସେଲ୍‌ମା, ସୂର୍ଯ୍ୟଠାରେ ଦୃଷ୍ଟି ନିବଦ୍ଧ କରି ଦୃଢ଼ ନିଶ୍ଚିତ ଭାବରେ ଏହି ପିଚ୍ଛିଳ ପଥକୁ ଅତିକ୍ରମ କରିଯିବା । କଣ୍ଟକିତ ଦୁର୍ଗମ ପଥରେ ପଡ଼ିଥିବା କଙ୍କାଳ ଓ ସରୀସୃପକୁ ଆମର ଏକାଗ୍ରତାରେ ଏଡ଼େଇ ଚାଲିଯିବା । ମଝିରାସ୍ତାରେ ଭୟଭୀତ ହୋଇ ଅଟକିଗଲେ ନିଶାର ଅସ୍ପଷ୍ଟ ଗର୍ଜନ ଭିତରେ ଆମେ ତାଚ୍ଛଲ୍ୟର ପ୍ରତିଧ୍ୱନି ହିଁ ଶୁଣିବା । କିନ୍ତୁ ଆମେ ଯଦି ସାହସର ସହିତ ପର୍ବତ ଶିଖରକୁ ଆରୋହଣ କରିବୁ, ତେବେ ସ୍ୱର୍ଗୀୟ ଚେତନା ସହିତ ମିଳିତ ହୋଇ ବିଜୟୋଲ୍ଲାସର ଗୀତି ଗାଇପାରିବା । ଉଠ ସେଲ୍‌ମା, ତୁମ ନୟନରୁ ଅଶ୍ରୁସମ୍ବରଣ କର । ତୁମର ମୁଖମଣ୍ଡଳରୁ ଦୁଃଖର ଦାଗ ଦୂର କରିଦିଅ । ଜାଗ୍ରତ ହୁଅ । ଆସ ସେଲ୍‌ମା, ଆମେ ଦୁହେଁ ତୁମର ପିତାଙ୍କର ରୋଗଶଯ୍ୟା ନିକଟରେ ବସିବା । ତୁମ ପିତାଙ୍କର ଆଶୁ ଆରୋଗ୍ୟ ଓ ଆୟୁଷ ତୁମରି ସୁସ୍ଥ ଜୀବନ ଉପରେ ନିର୍ଭର କରେ । ତୁମରି ଓଠରେ ଫୁଟିଉଠୁଥିବା ହସର ଧାର ହିଁ ତାଙ୍କୁ ଉପଶମ ଦେବାରେ ସହାୟକ ହେବ ।”

 

ସପ୍ରେମ ଓ ସସ୍ନେହ ଦୃଷ୍ଟି ଢାଳି ସେ ମୋତେ କହିଲା, “ମୋତେ ଧୈର୍ଯ୍ୟ ଧରିବାକୁ ଆଶ୍ୱାସନା ଦେବା ପୂର୍ବରୁ ତୁମେ ନିଜକୁ ଟିକେ ଚାହିଁ ଦେଖ । ମୋ’ଠୁ ତୁମର ଧୈର୍ଯ୍ୟ ଧରିବାର ପ୍ରୟୋଜନ ଅଧିକ । ଜଣେ କ୍ଷୁଧାର୍ତ୍ତ ବ୍ୟକ୍ତି ତା’ର ଭୋଜନକୁ ଅନ୍ୟ ଜଣେ କ୍ଷୁଧାର୍ତ୍ତକୁ ଟେକିଦେବା ପରି ତୁମେ ମୋତେ ଉପଦେଶ ଦେଉଛ । ଜଣେ ଅତ୍ୟନ୍ତ ରୁଗ୍‌ଣ ବ୍ୟକ୍ତି ନିଜର ଉପଶମପାଇଁ ଗଚ୍ଛିତ ଅତ୍ୟାବଶ୍ୟକୀୟ ଔଷଧ ଅନ୍ୟଜଣକୁ ଦାନ କଲାଭଳି ତୁମେ ନିଜକଥା ଭୁଲିଯାଉଛ ।”

 

ତାପରେ ସେ ତା’ର ସ୍ଥିତାବସ୍ଥାରୁ ଉଠି ଛିଡ଼ାହେଲା । ଆଗକୁ ଝୁଙ୍କିପଡ଼ିଥିବା ସ୍ୱଳ୍ପାବନତ ମସ୍ତକରେ ମୋ ସହିତ ତା’ର ବୃଦ୍ଧ ପିତାଙ୍କ ରୋଗଶଯ୍ୟା ନିକଟକୁ ଅଗ୍ରସର ହେଲା । ତାଙ୍କ ନିକଟରେ ବସି ସେଲ୍‌ମା ଅନିଚ୍ଛାକୃତ ହସ ଫୁଟାଇ ଧୈର୍ଯ୍ୟ ଧରିବାର ଅନେକ ଅଭିନୟ କଲା । ତା’ର ପିତା ମଧ୍ୟ ଅନୁରୂପଭାବେ ପୂର୍ବାପେକ୍ଷା ଅଧିକ ସୁସ୍ଥ ବୋଲି ଜଣାଇବାକୁ ଚାହିଁଥିଲେ । ବିଧିର ବିଡ଼ମ୍ବନା ବିଚିତ୍ର । ଉଭୟ କନ୍ୟା ଓ ପିତା ନିଜ ନିଜର ଅସହାୟ ଅବସ୍ଥାକୁ ବୁଝି ପାରୁଥିଲେ । ପରସ୍ପରର ଦୁଃଖ, ଯନ୍ତ୍ରଣାକୁ ଅନୁଭବ କରିପାରୁଥିଲେ ଏବଂ ଅନ୍ତରର ନୀରବ ଦୀର୍ଘଶ୍ୱାସକୁ ଶୁଣି ପାରୁଥିଲେ । ଦୁଇଟି ସମଭାବାପନ୍ନ ଶକ୍ତି ଯେମିତି ନିଜକୁ ନିଜେ ନୀରବରେ ପ୍ରତିହତ କରନ୍ତି, ପରସ୍ପରର ହୃଦୟର ବନ୍ୟାପ୍ଲୁତ ସ୍ଥିତି ଅବସ୍ଥା ଭାବି ଦୁଃଖରେ ଦରଦୀ ହୋଇ ଉଠିଥିଲା ଦୁଇଟି ପବିତ୍ର ଆତ୍ମା । ଜଣେ ବିଦାୟୀ, ମୃତ୍ୟୁ ପଥର ପଥିକ । ଅନ୍ୟ ଜଣେ ଦୁଃଖ ଓ ଯନ୍ତ୍ରଣାରେ ଜର୍ଜରିତ, ପ୍ରେମ ଓ ମୃତ୍ୟୁ ମଧ୍ୟରେ ଦୋଳାୟିତ । ଏମାନଙ୍କ ଭିତରେ ଅସନ୍ତୁଳିତ ହୃଦୟର ତୃତୀୟ ବ୍ୟକ୍ତି ଜଣକ ମୁଁ । ଆମେ ତିନିଜଣଯାକ ନିୟତିର ନିଷ୍ଠୁର ହାତରେ ଏକାଠି ପେଶି ହୋଇଯାଇଛୁ । ପ୍ରଥମ ଜଣକ ଏକ ବୃଦ୍ଧବ୍ୟକ୍ତି ବନ୍ୟାରେ ଜଳବନ୍ଦୀ ଅସହାୟ ବାସଗୃହ ପରି; ଦ୍ୱିତୀୟ ଜଣକ ନୀଳକଇଁ ପରି ଏକ ତରୁଣୀ ଯାହାର ମସ୍ତକ ଶାଣିତ ତରବାରୀରେ ବିଚ୍ଛିନ୍ନ ଏବଂ ତୃତୀୟ ଜଣକ ତୁଷାରପାତରେ ମ୍ରିୟମାଣ ଦୁର୍ବଳ ଚାରାଗଛଟିଏ ପରି ଏକ ତରୁଣ । ଆମେ ତିନିହେଁ ଭାଗ୍ୟର କ୍ରୁର ହସ୍ତର କ୍ରୀଡ଼ନକ ହୋଇଯାଇଛୁ ।

 

ଫାରିସ୍ ଏଫାଣ୍ଡି ଧୀରେ ଧୀରେ କଡ଼ ଲେଉଟାଇଲେ । ତାଙ୍କର ଶୀର୍ଣ୍ଣ ହାତକୁ ସେଲ୍‌ମା ଆଡ଼କୁ ପ୍ରସାରିତ କରି ଅତି କୋମଳ ଓ ସ୍ନେହଭରା କ୍ଷୀଣକଣ୍ଠରେ କହିଲେ, “ମୋ ହାତଟିକୁ ଟିକେ ଚାପି ଧର, ମା” । ସେଲ୍‌ମା ତାର ପିତାଙ୍କର କଂପିତ ହସ୍ତକୁ ଆବେଗରେ ନିଜର ହସ୍ତ ଭିତରେ ଧରିଲା । ତା’ପରେ ସେ କହିଲେ, “ମୁଁ ବହୁଦିନ ବଞ୍ଚିଲି । ଜୀବନର ସମସ୍ତ ଋତୁକୁ ଉପଭୋଗ କଲି-। ଜୀବନର ପ୍ରତି ପର୍ଯ୍ୟାୟକୁ ଶାନ୍ତ ସରଳଭାବେ ଅନୁଭବ କରି ସାରିଛି । ତୋର ମାତ୍ର ତିନିବର୍ଷ ବୟସ ବେଳେ ତୋର ମାଆ ମୋତେ ଛାଡ଼ି ଆରପାରିକୁ ଚାଲିଗଲା । ତୋ ଭଳି ଏକ ଅମୂଲ୍ୟରତ୍ନକୁ ମୋ’ରି କୋଳରେ ରଖି ଦେଇଗଲା । ଏକାନ୍ତରେ ମୁଁ ତୋତେ ଧୀରେ ଧୀରେ ବଢ଼ିବାର ନିରୀକ୍ଷଣ କରିଛି । ନୀଳଆକାଶର ତାରାଟି ଶାନ୍ତ, ସ୍ଥିର ପୁଷ୍କରିଣୀରେ ଯେମିତି ତାର ଅବିକଳ ପ୍ରତିବିମ୍ବ ଦେଖିପାରେ, ମୁଁ ତୋ’ ଠାରେ ତୋର ମା’ର ଅବିକଳ ପ୍ରତିଫଳନ ଦେଖିଛି । ତୋର କମନୀୟତା, ବୁଦ୍ଧିମତ୍ତା ସବୁ ଠିକ୍ ତୋ ମା ପରି । ଏ ଜୀବନରେ ତୁ ହିଁ ମୋର ଏକମାତ୍ର ସାନ୍ତ୍ୱନା ଓ ଆଶ୍ରୟ । କଥାବାର୍ତ୍ତା ଚାଲିଚଳନରେ ତୁ ତୋ ମାଆର ଅବିକଳ ପ୍ରତିଚ୍ଛବି । ଏବେ ମୁଁ ବୟସର ଭାରରେ ଭାରାକ୍ରାନ୍ତ, ସ୍ଥବିର । ମୃତ୍ୟୁର କମ୍ରଶୀତଳ ପକ୍ଷ ହିଁ ମୋର ଆସନ୍ନ ଆଶ୍ରୟସ୍ଥଳ । ହେ ମୋର ପ୍ରାଣର ଦୁଲାଳୀ! ମୁଁ ଅନେକ ଦିନ ଜୀବନକୁ ଜୀଇଲି । ତୋତେ ବଡ଼ ହେବାର ମଧ୍ୟ ଦେଖିଲି । ଏଥର ତୋର ଜୀଇବାର ପାଳି । ତୁ ସ୍ୱଚ୍ଛନ୍ଦରେ ଜୀବନଯାପନ କର, ଏହା ହିଁ ମୋର ଶେଷ ଇଚ୍ଛା । ତୁ ଖୁସିରେ ରହିଲେ ମୋର ମୃତ୍ୟୁ ପରେ ବି ତୋ’ରି ଭିତରେ ମୁଁ ଜୀବିତ ରହିବି । ମୋର ଆଜି ଚାଲିଯିବା ଯାହା, ଦିନେ କିମ୍ବା ଦୁଇଦିନ ପରେ ଯିବା ମଧ୍ୟ ତାହା । କାରଣ ମୋର ଜୀବନ ଶେଷ ହେମନ୍ତର ଝରାପତ୍ର ଅବସ୍ଥାରେ ପହଞ୍ଚିଛି । ଯେ କୌଣସି ମୁହୂର୍ତ୍ତରେ ମୃତ୍ୟୁ ମୋତେ କୋଳେଇ ନେବ । ମୃତ୍ୟୁର ମୁହୂର୍ତ୍ତ ଦ୍ରୁତଗତିରେ ପାଖେଇ ଆସୁଛି । ମୋର ବିଧୂର ଆତ୍ମା ତୋ ମାଆର ଆତ୍ମା ସହିତ ମିଳନପାଇଁ ଉତ୍ସୁକ ହୋଇଉଠିଛି ।”

 

ଏଇ ମଧୁର ଓ ସ୍ନେହଭରା କଥା କେଇପଦ ପରେ ତାଙ୍କର ମୁଖମଣ୍ଡଳ ଉଦ୍‌ଭାସିତ ହୋଇଉଠିଲା । ତା’ପରେ ତକିଆ ତଳୁ ଧୀରେ ଧୀରେ ସୁନେଲି ଫ୍ରେମ୍‌ରେ ବନ୍ଧା ହୋଇଥିବା ଛୋଟ ଫଟୋଟିଏ ସେ ବାହାର କଲେ । ଫଟୋଟିକୁ ଏକ ଲୟରେ ଚାହିଁ ରହି ସେ କହିଲେ, “ଆ, ସେଲ୍‌ମା ପାଖକୁ ଲାଗି ଆ । ଦେଖ୍‌, ଏଇ ଫଟୋଟି ତୋରି ମାଆର ।”

 

ସେଲ୍‌ମାର ନୟନରୁ ନୀରବ ଅଶ୍ରୁ ବୋହି ଚାଲିଥିଲା । ଲୁହ ପୋଛୁ ପୋଛୁ ସେ ତା’ ମା’ର ଫଟୋଟିକୁ ସତୃଷ୍ଣ ଦୃଷ୍ଟିରେ ଚାହିଁଲା । ସେ କାନ୍ଦୁଥିଲା ଏବଂ ତା’ର ମୁଖରୁ ବାହାରି ଆସିଲା, “ମା’ଲୋ, ମୋ ଆଦରର ମା” । କୋହ ସମ୍ବରଣ କରି ନ ପାରି ନିଜର କମ୍ପିତ ଅଧରରେ ଫଟୋଟିକୁ ବାରମ୍ବାର ଚୁମା ଦେବାକୁ ଲାଗିଲା । ସତେ ଯେମିତି ସେ ତା’ର ନିଜର ଆତ୍ମାକୁ ମା’ର ଚିତ୍ରରେ ଓତପ୍ରୋତଭାବେ ଜଡ଼ାଇ ନେବାକୁ ଚାହୁଁଥିଲା ।

 

ମଣିଷ ଓଠରେ, “ମା” ଶବ୍ଦଟି ହେଲା ସବୁଠୁ ମଧୁରତମ ଏବଂ ‘ମୋ ମାଆ’ ଡାକଟି ସବୁଠୁ ଶ୍ରୁତିମଧୁର । ଶବ୍ଦଟି ଭିତରେ ଯେମିତି ସକଳ ଆଶା ଓ ପ୍ରେମ ହୃଦୟର ଗଭୀରତମ ପ୍ରଦେଶରୁ ପ୍ରତିଧ୍ୱନିତ ହୁଏ । ‘ମା’ ହିଁ ସବୁକିଛି - ଆମ ଦୁଃଖର ସାନ୍ତ୍ୱନା, ଦୁର୍ଦ୍ଦିନର ଆଶାଭରସା ଏବଂ ଆମର ସମସ୍ତ ଦୁର୍ବଳ ମୁହୂର୍ତ୍ତର ଏକମାତ୍ର ସାହସ ଓ ଶକ୍ତି । ସେ ପ୍ରେମ, କରୁଣା, ଦୟା ଓ କ୍ଷମାର ଉତ୍ସ । ଯିଏ ମାତୃହରା, ସିଏ ଏକ ପବିତ୍ର ଆତ୍ମାର ଅବିରତ ଶୁଭାଶିଷ ଓ ସୁରକ୍ଷାଠାରୁ ଦୂରେଇ ଯାଏ ।

 

ପ୍ରକୃତିରେ ସବୁଠି ‘ମା’ ହିଁ ‘ମା’ ଛାଇ ରହିଥାଏ । ସୂର୍ଯ୍ୟ ହିଁ ପୃଥିବୀର ଜନ୍ମଦାତ୍ରୀ ମାତା ଏବଂ ପୃଥିବୀକୁ ଉତ୍ତାପ ପ୍ରଦାନ କରିଥାଏ । ଏମିତି କି ରାତିରେ ମଧ୍ୟ ସୂର୍ଯ୍ୟ ବିଶ୍ୱ ବାହାରକୁ ଚାଲିଯାଏ ନାହିଁ । ସମୁଦ୍ର ତା’ର ଉତ୍ତାଳ ଲହରୀର ସଂଗୀତ, ପକ୍ଷୀର କୂଜନ ଏବଂ ଝରଣାର କଳନିନାଦ ମାଧ୍ୟମରେ ପୃଥିବୀକୁ ସୁଖ ନିଦ୍ରାରେ ଶୁଆଇଦିଏ । ପୃଥିବୀ, ଗଚ୍ଛବୃଚ୍ଛ ଓ କୁସୁମ ସମ୍ଭାରର ଜନନୀ । ସେ ସେମାନଙ୍କୁ ଜନ୍ମ ଦିଏ । ପ୍ରସ୍ଫୁଟିତ କରାଏ ଓ ନିଜର କୋଳରୁ ମୁକ୍ତିଦିଏ । ବୃକ୍ଷ ଓ କୁସୁମ ମାତାରୂପେ ପୁଣି ଫଳ ଓ ବୀଜକୁ ଗର୍ଭରେ ଧାରଣ କରନ୍ତି । ‘ମା’ ହିଁ ସମସ୍ତ ସୃଷ୍ଟିସତ୍ତାର ନିଚ୍ଛକ୍ ଦୃଷ୍ଟାନ୍ତ ଏବଂ ସେ ହିଁ ପ୍ରେମ ଓ କମନୀୟତାରେ ପରିପୂର୍ଣ୍ଣ ସ୍ୱର୍ଗୀୟ ଚେତନା ।

 

ସେଲ୍‌ମା କାରାମୀ ତାର ଶୈଶବାବସ୍ଥାରୁ ମାତୃହରା । ମାତାର ମୃତ୍ୟୁ ବେଳର ସ୍ମୃତି ତା’ଠି ନଥିଲା । ତାର ମା’ଙ୍କୁ ସେ ଭଲ ଭାବରେ ଜାଣି ବି ନଥିଲା । ତଥାପି ମା’ର ଫଟୋଟିକୁ ଦେଖି ଭାବ ବିହ୍ୱଳିତ ହୋଇ ଉଠିଲା । କଇଁ କଇଁ ହୋଇ କାନ୍ଦି ଉଠିଲା । ଅମାନିଆ ଲୁହସବୁ ଆଖିରୁ ଗଡିଆସିଲା । ତା ମୁହଁରୁ ଅନବରତ “ମା’ ଲୋ, ମୋ ମାଆ” ଉଚ୍ଚାରିତ ହେଉଥିଲା । “ମା” ଶବ୍ଦଟି ଆମ୍ଭମାନଙ୍କର ହୃଦୟକନ୍ଦର ଭିତରେ ଲୁଚି ରହିଥାଏ । ଆମର ଦୁଃଖର ମୁହୂର୍ତ୍ତରେ କିମ୍ବା ଆନନ୍ଦର ଅବସରରେ ହଠାତ୍ ସେହି ଶବ୍ଦଟି ବାହାରି ଆସେ । ଠିକ୍ ଯେମିତି ଗୋଲାପର ଅନ୍ତର୍ନିହିତ ସୁବାସ ଆପଣାଛାଏଁ ତାର ହୃଦୟ ଭିତରୁ ବାହାରି ନିର୍ମଳ ଓ ମେଘମୁକ୍ତ ବାତାବରଣରେ ବିଚ୍ଛୁରି ଯାଏ ।

 

ମୁଗ୍‌ଧଚକିତ ସେଲ୍‌ମା ତାର ମା’ର ଫଟୋଟିକୁ ବାରମ୍ବାର ଚୁମାଦେଇ ତା’ ବାପାଙ୍କ ଶେଯରେ ଚେତନାଶୂନ୍ୟ ହୋଇ ପଡ଼ିଗଲା ।

 

ଧୀରେ ଧୀରେ କନ୍ୟାର ମସ୍ତକରେ କର ସଞ୍ଚାଳନ କରି ଏଫାଣ୍ଡି ଆଉଁସିବାରେ ଲାଗିଲେ । ସେଲ୍‌ମାର ଚେତା କିଛି ସମୟ ପରେ ଫେରି ଆସିଲା । ତା’ର ବାପା କହିଲେ, “ହେ ମୋର ପ୍ରିୟ ପୁତ୍ରୀ ! ମୁଁ କେବଳ ତୋ ମା’ର କାଗଜ ଫଟୋଟି ଦେଖେଇଲି । ମୁଁ ତୋତେ ଏବେ ତାର ଗୁଣମାନ ବିଷୟରେ କହୁଛି, ଶୁଣ୍ ।”

 

ନୀଡ଼ ଭିତରୁ ମା’ର ପକ୍ଷ ସଞ୍ଚାଳନର ଶବ୍ଦ ଶୁଣି ଯେପରି ଶାବକଟି ମୁଣ୍ଡଟେକି ଚାହେଁ, ସେଲ୍‌ମା ତାର ବାପାଙ୍କ ଆଡ଼କୁ ଏକାଗ୍ର ଦୃଷ୍ଟିରେ ଚାହିଁ ରହିଲା ।

 

ଫାରିସ୍ ଏଫାଣ୍ଡି କହିଚାଲିଲେ, ‘ତୁ ଯେତେବେଳେ ଛୋଟ ଶିଶୁଟିଏ ଥିଲୁ, ତୋର ମାଆ ତୋର ଲାଳନ ପାଳନରେ ବ୍ୟସ୍ତ ଥିଲେ । ଠିକ୍ ସେହି ସମୟରେ ତାଙ୍କର ବାପା ଇହଧାମ ତ୍ୟାଗ କଲେ । ତାଙ୍କ ବିୟୋଗରେ ତୋର ମାଆ ବହୁତ ଲୁହ ବୁହାଇଥିଲେ । ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ । କିନ୍ତୁ ସେ ଜଣେ ବିଜ୍ଞା ନାରୀ ଥିଲେ, ତାଙ୍କର ଅସୀମ ଧୈର୍ଯ୍ୟ ମଧ୍ୟ ଥିଲା । ପିତାଙ୍କର ଅନ୍ତ୍ୟେଷ୍ଟି ପରେ ସେ ମୋ ପାଖରେ ଏଇ କୋଠରୀରେ ବସି ମୋ’ହାତ ଧରି କହିଥିଲେ, “ଫାରିସ୍‌ ! ମୋ ବାପା ଏ ଦୁନିଆରୁ ବିଦାୟ ନେଲେ । ତୁମେ ହିଁ ଏବେ ମୋର ଏକମାତ୍ର ସାହା ଭରସା । ଦେବଦାରୁର ଶାଖା ପ୍ରଶାଖା ପରି ହୃଦୟର ସ୍ନେହ ମଧ୍ୟ ବହୁଧା ବିଭକ୍ତ ହୋଇଥାଏ । ଯଦି ଏହାର ଗୋଟିଏ ମଜଭୁତ୍ ଶାଖା ଭାଙ୍ଗିଯାଏ, ବୃକ୍ଷଟି କଷ୍ଟ ପାଏ ସତ, କିନ୍ତୁ ମରିଯାଏନା । ଅନ୍ୟ ଶାଖାର ସହାୟତାରେ ସେ ବଞ୍ଚିଯାଏ । ତା’ର ସମସ୍ତ ପ୍ରାଣଶକ୍ତିକୁ ଅନ୍ୟ ଶାଖାମାନଙ୍କୁ ବିନା ଦ୍ୱିଧାରେ ଅଜାଡ଼ି ଦିଏ । ଅନ୍ୟ ଶାଖାକୁ ପୂର୍ଣ୍ଣ ଭାବରେ ଗଢ଼ି ତୋଳେ ଏବଂ ବୃକ୍ଷର କ୍ଷତ ଓ ଶୂନ୍ୟସ୍ଥାନକୁ ତା’ର ସ୍ପର୍ଶରେ ପୁଣି ଥରେ ନୂଆ କରି ଉଜ୍ଜୀବିତ କରେ । ତୋର ବିଦୁଷୀ ମାଆ ତାଙ୍କ ବାପାଙ୍କ ମୃତ୍ୟୁ ପରେ ମୋତେ ଏହି କଥାତକ କହିଥିଲେ । ମୋର ବିଶ୍ୱାସ, ମୃତ୍ୟୁ ଯେତେବେଳେ ମୋର ଜୀର୍ଣ୍ଣ ପାର୍ଥିବ ଶରୀରକୁ ତା କୋଳରେ ଶାନ୍ତିପାଇଁ ଆଶ୍ରୟ ଦେବ ଏବଂ ଈଶ୍ୱର ମୋର ଆତ୍ମାକୁ ତାଙ୍କ ଚରଣରେ ଶରଣ ଦେବେ, ତୁ ମଧ୍ୟ ଠିକ୍ ଏହି କଥା କହିବୁ ।”

 

ସେଲ୍‌ମା ବୁକୁଫଟା କୋହରେ ଭାଙ୍ଗିପଡ଼ିଲା । ତା ଆଖିରୁ ଝରଝର ହୋଇ ଲୁହର ପ୍ଳାବନୀ ବୋହି ଚାଲିଲା । ନିର୍ନିମେଷ ନୟନରେ ବାପାଙ୍କ ଆଡ଼କୁ ଅନେଇ ସେ କହିଲା “ମୋର ମାଆ ଯେତେବେଳେ ତାଙ୍କର ବାପାଙ୍କୁ ହରାଇ ବସିଲେ, ସେତିକିବେଳେ ତୁମେ ତାଙ୍କର ଶୂନ୍ୟସ୍ଥାନ ପୂରଣ କରିଥିଲ । କିନ୍ତୁ ତୁମେ ଯେତେବେଳେ ମୋ ଜୀବନରୁ ଦୂରେଇଯିବ, ସେ ଶୂନ୍ୟସ୍ଥାନ କିଏ ପୂରଣ କରିବ? ମୋର ମାଆ ଜଣେ ଦରଦୀ ଓ ସହାନୁଭୂତିସମ୍ପନ୍ନ ସ୍ୱାମୀଙ୍କ ତତ୍ତ୍ୱାବଧାନରେ ରହିଥିଲେ ଏବଂ ଗୋଟିଏ ଶିଶୁକନ୍ୟାର ସାନ୍ନିଧ୍ୟ ତାଙ୍କୁ ଯଥେଷ୍ଟ ସାନ୍ତ୍ୱନା ଦେଇଥିଲା । କିନ୍ତୁ, ତୁମେ ଚାଲିଗଲା ପରେ ମୋତେ କିଏ ସାନ୍ତ୍ୱନା ଦେବ? ମୋର ଶୈଶବରୁ ଆଜିଯାକେ ତୁମେ ହିଁ ମାତା, ପିତା ଓ ସଖାରୂପେ ଜୀବନକୁ ଆଚ୍ଛାଦିତ କରିଛ ।”

 

କଥାତକ କହିସାରି ସେ ମୋ ଆଡ଼କୁ ବୁଲି ଚାହିଁଲା । ଆଉ, ମୋର ପୋଷାକର ଗୋଟିଏ ପଟକୁ ଟାଣି ଧରି କହିଲା, “ତୁମ ଛଡ଼ା ଏ ହେଉଛନ୍ତି ଏକମାତ୍ର ବ୍ୟକ୍ତି, ଯିଏ ମୋତେ ସାନ୍ତ୍ୱନା ଦେଇପାରିଥା’ନ୍ତେ । କିନ୍ତୁ ସେ ନିଜେ ତ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ! ମୋତେ ବା କେମିତି ସାନ୍ତ୍ୱନା ପ୍ରଦାନ କରିପାରିବେ? ଗୋଟିଏ ଭଗ୍ନ ହୃଦୟବ୍ୟକ୍ତି ଅନ୍ୟ ଏକ ଆହତ ଆତ୍ମାଠାରୁ କିପରି ବା ସାନ୍ତ୍ୱନା ପାଇପାରିବ? ଜଣେ ବିଷାଦ ଜର୍ଜରିତା ନାରୀ ତାର ପ୍ରତିବେଶୀର ଦୁଃଖରୁ ଆନନ୍ଦ ସାଉଁଟି ପାରେନି, ବରଂ ଅଧିକ ଦୁଃଖରେ ମ୍ରିୟମାଣ ହୋଇଯାଏ । ନିଜର ଡେଣା ଉପରେ ନିର୍ଭର କରୁଥିବା ପକ୍ଷୀଟିଏ ଭଙ୍ଗା ଡେଣାରେ ଦୂର ଆକାଶରେ ଉଡ଼ିପାରେନି । ଆଉ ଇଏ ହିଁ ମୋର ଆତ୍ମା ସହିତ ଜଡ଼ିତ ଏକମାତ୍ର ଅନ୍ତରଙ୍ଗ ବନ୍ଧୁ । କିନ୍ତୁ ମୁଁ ବି ତାଙ୍କର ହୃଦୟ ଉପରେ ଦୁଃଖର ଭାରି ବୋଝଟିଏ ଲଦି ଦେଇଛି । ମୋର ଅଶ୍ରୁରେ ତାଙ୍କ ନୟନକୁ ଉଚ୍ଛୁଳାଇ ଦେଇଛି । ଘନ ଅନ୍ଧକାର ବ୍ୟତୀତ ସେ ଆଉକିଛି ଦେଖିପାରିବେନି । ମୁଁ ତାଙ୍କୁ ଜଣେ ଭାଇଠୁ ବଳି ଅଧିକ ଭଲପାଏ । କିନ୍ତୁ ସବୁ ଭାଇମାନଙ୍କ ଭଳି ସେ ମୋ ଦୁଃଖର ଅଂଶୀଦାର ବନିଯାଇ ମୋର ଲୁହକୁ ବହୁଗୁଣିତ କରି ଅଛନ୍ତି । ମୋର ଜୀବନର ତିକ୍ତତା ଓ ଅନ୍ତର୍ଦହନ ବଢ଼ିଯାଇଛି ।”

 

ସେଲ୍‌ମାର ବାଷ୍ପାକୁଳ ବ୍ୟଥା ମୋର ହୃଦୟକୁ ଶତଧା ବିଦାରିତ କରିବାକୁ ଆରମ୍ଭ କଲା । ମୁଁ ଅନୁଭବ କରୁଥିଲି, ତାର ଅନ୍ତରର ଯନ୍ତ୍ରଣା ପ୍ରସୂତ କଥାତକ ମୁଁ ଆଉ ବେଶି ସମୟ ସହିପାରିବନି । ପବନର ଶିହରଣରେ କଂପିତ ପ୍ରଦୀପର ଏକ ଥର ଥର ଶିଖା ପରି ତାର ବାପା ଭଗ୍ନ ହୃଦୟରେ କଥାତକ ଶୁଣୁଥିଲେ । ଫାରିସ୍ ଏଫାଣ୍ଡି ଏଥର ନିଜର ହାତକୁ ଶୂନ୍ୟକୁ ପ୍ରସାରିତ କଲେ ଏବଂ କଂପିତ କଣ୍ଠରେ କହିବାକୁ ଲାଗିଲେ “ହେ ମୋର ପ୍ରାଣର ପୁତ୍ରୀ! ମୋତେ ଏବେ ଶାନ୍ତିରେ ବିଦାୟ ଦିଅ । ମୋର ଜୀବନ ପିଂଜରାର ଶଳାକା ଗୁଡ଼ିକ ଭାଙ୍ଗିଗଲାଣି । ମୋର ଭିତରର ପକ୍ଷୀ ଉଡ଼ିବାକୁ ସଜବାଜ ହେଲାଣି । ମୋତେ ଯିବାକୁ ହେବ । ପଛରୁ ଡାକି ଆଉ ବାନ୍ଧି ରଖନା । ଏଇ ଶୁଣ୍‌, ତୋର ମାଆ ମୋତେ ଡାକୁଛି । ଦେଖ୍‌, ଆକାଶଟା କେତେ ନିର୍ମଳ ଦେଖାଯାଉଛି । ସାଗର କେତେ ଶାନ୍ତ ହୋଇଯାଇଛି । ମୋର ଯାତ୍ରାର ନାବଟି ପ୍ରସ୍ତୁତ ହୋଇସାରିଲାଣି । ଏହି ମହାଯାତ୍ରାକୁ ଆଉ ବିଳମ୍ବିତ କରନା ମା! ମୋର ଏହି ଶରୀର ରୂପୀ ଘଟଟି ମାଟି ଉପରେ ଲୋଟିପଡ଼ୁ । ମୋର ସାଂସାରିକ ସ୍ୱପ୍ନସବୁ ଏହିଠାରେ ଶେଷ ହେଉ । ମୋର ଆତ୍ମା ନୂତନ ପ୍ରଭାତରେ ଜାଗରିତ ହେଉ । ତୋର ଆତ୍ମା ମୋର ବିଦାୟୀ ଆତ୍ମାକୁ କୋଳାଗ୍ରତ କରୁ ଏବଂ ନୂତନ ଆଶାର ସହସ୍ର ଚୁମ୍ବନ ଆଙ୍କିଦେଉ । ମୋର ପାର୍ଥିବ ଶରୀର ଉପରେ ବିନ୍ଦୁଟିଏ ଦୁଃଖ ଓ ଯନ୍ତ୍ରଣାର ଅଶ୍ରୁକଣାଟିଏ ବି ଝରି ନପଡ଼ୁ । ହୁଏତ ତାର ତିକ୍ତତା ଫୁଲ ଓ ଘାସର ଶେଯରେ ଶୋଇଥିବା ମୋର ମରଶରୀରକୁ କୋଳାଗ୍ରତ କରିବାକୁ ବାରଣ କରିପାରେ । ମୋ ହାତରେ ଯନ୍ତ୍ରଣାର ଅଶ୍ରୁକଣାଟିଏ ବି ଝରି ନପଡ଼ୁ । ହୁଏତ ତାହା ମୋ ସମାଧିରେ କଣ୍ଟା ହୋଇ ବଢ଼ିପାରେ । ମୋର କପାଳ ଉପରେ ଦୁଃଖର ଦାଗ ଆଙ୍କିବୁନି, ହୁଏତ ପ୍ରବହମାନ ପବନ ସେ ଦୁଃଖକୁ ଅନୁଭବ କରି ମୋ ଅସ୍ତିମଜ୍ଜାର ଜୀବାଶ୍ମକୁ ନୀଳ ଛନ ଛନ ଘାସର ଶେଯରେ ବିଛାଇ ଦେବାକୁ ଦ୍ୱିଧାବୋଧ କରିବ... । ମୁଁ ବଞ୍ଚିଥିବାଯାଏଁ ତୋତେ ପ୍ରାଣଠୁ ବଳି ସ୍ନେହକରୁଥିଲି । ମୃତ୍ୟୁପରେ ବି ତୋତେ ଭଲ ପାଉଥିବି । ମୋର ଆତ୍ମା ଆକାଶରୁ ତୋ ଉପରେ ଦୃଷ୍ଟି ରଖିବ ଏବଂ ତୋତେ ସବୁଠି ସୁରକ୍ଷା ଯୋଗାଇ ଦେବ ।”

 

ତା’ପରେ ଅର୍ଦ୍ଧନିମୀଳିତ ନୟନରେ ଫାରିସ୍ ଏଫାଣ୍ଡି ମୋ ଆଡ଼କୁ ଚାହିଁ କହିଲେ, “ହେ ପୁତ୍ର ! ତୁମର ପିତା ଯେମିତି ମୋର ଭାଇ ପରି ମିତ୍ର ଥିଲେ, ତୁମେ ମଧ୍ୟ ସେଲ୍‌ମା ପ୍ରତି ସେମିତି ଆଚରଣ କରିବ । ତୁମେ ତାକୁ ସବୁଠି ସହଯୋଗ କରିବ ଏବଂ ଆବଶ୍ୟକସ୍ଥଳେ ବନ୍ଧୁ ପରି ରହିବ-। ତାକୁ କେବେ ହେଁ ଦୁଃଖରେ ମ୍ରିୟମାଣ ହେବାକୁ ଦେବନି, କାରଣ ମୃତବ୍ୟକ୍ତିପାଇଁ ଦୁଃଖରେ ଭାଙ୍ଗି ପଡ଼ିବା ଭ୍ରାନ୍ତିପୂର୍ଣ୍ଣ ଅଟେ । ତାକୁ ଜୀବନର ମଧୁର କାହାଣୀ ସବୁ ପୁଣିଥରେ ଶୁଣେଇବ । ଜୀବନର ସୁମଧୁର ଗୀତିକୁ ଗାଇ ଶୁଣେଇବ । ସେ ଯେମିତି ସେସବୁ ଶୁଣି ସମସ୍ତ ଦୁଃଖ କଷ୍ଟ ପାସୋରି ଯିବ । ତୁମେ ମୋ କଥା ତୁମ ବାପାଙ୍କୁ ମଧ୍ୟ କହିବ । ତାଙ୍କଠାରୁ ଆମ ଆଦ୍ୟଜୀବନର କାହାଣୀ ସବୁ ଶୁଣିବ । ଆହୁରି ମଧ୍ୟ କହିଦେବ-ମୁଁ ମୋ ଜୀବନର ଅନ୍ତିମ ସମୟରେ ତୁମରି ଭିତରେ ତାଙ୍କୁ ଭଲ ପାଇଯାଇଛି ।”

 

କିଛି ସମୟପାଇଁ ନୀରବତା ବିରାଜମାନ କଲା । ତାଙ୍କ ମୁଖମଣ୍ଡଳରେ ମୃତ୍ୟୁର ପାଣ୍ଡୁର ବର୍ଣ୍ଣକୁ ଦେଖିପାରୁଥିଲି । ତା’ପରେ ଧୀରେ ଧୀରେ ଆମଆଡ଼କୁ ଆଖିବୁଲାଇ କହିଲେ, “ତୁମେ ଆଉ ଡାକ୍ତରବାବୁ ଡାକି ଔଷଧଦ୍ୱାରା ମୋ ଜୀବନର ବନ୍ଦୀତ୍ୱକୁ ଅଧିକ କାଳ ଲମ୍ବାଇବାକୁ ଚେଷ୍ଟା କରିବନି । ବନ୍ଧନର ଦିନ ସବୁ ଶେଷ ହୋଇ ଆସିଲାଣି । ମୁକ୍ତ ହୋଇ ଆତ୍ମାର ଆକାଶରେ ଉଡ଼ିବାର ବେଳ ଆସିଗଲାଣି । ତୁମେ ପୁରୋହିତଙ୍କୁ ବି ମୋର ମୃତ୍ୟୁ ଶଯ୍ୟା ନିକଟକୁ ଡାକିବନି । କାରଣ, ମୁଁ ପାପୀ ହୋଇଥିଲେ ସେ ମୋତେ ରକ୍ଷାକରି ପାରିବେନି କିମ୍ବା ମୁଁ ଯଦି ସରଳ ଓ ନିଷ୍ପାପ ହୋଇଥାଏ, ତାହେଲେ ମଧ୍ୟ ମନ୍ତ୍ରୋଚ୍ଚାରଣ କରି ସେ ମୋତେ ଶୀଘ୍ର ସ୍ୱର୍ଗରେ ପହଞ୍ଚାଇ ପାରିବେନି । ମଣିଷର ଇଚ୍ଛାଶକ୍ତି ଈଶ୍ୱରଙ୍କ ଇଚ୍ଛାକୁ ବଦଳାଇ ପାରେନି, ଯେମିତି ଜଣେ ଜ୍ୟୋତିଷ ତାର ଗଣନା ବଳରେ ଗ୍ରହନକ୍ଷତ୍ରର ଗତିପଥକୁ ପରିବର୍ତ୍ତନ କରିପାରେନା । ମୋର ମୃତ୍ୟୁପରେ ବୈଦ୍ୟ ବା ପୁରୋହିତ ଯାହା ଇଚ୍ଛା ତାହା କରନ୍ତୁ, କାରଣ ସେତେବେଳକୁ ମୋର ପୋତଟି ତାର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ସାରିଥିବ ।”

 

ନିଶାର୍ଦ୍ଧରେ ଫାରିସ୍ ଏଫାଣ୍ଡି ଶେଷଥରପାଇଁ କ୍ଳାନ୍ତ ଆଖିଖୋଲି ସେଲ୍‌ମାଆଡ଼କୁ କରୁଣ ଦୃଷ୍ଟିରେ ଚାହିଁଲେ । ସେଲ୍‌ମା ତାଙ୍କ ଶେଯ କଡ଼ରେ ଲୁହ ଚାପି ଚୁପ୍‌ଚାପ ବସି ରହିଥିଲା । ସେ କିଛି କହିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଆସନ୍ନ ମୃତ୍ୟୁ ତାଙ୍କର କଣ୍ଠରୋଧ କରିସାରିଥିଲା । ବହୁ କଷ୍ଟରେ ସେ ଅସ୍ପଷ୍ଟ ସ୍ୱରରେ କହିଲେ, “ରାତି ଶେଷ ହୋଇଆସିଲା ... ସେଲ୍‌ମା ଲୋ... ଲୋ... ସେଲ୍‌ମା... ।” ତା’ପରେ ତାଙ୍କର ମୁଣ୍ଡ ନଇଁ ଆସିଲା, ମୁଖମଣ୍ଡଳ ପାଣ୍ଡୁର ବର୍ଣ୍ଣ ଧାରଣ କଲା । ତାଙ୍କର ବିଦାୟୀ ଓଠରେ ଧାରେ ସ୍ମିତ ହସର ରେଖା ଫୁଟି ଉଠିବାର ମୁଁ ଦେଖିଥିଲି ଏବଂ ସେ ସେଥି ସହିତ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

 

ସେଲ୍‌ମା ତା ବାପାଙ୍କ ହାତକୁ ଛୁଇଁ ଦେଖିଲା ତାହା ଥଣ୍ଡା ହୋଇଯାଇଥିଲା । ତା’ପରେ ମୁହଁ ଟେକି ବାପାଙ୍କ ମୁଖମଣ୍ଡଳକୁ ଚାହିଁଲା-। ମୃତ୍ୟୁର ଶୀତଳ ପରଦା ତାଙ୍କୁ ଆଚ୍ଛନ୍ନ କରିସାରିଥିଲା-। ସେଲ୍‌ମା ଏତେ ମାତ୍ରାରେ ବାଷ୍ପାକୁଳ ହୋଇସାରିଥିଲା ଯେ ଟୋପାଏ ବି ଅଶ୍ରୁ ନିଗାଡ଼ି ପାରୁନଥିଲା କିମ୍ବା କୋହରୁଦ୍ଧ ହୋଇ ଦୀର୍ଘଶ୍ୱାସଟିଏ ମାରିପାରୁନଥିଲା । ନିର୍ବେଦ ହୋଇ ସ୍ୱସ୍ଥାନରେ ଜଡ଼ ପାଲଟି ଯାଇଥିଲା ସେ । ମୁହୂର୍ତ୍ତକପାଇଁ ସେ ତା’ ବାପାଙ୍କ ମୃତ ଶରୀରକୁ ଚାହିଁ ଚଟାଣ ଉପରେ କପାଳ ମାଡ଼ି ଲୋଟି ପଡ଼ିଲା । ବାରମ୍ବାର ମୁଣ୍ଡ ପିଟି ପ୍ରଳାପ କଲା, “ପ୍ରଭୁ ହେ! ଥରଟିଏ ମାତ୍ର କରୁଣା କର, ଆମର ଭଙ୍ଗାଡେଣାକୁ ଯୋଡ଼ି ଦିଅ-। ଆହତ ଆତ୍ମାକୁ ଶାନ୍ତ କର

 

ଫାରିସ୍ ଏଫାଣ୍ଡି କାରାମୀଙ୍କ ଜୀବନର ଅବସାନ ଘଟିଲା । ତାଙ୍କର ଆତ୍ମାକୁ ଈଶ୍ୱର ଆବୋରି ନେଲେ । ମର ଶରୀରଟି ମାଟିରେ ମିଶିଗଲା । ମନ୍‌ସୁର୍ ଅଲ୍ଲୀ ବେ ଘାଲିବ ତାଙ୍କର ସମସ୍ତ ସମ୍ପତ୍ତିର ମାଲିକ ବନିଗଲେ ଏବଂ ସେଲ୍‌ମାର ଜୀବନ ଏକ କାରାଗାରରେ ପରିଣତ ହେଲା-। ଦୁଃଖ ଓ ଯନ୍ତ୍ରଣାରେ ଆହତ ପକ୍ଷୀଟି ପରି ଛଟପଟ ହେବାକୁ ଲାଗିଲା ସେ ।

 

ଦୁଃଖ ଓ ଦୁଃସ୍ୱପ୍ନରେ ମୁଁ ମଧ୍ୟ ହଜିଗଲି । ଦିବସ ରଜନୀ ଶିକାରୀ ପକ୍ଷୀର ଖୋଜ ମାଡ଼ ମୋ ଉପରେ ଝାମ୍ପି ପଡ଼ିଲା ପରି ବୋଧ ହେଲା । ଅଧିକାଂଶ ସମୟ ମୁଁ ମୋର ଦୁର୍ଭାଗ୍ୟକୁ ଭୁଲିଯିବାକୁ ଚେଷ୍ଟା କରୁଥିଲି । ସେଥିପାଇଁ ଅତୀତରେ ପଢ଼଼ିଥିବା ଧର୍ମପୁସ୍ତକ ଓ ନୀତିଶାସ୍ତ୍ର ଭିତରେ ନିଜକୁ ପୁନଃ ନିମଜ୍ଜିତ କରିବାକୁ ଆପ୍ରାଣ ଚେଷ୍ଟାକଲି । ପରିଣତି କିନ୍ତୁ ଭୀଷଣ ରୂପ ଧାରଣ କଲା-। ଜ୍ୱଳନ୍ତ ଅଗ୍ନିକୁ ତୈଳ ନିକ୍ଷେପ କରି ଏହାର ପ୍ରଶମନ ପ୍ରଚେଷ୍ଟା ଯେପରି ନିରର୍ଥକ, ମୋର ସମସ୍ତ ଚେଷ୍ଟା ଅପଚେଷ୍ଟାରେ ପରିଣତ ହେଲା-। ଅତୀତର ସମସ୍ତ ଘଟଣାଭିତରେ କେବଳ ଜ୍ୱଳନ ଓ ହତାଶା ହିଁ ଖୋଜି ପାଇଲି । କ୍ରନ୍ଦନ ଓ ଅଶ୍ରୁ ପ୍ଳାବନ ଛଡ଼ା ଆଉକିଛି ମିଳିଲା ନାହିଁ । ବାଇବେଲ୍‌ରେ “ସାମ୍‌”ଙ୍କର ନୀତିଶିକ୍ଷା ଅପେକ୍ଷା ପ୍ରେମର ପୁସ୍ତକ ମୋତେ ଅଧିକ ଆକର୍ଷିତ କଲା-। ‘ଜେରେମୀ’ଙ୍କ ଶୋକ ସଂଗୀତ ସବୁ ସୋଲୋମନ୍‌ଙ୍କର ବୁଦ୍ଧିମତ୍ତାର କାହାଣୀଠାରୁ ଅଧିକ ପ୍ରିୟ ମନେହେଲା । ‘ସେକ୍ସପିୟର’ଙ୍କ ‘ହାମ୍‌ଲେ୍‌ଟ୍‌’ ନାଟକ ସମକାଳୀନ ପାଶ୍ଚାତ୍ୟ ଲେଖକମାନଙ୍କଠାରୁ ଅଧିକ ହୃଦୟସ୍ପର୍ଶୀ ବୋଧହେଲା । କାରଣ ହତାଶା ଆମର ଦୃଷ୍ଟିପଥକୁ ଧୂଆଁଳିଆ କରିଦିଏ ଏବଂ ଶ୍ରୁତି ଶକ୍ତିକୁ ବଧିର କରିଦିଏ । ଆମେ କେବଳ ସର୍ବନାଶର ପ୍ରେତାତ୍ମା ଛଡ଼ା ଆଉକିଛି ଦେଖିପାରୁନା ଏବଂ ଆମର ଆନ୍ଦୋଳିତ ହୃଦୟର ଧ୍ୱନି ଛଡ଼ା ଆଉ ଶୁଣି ପାରୁନା ।

•••

 

 

 

Unknown

-୮-

‘ଯୀଶୁ’ ଏବଂ ‘ଇଷ୍ଟାର’ଙ୍କ ଗହଣରେ

 

ବୀରୁଥ୍ ସହରକୁ ଲେବାନନ୍ ସହିତ ସଂଯୋଗ କରୁଥିବା ଅଞ୍ଚଳଟି ସବୁଜ ପର୍ବତମାଳା ଓ ଘନଅରଣ୍ୟ ଉଦ୍ୟାନରେ ପରିପୂର୍ଣ୍ଣ । ତାହାରି ଭିତରେ ଧଳା ପଥରରେ ଖୋଦେଇ ପ୍ରାଚୀନ ମନ୍ଦିରଟିଏ ଅବସ୍ଥିତ । ସେହି ମନୋରମ ପରିବେଶଟି ଅଲିଭ୍‌, ବାଦାମ ଓ ଦେବଦାରୁ ଜଙ୍ଗଲରେ ଭରପୁର ହୋଇ ରହିଥିଲା । ଆମ ଜୀବନର ଏହି କାହାଣୀର ସୂତ୍ରପାତ ହେବା ସମୟରେ ସେହି ପବିତ୍ର ମନ୍ଦିରଟି ମୁଖ୍ୟରାସ୍ତାଠାରୁ ପ୍ରାୟ ଅଧକିଲୋମିଟର ଦୂରରେ ଅବହେଳିତ ଅବସ୍ଥାରେ ଥିଲା । କେବଳ ପ୍ରତ୍ନତତ୍ତ୍ୱବିତ୍ ଓ ପ୍ରାଚୀନ ଅବକ୍ଷୟମୁଖୀ ସୌଧରେ ରୁଚି ରଖୁଥିବା କତିପୟ ବ୍ୟକ୍ତି ଏହି ନିକାଞ୍ଚନ ସ୍ଥାନକୁ କେବେକେବେ ପରିଦର୍ଶନରେ ଆସୁଥିଲେ । ଲେବାନନ୍‌ର ଅନେକ ଅବଲୁପ୍ତ ଓ ବିସ୍ମୃତ ଚିତ୍ତାକର୍ଷକ ସ୍ଥାନମାନଙ୍କ ମଧ୍ୟରେ ଏହା ଅନ୍ୟତମ ଥିଲା । ନିର୍ଜନ ଅବସ୍ଥିତି ଯୋଗୁଁ ସାଧକ ଓ ଉପାସକମାନଙ୍କ ଆଶ୍ରୟସ୍ଥଳୀ ଏବଂ ଏକାନ୍ତକୁ ଭଲପାଉଥିବା ପ୍ରେମୀମାନଙ୍କର ପବିତ୍ର ମିଳନସ୍ଥଳୀରୂପେ ଏହା ପରିଗଣିତ ହେଉଥିଲା ।

 

ଏହି ମନ୍ଦିରକୁ ପ୍ରବେଶ କଲେ ପୂର୍ବପଟ ଦେବାଲରେ ଏକ ପ୍ରାଚୀନ ଫିନିସୀୟ ପ୍ରସ୍ତର ମୂର୍ତ୍ତି ଦୃଷ୍ଟିଗୋଚର ହୁଏ । ଏହା ପ୍ରେମ ଓ ସୌନ୍ଦର୍ଯ୍ୟ ଦେବତା “ଇଷ୍ଟାର”ଙ୍କ ପ୍ରତିମୂର୍ତ୍ତି । ବିଭିନ୍ନ ମୁଦ୍ରାରେ ସାତଟି ନଗ୍ନ କୁମାରୀ ମୂର୍ତ୍ତି ତାଙ୍କ ସିଂହାସନ ଚାରିପଟେ ବିଭିନ୍ନ ଅଙ୍ଗଭଙ୍ଗୀରେ ଛିଡ଼ା ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳେ । ଇଷ୍ଟାର ଦେବତା ତାଙ୍କର ଉଦ୍ଦିଷ୍ଟ ବେଦୀ ଉପରେ ବସିଥିବାବେଳେ ପ୍ରଥମ ନାରୀ ମୂର୍ତ୍ତିଟି ହାତରେ ଏକ ମଶାଲ, ଦ୍ୱିତୀୟ ଜଣକ ବୀଣା, ତୃତୀୟ ଅଗରବତୀ, ଚତୁର୍ଥ ଏକ ମଦିରାପାତ୍ର, ପଞ୍ଚମ ଏକ ଗୋଲାପଗୁଚ୍ଛ, ଷଷ୍ଠ ଜଣକ ଏକ ସୁଶୋଭିତ ପୁଷ୍ପମାଲ୍ୟ ଏବଂ ସପ୍ତମ ଜଣକ ହାତରେ ଧନୁଶର ଧରି ତାଙ୍କୁ ଅନେଇ ରହିଥିଲେ ।

 

ସେହିପରି ଦ୍ୱିତୀୟ ଦେବାଲ୍‌ରେ ଅନ୍ୟ ଏକ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ । ପ୍ରଥମ ମୂର୍ତ୍ତି ଅପେକ୍ଷା ଏହା ପରବର୍ତ୍ତୀ କାଳର ପରି ମନେ ହୁଏ । ଏହାର ଆକୃତି କ୍ରୁଶବିଦ୍ଧ ଯୀଶୁଙ୍କ ପରି ଦେଖାଯାଉଥିଲା । ତାଙ୍କ ପାଶ୍ୱର୍ରେ ତାଙ୍କର ବିଷଣ୍ଣ ମାତା, କ୍ରନ୍ଦନରତ ମେରୀ ମାଗ୍‌ଡ଼ାଲିନ୍ ଓ ଅନ୍ୟ ଦୁଇଜଣ ନାରୀ ମୂର୍ତ୍ତି ଦଣ୍ଡାୟମାନ । ଏହି ପୂର୍ବ ରୋମୀୟ ପ୍ରତିମୂର୍ତ୍ତିସବୁ ପଞ୍ଚଦଶ କିମ୍ବା ଷୋଡ଼ଶ ଶତାବ୍ଦୀର ପରି ମନେହୁଏ । ପୁରାତତ୍ତ୍ୱ ବିଶାରଦମାନେ ଜାଣନ୍ତି ଯେ ପ୍ରାଚ୍ୟର ଖ୍ରୀଷ୍ଟୀୟ ଗୀର୍ଜାଘର ଗୁଡ଼ିକ ଫିନିସୀୟ ଓ ଗ୍ରୀକ୍ ଦେବଦେବୀମାନଙ୍କ ମନ୍ଦିର । ଦାମାସ୍କାସ୍‌, ଆଣ୍ଟିଓକ୍ ଏବଂ କନ୍‌ଷ୍ଟାଣ୍ଟିନୋପଲ୍‌ସ୍‌ର ବହୁ ଅଟ୍ଟାଳିକା ଓ ସ୍ମୃତିସୌଧ ପ୍ରାଚୀରରେ ମୂର୍ତ୍ତିମାନଙ୍କର ସ୍ତୁତିଗାନ ଖୋଦିତ ହୋଇଥିଲା । ଏହି ସବୁ ସ୍ଥାନ ପ୍ରଥମେ ଗୀର୍ଜାକୁ ଓ ପରେ ମସ୍‌ଜିଦ୍‌କୁ ରୂପାନ୍ତରିତ ହୋଇଥିଲା ।

 

ମନ୍ଦିରର ପଶ୍ଚିମ ଦେବାଲ ଗାତ୍ରରେ ଦୁଇଟି ଗୋଲାକାର ଛିଦ୍ର ଥିଲା । ତାହାରି ଭିତର ଦେଇ ସୂର୍ଯ୍ୟରଶ୍ମି ମନ୍ଦିର ଭିତରକୁ ପ୍ରବେଶ କରୁଥିଲା ଏବଂ ଉଭୟ ମୂର୍ତ୍ତି ଉପରେ ତାର ପ୍ରତିଫଳନ ସୁନେଲି ରଙ୍ଗର ପ୍ରଲେପ ପରି ମନେ ହେଉଥିଲା । ମନ୍ଦିରର ମଧ୍ୟସ୍ଥଳୀରେ ଏକ ବର୍ଗାକୃତି ମାର୍ବଲ ପଥର ପଡ଼ିଥିଲା । ଏହାର ଚାରିପଟେ ପ୍ରାଚୀନ ମୂର୍ତ୍ତିମାନ ଚିତ୍ରିତ ହୋଇଥିଲେ । ଏମାନଙ୍କ ମଧ୍ୟରୁ କେତେଗୁଡ଼ିକରେ ରକ୍ତ ଲାଗି ପଥର ପରି ଜମାଟ ବାନ୍ଧିଯାଇଥିଲା । ଏଥିରୁ ସ୍ପଷ୍ଟଭାବେ ପ୍ରମାଣିତ ଯେ ପ୍ରାଚୀନ ଉପାସକମାନେ ଏହି ପଥର ଉପରେ ପଶୁବଳି ଦେଉଥିଲେ ଏବଂ ଅତର, ମଦିରା ଓ ତୈଳର ପ୍ରଲେପ ମଧ୍ୟ ଦେଉଥିଲେ ।

ପ୍ରକୃତି କୋଳରେ ଅବସ୍ଥିତ ସେହି ଛୋଟ ମନ୍ଦିରଟିରେ ଗଭୀର ନୀରବତା ଛଡ଼ା ଆଉକିଛି ନ ଥିଲା । ଆଉ ସେହି ନୀରବତାର ଭାଷା ଦେବତାମାନଙ୍କର ନିଚ୍ଛକ ଗୋପନୀୟତାକୁ ପରିପ୍ରକାଶ କରୁଥଲା । ପୂର୍ବଜମାନଙ୍କର ଧର୍ମୀୟ ଧାରଣା ଓ ତାର ବିକାଶର ମୂକସାକ୍ଷୀ ଏହି ମନ୍ଦିର ସେଭଳି ଏକ ପରିବେଶ ଯାହା କବିକୁ ଭିନ୍ନ ଦୁନିଆକୁ ଟାଣିନିଏ, ଯେଉଁଠି ସେ ବାସ୍ତବରେ ବଞ୍ଚିରହିପାରେ । ଦାର୍ଶନିକମାନଙ୍କ ମନରେ ବିଶ୍ୱାସ ଉଦ୍ରେକ କରି କହିପାରେ ଯେ ମଣିଷଟି ଜନ୍ମରୁ ଧାର୍ମିକ ସ୍ୱଭାବର ଏବଂ ଯେଉଁସବୁ ସତ୍ୟକୁ ସେ ଦେଖିପାରେନି, ତାକୁ ପ୍ରତୀକରୂପେ ଚିତ୍ରିତ କରି ତାର ଉପାସନାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରେ । ଏହା ହିଁ ମଣିଷ ମନର ଗୂଢ଼ ଗୋପନୀୟତା ଏବଂ ସେମାନଙ୍କର ଜୀବନ ମୃତ୍ୟୁର କାମନାଗୁଡ଼ିକୁ ଉନ୍ମୋଚିତ କରିଥାଏ ।

 

ସେହି ଅଜଣା ମନ୍ଦିରରେ ମୁଁ ପ୍ରତିମାସରେ ଥରେ ସେଲ୍‌ମାକୁ ଭେଟୁଥିଲି । କିଛି ସମୟ ତା ସହିତ ନିରୋଳାରେ ବିତାଉଥିଲି । ଦେଉଳ ଭିତରର ଅଦ୍ଭୁତ ମୂର୍ତ୍ତିଗୁଡ଼ିକୁ ଆମେ ଏକ ଲୟରେ ନିରୀକ୍ଷଣ କରୁଥିଲୁ । କ୍ରୁଶବିଦ୍ଧ ଯୀଶୁଙ୍କ କଥା ଏବଂ ଫିନିସୀୟ ତରୁଣତରୁଣୀଙ୍କ କଥା ଗଭୀରଭାବେ ଅନୁଧ୍ୟାନ କରୁଥିଲୁ । ସେମାନେ କିଭଳି କାୟମନୋବାକ୍ୟରେ କାମଦେବଙ୍କ (ଇଷ୍ଟାର୍‌)ପ୍ରତିମୂର୍ତ୍ତି ନିକଟରେ “ସୌନ୍ଦର୍ଯ୍ୟ”ର ଉପାସନା କରୁଥିଲେ, ତାଙ୍କୁ ନିବିଡ଼ଭାବେ ଭଲ ପାଉଥିଲେ ଆଉ କିପରି ଅଗରବତୀ ଜାଳି ପବିତ୍ର ପୀଠଟିରେ ଅଗୁରୁ ଅତର ଢାଳୁଥିଲେ, ଆମେ ସେହି ସ୍ମୃତିକୁ ମାନସ ଚକ୍ଷୁରେ ଅନୁଭବ କରିବାର ଚେଷ୍ଟା କରୁଥିଲୁ । ଯେଉଁ ବ୍ୟକ୍ତିମାନଙ୍କର କେବଳ ନିଜ ନିଜ ନାମ ଛଡ଼ା ଆଉକିଛି କହିବାକୁ ବାକି ନଥାଏ, ସମୟର ଚକ୍ରବତ୍ ପରିବର୍ତ୍ତନରେ ସେମାନେ ଶାଶ୍ୱତ ସମ୍ମୁଖରେ ନୀରବ ପ୍ରାର୍ଥନା ହିଁ କରିଥାନ୍ତି ।

 

ସେଲ୍‌ମା ସହିତ ସେହି ସ୍ଥାନରେ ଯେତେ ସମୟ ବିତାଇଥିଲି, ସେହି ମହାର୍ଘ ସ୍ମୃତିକୁ ଭାଷାରେ ପ୍ରକାଶ କରିବା କଷ୍ଟକର । ସେହି ସ୍ୱର୍ଗୀୟ ଅନୁଭୂତିର ମୁହୂର୍ତ୍ତଗୁଡ଼ିକ ଯନ୍ତ୍ରଣା, ଆନନ୍ଦ, ଦୁଃଖ, ଆଶା ଓ ଦୁର୍ଗତିର ଏକ ଅପୂର୍ବ ସମ୍ମିଶ୍ରଣରେ ପରିପୂର୍ଣ୍ଣ ।

 

ସେହି ପୁରାତନ ମନ୍ଦିର ପ୍ରାଙ୍ଗଣରେ ଆମେ ଗୋପନରେ ମିଶୁଥିଲୁ । ଆମର ଅତୀତର ସ୍ମୃତିକୁ ଉଜ୍ଜୀବିତ କରୁଥିଲୁ । ବର୍ତ୍ତମାନ ଉପରେ ଆଲୋଚନା କରି ତିମିରାଚ୍ଛନ୍ନ ଭବିଷ୍ୟତକୁ ମନେ ପକେଇ ଶିହରି ଉଠୁଥିଲୁ । ଧୀରେ ଧୀରେ ହୃଦୟର ନିଗୂଢ଼ ଗୋପନୀୟତାକୁ ଅନାବରଣ କରି ପରସ୍ପରର ଦୁଃଖ ଓ ଯନ୍ତ୍ରଣାର ଅଭିଯୋଗ ବାଢ଼ୁଥିଲୁ । ଯଥାସମ୍ଭବ କାଳ୍ପନିକ ଆଶା ଓ ଦୁଃଖଦ ସ୍ୱପ୍ନ ମାଧ୍ୟମରେ ସାନ୍ତ୍ୱନା ପାଉଥିଲୁ । ଅନେକ ସମୟରେ ଆମେ ଚୁପ୍‌ଚାପ୍ ଶାନ୍ତଭାବେ ବସୁଥିଲୁ । ଲୁହପୋଛି ହସିବାକୁ ପ୍ରୟାସ କରୁଥିଲୁ । ସବୁକିଛି ଭୁଲିଯାଇ କେବଳ ‘ପ୍ରେମ’ର ମହାନତା ଭିତରେ ଆତ୍ମହରା ହେଉଥିଲୁ । ହୃଦୟର ସମସ୍ତ ଉଚ୍ଛ୍ୱାସ ତରଳି ନ ଯିବା ଯାଏଁ ଆମେ ଆଲିଙ୍ଗନରେ ଆବିଷ୍ଟ ହେଉଥିଲୁ । ତା’ପରେ ସେଲ୍‌ମା ମୋ କପାଳରେ ପବିତ୍ର ଚୁମ୍ବନଟିଏ ଆଙ୍କିଦେଇ ମୋର ହୃଦୟକୁ ଆନନ୍ଦର ଉଚ୍ଛ୍ୱାସରେ ଭରିଦେଉଥିଲା । ଆଉ ମୁଁ ତାର ଗଜଦନ୍ତ ଶୁଭ୍ର ଗ୍ରୀବାରେ ଗାଢ଼ ଚୁମାଟିଏ ଆଙ୍କିଦିଏ । ତାର ଚିବୁକ ଦୁଇଟି ଧୀରେ ଧୀରେ ସକାଳର ପ୍ରଥମ କିରଣରେ ଆରକ୍ତ ପାହାଡ଼ ଶୀର୍ଷ ପରି ରକ୍ତିମ ହୋଇ ଆସେ । ପୁଣି କିଛିସମୟ ସୂର୍ଯ୍ୟାସ୍ତର କମଳାରଙ୍ଗରେ ରଂଜିତ ଦୂର ଦିଗ୍‌ବଳୟର ମେଘମାଳାକୁ ଆମେ ନୀରବରେ ନିରୀକ୍ଷଣ କରୁଥିଲୁ ।

 

ଆମର କଥୋପକଥନ କେବଳ ପ୍ରେମ ଭିତରେ ସୀମିତ ନଥିଲା । ବହୁତ ସମୟ ଆମେ ବର୍ତ୍ତମାନର ଘଟଣାବଳୀ ଉପରେ ଆଲୋଚନା କରି ପରସ୍ପରର ମତାମତ ପ୍ରକାଶ କରୁଥିଲୁଁ-। ଆଲୋଚନା ଛଳରେ ସେଲ୍‌ମା କେବେ କେବେ ସମାଜରେ ନାରୀର ଭୂମିକା ଉପରେ ଆଲୋକପାତ କରୁଥିଲା । ନାରୀ ଚରିତ୍ର ଉପରେ ଆମ ପୂର୍ବପୁରୁଷମାନଙ୍କର ବିଶେଷ ସ୍ୱୀକୃତି ବିଷୟରେ ବଖାଣୁଥିଲା । ପୁଣି କେବେ ବୈବାହିକ ଜୀବନରେ ସ୍ୱାମୀ ସ୍ତ୍ରୀର ସଂପର୍କ, ଆଧ୍ୟାତ୍ମିକ ବ୍ୟାଧି ଓ ବ୍ୟଭିଚାର ବିଷୟରେ ଆଲୋଚନା କରି ଦାମ୍ପତ୍ୟ ଜୀବନର ଦୋଦୁଲ୍ୟମାନ ପ୍ରସଂଗ ଉପରେ ଆଲୋକପାତ କରୁଥିଲା । ମୋର ମନେ ଅଛି, ସେ ଅନେକବାର କହୁଥିଲା, “କବି ଓ ଲେଖକମାନେ ନାରୀଚରିତ୍ରର ବାସ୍ତବିକତାକୁ ବୁଝିବାକୁ ଚେଷ୍ଟା କରି ଆସିଛନ୍ତି । କିନ୍ତୁ ଆଜିଯାକେ ତାର ହୃଦୟର ଗୋପନ ରହସ୍ୟକୁ ଭେଦ କରିପାରିନାହାନ୍ତି । କାରଣ, ସେମାନେ ନାରୀକୁ କେବଳ ଦୈହିକଲାଳସାର ଏକ ସାଧନରୂପେ ହିଁ ଦେଖିବାକୁ ଓ ଜାଣିବାକୁ ଚାହିଁଛନ୍ତି । ଫଳରେ କେବଳ ବାହାରର ଆବରଣ ବ୍ୟତୀତ ଅନ୍ୟ କିଛି ସ୍ୱତନ୍ତ୍ର ମୂଲ୍ୟବୋଧ ଖୋଜି ପାଇନାହାଁନ୍ତି । ନାରୀକୁ ହେୟଜ୍ଞାନର ଯବକାଚ ମାଧ୍ୟମରେ ଦେଖିବାର ଅପଚେଷ୍ଟା କରି ତାର ଦୁର୍ବଳତା ଓ ସମର୍ପଣ ଭାବ ଛଡ଼ା ଆଉକିଛି ଦେଖି ନାହାନ୍ତି ।”

 

ମନେଅଛି, ପୁଣିଥରେ ସେ ମନ୍ଦିର ଗାତ୍ରରେ ଖୋଦିତ ମୂର୍ତ୍ତିକୁ ଦେଖେଇ କହିଥିଲା, “ଏହି ପଥରର ଅନ୍ତରାତ୍ମା ଭିତରେ ନାରୀ ହୃଦୟର କାମନାର ନିର୍ଯ୍ୟାସକୁ ଦୁଇପ୍ରକାର ପ୍ରତୀକ ମାଧ୍ୟମରେ ଚିତ୍ରିତ କରାଯାଇଛି । ତାର ଆତ୍ମାର ଗୂଢ଼ ଗୋପନୀୟତାକୁ ପ୍ରେମ ଓ ବିରହ, ସ୍ନେହ ଓ ଉତ୍ସର୍ଗ ଭିତରେ ପରିପ୍ରକାଶ କରାଯାଇଛି । ସିଂହାସନାରୂଢ଼ ଇଷ୍ଟାର ଓ ଏବଂ ଯୀଶୁଙ୍କ ନିକଟରେ କରୁଣ ଭାବରେ ଦଣ୍ଡାୟମାନ ମାତା ମେରୀଙ୍କର ଭାବର ବ୍ୟବଧାନ ଭିତରେ ଚଳମାନ ପ୍ରତୀକରୂପେ ଚିତ୍ରିତ କରାଯାଇଛି । ପୁରୁଷ ଯଶ ଓ ଖ୍ୟାତି ଅର୍ଜନ କରିଥାଏ, କିନ୍ତୁ ନାରୀ ତା’ର ମୂଲ୍ୟ ଦେଇଥାଏ ।”

 

ଆମର ଏହି ଗୋପନ ମିଳନ ସଂପର୍କରେ ଈଶ୍ୱର ଏବଂ ମନ୍ଦିର ଉପରେ ଦେଇ ଉଡ଼ି ଯାଉଥିବା ପକ୍ଷୀ ଦଳ ଛଡ଼ା ଅନ୍ୟ କେହି କିଛି ଜାଣି ନଥିଲେ । ସେଲ୍‌ମା ତାର ଗାଡ଼ିରେ ‘ପାଶା’ ଉଦ୍ୟାନ ନିକଟକୁ ଆସୁଥିଲା । ଆଉ ସେଠାରୁ ଏହି ମନ୍ଦିର ପର୍ଯ୍ୟନ୍ତ ଚାଲିଚାଲି ଆସୁଥିଲା । ବ୍ୟସ୍ତ ଓ ବିଚଳିତଭାବେ ଅପେକ୍ଷାରତ ଅବସ୍ଥାରେ ମୋତେ ସେ ଭେଟୁଥିଲା ।

 

ଆମେ ଲୋକଲୋଚନକୁ ଡରୁନଥିଲୁ କିମ୍ବା ଆମର ବିବେକ ଆମକୁ ଏଥିପାଇଁ ବିବ୍ରତ କରୁ ନଥିଲା । ଯେଉଁ ଚେତନା ଅଗ୍ନିର ଦାହିକା ଶକ୍ତିରେ ଶୁଦ୍ଧ ଆଉ ନୟନର ଅଶ୍ରୁକଣାରେ ଧୌତ, ତାହା ସାଧାରଣ ମଣିଷ ବର୍ଣ୍ଣିତ ‘ଲଜ୍ଜ୍ୟା ଓ ଅପଯଶ’ର ବହୁ ଉର୍ଦ୍ଧ୍ୱରେ । ଏହା ସମସ୍ତ ଦାସତ୍ୱର ବନ୍ଧନ ଓ ପୁରାତନ ପ୍ରଥାଠାରୁ ମୁକ୍ତ । ଏହା ହିଁ ମାନବ ହୃଦୟର ପ୍ରକୃତ ଅନୁରାଗ । ସେହି ଚେତନା ହିଁ ଈଶ୍ୱରଙ୍କ ସିଂହାସନ ନିକଟରେ ଲଜ୍ଜ୍ୟା ପରିତ୍ୟାଗ କରି ସଗର୍ବେ ଛିଡ଼ା ହୋଇପାରେ ।

 

ଶ୍ରେୟ ଓ ସ୍ୱର୍ଗୀୟ ବିଚାରଧାରାକୁ ବୁଝିବାରେ ଅସମର୍ଥ ମାନବ ସମାଜ ସତୁରୀ ଶତାବ୍ଦୀ ଧରି ଭ୍ରଷ୍ଟ ନୀତି ଆଗରେ ମୁଣ୍ଡ ନୁଆଁଇ ଆଜି ପର୍ଯ୍ୟନ୍ତ ଚାଲି ଆସିଛି । ଉଜ୍ଜ୍ୱଳ ସୂର୍ଯ୍ୟାଲୋକକୁ ନ ଦେଖି ମଣିଷର ଆଖି କେବଳ ମହମବତୀର ମ୍ଳାନ ଆଲୋକ ସହିତ ଅଭ୍ୟସ୍ତ ହୋଇଛି । ଆଧ୍ୟାତ୍ମିକ ବ୍ୟାଧିକୁ ଆମେ ଆମର ବଂଶ ପରଂପରା କ୍ରମେ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ସଂକ୍ରମିତ କରିଛୁଁ ଏବଂ ଏହା ଆମର ମଜ୍ଜାଗତ ହୋଇଯାଇଛି । କିନ୍ତୁ ଈଶ୍ୱର ନିଜେ ହିଁ ‘ପ୍ରେମ’କୁ ପ୍ରକୃତିର ଦାନରୂପେ ଆଦିପୁରୁଷ ଉପରେ ଅଜାଡ଼ି ଦେଇଥିଲେ । ପ୍ରେମକୁୁ ଆଧ୍ୟାତ୍ମିକ ବ୍ୟାଧିରୂପେ ଗଣନା କରୁଥିବା ବ୍ୟକ୍ତିମାନଙ୍କ ଦୃଷ୍ଟିରେ ଏତାଦୃଶ ଜୀବାଣୁରୁ ମୁକ୍ତ ବ୍ୟକ୍ତିଟିଏ ପଡ଼ିଲେ ସେମାନେ ତାକୁ ଲଜ୍ଜ୍ୟା ଓ ଅପଯଶର ପାତ୍ରରୂପେ ଗଣନା କରିବସନ୍ତି ।

 

ସେଲ୍‌ମା ସ୍ୱାମୀଗୃହରୁ ମନ୍ଦିର ପର୍ଯ୍ୟନ୍ତ ମୋ ସହିତ ସାକ୍ଷାତ୍‍ କରିବାକୁ ଆସେ ବୋଲି ଯେଉଁମାନେ ତାର ଅମଙ୍ଗଳ ପାଞ୍ଚନ୍ତି, ପ୍ରକୃତରେ ସେମାନେ ହିଁ ବ୍ୟାଧିଗ୍ରସ୍ତ ଓ ନୀଚମନା । ସେମାନେ ବାସ୍ତବରେ ସୁସ୍ଥ ଓ ସବଳମନାକୁ ବିଦ୍ରୋହୀର ଆଖ୍ୟା ଦେଇଥାନ୍ତି । ଅନ୍ଧକାରର କୀଟ ପରି ସେମାନେ ଘୋଷାରି ଘୋଷାରି ବାଟ ଚାଲିଥାନ୍ତି ଆଉ ଯେତେସବୁ ଅପକର୍ମ କରିଥାନ୍ତି । କିନ୍ତୁ ମନ ଭିତରେ ପଥଚାରୀର ପାଦତଳେ ଦଳି ଚକଟି ଯିବାର ଭୟ ପୂରି ରହିଥାଏ ।

 

ଯେଉଁ ନିଷ୍ପେଷିତ ବନ୍ଦୀର କାରାଗାର ଭାଙ୍ଗି ବାହାରକୁ ଚାଲିଯିବାର କ୍ଷମତା ଥାଏ, ଅଥଚ ସେ ତାହା କରେନି, ସେ ହିଁ ପ୍ରକୃତରେ ଭୀରୁ । ସେଲ୍‌ମା ମଧ୍ୟ ଜଣେ ନିର୍ଦ୍ଦୋଷ ତଥା ଉତ୍ପୀଡ଼ିତା ବନ୍ଦିନୀ ଥିଲା । ସେ ନିଜକୁ ଦାସତ୍ୱର ବନ୍ଧନରୁ ମୁକ୍ତ କରିବାକୁ ଅସହାୟ ଥିଲା । ଜଣେ ବନ୍ଦୀ କାରାଗାରର ଝରକା ଫାଙ୍କରୁ ବାହାରର ସବୁଜ କାନ୍ତାର ଓ ମୁକ୍ତ ଅନନ୍ତ ଆକାଶକୁ ସତୃଷ୍ଣ ନୟନରେ ଚାହିଁ ରହିଲେ ସେ କ’ଣ ସତରେ ଅପରାଧୀ ହୋଇଯାଏ? ସ୍ୱାମୀଗୃହର ବନ୍ଦୀଶାଳାରୁ କିଛି ସମୟପାଇଁ ଆସି ମୋ’ପାଖରେ ମନ୍ଦିରରେ ଯୀଶୁ ଓ ଇଷ୍ଟାରଙ୍କ ମଝିରେ ବସି ମନଖୋଲି କେଇପଦ କଥା ହେଲା ବୋଲି ସେ କ’ଣ ଅସତୀ ହୋଇଗଲା? ଲୋକ ତ ଯାହା ଇଚ୍ଛା ତାହା କହିପାରିବେ । ଚେତନାମାନଙ୍କୁ ଜଳମଗ୍ନ କରି ରଖିଥିବା ଅପନ୍ତରା ଓ କର୍ଦ୍ଦମାକ୍ତ ସ୍ଥାନକୁ ଅତିକ୍ରମ କରି ସେଲ୍‌ମା ଅନ୍ୟ ଏକ ମହତ୍ତର ଚେତନାର ଇଲାକାରେ ପହଞ୍ଚି ସାରିଥିଲା । ସେଠାରେ ବନ୍ୟଜନ୍ତୁମାନଙ୍କ ହେଣ୍ଟାଳ କିମ୍ବା ସରୀସୃପମାନଙ୍କ ଫୁତ୍କାର ପହଞ୍ଚି ପାରେନି । ଆଉ ଲୋକମାନେ ମୋ ବିଷୟରେ ଯାହା କହନ୍ତୁ ମୋର ସେଥିପ୍ରତି ଭ୍ରୂକ୍ଷେପ ନ ଥିଲା । କାରଣ ଯେଉଁ ଆତ୍ମା ମୃତ୍ୟୁର ପଦଧ୍ୱନିକୁ ଅତି ନିକଟରୁ ଅନୁଭବ କରିଛି, ସେ କେବେ ହୀନ ଚୋର ତସ୍କରମାନଙ୍କ ଉପସ୍ଥିତିରେ ଭୟଭୀତ ହୁଏନି । ଯେଉଁ ସୈନିକ ଯୁଦ୍ଧଭୂମିରେ ନିଜ ମୁଣ୍ଡ ଉପରେ ଶାଣିତ ଖଡ଼୍‍ଗର ଝଙ୍କାର ଶୁଣିଛି ଆଉ ପାଦତଳେ ରକ୍ତର ନଦୀ ବୋହି ଯିବାର ଦେଖିଛି, ସେ କ’ଣ ରାସ୍ତାରେ ଛିଡ଼ା ହୋଇଥିବା ନିର୍ବୋଧ ଶିଶୁମାନଙ୍କର ପଥର ମାଡ଼କୁ ଡରିଯିବ?

•••

 

 

-୯-

ତ୍ୟାଗ

 

ଜୁନ୍ ମାସର ଶେଷଭାଗ । ଅସହ୍ୟ ଉତ୍ତାପ ସହରକୁ ଅସ୍ତବ୍ୟସ୍ତ କରୁଥିଲା । ବହୁ ବ୍ୟକ୍ତି ସହର ଛାଡ଼ି ଶୈଳ ନିବାସ ଆଡ଼େ ଯିବାକୁ ସଜବାଜ ହେଉଥିଲେ । ମୁଁ ଚିରାଚରିତ ଭାବରେ ସେଲ୍‌ମାକୁ ଭେଟିବାକୁ ସେଦିନ ମନ୍ଦିରକୁ ଯାଇଥିଲି । ଆନ୍ଦାଲୁସୀୟ ଛୋଟ କବିତା ବହିଟି ସାଥିରେ ନେଇଥିଲି । ମନ୍ଦିର ପ୍ରାଙ୍ଗଣରେ ମୁଁ ସେଲ୍‌ମାର ଅସିବା ପଥକୁ ଉଦ୍‌ଗ୍ରୀବ ହୋଇ ଚାହିଁ ବସିଥିଲି । ମଝିରେ ମଝିରେ କବିତାର ପୃଷ୍ଠାରୁ କିଛି ଫଙ୍‍କ୍ତି ଆବୃତ୍ତି କରୁଥିଲି । ସେଗୁଡ଼ିକ ମୋ ହୃଦୟରେ ଅପାର ଆନନ୍ଦ ଭରି ଦେଉଥିଲା । ଆଉ ଗ୍ରାନାଡ଼ାଠାରୁ ବିଦାୟ ନେଉଥିବା ରାଜା, କବି ଓ ଯୋଦ୍ଧାମାନଙ୍କର ସ୍ମୃତି ମୋର ଆତ୍ମାକୁ ଆଚ୍ଛନ୍ନ କରୁଥିଲା । ସେମାନେ ରାଜପ୍ରାସାଦ, ଅନୁଷ୍ଠାନ ଓ ଆଶାମାନଙ୍କୁ ପଛରେ ପକାଇ ଆଖିରେ ଆଖିଏ ଲୁହ ଓ ବିଷାଦପୂର୍ଣ୍ଣ ହୃଦୟରେ ଫେରୁଥିଲେ । ଘଣ୍ଟାଏ ପରେ, ମୁଁ ସେଲ୍‌ମାକୁ ଉଦ୍ୟାନ ମଧ୍ୟ ଦେଇ ମନ୍ଦିରଆଡ଼କୁ ଚାଲି ଚାଲି ଆସିବାର ଦେଖିଲି । ଛୋଟ ଛତାଟି ଭିତରେ ସେ ସାରା ପୃଥିବୀର ଦୁଃଖ ଯନ୍ତ୍ରଣାକୁ ନିଜର କାନ୍ଧରେ ଲଦି ଭାରାକ୍ରାନ୍ତ ହୋଇ ଆସୁଥିବାର ମନେହେଲା । ମନ୍ଦିର ବେଢ଼ାରେ ପ୍ରବେଶ କରି ସେ ମୋ ପାଖରେ ବସିଲା । ମୁଁ ତା’ର ଆଖିରେ ପରିବର୍ତ୍ତନର ଏକ ନୀରବ ଇଙ୍ଗିତକୁ ପଢ଼ିପାରିଲି ଏବଂ ବ୍ୟସ୍ତ ହୋଇ ତାକୁ କାରଣ ପଚାରି ବସିଲି ।

 

ମୋ ଅନ୍ତରର ଜିଜ୍ଞାସା ଓ ଆଲୋଡ଼ନକୁ ସେଲ୍‌ମା ଠିକ୍ ଅନୁଭବ କରିଥିଲା । ମୋ ମସ୍ତକରେ ତାର ହାତ ଚାପି ସେ କହିଲା, “ଆଜି ତୁମେ ମୋର ଅତି ନିକଟକୁ ଚାଲିଆସ, ହେ ମୋର ପ୍ରାଣଠୁ ପ୍ରିୟ ବନ୍ଧୁ, ବହୁତ ନିକଟକୁ ଲାଗି ମୋ ପାଖରେ ବସ । ମୁଁ ମୋର ଅନ୍ତରର ତୃଷ୍ଣାକୁ ନିବିଡ଼ଭାବେ ପ୍ରଶମିତ କରିଯିବି, କାରଣ ବିଚ୍ଛେଦର ମୁହୂର୍ତ୍ତ ଆସନ୍ନ ।”

 

ମୁଁ ପଚାରିଲି, “ତା’ହେଲେ କ’ଣ ଆମର ଏ ଗୋପନ ମିଳନ ସଂପର୍କରେ ତୁମର ସ୍ୱାମୀ ସବୁକଥା ଜାଣିଗଲେ?” ପ୍ରତ୍ୟୁତ୍ତରରେ ସେଲ୍‌ମା କହିଲା, “ମୋ ସ୍ୱାମୀ ମୋ ବିଷୟରେ କିଛି କଥା ଜାଣିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ କିମ୍ବା ମୁଁ କେମିତି ସମୟ ବିତାଏ, ସେ କଥା ଜାଣିବାକୁ ତାଙ୍କର ଅବସର ବି ନଥାଏ । ସେ ସର୍ବଦା ଅସହାୟା ଯୁବତୀମାନଙ୍କ ଗହଣରେ ସମୟ ବିତାଇଥାନ୍ତି ଯେଉଁମାନେ ହିଁ ଦାରିଦ୍ର‌୍ୟର କଷଣ ସହି ନ ପାରି ଅପଯଶର ଉପଗଳିରେ ଦିନାତିପାତ କରନ୍ତି । ଯେଉଁମାନେ ପେଟର କ୍ଷୁଧା ମେଣ୍ଟାଇବାପାଇଁ ନିଜର ଶରୀରକୁ ବିକି ଧନାଢ଼୍ୟର ବାସନା ଓ ଲାଳସାର ଶୀକାର ହୋଇ ଯାଆନ୍ତି । ତାଙ୍କର ବହୁ ଆକାଂକ୍ଷିତ ରୁଟିଟିଏ ଲୁହ ଆଉ ଲହୁରେ ଭିଜି ପରିବେଷିତ ହୁଏ ।

 

ପୁଣି ଥରେ ମୁଁ ପଚାରିଲି, “ତା’ହେଲେ, ତୁମେ ଆଜି କେଉଁଥିପାଇଁ ବିଚଳିତ? ଈଶ୍ୱରଙ୍କ ପବିତ୍ର ସ୍ଥଳୀରେ ମୋ ପାଖରେ ବସିବାକୁ କ’ଣ ପାଇଁ ତୁମେ ଅସୁରକ୍ଷିତ ମଣୁଛ? ଅଥବା ତମର ଆତ୍ମା ମୋ ନିକଟରୁ ଦୂରେଇ ରହିବାକୁ ଆହ୍ୱାନ ଦେଉଛି?”

 

ଛଳଛଳ ନୟନରେ ସେ ଉତ୍ତର ଦେଲା, “ହେ ମୋର ପ୍ରାଣପ୍ରିୟ ! ମୋର ଆତ୍ମା ତୁମଠାରୁ ଦୂରେଇ ରହିବାକୁ କେବେବି ଚାହେଁନି, କାରଣ ତୁମେ ତ ମୋର ଆତ୍ମାର ଅଭିନ୍ନ ଅଂଶ । ମୋର ଆଖିଯୋଡ଼ିକ ତୁମକୁ ନିବିଡ଼ ଭାବରେ ନିରେଖିବାରୁ ନିବୃତ୍ତ ହୁଏନି, କାରଣ ତୁମେ ହିଁ ମୋର ନୟନର ଜ୍ୟୋତି । କିନ୍ତୁ ଯଦି ମୋର ଅଦୃଷ୍ଟ ମୋ ପାଦରେ ଶିକୁଳି ବାନ୍ଧି ବନ୍ଧୁର ପଥରେ ଚାଲିବାକୁ ବାଧ୍ୟ କରାଏ, ମୁଁ କ’ଣ ଚାହିଁବି, ତୁମେ ବି ମୋ ସହିତ ସମଦଶା ଭୋଗକର?” ତା’ପରେ ପୁଣି କହିଲା, “ମୁଁ ସବୁକଥା ତୁମକୁ ବୁଝାଇ କହି ପାରିବିନି, କାରଣ ମୋର ଜିହ୍ୱା ଦୁଃଖରେ ମୂକ ପାଲଟି ଯାଇଛି, ମୋର ଓଠ ଯନ୍ତ୍ରଣାରେ ରୁଦ୍ଧ ହୋଇଯାଇଛି, ଆଉ ଖୋଲି ପାରୁନି-। କେବଳ ଏତିକି ମାତ୍ର କହିବି ଯେ ମୋର ଭୟ ହେଉଛି, ତୁମେ ବି ମୋ ଭଳି ଏକ ଷଡ଼ଯନ୍ତ୍ରର ଶୀକାର ହେବାକୁ ଯାଉଛ ।”

 

ମୁଁ ପଚାରିଲି, “ସେଲ୍‌ମା, ତୁମେ କ’ଣ କହିବାକୁ ଚାହୁଁଛ? କାହାକୁ ଭୟ କରୁଛ?” ନିଜ ମୁହଁରେ ହାତ ଚାପି ସେଲ୍‌ମା ଅନିଚ୍ଛା ସହିତ କହିଲା, “ଧର୍ମଯାଜକ ଜାଣି ସାରିଲେଣି ଯେ ପ୍ରତିମାସରେ ମୁଁ ଥରଟିଏ ମୋ ପାଇଁ ଖୋଳିଥିବା ତାଙ୍କର କବର ଭିତରୁ ବାହାରକୁ ଚାଲି ଆସୁଛି-।”

 

ମୁଁ ଉତ୍ସୁକ ହୋଇ ପଚାରିଲି, “ତାହେଲେ ସେ କ’ଣ ଆମର ଏହି ଗୋପନ ମିଳନ ସ୍ଥାନ ବିଷୟରେ ଜାଣିସାରିଛନ୍ତି?” ସେଲ୍‌ମା କହିଲା, “ସେ ଯଦି ଜାଣିଥାନ୍ତେ, ମୁଁ ଆଜି ତୁମ ପାଖରେ ବସି ନଥାନ୍ତି । କିନ୍ତୁ ମୋର ବାହାରକୁ ଆସିବାଟାକୁ ସେ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ଏବଂ ସେଥିପାଇଁ ସେ ତାଙ୍କର ଏକାନ୍ତ ଅନୁଗତ ଭୃତ୍ୟ ଓ ରକ୍ଷୀମାନଙ୍କୁ ମୋ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ଆଦେଶ ଦେଇଛନ୍ତି । ମୁଁ ଅନୁଭବ କରିପାରୁଛି, ଯେଉଁ ଘରେ ମୁଁ ରହୁଛି, ଯେଉଁ ରାସ୍ତାରେ ମୁଁ ଚାଲୁଛି, ମୋ ଚାରିପଟେ ସନ୍ତର୍ପଣରେ ଅନୁସନ୍ଧିତ୍ସୁ ଦୃଷ୍ଟି ଘୂରିବୁଲୁଛି । ମୋ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶିତ ହେଉଛି ଆଉ ମୋର ଚିନ୍ତାର ମୃଦୁଧ୍ୱନିଟିକୁ ମଧ୍ୟ ଶୁଣିବାକୁ ଚେଷ୍ଟା ଚାଲିଛି ।”

 

କିଛି ସମୟ ନୀରବତା ବିରାଜମାନ କଲା । ତା’ର ଗଣ୍ଡଦେଶରୁ ଲୁହର ଶ୍ରାବଣୀ ବୋହି ଚାଲିଥିଲା । ତା’ପରେ ସେ ପୁଣି ଆରମ୍ଭ କଲା, “ମୁଁ ଧର୍ମଯାଜକଙ୍କୁ ଆଉ ଭୟକରୁନି । କାରଣ, ଓଦା ହୋଇ ସାରିଥିବା ବ୍ୟକ୍ତି ଆଉଥରେ ବୁଡ଼ିବାକୁ ଡରେ ନାହିଁ । କିନ୍ତୁ, ମୋର ଭୟ, ତୁମେ ତାଙ୍କର ଷଡ଼ଯନ୍ତ୍ରର ଶୀକାର ବନିପାର । ତୁମେ ତରୁଣ, ତୁମେ ସୂର୍ଯ୍ୟାଲୋକ ପରି ମୁକ୍ତ । ତୁମ ଉପରେ ମୋ ପରି ବିପତ୍ତି ନ ଆସୁ । ଭାଗ୍ୟକୁ ମୋର ଆଉ ଡରିବାର ନାହିଁ । କାରଣ, ତାର ତୁଣୀରରୁ ସମସ୍ତ ତୀର ମୋର ବକ୍ଷକୁ ନିକ୍ଷେପିତ ହୋଇସାରିଛି । ମୋର ଭୟ, ସେ କାଳସର୍ପଟି ତୁମର ପାଦକୁ ଦଂଶନ ନକରୁ । ପର୍ବତର ଶିଖରକୁ ଆରୋହଣ କରିବାରୁ ତୁମକୁ ନିବୃତ୍ତ ନ କରୁ । ସେହି ଶୀର୍ଷ ଦେଶରେ ତୁମକୁ ଭବିଷ୍ୟତର ସୁଖ ସମୃଦ୍ଧି ଅପେକ୍ଷା କରି ରହିଛି ।”

 

ମୁଁ ଭାବପ୍ରବଣ ହୋଇ କହିଲି, “ଯିଏ ଆଲୋକ ରୂପୀ ସର୍ପର ଦଂଶନ ଯନ୍ତ୍ରଣା ଭୋଗିନି କିମ୍ବା ଅନ୍ଧକାର ରୂପୀ ହେଟାବାଘର ଆକ୍ରମଣରେ କ୍ଷତାକ୍ତ ହୋଇନି, ସେ ଦିବସ ରଜନୀ ଦ୍ୱାରା ସହଜରେ ପ୍ରତାରିତ ହୋଇପାରେ । ସେଲ୍‌ମା, ତୁମେ କିନ୍ତୁ ଜାଣିଥାଅ ଯେ ବିଚ୍ଛେଦ ହିଁ ଏକମାତ୍ର ବିକଳ୍ପ ନୁହେଁ । ତୁମେ କ’ଣ ଭାବୁଛ, ପ୍ରେମ ଓ ଭକ୍ତିର ପଥ ଲୋପ ପାଇଯାଇଛି? କେବଳ ମୃତ୍ୟୁର ଭୃତ୍ୟ ନିକଟରେ ତା’ର ଇଚ୍ଛାନୁଯାୟୀ ନିଜକୁ ସମର୍ପଣ କରିବା ଛଡ଼ା ଅନ୍ୟ କିଛି ବିକଳ୍ପ ନାହିଁ?”

 

ସେଲ୍‌ମା ହତାଶା ଜର୍ଜରିତ କଣ୍ଠରେ ଉତ୍ତର ଦେଲା, “ବିଚ୍ଛେଦ ଓ ପରସ୍ପରକୁ ଭୁଲିଯିବା ବ୍ୟତୀତ ଅନ୍ୟ କିଛି ଉପାୟ ନାହିଁ ।”

 

ଏକ ବିଦ୍ରୋହ ମୋର ଚେତନାରେ ନିଆଁ ଜାଳିଦେଲା । ମୁଁ ଉନ୍ମତ୍ତ ହୋଇ ସେଲ୍‌ମାର ହାତକୁ ମୋ ହାତରେ ଚାପି ଧରି କହିଲି,“ଆମେ ବହୁଦିନଧରି ଲୋକଙ୍କର ଇଚ୍ଛା ଆଗରେ ନିଜକୁ ସମର୍ପଣ କରିଚାଲିଛେ । ବେଶ୍ ହେଲା, ଅନେକ ହେଲା । ଆଉ ନୁହେଁ । ଆମର ମିଳନର ପ୍ରଥମ ଦିନଠୁ ଆଜିର ଏ ମୁହୂର୍ତ୍ତ ପର୍ଯ୍ୟନ୍ତ ଆମେ ସମାଜର ଅନ୍ଧ ସଂସ୍କାରକୁ ସମ୍ମାନ ଦେଇ ଆସିଛେ ଏବଂ କୁସଂସ୍କାରର ମୂର୍ତ୍ତିକୁ ସମାଜ ସହିତ ପୂଜା କରି ଆସିଛେ । ଆମର ପ୍ରଥମ ସାକ୍ଷାତ୍ ଭିତରୁ ଧର୍ମଯାଜକଙ୍କ ହାତରେ ଆମେ ଦୁଇଟି କ୍ରୀଡ଼ନକ ଭଳି ଗଢ଼ି ଚାଲିଛେ । ଆମେ କ’ଣ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ଇଚ୍ଛାର ଶୀକାର ହୋଇ ରହିଯିବା? ଧର୍ମଯାଜକଙ୍କର ପାଦତଳେ ମଥିତ ହୋଇ ମୃତ୍ୟୁବରଣ କରିବାକୁ ଈଶ୍ୱର କ’ଣ ଆମକୁ ଜୀବନ ପ୍ରଦାନ କରିଥିଲେ? ତାଙ୍କର ପ୍ରଦତ୍ତ ମୁକ୍ତିର ପରିଭାଷା କ’ଣ ଆମପାଇଁ ଚିର ଦାସତ୍ୱର ବନ୍ଧନ? ନିଜର ଆତ୍ମାର ଅଗ୍ନିକୁ ଯେଉଁ ବ୍ୟକ୍ତି ନିଜ ହାତରେ ନିର୍ବାପିତ କରିଦିଏ, ପରମ ପିତାଙ୍କ ଦୃଷ୍ଟିରେ ସେ ଧର୍ମଦ୍ରୋହୀ । ଈଶ୍ୱର ନିଜେ ହିଁ ସେ ଅଗ୍ନିକୁ ଆମରି ଆତ୍ମାରେ ପ୍ରଜ୍ଜ୍ୱଳିତ କରିଥାନ୍ତି । ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ ନ କରିବା ହିଁ ନିଜ ପ୍ରତି ଅନ୍ୟାୟ । ମୁଁ ତୁମକୁ ଭଲପାଏ ସେଲ୍‌ମା, ଆଉ ଜାଣେ, ତୁମେ ବି ମୋତେ ପ୍ରାଣଠୁ ବେଶି ଭଲପାଅ । ପ୍ରେମ ହିଁ ଅମୂଲ୍ୟ ସଂପଦ । ସଂବେଦନଶୀଳ ଓ ଉତ୍ତରିତ ଆତ୍ମାପାଇଁ ଏହା ଈଶ୍ୱରଙ୍କ ଅତୁଳନୀୟ ଦାନ । ଆମେ କ’ଣ ବିଭୁଦତ୍ତ ଏହି ମହାର୍ଘ ବିତ୍ତକୁ ଇତସ୍ତତଃ ନିକ୍ଷେପ କରିଦେବା, ଆଉ ଘୃଣ୍ୟ ଶୂକରମାନେ ଏହାକୁ ଦଳିମଥି ଖିନ୍‌ଭିନ୍ କରିଦେବେ? ଏ ସଂସାର ବିସ୍ମୟ ଆଉ କମନୀୟତାରେ ପରିପୂର୍ଣ୍ଣ । ତାହେଲେ ଆମେ କାହିଁକି ଧର୍ମଯାଜକ ଓ ତାଙ୍କ ସହଯୋଗୀମାନେ ଆମପାଇଁ ଖୋଳିଥିବା ସଂକୀର୍ଣ୍ଣ ସୁଡ଼ଙ୍ଗ ଭିତରେ ବଞ୍ଚିରହିବା? ଜୀବନ ଆନନ୍ଦ ଓ ମୁକ୍ତିର ମାର୍ଗ । ଆମେ କାହିଁକି ଆମ ବେକର ଗୁରୁ ଶୃଙ୍ଖଳକୁ ସଜୋରେ ଦୂରକୁ ଫିଙ୍ଗି ନ ଦେବା, କାହିଁକି ବା ପାଦର ବନ୍ଧନକୁ ଛିଣ୍ଡାଇ ନ ଦେବା, ଆଉ ମୁକ୍ତ ହୋଇ ଆମେ ଜୀବନର ସ୍ୱାଦ ଓ ଶାନ୍ତି ଆସ୍ୱାଦନ ନ କରିବା? ତେଣୁ ତୁମେ ଜାଗ୍ରତ ହୁଅ । ଏହି ଛୋଟ ମନ୍ଦିର ଚଉହଦୀକୁ ପରିତ୍ୟାଗ କରି ଆମେ ଈଶ୍ୱରଙ୍କ ପରିବ୍ୟାପ୍ତ ପରିସରରେ ଆଶ୍ରୟ ବାଛିନେବା । ପ୍ରସ୍ତୁତ ହୁଅ, ଆମେ ଆଜି ଏ ଦେଶ, ଏଠାକାର ଦାସତ୍ୱ ଓ ଅଜ୍ଞତାକୁ ଏହିଠାରେ ଛାଡ଼ିଦେଇ ଦୂରଦୂରାନ୍ତରକୁ ଚାଲିଯିବା । ସେଠାକୁ ଏହି ଶଠ-ପ୍ରତାରକମାନଙ୍କ ହାତ ଲମ୍ବି ପାରିବନି । ଆସ, ଆମେ ରାତ୍ରିର ଅନ୍ଧାରରେ ସମୁଦ୍ରର ବେଳାଭୂମିରୁ ପୋତଟିଏ ବାହି ସାଗର ପାରି ଦୂରଦେଶରେ ପହଞ୍ଚିବା । ସେଠାରେ ଆମେ ସୁଖ-ଶାନ୍ତିରେ ଜୀବନ ଅତିବାହିତ କରିବା ଆଉ ଭାବନାର ନୂତନ ମୂଲ୍ୟବୋଧକୁ ଖୋଜି ପାଇବା । ମନରେ ଆଜି ଆଉକିଛି ଦ୍ୱିଧା ରଖନା । ଆସ ସେଲ୍‌ମା, ଆମେ ଏହି ମୁହୂର୍ତ୍ତରେ ସବୁକିଛି ପଛରେ ପକାଇ ବହୁଦୂରକୁ ଚାଲିଯିବା । ଆମପାଇଁ ମାହେନ୍ଦ୍ରବେଳା ଯେ କୌଣସି ରଜାଙ୍କ ଅଭିଷେକ ମୁହୂର୍ତ୍ତଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ; ଯେକୌଣସି ଦେବଦୂତଙ୍କ ସିଂହାସନଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ । ଆସ, ଆମେ ଆଜି ସେହି ଆଲୋକର ସ୍ତମ୍ଭକୁ ଅନୁସରଣ କରି ଆଗେଇଯିବା । ତାର ଉଜ୍ଜ୍ୱଳତା ଆମକୁ ରୁକ୍ଷ ମରୁଭୂମିରୁ ଶ୍ୟାମଳ କାନ୍ତାର ଆଡ଼କୁ ବାଟ କଢ଼ାଇ ନେବ । ଆଉ, ଆମେ ସେଠାରେ ନାନାବର୍ଣ୍ଣର କୁସୁମ ଓ ସୁବାସିତ ବୃକ୍ଷର ଶୀତଳ ଛାୟାପାତରେ କାଳାତିପାତ କରିବା ।”

 

ଅସମ୍ମତିରେ ମସ୍ତକ ହଲାଇ ମନ୍ଦିର ଛାତର ଶୀର୍ଷରେ କୌଣସି ଅସ୍ପଷ୍ଟ ଦ୍ରବ୍ୟ ଉପରେ ସେଲ୍‌ମା ଦୃଷ୍ଟି ନିବଦ୍ଧ କଲା । ତା’ର ଓଠରେ ଏକ ମଳିନ ହସର ରେଖା । କହିଲା, “ହେ ମୋର ଅତିପ୍ରିୟ ବନ୍ଧୁ ! ଆଉ ମୋତେ ସେପରି କଥା କୁହନା । ଅଦୃଷ୍ଟ ମୋ ହାତରେ ଅମ୍ଳ ଓ ତିକ୍ତ ରସର ଏକ ପାନପାତ୍ର ତୋଳି ଦେଇଛି । ଈଶ୍ୱରଙ୍କର ଇଚ୍ଛାକୁ ମାନିନେଇ ମୋତେ ସେ ତିକ୍ତତାର ସମ୍ପୂର୍ଣ୍ଣ ସ୍ୱାଦକୁ ଧୈର୍ଯ୍ୟର ସହ ଚାଖିବାକୁ ହେବ । ପ୍ରେମ ଓ ଶାନ୍ତିର ନୂତନ ଜୀବନପାଇଁ ଆଉ ମୁଁ ଯୋଗ୍ୟା ନୁହେଁ । ଜୀବନରେ ଆନନ୍ଦ ଓ ମଧୁରତାର ଆସ୍ୱାଦନ ନିମନ୍ତେ ମୁଁ ସମର୍ଥ ହୋଇରହିନି । କାରଣ, ଆହତ ଡେଣାର ପକ୍ଷୀଟିଏ ଇଚ୍ଛାକରି ଅସୀମ ଆକାଶରେ ମନ ଖୋଲି ଉଡ଼ିପାରେନା । ଯେଉଁ ଆଖି ମହମବତୀର ନିଷ୍ପ୍ରଭ ଆଲୋକ ସହିତ ଅଭ୍ୟସ୍ତ ହୋଇସାରିଛି, ସେ ସୂର୍ଯ୍ୟଙ୍କର ଉଜ୍ଜ୍ୱଳ କିରଣଜାଳକୁ ଅନେଇବାର ସାମର୍ଥ୍ୟ ହରାଇ ବସେ । ମୋତେ ତୁମେ ଆଉ ଆନନ୍ଦର ସ୍ୱପ୍ନ ଦେଖାଅନି । କାରଣ, ଆନନ୍ଦର ଅଭୀପ୍ସା ମୋ ଜୀବନକୁ ବିପର୍ଯ୍ୟସ୍ତ କରିସାରିଛି । ମୋତେ ତୁମେ ଆଉ ଶାନ୍ତିର ବାଣୀ ଶୁଣାଅନା, କାରଣ ତା’ର କଳ୍ପନାମାତ୍ରେ ମୁଁ ଭୟରେ ଶିହରି ଉଠୁଛି । ବରଂ ତୁମେ ମୋ ଆଖିରେ ଆଖି ରଖି ଦେଖ, ସ୍ୱର୍ଗୀୟ ଆଲୋକରେ ଉଦ୍‌ଭାସିତ ମୋର ହୃଦୟର ଧ୍ୱଂସସ୍ତୁପ ମଧ୍ୟରୁ ତୁମେ ସେହି କମନୀୟ ଦିବ୍ୟଜ୍ୟୋତିକୁ ଦେଖିପାରିବ । ଜଣେ ସ୍ନେହମୟୀ ଜନନୀ ଯେମିତି ତା’ର ଏକମାତ୍ର ଶିଶୁକୁ ନିବିଡ଼ଭାବରେ ଭଲପାଏ, ମୁଁ ମଧ୍ୟ ତୁମକୁ ଠିକ୍ ସେମିତି ଭଲପାଏ । ମୋର ଭଲ ପାଇବା ମୋତେ କହୁଛି ତୁମକୁ ମୋର ଦୁର୍ଭାଗ୍ୟବଳୟରୁ ସୁରକ୍ଷିତ ରଖିବାକୁ ଏବଂ ଏହା ହିଁ ବୋଧେ ଅଗ୍ନିରେ ଝଉଳା ପବିତ୍ର ପ୍ରେମ । ସେଥିପାଇଁ ତୁମ ସହିତ ବିଦେଶଯାତ୍ରାରୁ ମୁଁ କ୍ଷାନ୍ତ ହେଉଛି । ପ୍ରେମ ହିଁ ମୋର ସମସ୍ତ ଇଚ୍ଛା ଓ କାମନାକୁ ହତ୍ୟା କରି ସାରିଛି । ତୁମେ ସ୍ୱାଧୀନ ଓ ପବିତ୍ର ଭାବରେ ମୋତେ ଛାଡ଼ି ବଞ୍ଚିପାରିଲେ ମୋର ଜୀବନ ଧନ୍ୟ ହେବ ଓ ପ୍ରେମ ସାର୍ଥକ ହେବ । ସୀମିତ ପ୍ରେମ ହିଁ ପ୍ରେମିକାକୁ ପାଇବାର ଆକାଂକ୍ଷା ରଖେ । କିନ୍ତୁ ଅସୀମ ପ୍ରେମ କେବଳ ପ୍ରେମର ଅନୁଚିନ୍ତା ଭିତରେ ବଞ୍ଚିରହେ । ଯେଉଁ ପ୍ରେମ ଯୌବନର ସରଳତା ଓ ଜାଗୃତି ଭିତରୁ ଜନ୍ମ ନିଏ, ତାହା ପ୍ରାପ୍ତିବୋଧରେ ସନ୍ତୋଷ ଲାଭ କରିଥାଏ । କିନ୍ତୁ ଯେଉଁ ପ୍ରେମ ଆକାଶର ଅନନ୍ତ କୋଳରୁ ଜାତ ହୁଏ ଏବଂ ରାତ୍ରିର ନିଗୂଢ଼ତା ସହିତ ଧୀରେ ଧୀରେ ନଇଁ ଆସେ, ତାହା କେବଳ ନୈସର୍ଗିକତା ଓ ଅମରତ୍ୱ ଛଡ଼ା କେଉଁଥିରେ ସନ୍ତୁଷ୍ଟ ହୁଏନା । ଏଭଳି ସ୍ୱର୍ଗୀୟ ପ୍ରେମ ହିଁ ଦେବତାମାନଙ୍କ ସମକ୍ଷରେ ସସମ୍ମାନେ ଛିଡ଼ା ହୋଇପାରେ ।”

 

“ମୁଁ ଯେତେବେଳେ ଜାଣିପାରିଲି, ଧର୍ମଯାଜକ ମୋତେ ତାଙ୍କ ପୁତୁରାଙ୍କ ଘରୁ ବାହାରକୁ ଆସିବାର ସମସ୍ତ ରାସ୍ତା ବନ୍ଦ କରୁଛନ୍ତି ଏବଂ ମୋର ଜୀବନର ଏକମାତ୍ର ଆନନ୍ଦକୁ ମୋ ଠାରୁ ଛଡ଼ାଇ ନେବାକୁ ଚାହୁଁଛନ୍ତି, ମୁଁ ମୋ ଘରର ଝରକା ପାଖରେ ଛିଡ଼ା ହୋଇ ଅନେକ ସମୟ ସମୁଦ୍ର ଆଡ଼କୁ ଅନେଇ ରହିଥିଲି । ମୋର କଳ୍ପନାରେ ସମୁଦ୍ରପାରିର ବିଶାଳ ରାଜ୍ୟ ସମୂହ ମୋ ଆଡ଼କୁ ହାତଠାରି ଡାକୁଥିଲେ । ମୋତେ ଜଣାଗଲା, ପ୍ରକୃତ ମୁକ୍ତି ଓ ବ୍ୟକ୍ତି ସ୍ୱାଧୀନତା ସବୁ ସେଇ ଅଜଣା ଦୂର ରାଜ୍ୟରେ ହିଁ ରହିଛି । କ୍ଷଣିକ ଲାଗି ଅନୁଭବ କଲି, ମୁଁ ତୁମର ଅତି ନିକଟରେ, ଏକାନ୍ତରେ ତୁମରି ଆତ୍ମାର ନିର୍ଭୟ ଆଶ୍ରୟ ତଳେ ବଞ୍ଚିରହିଛି ଏବଂ ତୁମରି ପ୍ରେମର ସାଗରରେ ନିମଜ୍ଜିତ । ଏଭଳି ଚିନ୍ତାସବୁ ନାରୀ ହୃଦୟକୁ ଅବରୁଦ୍ଧ କରୁଥିବା ପୁରାତନ ସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରେ କିମ୍ବା ମୁକ୍ତି ଓ ନ୍ୟାୟର ଆଶ୍ରୟରେ ସୁରକ୍ଷିତ ରଖିପାରେ । କିନ୍ତୁ ପରମୁହୂର୍ତ୍ତରେ ମୋର ହୃଦ୍‌ବୋଧ ହେଲା, ମୁଁ ଜଣେ ଅବଳା ଓ ଆମର ପ୍ରେମ କ୍ଷୀଣ ଓ ସୀମିତ । ଦିନର ଉଦ୍‌ଭାସିତ ଆଲୋକକୁ ସାମ୍‌ନା କରିବାକୁ ଅସହାୟ ଓ ଅସମର୍ଥ । ମନେହେଲା ସର୍ବସ୍ୱ ହରାଇ ଦେଇଥିବା ରାଜାଟିଏ ମୁଁ । ସେତିକିବେଳେ ମୋର ଅଶ୍ରୁ ଭିତରେ ତୁମରି ମୁହଁଟି ଭାସିଉଠିଲା । ଏକ ଅପଲକ ଅଜବ ଦୃଷ୍ଟିରେ ମୋ ଆଖିକୁ ତୁମେ ଚାହିଁଥିଲ । ତୁମେ ଥରେ ମୋତେ କହିଥିବା କଥାଟି ପୁଣିଥରେ ମନେ ପଡ଼ିଗଲା - ‘ଆସ ସେଲ୍‌ମା, ଆମେ ଏକ ସୁଦୃଢ଼ ଦୁର୍ଗ ଭଳି ଆସନ୍ନ ଝଡ଼ର ସାମ୍‌ନା କରିବା । ଆସ, ଆମେ ପରାକ୍ରମୀ ସୈନିକ ଭଳି ଶତ୍ରୁର ଶାଣିତ ତରବାରୀର ମୁକାବିଲା କରିବା । ଯଦି, ଆମେ ହାରିଯାଉ ଆଉ ମୃତ୍ୟୁବରଣ କରୁ, ଆମକୁ ଶହୀଦର ମାନ୍ୟତା ମିଳିବ । ଆଉ ଯଦି ଆମେ ଜିତିଯାଉ, ଆମେ ବୀର ଦର୍ପରେ ସଗର୍ବେ ବଞ୍ଚି ରହିବା । ଶାନ୍ତିରେ ରହିବା ନିମନ୍ତେ ପଛଘୁଞ୍ଚା ଦେବାଠାରୁ ବୀରଦର୍ପରେ ବାଧାବିଘ୍ନକୁ ମୁକାବିଲା କରିବା ଶ୍ରେୟସ୍କର ।’ ବାପାଙ୍କର ଶେଷ ଶଯ୍ୟା ନିକଟରେ ମୃତ୍ୟୁ ଯେତେବେଳେ ଡେଣା ପିଟି ଚକ୍କର କାଟୁଥିଲା ତୁମେ ମୋତେ ଏହି କଥାତକ କହିଥିଲ । ଗତକାଲି ମୋର କୋଠରୀ ଭିତରେ ହତାଶା ଯେତେବେଳେ ମୋ ମୁଣ୍ଡ ଚାରିପଟେ ଘୂରି ବୁଲୁଥିଲା, ମୁଁ ଏହି କଥାଗୁଡ଼ିକୁ ମୋ ସ୍ମୃତିରେ ଉଜ୍ଜୀବିତ କରିଥିଲି । ନିଜକୁ ପ୍ରକୃତିସ୍ଥ କରାଇଥିଲି । ସେତିକିବେଳେ ଜାଣିପାରିଲି, ସେହି ଅନ୍ଧକାରର କାରାଗାର ଭିତରେ ଏକ ଭିନ୍ନ ପ୍ରକାରର ମୁକ୍ତି ମୋତେ ଆହ୍ୱାନ କରୁଛି । ଆଉ, ତାହାର ଆଲୋଡ଼ନରେ ଆମର ଯନ୍ତ୍ରଣା ଲାଘବ ହୋଇଯାଉଛି ଏବଂ ଦୁଃଖ ସବୁ କମି କମି ଆସୁଛି । ମୁଁ ଦେଖିପାରିଲି, ଆମର ପ୍ରେମ ସାଧାରଣ ପ୍ରେମ ନୁହେଁ । ଏହା ସାଗର ଭଳି ଗଭୀର, ନକ୍ଷତ୍ର ପରି ଉଚ୍ଚ ଏବଂ ଆକାଶ ପରି ଅସୀମ, ଅନନ୍ତ ଓ ବିସ୍ତୃତ । ତେଣୁ ଆଜି ମୁଁ ତୁମକୁ ଏଠାକୁ ସାକ୍ଷାତ୍ କରିବାକୁ ଆସିଛି । ମୋର ଦୁର୍ବଳ ଚେତନା ଭିତରେ ଏକ ନୂତନ ଶକ୍ତିକୁ ଅନୁଭବ କରିପାରୁଛି । ଆଉ ସେହି ଶକ୍ତି ହିଁ ଗୋଟାଏ ମହତ୍ତର ଦୁର୍ଲ୍ଲଭ ବସ୍ତୁକୁ ପାଇବାପାଇଁ ଅନ୍ୟ ଏକ ମହାନ୍‌, ମହାର୍ଘ ବସ୍ତୁକୁ ତ୍ୟାଗ କରିବାର ଶକ୍ତି । ମୋର ତ୍ୟାଗ ହିଁ ତୁମକୁ ଲୋକଚକ୍ଷୁରେ ପବିତ୍ର ଓ ଶ୍ରଦ୍ଧାଭାଜନ କରାଇପାରିବ । ଆଉ ତୁମେ ସେମାନଙ୍କର ବିଶ୍ୱାସଘାତକତା, ଷଡ଼ଯନ୍ତ୍ର ଓ ଉତ୍ପୀଡ଼ନଠାରୁ ଦୂରେଇ ଯାଇପାରିବ... ।

 

“ଅତୀତରେ ଯେତେଥର ଏହି ସ୍ଥାନକୁ ମୁଁ ଆସିଛି, ମୋ ପାଦରେ ଏକ ଗୁରୁଶୃଙ୍ଖଳ ଛନ୍ଦି ହେବାର ଅନୁଭବ କରିଛି । ମୋ’ପାଇଁ ରାସ୍ତା ଅସରନ୍ତି ପରି ଜଣା ପଡ଼ୁଥିଲା, କିନ୍ତୁ ଆଜି ଆସିବାପରେ ମୁଁ ଏକ ବିରାଟ ବ୍ୟତିକ୍ରମ ଅନୁଭବ କରୁଛି । ଏକ ନୂତନ ପ୍ରତିଜ୍ଞା ନେଇ ମୁଁ ଏଠାକୁ ଆସିଛି । ଏଇ ସମସ୍ତ ଶୃଙ୍ଖଳକୁ ତାହା ସହଜରେ ଉପହାସ କରିପାରୁଛି । ମୋର ଚଲାପଥକୁ ଅନାୟାସରେ ଅତିକ୍ରମ କରିବାକୁ ପ୍ରେରଣା ଦେଇପାରୁଛି । ପୂର୍ବରୁ ମୁଁ ଏକ ଶଙ୍କିତ, ସଂତ୍ରସ୍ତ ଛାୟାମୂର୍ତ୍ତି ପରି ଆସୁଥିଲି, ଆଜି କିନ୍ତୁ ମୁଁ ସାହସୀ ନାରୀଟିଏ ପରି ଏଠାକୁ ଆସିଛି । ଯନ୍ତ୍ରଣାର ପ୍ରକୃତ ମୂଲ୍ୟାଙ୍କନ କରି ମୁଁ ତ୍ୟାଗର ମୂଲ୍ୟବୋଧକୁ ଉପଲବ୍ଧି କରିପାରିଛି । ମୁଁ ଆଜି ଏପରି ଏକ ନାରୀସତ୍ତାକୁ ଅନୁଭବ କରୁଛି, ଯିଏ ତାର ମନର ମଣିଷକୁ ଅଜ୍ଞାନ ଓ ନିର୍ଦ୍ଦୟ ଲୋକଙ୍କ କବଳରୁ ରକ୍ଷାକରିପାରିବ ଏବଂ ନିଜର କ୍ଷୁଧାର୍ତ୍ତ ଇଚ୍ଛାଠାରୁ ମଧ୍ୟ ଦୂରେଇ ଦେଇପାରିବ । ଅତୀତରେ ଏହିଠାରେ ଇଷ୍ଟାର ଓ ଯୀଶୁଙ୍କ ନିକଟରେ କଂପିତ ଛାୟା ପରି ତୁମ ନିକଟରେ ବସୁଥିଲି, ଆଜି କିନ୍ତୁ ମୁଁ ତୁମକୁ ମୋର ଆତ୍ମାର ପ୍ରକୃତ ପରିଚୟ ଦେବାକୁ ଆସିଛି ।”

 

“ମୁଁ ଛାୟାପାତରେ ବଢ଼ିଥିବା ଏକ ବୃକ୍ଷ ସଦୃଶ । ଆଜି ମୋର ଶାଖାପ୍ରଶାଖାକୁ ଦିବସର ଆଲୋକରେ ଉଲ୍ଲସିତ କରିବାକୁ କିଛି ସମୟପାଇଁ ପ୍ରସାରିତ କରିଛି । ଆଜି ମୁଁ ତୁମକୁ ସବୁଦିନପାଇଁ ବିଦାୟ ଜଣାଇବାକୁ ଆସିଛି । ମୋର ଆଶା ଓ ବିଶ୍ୱାସ, ଆଜିର ଏ ବିଦାୟ ମହନୀୟ ହେବ ଏବଂ ଆମର ପ୍ରେମ ପରି ଭୟଙ୍କର ବିଷାଦପୂର୍ଣ୍ଣ ମଧ୍ୟ ହେବ । ସୁବର୍ଣ୍ଣଖଣ୍ଡ ଅଗ୍ନିରେ ଦଗ୍‌ଧ ହୋଇ ଯେମିତି ଅଧିକ ଉଜ୍ଜ୍ୱଳ ହୁଏ, ଆମର ଏ ପ୍ରେମ ବିଦାୟ ମାଧ୍ୟମରେ ସେମିତି ଦୀପ୍ତିମନ୍ତ ହେଉ ।”

 

ସେଲ୍‌ମା ତା’ର ଭାବପ୍ରବଣ କଥା ଭିତରେ କିଛି କହିବାକୁ କିମ୍ବା ପ୍ରତିବାଦ କରିବାକୁ ଅବସର ଦେଉ ନଥିଲା । ଉଜ୍ଜ୍ୱଳ ଦୃଷ୍ଟିରେ ସେ ମୋ ଆଡ଼କୁ ଚାହିଁ ରହିଲା । ତା’ର ମୁଖମଣ୍ଡଳରେ ଏକ ଅପୂର୍ବ ଗରିମାର ଦୀପ୍ତି ଖେଳିଗଲା । ସ୍ୱର୍ଗର ଅପ୍‌ସରା ସୁଲଭ ନୀରବ ଅଥଚ ସଶ୍ରଦ୍ଧ ମୂଲ୍ୟବୋଧରେ ତାର କାନ୍ତି ଝଟକୁ ଥିଲା । ହଠାତ୍ ପ୍ରଗଳ୍‌ଭ ହୋଇ ସେ ମୋ ଉପରେ ଲୋଟି ପଡ଼ିଲା । ତାର କୋମଳ ବେଷ୍ଟନୀର ଉଷ୍ମ ଆବେଗରେ ମୋତେ ଆଲିଙ୍ଗନ କଲା । ପ୍ରଥମଥରପାଇଁ ମୋ ଓଠରେ ଦୀର୍ଘ ଆବେଗ ଭରା ଚୁମ୍ବନଟିଏ ଆଙ୍କିଦେଲା । ମୋ ସହିତ ଏଭଳି ଆଚରଣ ପୂର୍ବରୁ ସେ କେବେ କରି ନଥିଲା ।

 

ନିକାଞ୍ଚନ ଉଦ୍ୟାନରୁ ନିଜର କିରଣଜାଳକୁ ଧୀରେ ଧୀରେ ଅପସାରିତ କରି ସୂର୍ଯ୍ୟ ଅସ୍ତାଚଳକୁ ଯିବାକୁ ଲାଗିଲେ । ସେଲ୍‌ମା ମନ୍ଦିରର ମଧ୍ୟଭାଗକୁ ଚାଲିଗଲା । ସେହିଠାରୁ ସ୍ଥିର ଅଥଚ ଉଜ୍ଜ୍ୱଳ ଦୃଷ୍ଟିରେ ମନ୍ଦିର ଗାତ୍ରର କୋଣଅନୁକୋଣରେ ମୂର୍ତ୍ତି ଓ ପ୍ରତୀକ ସଂକେତଆଡ଼କୁ ଅନେଇ ରହିଲା । ବୋଧହୁଏ ନିଜ ନୟନର ଜ୍ୟୋତି ସମୂହକୁ ସେମାନଙ୍କ ଭିତରେ ଢାଳିଦେବାକୁ ଚେଷ୍ଟା କରୁଥିଲା । ତାପରେ, ଆଗକୁ କିଛି ପାଦ ଆଗେଇ ଯୀଶୁଙ୍କ ମୂର୍ତ୍ତି ଆଗରେ ସସମ୍ମାନେ ଆଣ୍ଠୁମାଡ଼ି ବସିପଡ଼ିଲା । ତାଙ୍କ ପାଦରେ ଚୁମା ଦେଇ ମୃଦୁ କଣ୍ଠରେ କହିଉଠିଲା, “ହେ ପ୍ରଭୁ ! ମୁଁ ତୁମରି ‘କ୍ରୂଶ୍‌’କୁ ଆଦରି ନେଇଛି । ‘ଇଷ୍ଟର’ଙ୍କ ସୁଖ ଓ ଆମୋଦର ଦୁନିଆକୁ ତ୍ୟାଗ କରୁଛି । ମୁଁ ପ୍ରଶଂସା ଓ ଯଶଗାନର ମାଳାକୁ ପରିତ୍ୟାଗ କରି କଣ୍ଟକର ମାଳାକୁ ବରଣ କରୁଛି । ଅଗୁରୁ ଓ ଅତରରେ ମୋର ଆତ୍ମାକୁ ନ ଧୋଇ ଲୁହ ଆଉ ଲହୁରେ ଧୋଇ ଦେଉଛି । ମଧୁ ଆଉ ମଦିରାର ପାନ ପାତ୍ରରେ ମୁଁ ଅମ୍ଳ ଓ ତିକ୍ତତାକୁ ପାନ କରୁଛି । ମୋତେ ତୁମେ ଆଶ୍ରୟ ଦିଅ ପ୍ରଭୁ । ଗାଲିଲିଓ ଓ ଅନ୍ୟମାନଙ୍କ ପରି ମୋତେ ତୁମର ଅନୁଗାମୀ କରାଅ । ଯେଉଁମାନେ ସେମାନଙ୍କର ଯନ୍ତ୍ରଣା ମାଧ୍ୟମରେ ସନ୍ତୋଷର ସନ୍ଧାନ ପାଇଛନ୍ତି ଓ ଦୁଃଖ ଭିତରେ ଉଲ୍ଲାସର ସ୍ୱାଦ ଚାଖିଛନ୍ତି ମୋତେ ତାଙ୍କ ପଥ ପ୍ରଦର୍ଶନ କରାଅ ।”

 

ତାପରେ ସେ ଛିଡ଼ାହେଲା । ଆଉ ମୋ ଆଡ଼କୁ ଚାହିଁ କହିଲା, “ଭୟଙ୍କର ପ୍ରେତାତ୍ମାମାନେ ବାସ କରୁଥିବା ନିରନ୍ଧ୍ର ଗୁମ୍ଫା ମଧ୍ୟକୁ ଏବେ ମୁଁ ହସି ହସି ପ୍ରବେଶ କରି ପାରିବି । ହେ ପ୍ରିୟତମ ! ମୋତେ ଆଉ ସହାନୁଭୂତି ଦେଖାଇବ ନାହିଁ କିମ୍ବା ମୋ’ପାଇଁ ଦୁଃଖ କରିବ ନାହିଁ । ଯେଉଁ ଆତ୍ମା ଥରଟିଏ ଈଶ୍ୱରଙ୍କ ଝଲକ ଦର୍ଶନ କରେ, ସେ ଆଉ ଶୟତାନମାନଙ୍କ ପ୍ରେତାତ୍ମାକୁ ଭୟ କରେନି । ଯେଉଁ ଦୃଷ୍ଟି ଥରେ ସ୍ୱର୍ଗର ଉନ୍ମୁକ୍ତ ଦ୍ୱାରକୁ ଦେଖିଥାଏ, ପାର୍ଥିବ ଯନ୍ତ୍ରଣାରେ ସେ କେବେବି ପଥଭ୍ରଷ୍ଟ ହୋଇପାରେନା ।”

 

ଏତିକି କହିସାରି ସେଲ୍‌ମା ଧୀର ପଦପାତରେ ଉପାସନା ପୀଠରୁ ଫେରିଗଲା । ଆଉ ମୁଁ ସେଠାରେ ନିର୍ବେଦ ପରି ଅନେକ ସମୟ ବସି ରହିଲି, ଅନନ୍ତ ସମୁଦ୍ରର ଗଭୀର ଚିନ୍ତାରେ ବୁଡ଼ି । ଐଶୀ ପ୍ରକଟନର ଭିନ୍ନ ଏକ ପୃଥିବୀ ଭିତରକୁ ମୁଁ ଭାସିଯାଇଥିଲି । ସେଠାରେ ମୁଁ ଖୋଜି- ପାଇଲି ସିଂହାସନାରୂଢ଼ ଈଶ୍ୱରଙ୍କୁ । ଦେବଦୂତମାନେ ମାନବର କାର୍ଯ୍ୟକଳାପକୁ ଅହରହ ଲିପିବଦ୍ଧ କରିବାରେ ବ୍ୟସ୍ତ । ଆତ୍ମାମାନେ ଜୀବନର ବିଷଣ୍ଣ ଗୀତିକୁ ଆବୃତ୍ତି କରିବାରେ ରତ, ଆଉ ସ୍ୱର୍ଗର ନବବଧୂଗଣ ପ୍ରେମ, ଦୁଃଖ ଓ ଅମରତ୍ୱର ମନ୍ତ୍ର ଉଚ୍ଚାରଣରେ ନିମଗ୍ନ । ସେହି ଅତୀନ୍ଦ୍ରିୟ ରାଜ୍ୟରେ କେତେ ସମୟ ହଜି ଯାଇଥିଲି, ମୁଁ ଜାଣେନି ।

 

ମୋର ମୋହଭଙ୍ଗ ହେଲାବେଳକୁ ରାତି ଗଭୀର ହୋଇସାରିଥିଲା । ନିର୍ଜନ ଉଦ୍ୟାନ ଭିତରେ ନିଜକୁ କିଂକର୍ତ୍ତବ୍ୟବିମୂଢ଼ ଅବସ୍ଥାରେ ଆବିଷ୍କାର କଲି । ସେଲ୍‌ମା କହିଥିବା ଶେଷ କଥା ଗୁଡ଼ିକ ବାରମ୍ବାର ମୋ ହୃଦୟ ଭିତରେ ପ୍ରତିଧ୍ୱନିତ ହେଉଥିଲା । ତାର ନୀରବତା, ଗତିବିଧି, ଚାଲିଚଳନ, ଅଭିବ୍ୟକ୍ତି ଏବଂ ତାର କୋମଳ ବାହୁର ଆବେଷ୍ଟନୀ ଗୋଟାକ ପରେ ଗୋଟାଏ ମୋ ମନରେ ଉଙ୍କି ମାରୁଥିଲା । ତାପରେ, ମୁଁ ହୃଦୟଙ୍ଗମ କଲି ‘ବିଦାୟ’ ଶବ୍ଦର ଅର୍ଥ ଓ ନିଛାଟିଆପଣର ଯନ୍ତ୍ରଣା କେଡ଼େ ମର୍ମନ୍ତୁଦ । ମୁଁ ହତାଶାରେ ଜର୍ଜରିତ ହୋଇସାରିଥିଲି । ମୋର ହୃଦୟ ଭାଙ୍ଗି ଚୁର୍‌ମାର୍ ହେବାର ମୁଁ ଅନୁଭବ କରୁଥିଲି । ସେତିକିବେଳେ ମୁଁ ପ୍ରଥମଥରପାଇଁ ଆବିଷ୍କାର କଲି ଯେ ଯଦିବା ମଣିଷ ମୁକ୍ତ ହୋଇ ଜନ୍ମ ଲଭିଛି, କିନ୍ତୁ ସେ ତାର ପୂର୍ବଜମାନଙ୍କ କଠୋର ନୀତି ସମୂହର କ୍ରୀତଦାସ ହୋଇ ବାନ୍ଧି ହୋଇଯାଇଛି । ସେଥିରୁ ମୁକ୍ତି ମିଳିବାର ସମ୍ଭାବନା କ୍ଷୀଣ । ଆଉ ଯେଉଁ ଆକାଶକୁ ଆମେ ପରିବର୍ତ୍ତନର ଉର୍ଦ୍ଧ୍ୱରେ ବୋଲି ବିବେଚନା କରୁ, ପ୍ରକୃତ ପକ୍ଷେ ସେ ବର୍ତ୍ତମାନକୁ ଅନାଗତର ଏବଂ ଅତୀତକୁ ବର୍ତ୍ତମାନର ଇଚ୍ଛା ଆଗରେ ସମର୍ପଣ କରିଦିଏ । ସେହି ସ୍ମରଣୀୟ ରାତି ପରଠୁ ମୁଁ ଅନେକ ସମୟରେ ଆଧ୍ୟାତ୍ମିକ ନୀତିନିୟମ କଥା ନିଗୂଢ଼ଭାବେ ଚିନ୍ତା କରିଛି, ଯେଉଁଥିପାଇଁ ସେଲ୍‌ମା ଜୀବନଠୁ ମୃତ୍ୟୁକୁ ଶ୍ରେୟସ୍କରରୂପେ ବରିନେଲା । ଆଉ, ସେହି କଠୋର ନୀତି ଆଗରେ ନିଜକୁ ନିଜେ ସମର୍ପଣ କରିଦେଲା । ପୁଣି, ଅନେକ ସମୟରେ ମୁଁ ତ୍ୟାଗର ମହାନତା ଓ ବିଦ୍ରୋହର ଉତ୍‌ଫୁଲ୍ଲତା ଭିତରେ ତୁଳନାତ୍ମକ ସମୀକ୍ଷା କରିଛି । ଉଭୟ ଭିତରେ କେଉଁଟି ପ୍ରକୃତରେ ମହନୀୟ ଓ କମନୀୟ ଜାଣିବାକୁ ଚେଷ୍ଟା କରିଛି । ବହୁ ସମୀକ୍ଷା ପରେ ମୁଁ କେବଳ ଗୋଟିଏ ମାତ୍ର ସତ୍ୟର ସନ୍ଧାନ ପାଇଛି ଏବଂ ସେଇଟା ହିଁ ‘ନିଷ୍କପଟ ଆନ୍ତରିକତା’ । ଆଉ ସେହି ଆନ୍ତରିକତା ହିଁ ଆମର ସମସ୍ତ କାର୍ଯ୍ୟକୁ ସୁନ୍ଦର ଓ ଶ୍ରଦ୍ଧାଭାଜନ କରାଇଥାଏ । ସେଲ୍‌ମା କାରାମୀ ଭିତରେ ସେହି ଆନ୍ତରିକତା ହିଁ ବିରାଜମାନ କରୁଥିଲା ।

•••

 

-୧୦-

ତ୍ରାଣକର୍ତ୍ତା

 

ଏହା ଭିତରେ ସେଲ୍‌ମାର ପାଞ୍ଚବର୍ଷ ବୈବାହିକ ଜୀବନ ବିତିଯାଇଥିଲେ ମଧ୍ୟ କୌଣସି ସନ୍ତାନ ସନ୍ତତି ଜାତ ହୋଇ ନଥିଲା । ତେଣୁ ଦାମ୍ପତ୍ୟ ଜୀବନର ଆଧ୍ୟାତ୍ମିକ ସଂପର୍କ ବି ସୁଦୃଢ଼ ହୋଇପାରିନଥିଲା । ସେ ଓ ତାର ସ୍ୱାମୀ ଦୁଇ ବିପରୀତ ମୁଖୀ ଆତ୍ମା ପରି ଏକତ୍ର ସଂଯୋଗ ହେବା ପରିବର୍ତ୍ତେ ଭିନ୍ନ ଦିଶାରେ ପରସ୍ପରଠାରୁ ଦୂରେଇ ଯାଇଥିଲେ ।

 

ଅଧିକାଂଶ ପୁରୁଷଙ୍କଠାରେ ଉତ୍ତରଦାୟାଦ ମାଧ୍ୟମରେ ନିଜର ଅସ୍ତିତ୍ୱ ଜାହିର କରିବାର ପ୍ରବୃତ୍ତି ରହିଥିବାରୁ ବନ୍ଧ୍ୟାନାରୀଟିକୁ ସର୍ବତ୍ର ଘୃଣାଚକ୍ଷୁରେ ଦେଖାଯାଏ ।

 

ଜଣେ ସମର୍ଥ ପୁରୁଷ ତାର ନିଃସନ୍ତାନ ପତ୍ନୀକୁ ଶତ୍ରୁରୂପେ ଗଣନା କରିଥାଏ । ତାକୁ ଘୃଣା କରେ ପରିତ୍ୟାଗ କରିପାରେ ଏବଂ ତାର ମୃତ୍ୟୁ ମଧ୍ୟ କାମନା କରିଥାଏ । ମନ୍‌ସୁର ବେ ଘାଲିବ ସେହିଭଳି ଜଣେ ପୁରୁଷ । ମାଟି ଭଳି ସେ ସର୍ବଗ୍ରାସୀ, ଇସ୍ପାତ୍ ପରି ଶକ୍ତ ଏବଂ କବରଖାନା ପରି ଲୋଭୀ । ଏସବୁର କାମନାର ଅନ୍ତ ନଥାଏ । ସେଲ୍‌ମାର ସମସ୍ତ ସୌନ୍ଦର୍ଯ୍ୟ ଓ କାନ୍ତି ସତ୍ତ୍ୱେ ତାର ସ୍ୱାମୀର ସନ୍ତାନ ଲାଗି ଉଦଗ୍ର ବାସନା ତାକୁ ଅନ୍ଧ କରିଥିଲା । ନିଜର ନାମ ଓ ଖ୍ୟାତିକୁ ବହନ କରିବାପାଇଁ ସନ୍ତାନର ଆବଶ୍ୟକତା ତାକୁ ବିଚଳିତ କରିଦେଲା । ସେ ସେଲ୍‌ମାକୁ ତୀବ୍ର ଭାବରେ ଘୃଣା କରିବାକୁ ଲାଗିଲା ।

 

ଅନ୍ଧକାର ଗୁମ୍ଫା ଭିତରେ ବଢ଼ିଥିବା ବୃକ୍ଷଟିଏ ଫଳ ଧାରଣ କରିପାରେନା । ସେହିପରି ବିଷାଦର ତିମିର ଭିତରେ ଛଟପଟ ହେଉଥିବା ସେଲ୍‌ମା ସନ୍ତାନସମ୍ଭବା ହୋଇପାରିନଥିଲା ।

 

ଶାବକମାନେ ପରାଧୀନତାର ବନ୍ଧନ ଭିତରେ ବାନ୍ଧି ହୋଇଯିବାର ଭୟରେ ଗୀତିପକ୍ଷୀଟି ପଂଜୁରୀ ଭିତରେ କେବେ ବି ବସା ବାନ୍ଧେନି । ସେଲ୍‌ମା ନିଜେ ଦୁର୍ଦ୍ଦଶାର କାରଗାର ଭିତରେ ବନ୍ଦିନୀ ହୋଇ ରହିଥିଲା । ତେଣୁ ଈଶ୍ୱରଙ୍କ ବୋଧେ ଇଚ୍ଛା ଥିଲା, ଆଉ ଜଣେ ବନ୍ଦୀ ତାର ଜୀବନ ଦୁଃଖର ଅଂଶୀଦାର ନ ହେଉ । ଉଦ୍ୟାନର କୁସୁମସମ୍ଭାର ସୂର୍ଯ୍ୟର ଅପାର ସ୍ନେହ ଓ ପ୍ରକୃତିର ପ୍ରେମର ସନ୍ତାନରୂପେ ବିବେଚିତ ହୁଏ । ମଣିଷର ସନ୍ତାନ ପ୍ରେମ ଓ ଅନୁକମ୍ପାର କୁସୁମ ଅଟେ ।....

 

ରାସ୍‌ବୀରୁଥ୍‌ସ୍ଥ ସେଲ୍‌ମାର ସୁରମ୍ୟ ପ୍ରାସାଦରେ ପ୍ରେମ ଓ ଅନୁକମ୍ପାର ବାତାବରଣ କେବେବି ନଥିଲା । ତଥାପି, ସେଲ୍‌ମା ରାତିରାତି ଈଶ୍ୱରଙ୍କ ସାମ୍‌ନାରେ ନତଜାନୁ ହୋଇ ସନ୍ତାନଟିଏ ଲାଗି ପ୍ରାର୍ଥନା କରୁଥିଲା । ତାର ବିଶ୍ୱାସ ଥିଲା ହୁଏତ କୋମଳତା ଓ ସ୍ନେହ ସରାଗ ଭିତରେ ସେ ଜୀବନର ହଜିଲା ସନ୍ତୋଷ ଓ ସାନ୍ତ୍ୱନାକୁ ଖୋଜି ପାଇପାରନ୍ତା.... ସେଥିପାଇଁ, ସେ ଅବିରତ ପ୍ରାର୍ଥନା କରି ଚାଲିଥିଲା । ଏବଂ ଶେଷରେ ଈଶ୍ୱର ତା’ର ପ୍ରାର୍ଥନା ଶୁଣିଲେ........

 

ଅନ୍ଧଗହ୍ୱର ଭିତରେ ବଢ଼ିଥିବା ସେହି ବୃକ୍ଷଟି ଶେଷରେ ଫଳ ଧାରଣ କଲା । ପଂଜୁରୀ ଭିତରେ ବୁଲ୍‌ବୁଲ୍ ପକ୍ଷୀଟି ଶେଷରେ ତା’ର ନିଜରି ପକ୍ଷର ପରରେ ହିଁ ବସା ବାନ୍ଧିଲା ।

 

ଈଶ୍ୱରଙ୍କ ସେହି ଅମୂଲ୍ୟ ଦାନକୁ ଗ୍ରହଣ କରିବାପାଇଁ ସେଲ୍‌ମା ତାର ଶୃଙ୍ଖଳବଦ୍ଧ ହସ୍ତଦ୍ୱୟକୁ ଆକାଶ ଆଡ଼କୁ ପ୍ରସାରିତ କରିଥିଲା । ସଫଳ ମାତୃତ୍ୱର ସମ୍ମୋହନ ଏହି ପୃଥିବୀରେ ତା’ପାଇଁ ହୁଏତ ସବୁଠୁ ବଡ଼ ସୁଖ ହେବ.....

 

ପ୍ରତୀକ୍ଷାରତ ସେଲ୍‌ମା ଦିନପରେ ଦିନ ଗଣି ଚାଲିଥିଲା । କେଉଁ ଶୁଭ ମୁହୂର୍ତ୍ତରେ ଈଶ୍ୱର ତା କୋଳରେ ଅମୃତ ରାଗିଣୀ ଭରିଦେବେ । ନିଜ ସନ୍ତାନର କୁଆଁ କୁଆଁ ସ୍ୱର ଶୁଣିବାକୁ ସେ ଉତ୍‌ଫୁଲ୍ଲିତ ହୋଇ ଉଠିଥିଲା ।...

 

ଆଖିର ଲୁହ ଭିତରୁ ଏକ ସୁନେଲି ପ୍ରଭାତର ପ୍ରତୀକ୍ଷାରେ ସେ ବଞ୍ଚିରହିଥିଲା ।.....

 

ଫଗୁଣର ଆଗମନରେ ସେଲ୍‌ମା ପ୍ରସୂତିର ଶେଯରେ ଶୋଇ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲା । ସେ ଥିଲା ଜୀବନ ଓ ମୃତ୍ୟୁ ଭିତରେ ସଂଗ୍ରାମରତ । ଡାକ୍ତରବାବୁ ଓ ସେବିକା ଏକ ନବାଗତ ଅତିଥିକୁ ପୃଥିବୀ ପୃଷ୍ଠକୁ ଆଣିବାକୁ ତତ୍ପର ହୋଇ ଉଠିଥିଲେ । ନିଶାର୍ଦ୍ଧରେ ପ୍ରସୂତିର ବେଦନା ତୀବ୍ରତର ହେଲା । ସେଲ୍‌ମା ବାରମ୍ବାର ଚିତ୍କାର କରିବାରେ ଲାଗିଲା । ସେ ଚିତ୍କାର ଗୋଟିଏ ଜୀବନରୁ ଆଉ ଗୋଟିଏ ଜୀବନକୁ ପୃଥକ୍ କରିବାର ଚିତ୍କାର । ... ଶୂନ୍ୟତାର ଆକାଶରେ ଅନ୍ୟ ଏକ ଅବିଚ୍ଛିନ୍ନିତ ଚିତ୍କାର... ଜୀବନ ଓ ମୃତ୍ୟୁର ପାଦତଳେ ଯନ୍ତ୍ରଣା ଜର୍ଜରିତ ଅସହାୟା ନାରୀର ଚିତ୍କାର ।

 

ପାହାନ୍ତା ପହରକୁ ସେଲ୍‌ମା ଏକ ଶିଶୁ ପୁତ୍ର ପ୍ରସବ କଲା । ସେ ଯେତେବେଳେ ଚେତାପାଇ ଆଖି ଖୋଲିଲା, ଘର ଭିତରେ ସମସ୍ତଙ୍କ ହସ ହସ ମୁଖମଣ୍ଡଳ ଦେଖିଥିଲା । ତାପରେ ପୁଣିଥରେ ତାରି ଶେଯରେ ଜୀବନ ଓ ମୃତ୍ୟୁର ସଂଘର୍ଷ । ଆଖିବୁଜି ସେ କାନ୍ଦିବାକୁ ଲାଗିଲା ଏବଂ କହିଉଠିଲା, “ଆରେ ମୋର ପୁଅ!” ସେବିକା ଶିଶୁପୁତ୍ରକୁ ରେଶମୀ କନାରେ ଗୁଡ଼ାଇ ତାର ମାଆ ପାଖରେ ଶୁଆଇ ଦେଲା । ଡାକ୍ତରବାବୁ ସେଲ୍‌ମା ଆଡ଼କୁ ଚାହିଁଥିଲେ, ତାର ପୀଡ଼ା ଓ ଯନ୍ତ୍ରଣାରେ ବିବ୍ରତ ହୋଇଉଠିଲେ ।

 

ଆନନ୍ଦର ଲହରୀ ପ୍ରତିବେଶୀମାନଙ୍କୁ ନିଦରୁ ଜଗାଇ ଦେଲା । ସେମାନେ ଗୃହ ମଧ୍ୟକୁ ପ୍ରବେଶ କରି ପୁତ୍ରର ପିତାକୁ ତାର ଉତ୍ତରାଧିକାରୀ ପାଇଁ ଖୁସିରେ ବଧେଇ ଜଣେଇଲେ । ସେପଟେ ପ୍ରସୂତିଶାଳାରେ ଡାକ୍ତରବାବୁ ମା ଓ ପୁଅର ସଂକଟାପନ୍ନ ଅବସ୍ଥା ଦେଖି ମୁଣ୍ଡ ହଲେଇ ପ୍ରମାଦ ଗଣିବାକୁ ଆରମ୍ଭ କରିଥିଲେ...

 

ପରିଚାରିକାଗଣ ମନସୁର ବେ ଙ୍କୁ ଶୁଭ ଖବର ଜଣେଇବାକୁ ଧାଇଁ ଗଲାବେଳେ ବିଚରା ଡାକ୍ତରବାବୁ ହତାଶ ଦୃଷ୍ଟିରେ ସେଲ୍‌ମା ଓ ତାର ଶିଶୁ ପୁତ୍ରକୁ ଅନେଇ ରହିଥିଲେ ।

 

ପୂର୍ବାକାଶରେ ସିନ୍ଦୁରା ଫାଟି ଆସୁଥିଲା । ସେଲ୍‌ମା ଶିଶୁପୁତ୍ରଟିକୁ ନିଜର ବୁକୁ ଉପରକୁ ତୋଳି ନେଉଥିଲା । ପ୍ରଥମଥର ପାଇଁ ଶିଶୁଟି ଆଖି ଖୋଲି ତା’ର ମା’ଆଡ଼କୁ ଚାହିଁଲା । ତା’ପରେ ଥରି ଉଠିଲା ଓ ସବୁଦିନପାଇଁ ଆଖି ବୁଜିଦେଲା । ଡାକ୍ତର ସେଲ୍‌ମାର ବାହୁରୁ ମୃତ ଶିଶୁଟିକୁ କାଢ଼ିନେବା ସମୟରେ ଅଶ୍ରୁବିନ୍ଦୁ ତାଙ୍କର ଗଣ୍ଡଦେଶ ଦେଇ ଝର ଝର ବୋହି ଚାଲିଥିଲା । ନିଜକୁ ପ୍ରବୋଧ ଦେଲା ଭଳି ସେ କହିଉଠିଲେ, “ଇଏ ଜଣେ ବିଦାୟୀ ଅତିଥି ।”

 

ସେତିକିବେଳେ ପ୍ରତିବେଶୀମାନେ ନବାଗତ ଉତ୍ତରାଧିକାରୀର ଉତ୍ତମ ସ୍ୱାସ୍ଥ୍ୟପାଇଁ ତାର ବାପା ସହିତ ଗୃହ ଭିତରେ ମଦିରା ପାନର କୋଳାହଳ ଭିତରେ ମତ୍ତଥିଲେ । ସେଲ୍‌ମା ଡାକ୍ତରଙ୍କ ଆଡ଼କୁ ନିର୍ନିମେଷ ଦୃଷ୍ଟି ଢାଳି ତାର ଶିଶୁପୁତ୍ରକୁ ଫେରାଇ ଦେବାକୁ ଅନୁନୟ କରୁଥିଲା । “ମୋତେ, ମୋର ପୁଅକୁ ଫେରାଇ ଦିଅନ୍ତୁ । ତାକୁ ମୋ କୋଳରେ ଜାବୁଡ଼ି ଧରିବାକୁ ଦିଅନ୍ତୁ ।”

ନବଜାତକ ଶିଶୁପୁତ୍ରର ଜୀବନ ବାୟୁ ଉଡ଼ିସାରିଥିଲା । ଗୃହ ମଧ୍ୟରେ ମଦିରା ପାତ୍ରର ରିମ୍‌ଝିମ୍ ଶବ୍ଦ ବଢ଼ି ଚାଲିଥିଲା....

 

ବିଚରା ପାହାନ୍ତାରେ ଜନ୍ମ ନେଇ ସୂର୍ଯ୍ୟୋଦୟ ବେଳକୁ ଶେଷନିଃଶ୍ୱାସ ତ୍ୟାଗ କଲା....

 

ଏକ ଅଭିନବ ଚିନ୍ତା ଭଳି ଜନ୍ମ ନେଇଥିଲା । ଏକ ଦୀର୍ଘ ନିଃଶ୍ୱାସ ପରି ଚାଲିଗଲା ଏବଂ ଏକ ଛାଇ ପରି ସେ କେଉଁଆଡ଼େ ମିଳେଇଗଲା ।

 

ବିଚରା ନବଜାତକଟି ତା’ର ଦୁଃଖିନୀ ମାତାକୁ ସାନ୍ତ୍ୱନା ଓ ଆନନ୍ଦ ଦେବାକୁ ରହିପାରିଲାନି ।

 

ଅନ୍ଧକାରର ଆଖିରୁ ଟୋପାଏ ଶିଶିରବିନ୍ଦୁ ଝରିପଡ଼ି ଆଲୋକର ସଂସ୍ପର୍ଶରେ ଯେମିତି ଉଭେଇଯାଏ, ସେହିପରି ତା’ର ଜୀବନ ରାତିର ଶେଷ ଭାଗରେ ଆରମ୍ଭ ହୋଇ ଦିବସର ପ୍ରାରମ୍ଭରେ ଶେଷ ହୋଇଗଲା ।

 

ଶାମୁକା ଗର୍ଭରେ ମୁକ୍ତାଟି ଯେମିତି ଜୁଆରରେ ବେଳାଭୂମିକୁ ଚାଲି ଆସେ ଓ ଲେଉଟାଣି ଭଟ୍ଟାରେ ସାଗରର ଅତଳ ଗହ୍ୱରକୁ ପୁଣି ଫେରିଯାଏ, ସେମିତି ସେ ବି ଚାଲିଗଲା ।....

 

କଢ଼ଟିରୁ ସଦ୍ୟ ପ୍ରସ୍ଫୁଟିତ ନୀଳକଇଁଟି ମୃତ୍ୟୁର କଠିନ ପାଦତଳେ ଚକଟି ହେଲାପରି ସେ ବିଦାୟ ନେଲା ।

 

ସେଲ୍‌ମାର ହୃଦୟଦ୍ୱାରରେ ପ୍ରିୟ ଅତିଥିରୂପେ ଆସି ତାକୁ ଆନନ୍ଦରେ ଉଦ୍‌ଭାସିତ କରିଥିଲା, ହଠାତ୍ ଫେରିଯାଇ ତାର ଆତ୍ମାକୁ ଖିନ୍‌ଭିନ୍ କରିଗଲା । ଏହାହିଁ ମଣିଷର ଜୀବନ, ରାଷ୍ଟ୍ରର ଜୀବନ । ସୂର୍ଯ୍ୟ, ଚନ୍ଦ୍ର ଗ୍ରହ, ନକ୍ଷତ୍ରର ଭବିତବ୍ୟ । ସବୁଠି ଜନ୍ମ ଅଛି, ମୃତ୍ୟୁ ବି ଅଛି ।

 

ସେଲ୍‌ମାର ଦୃଷ୍ଟି ଡାକ୍ତରବାବୁଙ୍କ ଉପରେ ନିବଦ୍ଧ ଥିଲା ଏବଂ ସେ ଚିତ୍କାର କରି କହିଉଠିଲା, “ମୋତେ ମୋର ସନ୍ତାନକୁ ଫେରେଇ ଦିଅନ୍ତୁ । ମୁଁ ତାକୁ ଟିକିଏ ବୁକୁରେ ଜଡ଼ାଇ ଧରିବି, ମୁଁ ତାକୁ କ୍ଷୀର ପିଆଇବି ।”

 

ଡାକ୍ତର ମୁଣ୍ଡ ତଳକୁ ପୋତି ଦେଲେ । ତାଙ୍କର କଣ୍ଠରୋଧ ହୋଇ ଆସୁଥିଲା । ନିଜକୁ ସମ୍ଭାଳି କହିଲେ, “ମହାଶୟା ! ଆପଣଙ୍କ ସନ୍ତାନ ମୃତ । ଆପଣ ଦୟାକରି ଅଥୟ ହୁଅନ୍ତୁ ନାହିଁ, ଧୈର୍ଯ୍ୟ ଧରନ୍ତୁ ।”

 

ଡାକ୍ତରଙ୍କ ଘୋଷଣା ଶୁଣି ସେଲ୍‌ମା କରୁଣ ଆର୍ତ୍ତଚିତ୍କାର କରି ଉଠିଲା । ମୁହୂର୍ତ୍ତକ ପରେ ହଠାତ୍ ଶାନ୍ତ ହୋଇଗଲା ଏବଂ ତା’ର ମୁଖମଣ୍ଡଳରେ ସ୍ୱସ୍ତି ଓ ହସର ଧାରଟିଏ ଖେଳିଗଲା । ଗୋଟାଏ କିଛି ନିଚ୍ଛକ୍ ସତ୍ୟକୁ ଆବିଷ୍କାର କଲାପରି ମୁଖମଣ୍ଡଳ ଧୀରେ ଧୀରେ ଉଜ୍ଜ୍ୱଳ ହୋଇଉଠିଲା । ତାପରେ ଧୀର ଶାନ୍ତ ସ୍ୱରରେ କହିଲା, “ଥରଟିଏ ମୋର ସନ୍ତାନକୁ ମୋ ନିକଟକୁ ଆଣନ୍ତୁ । ଖୁବ୍ ନିକଟରୁ ତାର ମୃତ ଶରୀରଟିକୁ ମୁଁ ଦେଖିବାକୁ ଚାହେଁ ।”

 

ଡାକ୍ତର ମୃତ ଶିଶୁଟିକୁ ସେଲ୍‌ମା ନିକଟକୁ ଆଣିଲେ ଏବଂ ତା’ର ଦୁଇ ବାହୁ ଭିତରେ ରଖିଦେଲେ । ସେଲ୍‌ମା ତାକୁ ଆଲିଙ୍ଗନ କଲା ଏବଂ ଘରର କାନ୍ଥ ଆଡ଼କୁ ମୁହଁ ଫେରାଇ ମୃତ ଶିଶୁ ଉଦ୍ଦେଶ୍ୟରେ କହିଉଠିଲା, “ତୁ ମୋତେ ସାଙ୍ଗରେ ନେବାକୁ ଆସିଥିଲୁ ନା; ମୋତେ ତୁ ଉପକୂଳ ଆଡ଼କୁ ଯାଇଥିବା ରାସ୍ତାଟି ଦେଖାଇବାକୁ ହିଁ ଆସିଥିଲୁ । ମୁଁ ଏଇଠି ତୋତେ ହିଁ ଅପେକ୍ଷା କରି ରହିଥିଲି । ଧନରେ, ମୋତେ ରାସ୍ତା କଢ଼ାଇ ନେଇଚାଲ । ଆମେ ଦୁହେଁ ଏହି ଅନ୍ଧକୂପ ଗୁମ୍ଫାକୁ ଏହି କ୍ଷଣି ପରିତ୍ୟାଗ କରିବା ।”

 

କିଛି ସମୟ ପରେ ସକାଳର ସୂର୍ଯ୍ୟରଶ୍ମି ଝରକାର ପରଦା ଭେଦି ଶେଯ ଉପରେ ଲୋଟିଥିବା ଦୁଇଟି ଶାନ୍ତ, ଶୀତଳ ଶରୀର ଉପରେ ବିଛାଡ଼ି ପଡ଼ିଲା । ଗଭୀର ନୀରବତା ସେଠାରେ ସସମ୍ମାନେ ପ୍ରହରୀରୂପେ ଛିଡ଼ା ହୋଇଥିଲା ଏବଂ ମୃତ୍ୟୁର ହିମ ଶୀତଳ ଡେଣାର ଛାଇ ସେଠାରେ ବିରାଜମାନ ଥିଲା । ଅଶ୍ରୁଳ ନୟନରେ ଡାକ୍ତରବାବୁ ଘରଭିତରୁ ବାହାରି ଆସିଲେ । କ୍ଷଣିକ ପୂର୍ବରୁ ଯେଉଁ ବିଶାଳ କକ୍ଷରେ ଆନନ୍ଦ ଉଲ୍ଲାସର ଆସର ଜମି ଉଠୁଥିଲା, ହଠାତ୍ ଶ୍ମଶାନର କରୁଣ ରାଗିଣୀରେ ତାହା ଧ୍ୱନିତ ହେଲା । ମନସୁର୍ ବେ ଘାଲିବ ପଦଟିଏ ବି କିଛି ଉଚ୍ଚାରଣ କଲେ ନାହିଁ କିମ୍ବା ତାଙ୍କ ଆଖିରୁ ଟୋପାଏ ବି ଅଶ୍ରୁ ଝରିଲା ନାହିଁ । ଡାହାଣ ହାତରେ ପାନପତ୍ରଟିକୁ ଧରି ସେ ଏକ ନିଶ୍ଚଳ ମୂର୍ତ୍ତି ପରି ଛିଡ଼ା ହୋଇଥିଲେ ।....

 

ତା’ପରଦିନ ସେଲ୍‌ମାକୁ ତା’ର ବିବାହର ଶୁଭ୍ର ବସ୍ତ୍ରରେ ଆଚ୍ଛାଦିତ କରାଗଲା ଏବଂ ଶବାଧାରରେ ରଖାଗଲା । ମୃତ ସନ୍ତାନକୁ ତାର ମାତାର ଶାନ୍ତ ବୁକୁ ଉପରେ ବାହୁର ଶବାଧାରରେ ରଖି ଦୁହିଁଙ୍କୁ ଗୋଟିଏ ଶୋଭାଯାତ୍ରାରେ ନିଆଗଲା । ମୁଁ ମଧ୍ୟ ସେହି ଶବଯାତ୍ରାର ଗହଳି ଭିତରେ ସେଲ୍‌ମା ଓ ତାର ଶିଶୁ ପୁତ୍ର ସହିତ ସମାଧିସ୍ଥଳ ପର୍ଯ୍ୟନ୍ତ ଅନୁଗମନ କରିଥିଲି ।

 

ଧର୍ମଯାଜକ ଘାଲିବ ସେଠାରେ ଉପସ୍ଥିତ ହୋଇ ମନ୍ତ୍ର ଉଚ୍ଚାରଣ କରିବାରେ ଲାଗିଲେ, ଅନ୍ୟ ପୁରୋହିତ ସବୁ ପ୍ରାର୍ଥନା କରୁଥିଲେ । ସେମାନଙ୍କ ମଳିନ ମୁଖମଣ୍ଡଳ ଉପରେ ନିର୍ବୋଧତା ଓ ଶୂନ୍ୟତାର ଆବରଣ ଢାଙ୍କି ଆସୁଥିଲା ।

 

ଶବାଧାରଟି ଯେତେବେଳେ କବର ଭିତରକୁ ଓହ୍ଲାଇ ଦିଆଗଲା, ପାଖ ଦର୍ଶକମାନଙ୍କ ଭିତରୁ ଜଣେ ବ୍ୟକ୍ତି ଅନ୍ୟଜଣକୁ ଚୁପିଚୁପି କହୁଥିଲା, “ମୋ ଜୀବନରେ ପ୍ରଥମ ଥରପାଇଁ ଗୋଟିଏ କବରରେ ଦୁଇଟି ଶବ ରଖିବାର ଅଦ୍ଭୁତ ଦୃଶ୍ୟ ଦେଖିଲି ।” ଅନ୍ୟ ବ୍ୟକ୍ତି ଜଣକ ପ୍ରତ୍ୟୁତ୍ତରରେ କହିଲା, “ମୋତେ ଜଣାପଡ଼ୁଛି, ଶିଶୁ ସନ୍ତାନଟି ତାର ମାତାକୁ ନିର୍ଦ୍ଦୟ, ନିଷ୍ଠୁର ସ୍ୱାମୀ ନିକଟରୁ ରକ୍ଷାକରିବାକୁ ଆସିଥିଲା ।”

 

ତୃତୀୟ ବ୍ୟକ୍ତିଟିଏ କହିଲା, “ଆରେ ଦେଖ ଦେଖ, ମନସୁର୍ ବେ କେମିତି କାଚ ପରି ସ୍ଥିର ଦୃଷ୍ଟିରେ ଆକାଶ ଆଡ଼କୁ ଅନେଇ ରହିଛି । ଏକା ଦିନରେ ତାର ସ୍ତ୍ରୀ ଓ ଶିଶୁପୁତ୍ରକୁ ହରାଇଥିବା ପରି ଜଣାପଡ଼ୁନି ।” ଚତୁର୍ଥ ବ୍ୟକ୍ତିଟି କହିଲା, “ତାର କକା ଧର୍ମଗୁରୁ ଜଣକ ଆସନ୍ତାକାଲି ଆଉ ଜଣେ ଧନାଢ଼୍ୟ ଓ ପ୍ରତିପତ୍ତିଶାଳିନୀ ସ୍ତ୍ରୀ ଲୋକ ସହିତ ତା’ର ପୁଣିଥରେ ବିବାହର ଆୟୋଜନ କରିଦେବ ।”

 

କବରଖନନକାରୀଟି କବରକୁ ମାଟିରେ ପୋତି ଦେବା ପର୍ଯ୍ୟନ୍ତ ଧର୍ମଯାଜକ ଓ ଅନ୍ୟ ପୁରୋହିତମାନେ ସମସ୍ୱରରେ ଅନବରତ ମନ୍ତ୍ରୋଚ୍ଚାରଣ କରି ଚାଲିଥିଲେ । ତା’ପରେ ସମବେତ ଜନତା ଜଣ ଜଣ କରି ଧର୍ମଯାଜକ ଓ ତାଙ୍କର ପୁତୁରାକୁ ସମବେଦନାର ମଧୁର ବାର୍ତ୍ତା ଜ୍ଞାପନ କରି ଫେରିଗଲେ । ମୁଁ କିନ୍ତୁ ଏକାକୀ ଦୂରରେ ଛିଡ଼ା ହୋଇଥିଲି । ଜଣେ ହେଲେ କେହି ମୋତେ ସମବେଦନା ଜଣାଇବାକୁ ଆସି ନଥିଲେ । ସତେ ଯେମିତି ସେଲ୍‌ମା ଓ ତାର ସନ୍ତାନ ସହିତ ମୋର କିଛି ସଂପର୍କ ନଥିଲା ।

 

ବିଦାୟ ଜ୍ଞାପନକାରୀ ବ୍ୟକ୍ତି ସବୁ ଜଣ ଜଣ ହୋଇ ସମାଧି ସ୍ଥଳୀରୁ ଯେଝା ବାଟରେ ଚାଲିଗଲେ । କେବଳ ମାତ୍ର କବର ଖନନକାରୀ କୋଡ଼ି ହାତରେ ନୂତନ କବର ନିକଟରେ ଛିଡ଼ା ହୋଇଥିଲା ।

 

ମୁଁ ନିର୍ଲିପ୍ତଭାବେ ତା ପାଖକୁ ଯାଇ ପଚାରିଲି, “ତୁମେ ଜାଣିଛ କି, ଫାରିସ୍ ଏଫାଣ୍ଡିଙ୍କୁ କେଉଁ ସ୍ଥାନରେ କବର ଦିଆଯାଇଥିଲା?”

 

କ୍ଷଣିକପାଇଁ ସେ ମୋ ଆଡ଼କୁ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଅନେଇ, ସେଲ୍‌ମାର କବରକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା, “ଠିକ୍ ଏହିଠାରେ । ମୁଁ ତା’ର ବାପାଙ୍କ କବର ଖୋଳିଥିଲି । ଆଜି ତା ବାପାଙ୍କ କବର ଉପରେ ଝିଅଟିର ଶବାଧାର ରଖିଛି ଓ ତା ବୁକୁ ଉପରେ ତାର ଶିଶୁ ସନ୍ତାନକୁ ଏବଂ ସଭିଙ୍କ ଉପରେ ମୁଁ କୋଡ଼ିରେ ମାଟି ସବୁ ଭର୍ତ୍ତି କରିଦେଇଛି ।”

 

ମୁଁ ତାକୁ ପୁଣି ଥରେ କହିଲି, “ତୁମେ ମୋର ହୃଦୟଟିକୁ ମଧ୍ୟ ଏହି ଗାଢ଼ ଭିତରେ ପୋତି ଦେଇଛ ।”

 

ସେ ଏକ ଅଦ୍ଭୁତ ଦୃଷ୍ଟିଢାଳି ଅଶ୍ୱତ୍‌ଥବୃକ୍ଷର ଆଢ଼ୁଆଳରେ ଯେତେବେଳେ ଅଦୃଶ୍ୟ ହୋଇଗଲା, ମୁଁ ସେଲ୍‌ମାର କବର ଉପରେ ଲୋଟି ପଡ଼ିଲି । କୋହସମ୍ବରଣ କରି ନ ପାରି ଛୋଟ ପିଲାଟି ପରି କାନ୍ଦିବାକୁ ଲାଗିଲି ।

•••